ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଫିନେକ୍ସ

ତୁମ ମୁହଁକୁ ସ୍ପଷ୍ଟ କରି ଆଙ୍କିବା ଚକ୍ରାନ୍ତରେ କେତେ ପରସ୍ତ ମିଛର ରଙ୍ଗ ନିଜ ଦେହରେ ବୋଳିଲିଣି ହିସାବ କରିବାକୁ ଇଚ୍ଛାଟେ ତିଆରି ହୋଇନଥିଲା ଏଯାବତ୍ । ପ୍ରତି ଥରର ରୂପାନ୍ତରରେ ଉଲୁରି ଯାଉଛି ଚମଡ଼ା । ଶିହରି ଉଠୁଛି ଯନ୍ତ୍ରଣାରେ ତ ଆର୍ତ୍ତନାଦରେ ଚହଲି ଯାଉଛି ମୋ ତିଆରି ପୃଥିବୀ । ଅଳ୍ପ କିଛି ଭାଙ୍ଗ ପଡ଼ୁ ପଡ଼ୁ ସାରାଟା ଦୁନିଆଁ ଲାଗୁଛି ଭଙ୍ଗାତୁଟା । ସ୍ବପ୍ନ ଭଳି କଟୁଥିବା ଅଜସ୍ର ମୁହୂର୍ତ୍ତରେ ମୁଁ ଭେଟିଥିବା ହଜାର ରଙ୍ଗର ପ୍ରଜାପତି , ସହସ୍ର ରଙ୍ଗର ପାଖୁଡ଼ା ମେଲେଇ ମୂର୍କି ମୂର୍କି ହସୁଥିବା ପର୍ବତପ୍ରମାଣେ ଫୁଲ , ବାରମ୍ବାର ରଙ୍ଗ ବଦଳେଇ ଅଭିଭୂତ କରି ଦେଉଥିବା ଇନ୍ଦ୍ରଧନୁ , ବର୍ଷାର ଡେଣାରେ ଫଡଫଡଉଥିବା ମୋର ଭାବପ୍ରବଣ ମନ , ପ୍ରାପ୍ତିର ଆନନ୍ଦରେ ଉଜ୍ଜ୍ଵଳ ଦିଶୁଥିବା ଆବେଗ ସବୁ କେମିତି କାନ୍ଦ କାନ୍ଦ ଏକ ଅଦ୍ଭୁତ ବିଷାଦରେ । ତୁମେ କେଉଁଠି ?

ଆଜି ଆଉ ଗୋଟେ ନାଁ ଦେଉଛି ତୁମକୁ । ସଂଯୋଗ । କଳ୍ପନାରେ ଗଢ଼ି ହେଉଥିଲାବେଳେ ତୁମେ ଦୃଢ଼ ହୋଇ ଫୁଟି ଦିଶ ମୋ ସମର୍ପଣର ରଙ୍ଗରେ । ଯେତେବେଳେ ଭୁଶୁଡୁଥାଏ ଶବ୍ଦ କରି ତୁମ ଆଶ୍ୱାସନାର ହାତ ବି ଉଭେଇଯାଏ ମୋ’ କୋହର ବିସ୍ଫୋରଣରେ । ଯେତେଥର ମୁହଁ ପୋଛୁଚି ସେତେସେତେ କୁଢେଇ ହେଉଛି ଲୁହ । ଯନ୍ତ୍ରଣାର ଭାଷା କଣ ଯେ ! ହୁଏତ ଚିତ୍କାର ନତୁବା ଲୁହ ?

କେତେ ପହଞ୍ଚ ତୁମ ପାଖରେ ମୋର ମେଲି ମେଲି ଯାଉଥିବା କ୍ଷତ ?? ଯଦି କ୍ଷତ ହିଁ ସତ ଏବଂ ଅବଶ୍ୟମ୍ଭାବୀ ପୁଣି କଳ୍ପନାର ବାହାନା କାହିଁକି ? ସଂଯୋଗ ଶବ୍ଦଟି ପାଇଁ ଅପେକ୍ଷାର ମାନେ ହିଁ କିଛି ନାହିଁ । ମାନେ ବି ନାହିଁ ରକ୍ତ ହୋଇ ଇଡ଼ି ଯାଉଥିବା ଆବେଗ କି ଅନୁରାଗର ଭାବ ।

କଣ ଲେଖିବି ? କଣ କହିବି ? ମୋତେ ଅଭିଧାନର ସବୁ ଶବ୍ଦ ନିଅଣ୍ଟ ପଡ଼ୁଛି ବର୍ତ୍ତମାନ । ଜୀବନ ଏଇ ସବୁ କହି ନହେଲାଭଳି କ୍ଷତ, ଅପମାନ, ଆଘାତ ଦେଇ ମୋ ଦ୍ୱାରା ନିଜକୁ ଅଙ୍ଗୀକାର କରାଇ ନେବାକୁ ଚାହୁଁଛି ବୋଧହୁଏ । ଯଦି କହିବି , କହିବି – ହେ ମୋର କ୍ଷତମାନେ ! ମୁଁ ତୁମ ନିକଟରେ ଅସହାୟ ହେବାକୁ ଚାହେଁନା । ଏଣିକି ମୋ କ୍ଷତରୁ ରକ୍ତ ନଝରୁ ଚିତ୍ରରେ ରକ୍ତର ରଙ୍ଗ ଝଲସୁ । ମୁଁ ଆଙ୍କୁଥବା ଫୁଲର ପାଖୁଡ଼ାରେ ନିଆଁ ଉକୁଟୁ । ମୋ ଭାଷାର ପରିପ୍ରକାଶ ନୀରବତା ହେଉ । ଆସନ୍ତାକାଲିର ତୁମେମୟ ସମୟ ତୁମକୁ ହିଁ ଆଜିରେ ଦେଉଛି ସଂଯୋଗ । ଥାଅ ପ୍ରାର୍ଥନା ଭଳି ଅଦୃଶ୍ୟ , ପବିତ୍ର ଏବଂ ସୁନ୍ଦର ହୋଇ । ମୋର କୌଣସି ଚାହିଁବା ନରହୁ ତୁମ ପାଖରୁ । ତୁମର “ମୁଁ”