ମହାମାରୀ ମଧ୍ୟରେ ପାର୍ବଣ ୠତୁ ସୃଷ୍ଟି କରୁ ନୂତନ ପରମ୍ପରା

ପାର୍ବଣ ଋତୁରେ ମୂର୍ତ୍ତି ପୂଜା ପାଇଁ ଅନୁମତି ହେଲେ ସାର୍ବଜନୀନ ହେବନି ଏବଂ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକା ହେବନି , ଯାହା ଦିନେ ଦଶ ଫୁଟରୁ ଅଧିକା ଥିଲା । ପ୍ରଶ୍ନ ଆସୁଛି, ଯଦି ମୂର୍ତ୍ତିର ଉଚ୍ଚତା ଏବଂ କଟକଣା ମହାମାରୀ ବ୍ୟାପିବାରେ ବାଧକ ସୃଷ୍ଟି କରିପାରେ, ତେବେ ପାର୍ବଣ ଋତୁ ଏବଂ ଭୁତାଣୁ ଭୟାବହତାକୁ ନଜରରେ ରଖି ଦୋକାନ ବଜାର, କାର୍ଯ୍ୟାଳୟ, ଗାଡି ମଟର ଉପରେ କଟକଣା ଲଗେଇ ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ରଖିଲେ ଅସୁବିଧା କେଉଁଠି ରହୁଛି ?

ପ୍ରଶାସନକୁ ମହାମାରୀ ସୁଯୋଗ ଦେଇଛି ଆମର ବିଶୃଙ୍ଖଳିତ ପାର୍ବଣ ଉତ୍ସବମାନଙ୍କୁ ଶୃଙ୍ଖଳିତ କରିବା ପାଇଁ। ଆଉ ଆଶା ଏହା ଉପରେ ତର୍ଜମା ହଉ, କିନ୍ତୁ ରାଜନୀତି ନହେଉ। ସମସ୍ତେ ଜାଣିଛନ୍ତି ବିଗତ ଦିନରେ ମଣ୍ଡପରେ ମାଙ୍କୁ ପୂଜା ହେଉଥିଲା କି ଚାନ୍ଦା ଆଦାୟ, ମୀନାବଜାର, ମେଲୋଡି, ଭଷାଣିରେ ଏବଂ କୃତ୍ରିମ ଭିଡ଼ ସୃଷ୍ଟି କରି ରାସ୍ତା ଘାଟ ଅବରୋଧ କରି ନିଜର ବଳ ଦେଖେଇବା ପତିଆରା ଉତ୍ସବ ଚାଲିଥିଲା।

ତେଣୁ ପ୍ରଶାସନ ଏହି ସୁଯୋଗ ହାତଛଡା ନକରିବା ଭଲ। ନହେଲେ ଯେମିତି ସାବିତ୍ରୀ ବ୍ରତ ଘରେ ପାଳିବାର କଟକଣା ଥିଲା, ହେଲେ ଭକ୍ତ ଏବଂ ପୂଜକ ତାଳ ମେଳିରେ ବାହାରେ ତାଲା ହେଲେ ଭିତରେ କିଛି ନକହିବା ଭଲ। ଜାଣିଶୁଣି ଶିକ୍ଷିତ ସମାଜକୁ ଜବରଦସ୍ତ ମହାମାରୀକୁ ଠେଲିଦେବା ଠିକ ନୁହେଁ। ଗତବର୍ଷ ଏମିତି କିଛି ଯାତ୍ରା ଉତ୍ସବ କରି କଣ ପରିସ୍ଥିତି ହେଲେ ସମସ୍ତଙ୍କୁ ଜଣା। ଗଳି କନ୍ଦିରେ ମଧ୍ୟ ଆଜି ଲୋକେ ଆଜି ମଧ୍ୟ ନିଜର ହରେଇଥିବା ବ୍ୟକ୍ତି ବିଶେଷଙ୍କୁ ଭୁଲି ପାରିନାହାନ୍ତି। ଏହିପରି ପରିସ୍ଥିତିରେ ପରମ୍ପରାକୁ ମାଧ୍ୟମ କରି ସମାଜକୁ ଏକ ଭୁଲ ବାର୍ତ୍ତା ନଯାଉ, ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର।

