କ୍ଷୁଦ୍ର ମାନବର କ୍ଷୁଧା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…

ଲୋକବିଶ୍ୱାସରେ ଗଚ୍ଛିତ ଅଛି ନିହତ ଯୁଗର ନାନା ନୃତାତ୍ତ୍ୱିକତା  । ଅତି ପୁରାତନ ଭାବକଳ୍ପର ଭଗ୍ନାଂଶ ଗୁଡ଼ିକ ବେଳେବେଳେ ମନେହୁଏ କେଉଁ ବିସ୍ମୃତ, ବିଲୁପ୍ତ ବାସ୍ତବତାର  ଭିତ୍ତିଚିତ୍ର ନ ହେଲେ କେଉଁ କାୟାତୀତ କ୍ଳୁପ୍ତକାଳର କଙ୍କାଳ ।ସେଥିପାଇଁ ପ୍ରାଚୀନ ରୂପକଥା ଓ ଲୋକକଥାରେ ପରିବେଷିତ ପରିବେଶ ଆମ ମନଶ୍ଚେତନାରେ ସୃଷ୍ଟି କରେ ରୋମାଞ୍ଚର ରହସ୍ୟବୋଧ  ।

ପୁରାଣର‘ଗରୁଡ଼’ ଏକ ଗରିମାମୟ ପକ୍ଷୀକଳ୍ପ, ଯାହାର ଅତିକଳ୍ପନାକୁ ଅନୁସରଣ କରିବା ପରି, ଲୋକକଥାରେ ବର୍ଣ୍ଣିତ ଗଣ୍ଡଭୈରବ ପକ୍ଷୀ ବିରାଟ ଡେଣା ବିସ୍ତାର କରି ଘୋଡ଼ାଇଦିଏ ଆକାଶର ମେଘଖଣ୍ଡ ! ସେମିତି ପୌରାଣିକ ପକ୍ଷୀ ସମ୍ପତ୍ତି – ଯିଏ ସୂର୍ଯ୍ୟକୁ ଆବୋରିବାକୁ ଯାଇ ପାଂଶୁଳ କରିଦେଇଚି ନିଜର ଦୁଇ ବିଶାଳ ପକ୍ଷ  । ତା’ ସାନଭାଇ ଜଟାୟୁ – ପୁରାଣର ସୀତାପହର୍ତ୍ତା ରାବଣ ସହିତ ଘମାଘୋଟ ଯୁଦ୍ଧ କରି, ଯିଏ ହରାଇଛି ନିଜ ବିସ୍ତାରିତ ଡେଣା ଦୁଇଟି !

 

ଏମାନେ ପ୍ରକୃତରେ କାଳ୍ପନିକ ପକ୍ଷୀ ନା ପ୍ରାଗୈତିହାସିକ ପକ୍ଷୀସମାଜର ପୂର୍ବ ପ୍ରତିନିଧି, ଅତିକଳ୍ପନା ଓ ଅତିବାସ୍ତବତା ମଝିରେ ଏହା ଏକ ପ୍ରକାଣ୍ଡ ପ୍ରଶ୍ନବାଚୀ ! ଯେମିତି ଡାଇନୋସର୍‌ମାନେ ଏକଦା ଏ ପୃଥିବୀରେ ଚଳପ୍ରଚଳ କରୁଥିଲେ, ସେମିତି ପ୍ରକାଣ୍ଡକାୟ ପକ୍ଷୀମାନେ କ’ଣ ଆକାଶରେ ସେଦିନ ଉଡୁଥିଲେ ଅବାଧ ଭାବରେ ?

