ମହାପ୍ରଭୁଙ୍କ ମାନବୀୟ ଲୀଳାରେ ଆଧ୍ୟାତ୍ମିକ ଫେରୁ
ଜୟ ଜଗନ୍ନାଥ କି ଲୀଳା ତୋର ପୁଣି ୧୪୪ ଧାରା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଚାଲିଛି , ଭକ୍ତ ଟିଭିରେ ଦେଖିବେ, କାର୍ଯ୍ୟରତ କର୍ମଚାରୀ, ଗଣମାଧ୍ୟମ ଏବଂ ସେବାୟତ ମାନଙ୍କ ଉପରେ କଟକଣା ପ୍ରଭାବ ପଡିବନି, ସେମାନେ ତୋ ସେବା କରିବେ, ଦର୍ଶନ କରିବେ, ତୋ ଆଗରେ ଛିଡ଼ାହୋଇ ଫୋଟୋ ଉଠେଇବେ। ହଁ କିଛି କହୁଛନ୍ତି ପରମ୍ପରା କ୍ଷୁର୍ଣ୍ଣ ହବନି , ହେଲେ ବୁଝିହେଲାନି ମଧ୍ୟ ରାତ୍ରରୁ ସ୍ନାନ ମଣ୍ଡପକୁ ପହଣ୍ଡି ହବାର କାରଣ କଣ ହୋଇପାରେ ନା ଏହା ମଧ୍ୟ ପରମ୍ପର !
ଏମିତି କିଛି ମୋର ଟିକେ ଭାବର ଆଦାନ ପ୍ରଦାନ ହୋଇଗଲା ସେଇ ଭାବର ମହାପ୍ରଭୁଙ୍କ ସାଙ୍ଗେ। ଆଉ ଲାଗିଲା ଯେପରି କିଛି କଷ୍ଟ ସେତେବେଳେ ମଧ୍ୟ କାହକୁ ବୋଧେ ଲାଗିନଥିଲା ଯେତେବେଳେ ଭକ୍ତର ସ୍ୱାର୍ଥ ପାଇଁ ପ୍ରଶାସନ କିଛି ବର୍ଷରୁ ନୂଆ ବର୍ଷ ପାଇଁ ମହାପ୍ରଭୁଙ୍କୁ ମଧ୍ୟରାତ୍ରରୁ ଦର୍ଶନ ଆରମ୍ଭ କରିଛନ୍ତି, ସେମିତି ନବକଳେବରରେ ଭକ୍ତ ମନ୍ଦିର ବାହାରେ ନିଜର ଆଧ୍ୟାତ୍ମିକ ଭାବନାରେ ମହାପ୍ରଭୁଙ୍କୁ ଆରାଧନା କରି ସକାଳେ ଘରକୁ ଯାଇଁ ସନ୍ଧ୍ୟାରେ ଶୁଣିଲା ବ୍ରହ୍ମ ପରିବର୍ତ୍ତନ ଦିନ ଦ୍ବିପହରେ ଘଟିଛି। ହଁ ଆଘାତ ଲାଗିଥିଲା ଭାବନାରେ, ହେଲେ ସବୁ ସେଇ ଜଗାର ଇଚ୍ଛା ବୋଲି କହି ସମସ୍ତେ ନିଜ ନିଜକୁ ଆଶ୍ୱାସନା ଦେଇ ସମୟର ସ୍ରୋତରେ ଭୁଲିଗଲେ। ଏମିତି ବହୁତ ଘଟଣା ଏବଂ ଅଘଟଣା ଅଛି ହେଲେ ସବୁ ସେଇ ଜଗା। ତେଣୁ ଏବେ ଆଉ କାହିଁ କଷ୍ଟ ଲାଗିବଯଦି ମଧ୍ୟ ରାତ୍ରରୁ ପହଣ୍ଡି ହଉଛି ଅବା ଭକ୍ତଙ୍କୁ ବାରଣ ହଉଛି ଦର୍ଶନ।
ନା ମୁଁ ଭକ୍ତ ସାଲବେଗ, ନା ବଳରାମ ଦାସ, ନା ଦାସିଆ ବାଉରୀ, ନା ରଥଯାତ୍ରାର ଭାଷ୍ୟକାର , ବରଂ ମୋ ପାଇଁ ତୁ କେବଳ ଭାବର ମହାପ୍ରଭୁ, ଆଉ ତୋ ସହିତ ଟିକେ ଭାବର ଆଦାନ ପ୍ରଦାନ ବେଳେ ବେଳେ ହୋଇଯାଏ ବଡ ଦାଣ୍ଡରେ। ହେଲେ ଆଗରୁ ରଥ ଉପରେ ଆଲିଙ୍ଗନ କରିବା ପାପ ବୋଲି କିଛି କହି ବାରଣ କଲେ ଏବଂ ଆଇନ ମାଧ୍ୟମରେ ଆଲିଙ୍ଗନ ଦୁରକଥା ରଥାରୂଢ଼ରେ ରଥ ସ୍ପର୍ଶ ବି ଆଇନ ମାଧ୍ୟମରେ ବନ୍ଦ ହୋଇସାରିଛି, ଆଉ ଏବେ ବଡ଼ଦାଣ୍ଡବି ବନ୍ଦ ହୋଇଗଲା। ବେଳେ ବେଳେ ଲାଗୁଛି ଏହା ମଧ୍ୟ ସତ୍ୟ, ବୋଧେ ଆଜିର ସମାଜ ସେକାଳେ ଥିଲେ ଆମେ ନା ଭକ୍ତ ସାଲବେଗ, ନା ବଳରାମ ଦାସ, ନା ଦାସିଆ ବାଉରୀର ତୋ ସହିତ ସମ୍ପର୍କ କିଛି ଜାଣି ପାରିଥାନ୍ତୁ !