ବିଗତ ଦୁଇ ବର୍ଷ ହେଲା ମହାମାରି ବ୍ୟାପିବା କମେଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ଯେ ପାର୍ବଣ ଋତୁରେ ସାର୍ବଜନୀନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ହୋଇପାରିବ କିନ୍ତୁ ଏହାର ଉଚ୍ଚତା ଚାରି ଫୁଟରୁ କମ ହେବା ଦରକାର। ଯାହା ବର୍ତ୍ତମାନ ସମସ୍ତ ପୂଜା ମଣ୍ଡପ ଏବଂ କାରିଗର ମଧ୍ୟରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ମୁଖ୍ୟ କାରଣ ଉପରେ ବିଗତ ଦିନର କିଛି ଅଭିଜ୍ଞତାକୁ ନେଇ କିଛି ପ୍ରସ୍ତାବ ସମସ୍ତ ପ୍ରଶାସନିକ ଏବଂ ପୂଜା ମଣ୍ଡପମାନଙ୍କୁ ଏହା ଉପରେ ତର୍ଜମା କରିବା ଦରକାର। ଯେପରି ବିଗତ ଦିନରେ ଯେତେବେଳେ କଟକଣା ନଥିଲା ଅବା ମହାମାରୀର ଭୟ ନଥିଲା ସେତେବେଳେ ମଧ୍ୟ ଏହା ଉପରେ ଆଲୋକପାତ ହୋଇଛି, ଯଥା ପର୍ବପର୍ବାଣୀ ଦ୍ୱାରା ପ୍ରଦୂଷଣ ଅବା ନଦୀ ଜଳ ଏତେ ପ୍ରଦୂଷଣ ହୁଏ ନାହିଁ ଯେତେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ, କିନ୍ତୁ ପର୍ବପର୍ବାଣୀ ମଧ୍ୟ ପରିବେଶ ସନ୍ତୁଳିତ ହୋଇପାରିବ, ଯାହାର ସୁଯୋଗ ଆସିଛି ମହାମାରୀରେ ।

ପ୍ରଥମେ ପ୍ରସ୍ତାବ ସମସ୍ତ ମଣ୍ଡପକୁ ନିଜ ପୂର୍ବ ନିର୍ଦ୍ଧାରିତ ଉଚ୍ଚତା, ଚଉଡା ଏବଂ ପରିଧି ମଧ୍ୟରେ ମୃଣ୍ମୟୀ ମୂର୍ତ୍ତି କରିବାକୁ ଅନୁମୋଦନ ଦିଆଯାଉଏବଂ କଟକଣା ଲାଗୁ ମୃଣ୍ମୟୀ ମୂର୍ତ୍ତି ତିଆରିରେ କୌଣସି ପ୍ରକାର ପରିବେଶକୁ ପ୍ରଦୂଷଣ କରୁଥିବା ରାସାୟନିକ ଦ୍ରବ୍ୟ ବ୍ୟବହାର ନକରାଯାଉ। ପୂଜାରେ ଯେତେ ଅଧିକ ପ୍ରାକୃତିକ ଦ୍ରବ୍ୟ ବ୍ୟବହାର ହୋଇପାରିବ ତାହା ଚେଷ୍ଟା କରାଯାଉ।