ଆକାଶ ! ସବୁଦିନେ ଏ ହତଚକିତ ମହୀମଣ୍ଡଳ ଆଗରେ ବିଶାଳ ବିସ୍ମୟବାଚୀ ! ଡାଇନୋସର୍‌ମାନଙ୍କ ପୃଥିବୀ ଉପରେ ହୁଏତ ସେଦିନ ବେଢ଼ିଥିବ ପ୍ରାଗୈତିହାସିକ ପକ୍ଷୀସମାଜର ସେ ଆଶ୍ଚର୍ଯ୍ୟଜନକ ଆକାଶ ! ହୁଏତ ବି ସେମିତି ବିଦ୍ୟମାନ ଥିବ ଅଦ୍ଭୁତକର୍ମା ଅତିକାୟ ଅସୁର ସାମ୍ରାଜ୍ୟ – ଦୁର୍ବାର ଦାନବର ଦୁର୍ଭେଦ୍ୟ ଦୁର୍ଗ  । କୁହାଯାଏ, ଆକାଶ ହେଉଛି ଦିବ୍ୟ ଦେବାଧିଷ୍ଠାନ  । ସେଥିପାଇଁ ଦେବାଧୀନ ଆକାଶ ସହିତ ଦାନବାଧିକୃତ ମର୍ତ୍ତ୍ୟର ସେଇ ନିରବଚ୍ଛିନ୍ନ ସଂଘର୍ଷ ବଳବତ୍ତର ରହିଥିଲା । ବହୁକାଳ ଯେଉଁ ମହାସଂଘର୍ଷର ସ୍ପର୍ଶ ଆମେ ଅନୁଭବ କରୁ ପୌରାଣିକ ପରିକଳ୍ପନାରୁ ଆରମ୍ଭ କରି ଲୌକିକ କଥିତ-କାହାଣୀର ପରିସୀମା ପର୍ଯ୍ୟନ୍ତ  । ଅବଶେଷରେ ଘଟିଛି ମାନବର ମହାବିର୍ଭାବ  । ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା ।

ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ  । ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ ! ତୁଷ୍ଟି ଓ ତୋଷାମଦିରେ ଦେବତାର ଅନ୍ତର ଜୟ କରି ମାନବ ଏହାପରେ ହାସଲ କରୁଛି ମର୍ତ୍ତ୍ୟ   । ଏପରିକି ଦାନବରାଜ ଦାନବୀର ବଳୀକୁ ପାତାଳ ପେଷିବା ପାଇଁ ଭଗବାନ ବିଷ୍ଣୁ ସ୍ୱୟଂ ବରଣ କରିଛନ୍ତି ବାମନାବତାର ! ଏ ‘ବାମନ’ – ଆକୃତିରେ ‘କ୍ଷୁଦ୍ରମାନବ’ – ପ୍ରକୃତିରେ ‘ନବମାନବ’ !

ଦେବଦେବୀ ରହିଗଲେ ସ୍ୱର୍ଗରେ, ଦାନବଦାନବୀ ପାତାଳରେ  । ଦାନବାଧିକାରକୁ ଧ୍ୱସ୍ତ କରି ମାନବ ହାସଲ କଲା ମର୍ତ୍ତ୍ୟର ମାଲିକାନା  । ଏସବୁ ଯେତେ ପୌରାଣିକ କାହାଣୀର କଳ୍ପନା ନୁହେଁ, ମନେହୁଏ ସେତେ ବିସ୍ମୃତ ବାସ୍ତବତାର ବିଲୁପ୍ତ  ବୃତ୍ତାନ୍ତ ଯେପରି ! ଅତିକାୟତା ଅନ୍ତର୍ହିତ; କ୍ଷୁଦ୍ରତା ସର୍ବବ୍ୟାପ୍ତ  । ଦେବ ଓ ଦାନବ ମଧ୍ୟରେ ସନ୍ଧି କେବେ ସ୍ୱାକ୍ଷରିତ ହୋଇପାରିଲା ନାହିଁ ବୋଲି ମାନବ ଅର୍ଜିପାରିଲା ଅପରିମିତ ମୁନାଫା  । ଦାନବକୁ କ୍ଷୁଦ୍ରମାନବ ପାତାଳକୁ ପେଷିଦେବା ପରେ ଏବେ ମର୍ତ୍ତ୍ୟରୁ ଚାହୁଁଚି ମହାକାଶକୁ  । କ୍ଷୁଦ୍ରମାନବର କ୍ଷୁଧା ନିଜର କ୍ଷୁରଧାରରେ ସମଗ୍ର ସଂସାରରେ ସନ୍ତ୍ରାସ ସଞ୍ଚାର କରିସାରିଛି କେବେଠୁ  ।

ଅତିକାୟ ଅସୁରର ଏତେ ବଡ଼ ଆଁ’ ; ଯାହା ଭିତରେ ନିଅଣ୍ଟ ପଡୁଥିଲା ସାତ ଶଗଡ଼ ଭର୍ତ୍ତି ଖାଦ୍ୟସାମଗ୍ରୀର ସୁବିପୁଳ ସମ୍ଭାର, ସେ ଆଁ’ଠୁ ଆଜି ଅୟୁତନିୟୁତ ଗୁଣ ବଡ଼ ମୁନାଫାଖୋର୍‌ ମଣିଷର ଆଁ’ !

