ଭୁବନେଶ୍ୱର: ନ୍ୟାସ୍ନାଲ୍ ଗ୍ରୀନ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୬ରେ କିସ୍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ତୃତୀୟ ସ୍ଥାନ ଅଧିକାର କରିଛି। ପରିବେଶ ଅନୁକୂଳ କ୍ୟାମ୍ପସ ଗଠନ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ ନ୍ୟାସନାଲ୍ ଗ୍ରୀନ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୬ରେ ପ୍ଲାଟିନମ୍ ରେଟିଂ ସହ ତୃତୀୟ ସ୍ଥାନ ହାସଲ କରିଛି। ଏହି ଉଲ୍ଲେଖନୀୟ ସଫଳତା କିସ୍ ବିଶ୍ୱବିଦ୍ୟାଳୟର ସବୁଜ ପଦକ୍ଷେପ ଓ ସ୍ଥାୟୀ ପରିବେଶ ବିକାଶ ପ୍ରତି ବୃଦ୍ଧି ପାଉଥିବା ପ୍ରତିବଦ୍ଧତାର ସ୍ପଷ୍ଟ ପ୍ରତିଫଳନ।
ଆମେରିକା ଓ ଭାରତରେ ପଞ୍ଜୀକୃତ ବିଶ୍ୱସ୍ତରୀୟ ଗ୍ରୀନିଂ ଏଜୁକେସନ୍ ସଂଗଠନ ‘ଗ୍ରୀନ୍ ମେଣ୍ଟର୍ସ’ ପକ୍ଷରୁ ପ୍ରସ୍ତୁତ ଓ ପ୍ରକାଶିତ ଏହି ରାଙ୍କିଙ୍ଗ୍ରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ସ୍ଥାୟୀ ବିକାଶ ଓ ପରିବେଶ-ଅନୁକୂଳ କାର୍ଯ୍ୟକ୍ରମ ଆଧାରରେ ମୂଲ୍ୟାୟନ କରାଯାଇଛି। ଏଥିରେ ସବୁଜ ଭିତ୍ତିଭୂମି, ବର୍ଜ୍ୟବସ୍ତୁ ପରିଚାଳନା, ଶକ୍ତି ସଂରକ୍ଷଣ, ବର୍ଷାଜଳ ସଂରକ୍ଷଣ ଏବଂ ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବା ଭଳି ବିଭିନ୍ନ ମାନଦଣ୍ଡକୁ ବିଚାରକୁ ନିଆଯାଇଛି।
‘ଗ୍ରୀନ୍ ମେଣ୍ଟର୍ସ’କୁ ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ ପକ୍ଷରୁ ସ୍ପେଶାଲ୍ କନଶଲଟେଟିଭ୍ ଷ୍ଟାଟସ୍ ପ୍ରଦାନ କରାଯାଇଛି । ଏହା ସହିତ ଏହା ମିଳିତ ଜାତିସଂଘର ଗ୍ରୀନିଂ ଏଜୁକେସନ୍ ପାର୍ଟନର୍ସିପର ସହଭାଗୀ ଏବଂ ଜାତିସଂଘର ଆର୍ଥିକ ଓ ସାମାଜିକ ବ୍ୟାପାର ବିଭାଗ ଅଧୀନରେ ଥିବା ହାଇଅର ଏଜୁକେସନ୍ ସଷ୍ଟେନେବିଲିଟି ଇନିସିଏଟିଭ୍ର ମଧ୍ୟ ସଦସ୍ୟ ରହିଛି।
କିସ୍ ଭାରତର ଅନ୍ୟତମ ଅଗ୍ରଣୀ ସବୁଜ କ୍ୟାମ୍ପସ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ସମନ୍ୱୟ ରକ୍ଷା କରି କିସ୍ ଦୀର୍ଘଦିନ ଧରି ବିଭିନ୍ନ ପରିବେଶ-ଅନୁକୂଳ କାର୍ଯ୍ୟକ୍ରମ କାର୍ଯ୍ୟକରି ଆସୁଛି। ଏହି ସ୍ୱୀକୃତି କେବଳ କିସ୍ର ଜାତୀୟସ୍ତରରେ ମର୍ଯ୍ୟାଦା ବୃଦ୍ଧି କରିନାହିଁ, ବରଂ ପୂର୍ବ ଭାରତର ଅନ୍ୟାନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସବୁଜ ଅଭ୍ୟାସକୁ ଅଧିକ ପ୍ରଭାବଶାଳୀ ଭାବେ ଅନୁସରଣ କରିବାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ସୃଷ୍ଟି କରିଛି।
ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ପ୍ରତିଷ୍ଠା ହେବାଦିନଠାରୁ କିଟ୍ ଓ କିସ୍ ପରିବେଶ ସୁରକ୍ଷା ଏବଂ ସବୁଜ ପଦକ୍ଷେପକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛି। ଏହି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିସ୍ ଦେଶ-ବିଦେଶର ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।
ଜାତୀୟ ଗ୍ରୀନ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ ଭାରତର ଜାତୀୟ ଶିକ୍ଷାନୀତି ୨୦୨୦, ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ୟୁନେସ୍କୋର ଗ୍ରୀନିଂ ହାଇଅର ଏଜୁକେସନ୍ ଫ୍ରେମ୍ୱର୍କ ସହ ସମନ୍ୱିତ। ଏହା ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ସମସ୍ତ କାର୍ଯ୍ୟକଳାପରେ ସ୍ଥାୟୀ ବିକାଶର ନୀତିକୁ ସାମିଲ କରିବା ସହ ୨୦୩୦ ସୁଦ୍ଧା ଭାରତର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ପ୍ରୟାସକୁ ଅଧିକ ଗତିଶୀଳ କରିବାକୁ ଉତ୍ସାହିତ କରୁଛି।