ସମ୍ଭବତଃ ଏକ ନୂତନ ପରମ୍ପରା ଅପେକ୍ଷାରେ ଜଗନ୍ନାଥ ସଂସ୍କୃତି ଏବଂ ମହାମାରୀ ଏକ ସୁଯୋଗ। ତର୍ଜମାର ବିଷୟ ସ୍ନାନ ମଣ୍ଡପକୁ ମହାପ୍ରଭୁ ଆସନ୍ତି କଣ ପାଇଁ ? ବଡ଼ ଦାଣ୍ଡକୁ ଆସନ୍ତି କଣ ପାଇଁ ? ରଥ ଉପରେ ଏକାଦଶୀରେ ସୁନାବେଶ ହୁଅନ୍ତି କାହା ପାଇଁ ? ନୀଳାଦ୍ରି ବିଜେ ଆଗରୁ ଅଧର ପଣା କାହା ପାଇଁ ? ୟେ ସବୁ ପ୍ରଶ୍ନର ଉତ୍ତର ବାହାର କରିବା ଦରକାର, କାରଣ ଯଦି ନବକଳେବର ଉପରେ ଆମର ବିଶ୍ୱାସ ଅଛି ତେବେ ମହାପ୍ରଭୁ ହଉଛନ୍ତି ଏକ ଜୀବନ୍ତ ଠାକୁର ଏବଂ ତାଙ୍କର ବାସ ସ୍ଥାନ ଏକ ସ୍ମୃତିର ଉଦ୍ୟାନ ନୁହେଁ, ଯାହା ବର୍ତ୍ତମାନ ସୌନ୍ଦର୍ଯ୍ୟକରଣ ପରିକଳ୍ପନା ହଉଛି। ଏମିତି ନହଉ ଭବିଷ୍ୟତରେ ଶ୍ରୀମନ୍ଦିରକୁ ତାଜମହଲ ସହିତ ଆଲୋଚନା ହୁଏ ତେବେ ଆଶ୍ଚର୍ଯ୍ୟ ହବାର ନାହିଁ। କାରଣ ବର୍ତ୍ତମାନ ସ୍ମୃତିର ଉଦ୍ୟାନ ମଧ୍ୟରେ ଶ୍ରୀମନ୍ଦିର ଥିବା ଭଳି ଲାଗୁଛି। ହଁ କିଛିଙ୍କ ପାଇଁ ଯେମିତି ପରମ୍ପରା ଚାଟଶାଳୀ ଆଉ କିଛିଙ୍କ ପାଇଁ ଆମୋଦ ପ୍ରମୋଦ ସ୍ଥଳୀର ଉତ୍ସବ।
ମହାମାରୀକୁ ତର୍ଜମା କଲେ ଏହା ଲାଗୁଛି ଯେ , ଆଗାମୀ କିଛି ବର୍ଷ ପାଇଁ ସମ୍ଭବତଃ ଜନ ସମୂହ ଭିତ୍ତିକ କାର୍ଯ୍ୟକ୍ରମ ସମ୍ଭବପର ନହୋଇ ପାରେ ! ତେଣୁ ମହାପ୍ରଭୁଙ୍କ ମାନବୀୟ ଲୀଳା ସମ୍ପୂର୍ଣ୍ଣ ବାରଣ କରିବା ଅପେକ୍ଷା ଜଦି ପ୍ରଶାସନ ଚିନ୍ତା କରିବେ ତବେ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ଇତ୍ୟାଦିକୁ ଶୃଙ୍ଖଳା ଏବଂ କଟକଣା ମାଧ୍ୟମରେ ଭକ୍ତଙ୍କୁ ନେଇ କରାଯାଇପାରିବ। ଏହାର ଉଦାହରଣ ହୋଇପାରେ ରାଜ୍ୟ ସରକାରଙ୍କ ବରିଷ୍ଟ ନାଗରୀଙ୍କ ପାଇଁ ନିଜସ୍ୱ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମ, ଗଣତନ୍ତ୍ର ଦିବସରେ ଯେପରି ପ୍ୟାରେଡ଼ ଦର୍ଶକ ଗ୍ୟାଲେରିରେ ବସି ଦେଖି ପାରୁଛନ୍ତି, ଅବା ଯେପରି ବଡ଼ ବଡ଼ ଖେଳରେ ଅଳ୍ପ କିଛି ଦର୍ଶକ ନେଇ ହୋଇପାରୁଛି, ଠିକ ସେହିପରି ପୁରୀରେ କରିବାପାଇଁ ଚେଷ୍ଟା ହବା ଦରକାର। ବର୍ତ୍ତମାନ ଟୋକିଓରେ ଅଲମ୍ପିକ ହବା ପାଇଁ ଯାଉଛି, ସେଠି ମଧ୍ୟ ଦଶ ହଜାର ଦର୍ଶକ ଅବା ଖେଳ ପଡ଼ିଆର ଅଧା ଦର୍ଶକଙ୍କୁ ନେଇ ଆୟୋଜନ ହବାକୁ ଯାଉଛି।
