Latest Odisha News

ଦିଲ୍ଲୀରେ ଘର ଓ ଜମି କିଣିବା ଏବେ ହେବ ଶସ୍ତା, ସର୍କିଲ ହାର ୨୦ ପ୍ରତିଶତ ହ୍ରାସ କଲେ କେଜରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜରିୱାଲଙ୍କ ସରକାର ଆବାସୀୟ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ସର୍କିଲ ହାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ଦିଲ୍ଲୀ କ୍ୟାବିନେଟ୍‌ରେ ଏଥିଲାଗି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ବୈଠକ ପରେ ନିଜେ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ଲକଡାଉନ ଯୋଗୁ ହୋଇଥିବା ଆର୍ଥିକ କ୍ଷତିରୁ ଦେଶ ଧିରେ ଧିରେ ବାହାରକୁ ଆସୁଛି । ଏଥିରେ ସାଧାରଣ ଲୋକଙ୍କ ଉପରେ ବଢୁଥିବା ଆର୍ଥିକ ବୋଝ ହାଲୁକା କରିବା ସରକାରଙ୍କ କାମ । ସେହି ଅନୁସାରେ ଆମେ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛୁ । ନିଷ୍ପତ୍ତି ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ରାଜଧାନୀ ଦିଲ୍ଲୀରେ ଜମିଜମା ଅଥବା ସମ୍ପତ୍ତି କିଣିବା ଲାଗି ଆଗ୍ରହୀ ଲୋକଙ୍କୁ ନିଶ୍ଚିତ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି । ଏହାଛଡା ସରକାରଙ୍କ ନିଷ୍ପତ୍ତି ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଲାଗି ମଧ୍ୟ ସହାୟକ ହେବ ବୋଲି  କହିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କୈଳାଶ ଗେହଲୋତ ସର୍କିଲ ହାରରେ ହ୍ରାସ ଯୋଗୁ ଲୋକେ ଅଧିକରୁ ଅଧିକ ଅଚଳ ସମ୍ପତ୍ତିରେ ନିବେଶ ଲାଗି ଆଗ୍ରହୀ ହେବେ । ଫଳରେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଆସିଥିବା ସ୍ଥାଣୁତା ଦୂର ହେବ । ସରକାର ଏହି  ହ୍ରାସ ସୁବିଧା ଆଗାମୀ ୬ ମାସ ଲାଗି ଦେବା ନିମନ୍ତେ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଏହି ହ୍ରାସ ଯୋଗୁ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟିରେ ହାରାହାରି ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ ।

Leave A Reply

Your email address will not be published.