Latest Odisha News

BREAKING NEWS

ରଥଯାତ୍ରା ନୀତି ନିର୍ଘଣ୍ଟ: ପୂର୍ବାହ୍ନ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ; ଅପରାହ୍ନ ୪ଟାରେ ରଥଟଣା

ପୁରୀ : ରାତି ପାହିଲେ  ରଥଯାତ୍ରା।  ଚଳଚଞ୍ଚଳ  ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଳିରେ ପଡୁଛି ଉଠୁଛି ବଡଦାଣ୍ଡ ।   ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।

ରଥଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର କରାଯାଇଛି ।   ସେହି ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ।

ପୂର୍ବାହ୍ନ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଥମେ ପ୍ରଭୁ ସୁଦର୍ଶନ ଓ ପରେ ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି ।   ୧୨ଟା ୩୦ରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି,ବେଶ ଶେଷ ହେବ। ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା ନୀତି କରାଯିବ ।

୩ଟାରୁ ୪ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବ ।  ଅପରାହ୍ନ ୪ଟାରେ  ରଥଟଣା ଆରମ୍ଭ ହେବ ବୋଲି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.