Latest Odisha News

BREAKING NEWS

କରମାବାଈ ପ୍ରସଙ୍ଗ

ଶ୍ରୀକ୍ଷେତ୍ରକୁ ବିଭିନ୍ନ ସମୟରେ ଆସିଛନ୍ତି ବହୁ ସାଧୁ ସନ୍ଥ ପଣ୍ଡିତ କବି ଭକ୍ତ, ଏମିତି ଅନେକ ସମର୍ପିତ ଆତ୍ମା ଯେଉଁମାନେ ମହାପ୍ରଭୁଙ୍କ ମହିମାରେ ଆକର୍ଷିତ ହୋଇ ଏହିଠାରେ ଶେଷ ଜୀବନ କଟାଇଛନ୍ତି । ସେମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ପ୍ରବାଦ, ପ୍ରହେଳିକା ଓ କିମ୍ବଦନ୍ତୀ । ଅନେକ ମନଗଢ଼ା, ଅଲୌକିକ କାହାଣୀ କାଳକ୍ରମେ ଯୋଡ଼ିହୋଇ ଯାଇଛି ସେମାନଙ୍କର ଭକ୍ତିଭାବ ତଥା ସମର୍ପିତ ସ୍ୱଭାବକୁ ନେଇ ।

ସେହିଭଳି ସପ୍ତଦଶ ଶତାବ୍ଦୀରେ ସୁଦୂର ରାଜସ୍ଥାନରୁ ମହାପ୍ରଭୁଙ୍କ ଦ୍ୱାରା ପ୍ରଭାବିତ ହେଇ ଚାଲିଆସିଥିଲେ ଜଣେ ନାରୀ, ଭକ୍ତ
କରମାବାଈ । ମୀରାବାଈଙ୍କ ଭଳି ସେ ମଧ୍ୟ ଥିଲେ କୃଷ୍ଣପ୍ରେମୀ । ପିଲାବେଳେ ପିତାମାତାଙ୍କ ଅନୁପସ୍ଥିତିରେ ଘରେ ପୂଜା ପାଉଥିବା ଶ୍ରୀକୃଷ୍ଣ ମୂର୍ତ୍ତି ଆଗରେ ଖେଚୁଡ଼ି ରାନ୍ଧି ଅର୍ପଣ କରିଥିଲେ । ପ୍ରଭୁ ନଖାଇବା ଯାଏ ନିଜେ ଉପାସରେ ରହିଥିଲେ । ପ୍ରଭୁ ଶ୍ରୀକୃଷ୍ଣ ବାଳିକାର ନିଷ୍ଠାପର ଭକ୍ତିଭାବରେ ପ୍ରୀତହୋଇ ତାଙ୍କୁ ଦର୍ଶନ ଦେଇଥିଲେ । ପିତାମାତା ତୀର୍ଥାଟନରୁ ଫେରି ଅବିଶ୍ୱାସ କରିବାରୁ ପ୍ରଭୁ ସେମାନଙ୍କୁ ମଧ୍ୟ ଦର୍ଶନ ଦେଇ ବାଳିକା କରମାର ଭକ୍ତି ନିଷ୍ଠା ପ୍ରମାଣିତ କରିଥିଲେ । ପରବର୍ତ୍ତି କାଳରେ କରମା ପୁରୀକୁ ଆସି ଅବସ୍ଥାନ କରିଥିଲେ ଏବଂ ଶେଷ ଜୀବନ ଏହିଠାରେ କଟାଇଥିଲେ ।

