Latest Odisha News

BREAKING NEWS

ମାଗଣା ରେବଡି ଆଉ ଆପ୍ ର ସ୍ବପ୍ନ

ସବୁ ଦଳ ବାଣ୍ଟୁଛନ୍ତି ମାଗଣା ରେବଡି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଗଣା ରେବଡିକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ  ମାଗଣା ବାଣ୍ଟିବାକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ଦେଶପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ରାଜନୈତିକ ଦଳମାନଙ୍କୁ ଫଟକାର ଲଗାଇଛନ୍ତି । ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇ ରାଜନୈତିକ ଦଳମାନେ ଲୋକମାନଙ୍କୁ ଖାଲି ବିଭ୍ରାନ୍ତି କରୁନାହାଁନ୍ତି ଦେଶର ମଧ୍ୟ କ୍ଷତି କରୁଛନ୍ତି  । ଏହାକୁ ନେଇ ଦଳମାନଙ୍କ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଲୋକଙ୍କୁ ମାଗଣା ବାଣ୍ଟିବାକୁ ସମର୍ଥନ କରିଛନ୍ତି ଆପ୍ ଏବଂ ଡିଏମକେ ଭଳି ଅନେକ ଦଳ  ।

ମାଗଣା ଘୋଷଣାକୁ ନେଇ ଏବେ ଆମ ଦେଶରେ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।  ଏହା ସତ ଯେ ସରକାର ଗଠନ କରିବା ପାଇଁ ରାଜନୈତିକ ଦଳମାନେ କିଛି ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି । ଭୋଟରଙ୍କ ଭୋଟ ହାତେଇବା ପାଇଁ ଦଳମାନେ ମାଗଣା ବାଣ୍ଟିବା କୁ ଘୋଷଣା କରନ୍ତି । ଯାହା କି ଏବେ ଦେଶପାଇଁ ଅଭିଶାପ ହେବାରେ ଲାଗିଛି । ଆମ ଦେଶର ଅର୍ଥନୀତି ଏବେ ତଳକୁ ତଳକୁ ଯିବା ସହ ସବୁ ରାଜ୍ୟମାନେ ଋଣଭାରରେ ବୁଡିବାକୁ ଲାଗିଲେଣି । ତଥାପି ବିଜେପି ହେଉ କି କଂଗ୍ରେସ, କିମ୍ବା ବିଜେଡି ହେଉକି ଡିଏମକେ କି ଟିଏମସି ସମସ୍ତେ ଏବେ ମାଗଣା ବାଣ୍ଟିବା ଲାଇନରେ ଅଛନ୍ତି । ତେବେ ଏହି ମାଗଣା ବଣ୍ଟନ ତାଲିକାରେ ପୁଣି ଜୋଡି ହୋଇଛି ଆପ୍ ।

କଂଗ୍ରେସ ଏବଂ ବିଜେପି ପରେ ଏବେ ଆପ୍ ଦଳ କେନ୍ଦ୍ରରେ ସରକାର ଗଠନ କରିବାକୁ ଚାହୁଁଛି । ଅରବିନ୍ଦ କେଜରିଓ୍ବାଲ ଚାହୁଁଛନ୍ତି ସେ କିପରି ପ୍ରଧାନମନ୍ତ୍ରୀ ହେବେ? ଆପ୍ ଏଥିପାଇଁ ବିଭିନ୍ନ ରାଜ୍ୟରେ  ସରକାର ଗଠନ କରିବାକୁ ଚାହୁଁଛି । ଆପ୍  ସେଥିପାଇଁ ମାଗଣା ବାଣ୍ଟି ଲୋକଙ୍କ ଭୋଟ ହାତେଇବାକୁ ଏକ ସୁଯୋଗ ଭାବୁଛି । ଏହା ହିଁ ଏବେ ରାଜନୈତିକ ସମୀକ୍ଷକଙ୍କ ମତ ।

ଆପ୍ ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ମାଗଣା ପାଣି, ମାଗଣା ବିଜୁଳିକୁ ମାଧ୍ୟମ କରିଥିଲା । ଏଥିରେ ସଫଳ ହେବା ପରେ ପଂଜାବରେ ମଧ୍ୟ ମାଗଣା ବିଜୁଳି ସହ ଆଉ ଅନେକ କିଛି ମାଗଣା ଯୋଜନା ଘୋଷଣା କରି ସରକାର ଗଠନ କରିବାରେ ସଫଳ ହୋଇଛି । ଦୁଇଟି ରାଜ୍ୟରେ ମାଗଣା ବଂଟନର ପ୍ରଭାବ ସଫଳ ହେବା ପରେ  ମାଗଣା ମଡେଲକୁ ସାରା ଦେଶରେ ଆପଣାଇବାକୁ ଚାହୁଁଛି ଆପ୍ । ଦେଶର ଅର୍ଥନୀତି ତଳକୁ ଯାଉ ପଛେ କିନ୍ତୁ ଲୋକଙ୍କୁ ମାଗଣା ବାଣ୍ଟି ଭୋଟ ହାତେଇବାକୁ ଚାହୁଁଛନ୍ତି ଅରବିନ୍ଦ କେଜରିଓ୍ବାଲ । ତେବେ ଏହାକୁ ଯେଉଁ ଦଳମାନେ ବିରୋଧ କରୁଛନ୍ତି ସେମାନେ ମଧ୍ୟ ତାଙ୍କ ସରକାର ଯେଉଁ ରାଜ୍ୟରେ ଅଛି ମାଗଣା ବଣ୍ଟନକୁ ଚାଲୁ ରଖିଛନ୍ତି ।