ଦ୍ୱିତୀୟ ପ୍ରସ୍ତାବ ହେଉଛି ସମସ୍ତ ପୂଜା କମିଟି ନିଜ ମଣ୍ଡପ ସାମ୍ନାରେ, ପଛରେ, ଅବା ୧୦୦ମିଟର ପରିଧି ମଧ୍ୟରେ ନିଜସ୍ବ ଗାଡ଼ିଆ ପ୍ରସ୍ତୁତ କରନ୍ତୁ ଅବା ନିଜ ପୂଜା ସାମ୍ନାରେ କୁତ୍ରିମ ଜଳାଶୟ ନିର୍ମାଣ କରନ୍ତୁ । ମୃଣ୍ମୟୀ ମୂର୍ତ୍ତିକୁ ଏହିଠାରେ ବିସର୍ଜନ କରାଯାଉ। ବିସର୍ଜନ ପରେ ଯାହା ଏହି କୁତ୍ରିମ କୁଣ୍ଡରୁ ବାହାରିବ ତାହାକୁ ନିଜ ଅଞ୍ଚଳରେ ଥିବା ସାର୍ବଜନୀନ ବଗିଚାରେ ବ୍ୟବହାର କରିବା ପାଇଁ, ଅବା ଅଞ୍ଚଳର ବାସିନ୍ଦାମାନଙ୍କୁ ଆଶୀର୍ବାଦ ସ୍ୱରୂପ ମାଟି କୁଡ଼ିଆରେ, ଇଛୁକ ବ୍ୟକ୍ତିମାନଙ୍କୁ ପ୍ରଦାନ କରିବା ପାଇଁ ମଣ୍ଡପମାନଙ୍କୁ ଅନୁରୋଧ କରାଯାଉ। ଯାହା ସେମାନେ ନିଜସ୍ୱ ବାଡ଼ି ବଗିଚାରେ ଲଗେଇ ପାରିବେ । ଅଥବା ଏହି ବସର୍ଜିତ ମାଟିକୁ ଛୋଟ ଛୋଟ କୁଣ୍ଡରେ ଭର୍ତ୍ତି କରି ତୁଳସୀ ଗଛ ଲଗେଇ ବାଣ୍ଟିଲେ ମଧ୍ୟ ହୋଇ ପାରିବ।

ତୃତୀୟ ପ୍ରସ୍ତାବ ହେଉଛି ପୂଜା ମଣ୍ଡପମାନେ ସିଧା ପ୍ରସାରଣ ଅବା ଭିଡ଼ିଓ ମାଧ୍ୟମରେ ଭକ୍ତମାନଙ୍କୁ ଦର୍ଶନ କରାଇ ପାରିବେ। ଏବଂ ପ୍ରଶାସନ ଜଦି ହୃଦୟଙ୍ଗମ କରିବେ ତେବେ ଭକ୍ତମାନଙ୍କୁ କେବଳ ନିଜ ଅଞ୍ଚଳର ବାସିନ୍ଦାଙ୍କୁ ପୂର୍ବରୁ ପଞ୍ଜୀକୃତ କରାଇ ସାମାଜିକ ଦୂରତ୍ୱ ଏବଂ ଅନ୍ୟାନ୍ୟ କଟକଣା ମାଧ୍ୟମରେ ମଣ୍ଡପରେ ଦର୍ଶନ ବ୍ୟବସ୍ତା ହୋଇ ପାରିବ। ଲୋକମାନେ ସାମାଜିକ ଦୂରତ୍ୱ ଏବଂ ଅନ୍ୟାନ୍ୟ କଟକଣା ପାଳନ କରି ସାଇକେଲରେ ବିନା ଅଟକି ମଧ୍ୟ ଦର୍ଶନ ମକରିବାର ସୁଯୋଗ ସୃଷ୍ଟି ହୋଇପାରିବ।

ହେଲେ ମହାମାରୀ ଯେଉଁଥି ପାଇଁ ବ୍ୟାପୁଛି ତା ଉପରେ ଅର୍ଥନୈତିକ ଏବଂ ଜୀବିକା କାରଣ ଦର୍ଶାଇ ଦୋକାନ ବଜାର, କାର୍ଯ୍ୟାଳୟ, ଗାଡି ମଟର ପୁରା ମୁକ୍ତ। ଫଳ ସ୍ୱରୂପ ସମ୍ଭବତଃ ରାଜ୍ୟର ବଡ଼ ବଡ଼ ସହରରେ ମହାମାରୀ ବର୍ତ୍ତମାନ ଗଳି କନ୍ଦିରେ ପଶିବାର ଏହା ଏକ ମୁଖ୍ୟ କାରଣ ।

ମହାମାରୀ ସବୁବେଳେ ଆସିବନି କିନ୍ତୁ ଯେତେବେଳେ ଆସିଛି ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଭବିଷ୍ୟତର ପାର୍ବଣ ପାଇଁ ନୂତନ ଆହ୍ୱାନ ସୃଷ୍ଟି କରାଯାଉ, ଯାହା ସମାଜ ପାଇଁ ଭଲ ଏବଂ ପରିବେଶ ପାଇଁ ମଧ୍ୟ ଶୁଭ ସଙ୍କେତ ହୋଇପାରିବ।