ଏହି କଥାକୁ ନେଇ ଏହା ସହିତ ଅନେକ ମନଗଢ଼ା ତଥ୍ୟର ସମିଶ୍ରଣରେ ୱିକିପିଡ଼ିଆରେ କରମାବାଈଙ୍କ ଇତିହାସ ନାମରେ ସନ୍ଦର୍ଭ ସ୍ଥାନ ପାଇଛି । ସମ୍ଭବତଃ ରାଜସ୍ଥାନର କେହି ଐତିହ୍ୟ ପ୍ରେମୀ ଭୁଲବଶତଃ ଏହିଭଳି ଭ୍ରମ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେଥିରେ କୁହାଯାଇଛି ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମେ କରମାବାଈଙ୍କ ନାମରେ ପ୍ରସ୍ତୁତ ଖେଚୁଡ଼ି ଭୋଗ ଲାଗେ । ଏହା ଅନେକାଂଶରେ ଠିକ୍ ହୋଇପାରେ । ଦ୍ୱିତୀୟରେ ଦର୍ଶାଯାଇଛି ଯେ ଜଗନ୍ନାଥ ପୁରୀ ମନ୍ଦିରରେ ଠାକୁରଙ୍କ ପାଖରେ କରମାବାଈଙ୍କ ମୂର୍ତ୍ତି ପୂଜା ପାଏ ଏବଂ ରଥଯାତ୍ରା ବେଳେ ସେହି ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କ ସହିତ ନରହିଲେ ରଥ ଗଡ଼େ ନାହିଁ । ଆହୁରି କୁହାଯାଇଛି ତାଙ୍କ ସମାଧୀ ନିକଟରେ ରଥ କୁଆଡ଼େ ଅଟକିଯାଏ, ଯାହାର ସତ୍ୟାସତ୍ୟ ଆଦୌ ନାହିଁ । ତାଙ୍କ ନାମରେ ସ୍ୱତନ୍ତ୍ର ଭାବେ ବଡ଼ଦାଣ୍ଡରେ କୌଣସି ସ୍ଥାନରେ ସମାଧୀ
ରହିନାହିଁ । ଏଣୁ ରଥ ଅଟକିବାର ପ୍ରଶ୍ନ ହିଁ ଉଠୁନାହିଁ ।

ଏଥିରୁ ସ୍ୱତଃ ପ୍ରମାଣିତ ହୁଏ ଯେ କିଛି ଲୋକଙ୍କ ଅପଚେଷ୍ଟା ଫଳରେ ଏହିଭଳି ଅନେକ ବିଭ୍ରାନ୍ତିକର ତଥ୍ୟ ପରିବେଷଣ ପାଇଁ ଡିଜିଟାଲ ମାଧ୍ୟମ ଆଜିକାଲି ଅତ୍ୟନ୍ତ ସହଜ ସୁଲଭ ହୋଇପଡ଼ିଛି । ଏହିଭଳି ଆହୁରି ଅନେକ ଭ୍ରମାତ୍ମକ ତଥ୍ୟ ଇଣ୍ଟରନେଟ୍‌ର ବିଭିନ୍ନ ଫର୍ଦ୍ଦରେ ଉପଲବଧ୍ । ଉଦାହରଣ ସ୍ୱରୂପ ରତ୍ନସିଂହାସନରେ ଉପବିଷ୍ଟ ଭୂଦେବୀଙ୍କ ନାମ ମଧ୍ୟ ଭିନ୍ନ ପ୍ରକାରରେ ଦେଖିବାକୁ ମିଳେ । ଏହାଛଡ଼ା
ଅତୀତରେ ମହାପ୍ରଭୁ ମୋଗଲ ଆକ୍ରମଣ ଭୟରେ ପାତାଳି ହେବା ପାଇଁ ତେଲେଙ୍ଗାନା ପର୍ଯ୍ୟନ୍ତ ନିଆହୋଇଥିଲେ ବୋଲି ମଧ୍ୟ ଭିନ୍ନ ଏକ ଫର୍ଦ୍ଦରେ ଉଲ୍ଲେଖ ଅଛି । ଏଣୁ ଓଡ଼ିଆ ଅସ୍ମିତାକୁ ରକ୍ଷା କରିବା ପାଇଁ ଏହିଭଳି ଆଧାର ଶୂନ୍ୟ ତଥ୍ୟ ପରିବେଷଣର ନିରାକରଣ ନିହାତି ଆବଶ୍ୟକ ।