ତେଣୁ ପ୍ରଶାସନ ଚିନ୍ତା କରିବା ଦରକାର ଯୋଉମାନଙ୍କ ମନ୍ଦିର ଯିବା ବାରଣ ଅଛି ସେମାନଙ୍କୁ ଏହି ଉତ୍ସବର ଦର୍ଶନ କରିବାର ସୁଯୋଗ ସୃଷ୍ଟି ହବା ଦରକାର । ସେହିପରି ବୟସ୍କ ଲୋକମାଙ୍କ ପାଇଁ ମଧ୍ୟ ତୀର୍ଥ ଯାତ୍ରା ଭଳି କାର୍ଯ୍ୟକ୍ରମ ହେଉ, ଗାଡି ମଟରରେ ଏହି ସମୟରେ ପୁରୀ ଯିବା ବାରଣ ହେଉ । କେବଳ ଯୋଉମାନେ ଟୀକା ନେଇଥିବେ ସେମାନେ ପୁରୀ ସାଇକେଲ ଅବା ଚାଲିକି ଯାଇପାରିବେ ସେହିମାନଙ୍କୁ କଟକଣା ନିୟମ ପାଳନ କରି ଦର୍ଶନ କରିବାର ସୁଯୋଗ ମିଳୁ। ଯେପରି ବିଗତ ବର୍ଷରେ ମୁଁ ଏବଂ ମୋର କିଛି ସାଇକେଲ ଚଳାଉଥିବା ବନ୍ଧୁ, ଆମେ ନନ୍ଦିଘୋଷ ରଥ ଟଣା ହେଲାପରେ ଭୁବନେଶ୍ୱରରୁ ସାଇକେଲ ମାଧ୍ୟମରେ କୋଣାର୍କ ହୋଇ ପୁରୀ ବଡ଼ଦାଣ୍ଡରେ ମଧ୍ୟ ରାତ୍ର ପରେ ପହଞ୍ଚୁ ଏବଂ ଦୂରରୁ ଦର୍ଶନ କରି ସକାଳୁ ସକାଳୁ ଆସି ଘରେ ପହଞ୍ଚୁ।
ମହାମାରୀ ସୁଯୋଗ ଦେଇଛି ମହାପ୍ରଭୁଙ୍କ ମାନବୀୟ ଲୀଳାରେ ସୁଧାର ଆଣିବା ପାଇଁ, କାରଣ ଏହା ଏକ ଆଧ୍ୟାତ୍ମିକ ଉତ୍ସବ ନା କି ପର୍ଯ୍ୟଟନ ଉତ୍ସବ ? କିନ୍ତୁ ବିଗତ କିଛି ବର୍ଷ ଏହାକୁ ପର୍ଯ୍ୟଟନ ଶିଳ୍ପ ସହିତ ଯୋଡ଼ାଯାଇ ଅଯଥା ଭିଡ଼, ବିଶୃଙ୍ଖଳା, ଅଳିଆ ଆବର୍ଜନା, ଇତ୍ୟାଦି ସୃଷ୍ଟି କରାଯାଇଛି। ଗତବର୍ଷ ରଥଯାତ୍ରା ଉଦାହରଣ ବିନା ପର୍ଯ୍ୟଟନ ଅଧାରେ କେତେ ଶୃଙ୍ଖଳିତ ଭାବେ ରଥଯାତ୍ରା ହୋଇପାରେ। ତେଣୁ ଭବିଷ୍ୟତ ପାଇଁ ଜଗନ୍ନାଥ ସଂସ୍କୃତିର ପ୍ରସାର ହଉ ଆଧ୍ୟାତ୍ମିକ ପାଇଁ, ପର୍ଯ୍ୟଟନ ପାଇଁ ଅନ୍ୟ ଜାଗା ଏବଂ ସୁଯୋଗ ଅଛି।
ମହାପ୍ରଭୁଙ୍କ ମାନବୀୟ ଲୀଳା ଭଲରେ ଭଲରେ ସମ୍ପନ୍ନ ହଉ, ଏତିକି ଆଶା ଓ ଅଭିଳାଷ । ଜଗତକୁ ନିଜ ଆଶୀର୍ବାଦରେ ନିଜ ସୁଦର୍ଶନ ଚକ୍ରରେ ଘୋଡେଇ ରଖିଥାଅ ପ୍ରଭୁ ।
ଜୟ ଜଗନ୍ନାଥ