ଆଗାମୀ ନିର୍ବାଚନରେ ଲୋକଙ୍କ ଭୋଟ ହାତେଇବା ପାଇଁ ଆପ  ମାଗଣା ରଣକୈାଶଳ ଆପଣାଇଛି । ଲୋକଙ୍କୁ ମାଗଣା ଶିକ୍ଷା, ମାଗଣା ସ୍ବାସ୍ଥ୍ୟ ଏବଂ ମାଗଣା ବିଜୁଳି ସହ ମାଗଣା ପାଣି ଦେବାକୁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଉଛି । ଆପ୍ କୁ ଭୋଟ ଦେଲେ ଏବଂ ସରକାର ଗଠନ ହେଲେ , ଲୋକଙ୍କୁ ମାଗଣାରେ ବିଜୁଳି, ପାଣି ଆଦି ଦିଆଯିବ ବୋଲି ଅରବିନ୍ଦ କେଜରିଓ୍ବାଲଙ୍କ ଦଳ ଆପ ଘୋଷଣା କରୁଛି । ଯାହାକୁ ନେଇ ଏବେ ଦେଶରେ ଚର୍ଚା ଚାଲିଛି ।

  କଂଗ୍ରେସ ବିଜେପି ପରି ସବୁ ରାଜନୈତିକ ଦଳ ମାଗଣା ବଣ୍ଟନ କରୁଛନ୍ତି । ଏସବୁ ପଛରେ ଅଛି ଭୋଟ ପାଇବାର ରହସ୍ୟ ।  ଦେଶରେ ତୃତୀୟ ଦଳଭାବେ ବିଭିନ୍ନ ରାଜ୍ୟରେ କିପରି ଦଳ ଶାସନ କରିବ ତାହା ହିଁ କେଜରିଓ୍ବାଲଙ୍କ ଆପ ଦଳ ବି ଚାହୁଁଛି । କାରଣ ଆଞ୍ଚଳିକ ଦଳ ଭାବେ ଆପ ଏବେ ଦିଲ୍ଲୀ ପରେ ପଂଜାବରେ ନିଜ ସରକାର ଗଠନ କରିଛି ।  ଅନ୍ୟାନ୍ୟ ଦଳ ଭଳି ଆପର ମଧ୍ୟ ସ୍ବପ୍ନ ରହିଛି ଶାସନ ଗାଦି ଉପରେ । ଆଉ ଶାସନ ଗାଦି ପାଇଁ ମାଗଣା ରାବେଡି କୁ ଅସ୍ତ୍ର ବି କରିଛି ଆପ୍ ।

ମାଗଣା ଶିକ୍ଷା, ମାଗଣା ସ୍ବାସ୍ଥ୍ୟ, ମାଗଣା ବିଜୁଳି, ମାଗଣା ପାଣି ଆଉ ନୂଆ ମଦ ନୀତିକୁ ନେଇ ଏବେ କେବଳ ଲୋକମାନେ ଚର୍ଚା କରୁନହାଁନ୍ତି, ସୁପ୍ରିମକୋର୍ଟରେ ମଧ୍ୟ ଏହାକୁ ନେଇ ବିତର୍କ ଚାଲିଛି । ଅନ୍ୟାନ୍ୟ ଦଳର ନେତାଙ୍କ ଭଳି ଅରବିନ୍ଦ କେଜରିଓ୍ବାଲ ଜାଣିଛନ୍ତି ଯେ ଲୋକମାନେ ମାଗଣା ଜିନିଷ ପାଇବା ପାଇଁ ଆମ ଦେଶରେ ପ୍ରତିଯୋଗିତା କରନ୍ତି । ଭୋଟରଙ୍କ ମୁଡ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଥାଏ ।  ତେବେ ଏ ମାଗଣା ରେବଡି ବଂଟନ ଦଳମାନେ କେତେ ଦିନ ଆଉ କରିବେ କି ସୁପ୍ରିମକୋର୍ଟ ଏଥିରେ ଅଙ୍କୁଶ ଲଗାଇବେ ତାହା ସମୟ କହିବ ।

ଏଭଳି ଖବର ପଢ଼ିବାକୁ ଦେଖୁଥାନ୍ତୁ ଆମ ଓ୍ବେବସାଇଟ୍ ଏବଂ ୟୁ ଟ୍ୟୁବ୍

Leave A Reply

Your email address will not be published.