Latest Odisha News

BREAKING NEWS

ଲକ୍ ଡାଉନ ବେଳେ ପିଲାମାନଙ୍କର ନିଅନ୍ତୁ ବିଶେଷ ଯତ୍ନ

କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ପିଲାଠୁ ବଡ ଏବେ ସମସ୍ତେ ଘରେ । ବାହାରକୁ, ସ୍କୁଲ କଲେଜ ଯିବା ମନା । ଲକ୍ ଡାଉନର ସପ୍ତାହେ ବିତିବାକୁ ଯାଉଥିବା ବେଳେ ପିଲାଏ ଏବେ ଭାରି ବ୍ୟସ୍ତ । ସକାଳ ହେଲେ ତାଙ୍କର ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ଏମିତି ଘରେ ରହିବା ।

ଏହି ଦିନମାନଙ୍କରେ ପିଲାମାନଙ୍କର ଯତ୍ନ ନେବା ବେଶ୍ ଜରୁରୀ । କାରଣ ସ୍କୁଲ ଛୁଟି ଥିବାରୁ ସେମାନଙ୍କର ଖାଇବା ପାଠ ପଢିବା ଆଦିର ସମୟ ଠିକ୍ ରହି ନ ଥାଏ । ଏପରିକି ପିଲାଏ ବେଶୀ ସମୟ ଟିଭି କିମ୍ବା ମୋବାଇଲ୍ ଦେଖାରେ କାଟିଥାନ୍ତି । ତେଣୁ ସମୟର ସଦୁପଯୋଗ କରିବା ପାଇଁ ସେମାନଙ୍କ ପାଇଁ ଏକ ଟାଇମ ଟେବୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।

ପାଠ ପଢିବା ସମୟ ଧାର୍ଯ୍ୟ କରନ୍ତୁ

ଲକ୍ ଡାଉନ ଯୋଗୁଁ ସ୍କୁଲ କେବେ ଖୋଲିବ ତାହା ଠିକ୍ ନାହିଁ । ତେଣୁ ପ୍ରତିଦିନ କିଛି ସମୟ ନିର୍ଦ୍ଦିଷ୍ଟ କରି ସେମାନଙ୍କୁ ପାଠ ପଢାନ୍ତୁ । ହସ୍ତାକ୍ଷର, ପଣିକିଆ ବି ସବୁଦିନ ଲେଖିବା ପାଇଁ କୁହନ୍ତୁ ।

ଆଗ୍ରହ ଦେଖି ସୁଯୋଗ ଦିଅନ୍ତୁ

ପିଲାମାନଙ୍କର ଯେଉଁଥିରେ ଆଗ୍ରହ ଅଛି ସେହି କାର୍ଯ୍ୟଟି କରାନ୍ତୁ । ଡ୍ରଇଁ କରିବା ସହ ରଙ୍ଗ କରିବାକୁ କୁହନ୍ତୁ । ଯଦି ଗୀତ ପ୍ରତି ଆଗ୍ରହ ଅଛି ତେବେ ବିଭିନ୍ନ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଗୀତ ଶୁଣାନ୍ତୁ । ନୃତ୍ୟ ଶିଖୁଥିଲେ ପ୍ରତିଦିନ ଅଭ୍ୟାସ କରାନ୍ତୁ ।

ଗପ ଶୁଣାନ୍ତୁ

ପିଲାମାନଙ୍କୁ କିଛି କିଛି ଗପ ଶୁଣାନ୍ତୁ । ପିଲା ଯଦି ନିଜେ ଗପ ପଢିପାରୁଛି ତେବେ ତାକୁ ବିଭିନ୍ନ ପ୍ରକାର ବହି ପଢିବାକୁ ଦିଅନ୍ତୁ । ଏହା ଦ୍ୱାରା ପିଲାର ପଢିବା ଅଭ୍ୟାସ ବଢିବ ।

ବିଭିନ୍ନ ପ୍ରକାର ଖେଳ ଖେଳାନ୍ତୁ

ପିଲାମାନେ ସାଧାରଣତଃ ଘରେ ରହି ରହି ବିରକ୍ତ ହୋଇଯାଆନ୍ତି ତେଣୁ ସେମାନଙ୍କୁ ବିଭିନ୍ନ ପ୍ରକାର ଖେଳ ଖେଳାନ୍ତୁ । କ୍ୟାରମ୍‌, ଲୁଡୁ, ଚେସ୍‌, ଚାଇନିସ୍ ଚେକର ଆଦି ପିଲାଙ୍କ ସହିତ ଖେଳନ୍ତୁ ।

ଟିଭି ଦେଖିବା ପାଇଁ ସମୟ ଧାର୍ଯ୍ୟ କରନ୍ତୁ

ସ୍କୁଲ ଛୁଟି ଥିବାରୁ ପିଲାଏ ଘଣ୍ଟା ଘଣ୍ଟା ଟିଭି ଆଗରେ ବସିଯାଆନ୍ତି । ତେଣୁ ସେମାନଙ୍କ ପାଇଁ ଟିଭି ଦେଖିବା ସମୟ ସ୍ଥିର କରନ୍ତୁ । ଏଥି ସହିତ ପିଲାଙ୍କ ସହ ମିଶି ଦୂରଦର୍ଶନରେ ଆରମ୍ଭ ହୋଇଥିବା ରାମାୟଣ ଓ ମହାଭାରତ ଭଳି କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ । ଫଳରେ ପିଲାଙ୍କର ପୌରାଣିକ ବିଷୟବସ୍ତୁ ଉପରେ ଆଗ୍ରହ ବଢିବ ।

କରୋନା ସମ୍ପର୍କରେ ସଚେତନ କରନ୍ତୁ

କରୋନାକୁ ନେଇ ଏବେ ସମସ୍ତେ ଭୟଭୀତ । ତେବେ ପିଲାମାନଙ୍କୁ ଏ ନେଇ ଭୟଭୀତ ନୁହେଁ ବରଂ ସଚେତନ କରନ୍ତୁ । ଏହି ସମୟରେ କିପରି ବାରମ୍ବାର ହାତକୁ ପରିଷ୍କାର ରଖିବା, ବାହାରକୁ ଯିବାନି, ସାଇପଡିଶା ସାଙ୍ଗମାନଙ୍କ ସହ ବୁଲା ଖେଳା କରିବାନି ସେ ନେଇ ଆଲୋଚନା କରି ବୁଝାନ୍ତୁ ।

Leave A Reply

Your email address will not be published.