କୂଅ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । କୂଅ ଖୋଳୁଥିବା ବେଳେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକ ମୃତ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ । 
ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ମାଟି ଅତଡା ଧସିଥିବା ଜଣାପଡିଛି । କୂଅ ଭିତରେ ମାଟି ତଳେ ଚାପି ହୋଇ ରହିଯାଇଥିଲେ ଜଣେ ଶ୍ରମିକ । ମୃତ ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନଂବର ୱାର୍ଡର ଶରଧାପୁର ଗାଁରେ ।
ଆଜି ସକାଳୁ କାମାକ୍ଷାନଗରର ଆଳତୁମା ଅଂଚଳରେ ଏକ କୁଅ ଖୋଳିବାକୁ ୫ ଜଣ ଶ୍ରମିକ ଯାଇଥିଲେ । ଦେବରାଜ ମଲିକ, ଅଜୁ ମଲିକ, ରୋହିତ ମଲିକ ଓ ଟୁଲୁ ବାହାରେ ରହି ଥିବା ବେଳେ ଧୁଳିଆ ମଲିକ କୂଅ ଭିତରକୁ ଦଉଡି ଜରିଆରେ ଖସୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।