କିମ୍ବଦନ୍ତୀର ମୁଖ୍ୟ ଆଧାର ହେଉଛି ଜନଶ୍ରୁତି । ଯାହା ଲୋକମୁଖରେ ପ୍ରଚଳିତ ତାହା ଜନଶ୍ରୃତି । ପ୍ରକାଶଯୋଗ୍ୟଯେ ଉପରୋକ୍ତ ତଥ୍ୟ କୌଣସି ଶାସ୍ତ୍ର ବା ଇତିହାସ ସମର୍ଥିତ ନୁହେଁ । ମାଦଳା ପାଞ୍ଜି ବା ଦାଢ଼୍ୟତା ଭକ୍ତି ଯେଉଁଥିରେ ଅନ୍ୟ ବହୁ ଭକ୍ତଙ୍କ କଥା ଉଲ୍ଲେଖ ଅଛି ସେଥିରେ କରମାବାଈଙ୍କ ବିଷୟରେ ପଦଟିଏ ବି ମିଳେନାହିଁ । ଆମ ସ୍ଥାନୀୟ ଜନଶ୍ରୁତି ଅନୁସାରେ କରମାବାଈ ଜଣେ ଦେବଦାସୀ
ଥିଲେ । ସେ ମାର୍କଣ୍ଡେଶ୍ୱର ସାହିର କୌଣସି ସ୍ଥାନରେ ରହୁଥିଲେ । ପ୍ରାପ୍ତ ବୟସରେ ସେ ସେବା ନିବୃତ୍ତ ହେଲେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ଥିଲେ ଯାହା ନିମ୍ନୋକ୍ତ ଘଟଣାରୁ ପ୍ରତିପାଦିତ ହୁଏ ।

ଦିନେ ପ୍ରତ୍ୟୁଷରେ ଜଣେ କୃଷ୍ଣବର୍ଣ୍ଣର ବାଳକ ତାଙ୍କୁ ମା’ ବୋଲି ସମ୍ବୋଧନକରି ବହୁତ ଭୋକ ଲାଗୁଛି ବୋଲି କହି ଖାଇବାକୁ ମାଗିଲେ । ସେଥିରେ କରମାବାଈ ଘରେ ଯାହା ଥିଲା ହାଣ୍ଡିରେ ପକାଇ ଚୁଲି ଜାଳି ଖେଚୁଡ଼ି ରାନ୍ଧି କଦଳୀ ପତ୍ରରେ ପରଶି ଦେଲେ । ତରବର ହେଇ ରାନ୍ଧିବା ବେଳେ ସେ ନିଜେ ଘଷୁଥିବା ଦାନ୍ତକାଠିର ତଳପଟେ ଖେଚୁଡ଼ି ଘାଣ୍ଟିଦେଇଥିଲେ । ଏମିତି କିଛି ଦିନ ଚାଲିବା ପରେ ଦିନେ କରମା ଖେଚୁଡ଼ି ରାନ୍ଧି ସେ ବାଳକକୁ ଅପେକ୍ଷା କରି ବସିଛନ୍ତି ମାତ୍ର ସେ ଆଉ ଆସିଲେ ନାହିଁ । ତା’ ପର ଘଟଣାରେ ଭିନ୍ନମତ ପ୍ରକାଶ ପାଏ । କିଏ କହେ ଶ୍ରୀମନ୍ଦିରରେ ସକାଳ ଧୂପ ସମୟରେ ଦର୍ପଣରେ ମହାପ୍ରଭୁଙ୍କ ପ୍ରତିରୂପ ଦୃଶ୍ୟ ହେଲାନାହିଁ ଆଉ ରଜାଙ୍କୁ ସ୍ୱପ୍ନ ହେଲା ‘ମୁଁ ଏଠି କଅଣ ଖାଇବି ମୁଁ ତ କରମାର ଘରେ ଖେଚୁଡ଼ି ଖାଇସାରିଛି’ ତା’ପରେ ରଜା ନିଜେ କରମା ପାଖକୁୁ ଯାଇ ତା’ର ଭକ୍ତିଭାବକୁ ସ୍ୱୀକୃତି ଦେଇଥିଲେ ।

