Latest Odisha News

ପୋଲିସ ମୁଖିଆ ମହାମେଳି: ଶେଷଦିନରେ କେଉଁ ସବୁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ?

ଭୁବନେଶ୍ବର: ୩ ଦିନର ପୋଲିସ ମହାନିର୍ଦ୍ଦେଶକ ମହାମେଳିର ଆଜି ଶେଷ ଦିନ। ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୋଲିସ୍ ମୁଖିଆଙ୍କୁ ମନ୍ତ୍ରଣା ଦେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। କିପରି ସାଇବର ଅପରାଧ, ତଟ ସୁରକ୍ଷା ଓ ମାଓ ମୁକାବିଲା କରାଯାଇପାରିବ ସେନେଇ ସବୁ ରାଜ୍ୟର ପୋଲିସ୍ ଡିଜି ଏବଂ ଆଇଜିଙ୍କ ସହିତ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବେ।

୫୯ ତମ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ବରର ଲୋକସେବା ଭବନରେ ଏବେ ଏକାଠି ହେଉଛନ୍ତି ସବୁ ରାଜ୍ୟର ପୋଲିସ୍ ମୁଖିଆ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ, ଦେଶ ସୁରକ୍ଷା ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ରହି ଦେଶର ସୁରକ୍ଷାକୁ ଆହୁରି ଦୃଢ଼ କରିବାକୁ ରୁଦ୍ଧଦ୍ୱାର ବୈଠକ ଚାଲିଛି। ଦୁଇ ଦିନ ଧରି ସୁରୁଖୁରୁରେ ଚାଲିଥିବା ଏହି ସମ୍ମିଳନୀର ଆଜି ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ।

କାହିଁକି ଏହି ଡିଜିପି-ଆଇଜିପି ସମ୍ମିଳନୀ?

ତେବେ ଦେଶରେ ବଢୁଥିବା ଅପରାଧ ଉପରେ ନିୟନ୍ତ୍ରଣ ପାଇଁ ପ୍ରଥମ ଥର ପାଇଁ ଆମ ରାଜ୍ୟ ଏଭଳି କିଛି ସମ୍ମିଳନୀ ଆୟୋଜନ କରିଛି । ଏଥିପାଇଁ କଡା ସୁରକ୍ଷା ବଳୟରେ ରହିଛନ୍ତି ସବୁ ରାଜ୍ୟର ସୁରକ୍ଷାବାହିନୀ ମୁଖିଆ । ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ମାନସ ମନ୍ଥନ ହେବା ସହ ଅତ୍ୟାଧୁନିକ କୌଶଳ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ରୋକିବା ନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।

ଏଥିସହିତ ଆତଙ୍କବାଦ, ମାଓବାଦ, ସାଇବର କ୍ରାଇମ୍ ସୁରକ୍ଷା, ନିଶା କାରବାର ରୋକିବା, ବେଆଇନ ଅନୁପ୍ରବେଶ ଏବଂ ଶରଣାର୍ଥୀ, ମହିଳା ଅପରାଧ ନିୟନ୍ତ୍ରଣ, ଊପକୂଳ ସୁରକ୍ଷା, ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା, ନୂଆ ଅପରାଧ ଆଇନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତା, ଜେଲ ସଂସ୍କାର, ପୋଲିସ ଆଧୁନିକୀକରଣ, ଅପରାଧ ନିୟନ୍ତ୍ରଣରେ ଟେକ୍ନୋଲୋଜିର ବ୍ୟବହାର ଭଳି ପ୍ରମୁଖ ବିଷୟରେ ଆଲୋଚନା କରାଯିବ ।

ଅନ୍ୟପଟରେ ଏହି ଅବସରରେ ପ୍ରଥମ ଥର ପାଇଁ ଓଡିଶାରେ ୩ ଦିନ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ସମ୍ମିଳନୀର ଶେଷ ଦିନରେ ଯୋଗ ଦେବା ପରେ ସିଧାସିଧା ରାଜଭବନରୁ ଦିଲ୍ଲୀ ଫେରିଯିବେ ମୋଦି ।

Comments are closed.