Latest Odisha News

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଅନ୍ତିମ ଦିବସରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ

ପୁରୀ: କୃଷ୍ଣ ଜନ୍ମଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ହେଉଛି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କୃଷ୍ଣ ଲୀଳାର ଶେଷ ଦିବସରେ କଂସ ବଦ୍ଧ ବିଧି ସମ୍ପନ୍ନ ହେବ । ଆଜି ମହାରାଜ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ । ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରକୁ ବାହାରିବେ ।

ଖବର ଅନୁଯାୟୀ, ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ। ଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୁମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଂଚିବା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ। ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ। ଶେଷରେ ଶ୍ରୀକୃଷ୍ଣ ମହାରାଜ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

ପରମ୍ପରା ଅନୁଯାୟୀ କାହିଁ କେଉଁ କାଳରୁ ଏହି ନୀତି ଚାଲିଆସୁଛି  । ପୁରାଣରେ ବର୍ଣ୍ଣିତ ଅଛି ଦ୍ୱାପର ଯୁଗରେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରି ଧରାପୃଷ୍ଠରୁ ପାପକୁ ବିନାଶ କରିବା ପାଇଁ ଅସୁର କଂସକୁ ବଧ କରିଥିଲେ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ  ଅବତାର ତେଣୁ ରୀତିନୀତି ଅନୁସାରେ ଜନ୍ମାଷ୍ଟମୀ ପରଠାରୁ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି  ।

ସେପଟେ ଗତକାଲି ଶ୍ରୀମନ୍ଦିରରେ ପବିତ୍ର ରାଧାଷ୍ଟମୀ ପାଳିତ ହୋଇଛି । ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିତିକାନ୍ତି ବଢି ଆଜି ଭୋର ୫ଟା ୯ମିନିଟରେ ମହାପ୍ରଭୁଙ୍କ ପହୁଡ ନିତି ସମ୍ପର୍ଣ୍ଣ ହୋଇଥିଲା । ପହୁଡ ହେବାର ପ୍ରାୟ ଦେଢଘଣ୍ଟା ପରେ ଅର୍ଥାତ ୬ଟା ୪୭ମିନିଟରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହୋଇଥିଲା । ୭ଟା ୫୦ମିନିଟରେ ଜୟବିଜୟ ଦ୍ୱାର ଫିଟିବା ସହ ମଙ୍ଗଳାଳତୀ,ମଇଲମ, ଅବକାଶ ,ବେଶ ହୋଇ ମହାପ୍ରଭୁଙ୍କ ନିକଟରେ ଗୋପାଳବଲ୍ଲଭ ଭୋଗ ଲାଗି ହୋଇଛି । ତେବେ ଗତକାଲିର ନିତି ବିଳମ୍ବ ହେବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା । ରବିବାର ଛୁଟିଦିନ ପାଇଁ ଆଜି ଭକ୍ତଙ୍କ ଭିଡ ଲାଗି ରହିଛି ।

 

Leave A Reply

Your email address will not be published.