ଅନ୍ୟ ଏକ ମତ ଅନୁସାରେ ବଡ଼ପଣ୍ଡା କରମାବାଈର ଘର ଦେଇ ପ୍ରତ୍ୟୁଷରେ ଗଲାବେଳକୁ ସେ ଘର ଚନ୍ଦନ କସ୍ତୁରୀ ଓ କର୍ପୂର ବାସ୍ନାରେ ମହକି ଉଠୁଥିଲା । ପଣ୍ଡାଙ୍କ ମନରେ ସନ୍ଦେହ ଜାତ ହେବାରୁ ସେ କରମାବାଈକୁ ହାଙ୍କିଲେ ଏବଂ ତାଙ୍କଠାରୁ ଶୁଣିଲେ ଯେ କେହି ଜଣେ କୃଷ୍ଣବର୍ଣ୍ଣର ବାଳକ ଆସି ତାଙ୍କ ହାତରେ ରନ୍ଧା ଖେଚୁଡ଼ି ଖାଇ ଯାଉଛନ୍ତି ବୋଲି । ଏହାକୁ ନେଇ ଶ୍ରୀମନ୍ଦିରରେ ସକାଳ ଧୂପରେ ଖେଚୁଡ଼ି ଭୋଗର ଆରମ୍ଭ ବିଷୟରେ ଜନଶ୍ରୃତି ରହିଛି ।

ଶ୍ରୀମନ୍ଦିରର ରୋଷଶାଳାରେ ପ୍ରଚଳିତ ଅନେକ ପ୍ରକାରର ହାଣ୍ଡି କୁଡ଼ୁଆ ମଧ୍ୟରେ ଗୋଟିଏ କରମାବାଈଙ୍କ ନାମରେ ଉତ୍ସର୍ଗୀକୃତ ହୋଇ ଆଜି ପର୍ଯ୍ୟନ୍ତ ରହିଛି । ସେହି ହାଣ୍ଡିରେ କୋଠଭୋଗ ସୁଆରଙ୍କ ଦ୍ୱାରା ଖେଚୁଡ଼ି ରନ୍ଧାଯାଇ ରୂପା ବା ପିତ୍ତଳ ଥାଳିରେ ଭୋଗ ଲାଗିଥାଏ । ଆହୁରି ସନ୍ଧ୍ୟାଧୂପରେ ଯେଉଁ ଚାଉଳ ଚୂନା ଓ ଗୁଡ଼ ମିଶ୍ରିତ ଅଟକାଳି ପ୍ରସ୍ତୁତ ହୋଇ ଭୋଗ ଲାଗେ ତାହା ମଧ୍ୟ କରମାବାଈଙ୍କ ନାମରେ
ପ୍ରବର୍ତ୍ତିତ ବୋଲି କେହି କେହି କହିଥାଆନ୍ତି । କିଛିଦିନ ପରେ ବୟସାଧିକ୍ୟ ଯୋଗୁଁ କରମା ଆରପୁରକୁ ଚାଲିଗଲେ ମାତ୍ର ତାଙ୍କର ଭକ୍ତି ନିଷ୍ଠା କାଳକାଳକୁ କିମ୍ବଦନ୍ତୀରେ ପରିଣତ ହେଇ ଲୋକମୁଖରେ ଜୀବିତ ରହିଗଲା ।

( ଶ୍ରୋତ – ‘ଉତ୍କଳ ପ୍ରସଙ୍ଗ’ ୨୦୧୪, ଅନନ୍ତ ଗୋପାଳ ପଣ୍ଡା ‘ଶ୍ରୀଗୁଣ୍ଡିଚା’ ୨୦୧୮ , ସୁରେଶ କୁମାର ପଟ୍ଟନାୟକ ‘ପୁରୀ ବୋଲି’ , ପ୍ରବାଦ ପ୍ରହେଳିକା ଓ କିମ୍ବଦନ୍ତୀ, ଡଃ ସିଦ୍ଧେଶ୍ୱର ମହାପାତ୍ର )

କୁଣ୍ଟେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.