Latest Odisha News

BREAKING NEWS

ଟିଭି ପରଦାର ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସାମ୍ନାକୁ ଆସିଲା ଶେଷ ଭିଡିଓ

ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘କୁମକୁମ୍ ଭାଗ୍ୟ’ ଏବଂ ବହୁଚର୍ଚ୍ଚିତ ଫିଲ୍ମ ‘ଛାୱା’ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସଞ୍ଚିତା ଉଗଲେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ନିକଟସ୍ଥ ନାଲାସୋପାରା ପୂର୍ବ ଅଞ୍ଚଳରେ ଥିବା ନିଜ ବାସଭବନରେ ସେ ନିଜ ଶୋଇବା ଘରେ ଏକ ଶାଢ଼ୀ ଲଗାଇ ଫାଶୀ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

 

ତାଙ୍କର ଏଭଳି ଅକାଳ ବିୟୋଗ ପୂରା ଟିଭି ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କୁ ଗଭୀର ଶୋକରେ ପକାଇଦେଇଛି। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଗତ ଜୁନ୍ ୧୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରୁ ୭:୩୦ ମଧ୍ୟରେ ଏହି ଅଘଟଣ ଘଟିଥିଲା। ଘଟଣା ସମୟରେ ସଞ୍ଚିତା ନିଜ ରୁମ୍‌କୁ ଭିତରୁ ବନ୍ଦ କରିଦେଇଥିଲେ। ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା କୌଣସିମତେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

ଏ ନେଇ ଅଚୋଲେ ପୋଲିସ ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ସଞ୍ଚିତା କେଉଁ କାରଣରୁ ଏତେ ବଡ଼ ନିଷ୍ପତ୍ତି ନେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ପୂର୍ବରୁ ସଞ୍ଚିତା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ରିଲ୍ ସେୟାର କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବେଶ୍ ଖୁସି ଥିବା ଏବଂ ଏକ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି।

 

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଏତେ ଖୁସି ଦେଖାଯାଉଥିବାରୁ, ଏହି ଖବର କେହିବି ବିଶ୍ୱାସ କରିପାରୁନାହାନ୍ତି ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସଞ୍ଚିତା ‘କୁମକୁମ୍ ଭାଗ୍ୟ’ ବ୍ୟତୀତ ‘ଦିଲୱାଲି ଦୁଲହନିଆ ଲେ ଜାୟେଗି’ ଏବଂ ‘ୱାଗଲେ କି ଦୁନିଆ’ ଭଳି ଧାରାବାହିକରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ।

Comments are closed.