Latest Odisha News

କର୍ଣ୍ଣାଟକ କାର୍ଡ ଖେଳି ତେଲେଙ୍ଗାନା ବାଜି ଜିତିବ କଂଗ୍ରେସ, ରାଗିଲେ କୁମାରସ୍ୱାମୀ !

ଭୁବନେଶ୍ୱର: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ମଧ୍ୟରେ ତିନି ପ୍ରମୁଖ ଦଳ ନିଜର ସବୁ ଶକ୍ତି ଖଟାଇଛନ୍ତି। ଶାସକ ବିଆରଏସ ଶାସନରେ ଥିବାବେଳେ ରାଜ୍ୟରେ ତୃଣମୂଳ ସ୍ତରରେ ନିଜର ସବୁ ଶକ୍ତିକୁ ଏକଜୁଟ କରି ପ୍ରଚାରରେ ଲାଗିପଡିଛି।

ମୁଖ୍ୟମନ୍ତ୍ରୀ କେସିଆର ପ୍ରଜା ଆଶୀର୍ବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ସହ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଲାଗିପଡିଛନ୍ତି। ବିଜେପି ମଧ୍ୟ ଓବିସି ମୁଖ୍ୟମନ୍ତ୍ରୀ କାର୍ଡ ଖେଳି ତେଲେଙ୍ଗାନା ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି।

ସେପଟେ ବିଆରଏସକୁ କ୍ଷମତାରୁ ହଟାଇ ଶାସନକୁ ଆସିବା ପାଇଁ କଂଗ୍ରେସ ଭିନ୍ନ ଭିନ୍ନ କୌଶଳ ବ୍ୟବହାର କରୁଛି। ସେ ଭିତରେ ସବୁଠୁ ବଡ଼ କୌଶଳ ହେଉଛି କର୍ଣ୍ଣାଟକ କୌଶଳ।

କିଛି ମାସ ପୂର୍ବରୁ କର୍ଣ୍ଣାଟକ ବଡ଼ ମାହୋଲ କରି ପାଞ୍ଚୋଟି ଗ୍ୟାରେଣ୍ଟି ଦେଇ ବଡ଼ ବିଜୟ ହାସଲ କରିଥିବା କଂଗ୍ରେସ ତେଲେଙ୍ଗାନାରେ ଏହାକୁ ପ୍ରୟୋଗ କରୁଛି। ଖାଲି ସେତିକି ନୁହେଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀଙ୍କ ସମେତ ହେଭିୱେଟ ମାନେ ତେଲେଙ୍ଗାନାରେ କଂଗ୍ରେସକୁ ଜିତାଇବାକୁ ଲାଗି ପଡିଛନ୍ତି।

ଖୋଦ କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ତେଲେଙ୍ଗାନାରେ ଜୋରଦାର ପ୍ରଚାର କରିବା ସହ କଂଗ୍ରେସ ଜିତିବା ନେଇ ଘୋଷଣା କରିସାରିଛନ୍ତି। ଏପରିକି କର୍ଣ୍ଣାଟକରେ କଂଗ୍ରେସର ଗ୍ୟାରେଣ୍ଟି ଓ ତାହା କିଭଳି ପୁରଣ କରାଯାଇ ଲୋକଙ୍କୁ ବ୍ୟାପକ ଲାଭ ଦିଆଯାଉଛି ତାର ଉଦାହରଣ ଦେଉଛନ୍ତି।

ଯାହାକି କଂଗ୍ରେସର ତେଲେଙ୍ଗାନାରେ କର୍ଣ୍ଣାଟକ କାର୍ଡ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କର୍ଣ୍ଣାଟକ କଂଗ୍ରେସ ମୁଖିଆ ମାନଙ୍କ ଏହି ରଣନୀତିକୁ ଜେଡିଏସ କାଉଣ୍ଟର କରିବା ଆରମ୍ଭ କରିଛି।

ଜେଡିଏସର କର୍ଣ୍ଣାଟକ ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ଟାର୍ଗେଟ କରିଛନ୍ତି। କର୍ଣ୍ଣାଟକରେ ଗ୍ୟାରେଣ୍ଟି ଦେଇ ଏସବୁକୁ ଲାଗୁ କରିବାକୁ ବିଫଳ ହୋଇଥିବା କଂଗ୍ରେସ ଏବେ ତେଲେଙ୍ଗାନାରେ ଏହାକୁ ଉଦାହରଣ ଭାବେ ବ୍ୟବହାର କରିବାକୁ ନେଇ କୁମାରସ୍ୱାମୀ ସମାଲୋଚନା କରିଛନ୍ତି।

ସିଦ୍ଧରମେୟାଙ୍କୁ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ କହିବା ସହ ଡି କେ ଶିବକୁମାରଙ୍କୁ ନକଲି ମୁଖ୍ୟମନ୍ତ୍ରୀ କହିଛନ୍ତି କୁମାରସ୍ୱାମୀ। କର୍ଣ୍ଣାଟକରେ କୃଷକଙ୍କୁ ପାଞ୍ଚ ଘଣ୍ଟା ବିଜୁଳିର ପ୍ରତିଶ୍ରୁତି ଦେଇ କଂଗ୍ରେସ ନେତା ହସର ପାତ୍ର ହୋଇଛନ୍ତି ବୋଲି ସେ କହିଛନ୍ତି। କାହିଁକି ନା ପ୍ରଥମରୁ କୃଷକଙ୍କୁ ୨୪ ଘଣ୍ଟା ବିଜୁଳି ମିଳୁଛି। ଏଭଳି ଢଙ୍ଗରେ କର୍ଣ୍ଣାଟକ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି କୁମାରସ୍ୱାମୀ।

ପୂର୍ବ ନିର୍ବାଚନରେ ବିଜେପି ସହ ଜେଡିଏସର ବଡ଼ ବିପର୍ଯ୍ୟୟ ହେବା ପରେ ଏବେ ଉଭୟ କର୍ଣ୍ଣାଟକରେ ହାତ ମିଳାଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ଲଗାତର ଭାବେ ଉଭୟ ଦଲକୁ ଟାର୍ଗେଟ କରୁଛି।

ତେଣୁ ଏଭଳି ସ୍ଥିତିରେ କଂଗ୍ରେସ କର୍ଣ୍ଣାଟକ କାର୍ଡ ଖେଳି ତେଲେଙ୍ଗାନାରେ ଜିତିବାକୁ ଯୋଜନା କରିଥିବା ବେଳେ କୁମାରସ୍ୱାମୀ କର୍ଣ୍ଣାଟକରୁ କଂଗ୍ରେସ ଉପରେ ଆକ୍ରମଣ କରିବା ରୋଚକ ସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.