Latest Odisha News

[ଦେଖନ୍ତୁ ଭିଡିଓ] ଅଫେରା ରାଇଜରେ କମଳ ଦେଶର ରାଜକୁମାର ମଉଡ଼ମଣି ପ୍ରଫୁଲ୍ଲ କର

ଭୁବନେଶ୍ବର: ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ତାଙ୍କ ନିଧନରେ ଓଡ଼ିଶା ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ବଙ୍କ ପରଲୋକରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୩୯ ଫେବୃଆରୀ ୧୬ରେ ପୁରୀଠାରେ ପ୍ରଫୁଲ୍ଲ କର ଜନ୍ମଗ୍ରହଣ କରିଥିଲେ। ବୈଦ୍ୟନାଥ କର ଓ ସୁଶିଳା କରଙ୍କ ପୁତ୍ର ପ୍ରଫୁଲ୍ଲଙ୍କ ପରିବାର ସଙ୍ଗୀତମୟ ଥିଲା। ତାଙ୍କ ପିତାଙ୍କ ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ତବଲା ବାଦକ ଥିବାରୁ ବିଶିଷ୍ଟ କଳାକାରମାନେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞଙ୍କୁ ଶୁଣିବାର ସୁଯୋଗ ପାଇଥିଲେ। ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।

BjdElectrycity

ପିଲାବେଳୁ ପ୍ରଫୁଲ୍ଲ କର ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନପାଳନ ହୋଇଥିଲା। ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ବଢିଥିଲେ । ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ ଭି ଏସ ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ।

ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ପ୍ରଫୁଲ୍ଲ କର। ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ଜଣେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଗୀତ ରଚନାରେ ସେ ଯେମିତି ସିଦ୍ଧହସ୍ତ ଥିଲେ, ତାହାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଚମତ୍କାର ଭେଟି ଦେଇଥିଲେ। ପୁଣି କଣ୍ଠଶିଳ୍ପୀ ଭାବେ ତାଙ୍କର ନିଆରା ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡ଼ିଥିଲା।

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଥାପିଥିଲେ। ପ୍ରଥମ ଚଳଚ୍ଚିତ୍ରର ଆଠଟି ଯାକ ଗୀତ ସୁପର୍‌ହିଟ୍‌ ‌ହେବା ସହ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ଶ୍ରୀ କର। ଏହା ପରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ବହୁ ବର୍ଷ ଧରି ଆଧିପତ୍ୟ ଜାହିର କରିଥିଲେ। ପ୍ରାୟ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସେ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ପ୍ରାଚୁର୍ଯ୍ୟମୟ କରିଥିଲେ।   ପ୍ରସିଦ୍ଧ ସାହିତ୍ୟିକଙ୍କ କାଳଜୟୀ କବିତାକୁ ସେ ଗୀତର ରୂପ ଦେଇ ସଙ୍ଗୀତରେ ସଜାଇଥିଲେ। ସେଗୁଡ଼ିକ ମଧ୍ୟ ଶ୍ରୋତାଙ୍କ ମହଲରେ ବେଶ୍‌ ଆଦୃତି ଲାଭ କରିଥିଲା। ‌ଦୃଷ୍ଟିହୀନ ପିଲାଙ୍କୁ ନେଇ ସେ ‘କୃତାଞ୍ଜଳି’ ନାମରେ ଏକ କ୍ୟାସେଟ୍‌ କରିଥିଲେ। ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା। ଶ୍ରୀ କର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ।

ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇ ବହୁ କଣ୍ଠଶିଳ୍ପୀ ରାଜ୍ୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୦୦୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଜୟ‌ଦେବ ପୁରସ୍କାର’ ସେ ଲାଭ କରିଥିଲେ। ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ।

ସଙ୍ଗୀତ ଜଗତରେ ସଫଳତାର ଶୀର୍ଷକୁ ଛୁଇଁଥିବା ପ୍ରଫୁଲ୍ଲ କର ରାଜନୀତିରେ ପାଦ ଦେଇଥିଲେ। ୧୯୯୫ ମସିହାରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ପୁରୀ ବିଧାନସଭା ଆସନରୁ ଲଢ଼ିଥିଲେ। କିନ୍ତୁ କମ୍ ଭୋଟ୍‌ ବ୍ୟବଧାନରେ ଜନତା ଦଳର ପ୍ରାର୍ଥୀ ମହେଶ୍ବର ମହାନ୍ତିଙ୍କଠାରୁ ପରାଜୟ ବରଣ କରିଥିଲେ।

ପ୍ରଫୁଲ୍ଲ କର ଜଣେ ସ୍ତମ୍ଭକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ତାଙ୍କ ରଚିତ ସ୍ତମ୍ଭକୁ ନେଇ ‘ସାଉଁଟା କାହାଣୀ’ ପୁସ୍ତକ ପ୍ରକାଶ ପାଇଥିଲା। ଏହା ମଧ୍ୟ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା। ଏହା ବାଦ୍ ରାଜନୈତିକ ଜୀବନକୁ ନେଇ ‘ଯାହା କହୁଛି ସତ କହୁଛି’ ଏବଂ ତାଙ୍କ ରଚିତ ଗୀତକୁ ନେଇ ଦୁଇଟି ପୁସ୍ତକ ‘ଆଜ୍ଞାମାଳ’ ଓ ‘କୃପାଜଳ’ ପ୍ରକାଶ ପାଇଛି।

ଏହାବାଦ୍ ଓଡ଼ିଆ ସାରସ୍ବତ ଜଗତର କାଳଜୟୀ କବିତାକୁ ସେ ସଙ୍ଗୀତରେ ସଜାଇ ଓଡ଼ିଆ ସଙ୍ଗୀତ ଦୁନିଆକୁ ନୂଆ ଦିଗ ଦେଖାଇଥିଲେ। ଗୋଦାବରୀଶ ମହାପାତ୍ରଙ୍କ ନିଆଁଖୁଣ୍ଟା ହେଉ କି ମାୟାଧର ମାନସିଂହଙ୍କ ପ୍ରଣୟ କବିତା। ପୁଣି ରାମକୃଷ୍ଣ ନନ୍ଦଙ୍କ ‘ଆହେ ଦୟାମୟ ବିଶ୍ବବିହାରୀ…’, ଭକ୍ତକବି ମଧୁସୂଦନ ରାଓଙ୍କ ‘ରେ ଆତ୍ମନ୍’କୁ ସେ ସଙ୍ଗୀତରେ ସଜାଇଥିଲେ। ଏହି ଗୀତ ସର୍ବକାଳୀନ ଶ୍ରେଷ୍ଠ ଗୀତ ହୋଇ ରହିଛି। ଏବେ ବି ତାହାର ଲୋକପ୍ରିୟତା ଅତୁଟ ରହିଛି।

Leave A Reply

Your email address will not be published.