କ୍ଷୁଦ୍ରମାନବର କ୍ଷୁଧା , ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ସବୁକୁ ଚରି, ଚବ୍ୟ, ଚୋଷ୍ୟ, ଲେହ୍ୟ ଅନ୍ତେ, ଚଳୁ କରି ଦେଇପାରେ ଦିନେ । ସେଦିନ କ୍ଷୁଦ୍ରମାନବର ଇତିହାସ – ହୁଏତ ପାଲଟିଯାଇପାରେ ଭବିଷ୍ୟତର ଭସ୍ମଲିପି, ପାଉଁଶ ପୁରାଣ ! ଯଦି କେହି ମାଆ ଜାଗି ରହିଥାଏ ସେଦିନ ଯାଏଁ, ହୁଏତ ତା’ଠୁ ତା’ କୋଳପିଲାଟି ଶୁଣୁଥିବ କାନ୍ଦୁରା କାହାଣୀ; ଦିନେ ‘ମଣିଷ’ ଥିଲା ଏଇଠି – ଏଇ ମାୟାମଣ୍ଡଳରେ ! ମାତ୍ର ନିଜର ଅତିକାୟ କ୍ଷୁଧାଗର୍ଭରେ ସେ କ୍ଷୁଦ୍ରମାନବ ନିଜେ ହିଁ ପାଲଟିଗଲା ଅସହାୟ ଅନ୍ତିମ ଆହାର !

ସେ ସାତଜଣ  । ନିର୍ଜଳ ମରୁଭୂମିରେ ଖୋଜୁଥିଲେ ଏକ ଅନ୍ତଃସଲିଳାର ଅସ୍ତିତ୍ୱ  । ନଦୀ, ଉପନଦୀ, ଶାଖାନଦୀ ନଦୀମାନଙ୍କର ନାନାଦି ନକ୍‌ସା ତଲାସୁ ତଲାସୁ ସେମାନେ ଆବିଷ୍କାର କରିଥିଲେ ଏଇ ଅଦ୍ଭୁତ ଅନ୍ତଃସଲିଳାର ଅତୀତ ! ସେ ଅତୀତ ଥିଲା ସପ୍ତଶତୀ ସହସ୍ରାବ୍ଦ ପୂର୍ବର ଅପୂର୍ବ ଅତୀତ  । ଏକଦା ପ୍ରବାହିତ ହେଉଥିଲା ପ୍ରଖର ସ୍ରୋତସ୍ୱତୀ, ଯାହାର ଦୁଇକୂଳେ ଅରଣ୍ୟାନୀ ଥିଲା ଅନନ୍ତ ଆକାଶର ଆଶୀର୍ବାଦପ୍ରାପ୍ତ  । ସେତେବେଳେ ପ୍ରକୃତି ଥିଲା ପ୍ରସାରିତ – ବନୌଷଧିର ବାସ୍ନା ସମେତ ଅନେକ ଅନେକ ଅନାମିକା ଫୁଲର ସୁଗନ୍ଧି କିନ୍ତୁ ରହିଆସିଥିଲା ଅନାଘ୍ରାତ  । ଲକ୍ଷାଧିକ ବର୍ଷ  । ଶେଷଆଡ଼କୁ ହଜାରହଜାର ବର୍ଷ ସେଇ ଲକ୍ଷଲକ୍ଷ ବର୍ଷ ଭିତରେ କେଉଁଠି କେଜାଣି ଦାନା ବାନ୍ଧିବାକୁ ଆରମ୍ଭ କରୁଥିଲା ଧୀରେଧୀରେ  । ପ୍ରକୃତି କୋଳରେ ଆବିର୍ଭୂତ ହେବାକୁ ଆରମ୍ଭ କଲେ ନାନା ନୂତନ ଆକୃତି କାଳାନୁକ୍ରମେ  । ଜଳରେ ମୀନ, ସ୍ଥଳରେ ମନୁଷ୍ୟ, ବ୍ୟୋମରେ ବିହଙ୍ଗମ ସେଇ ଅନେକ ଆକୃତି ମଧ୍ୟରୁ ଏ ତିନୋଟି ହେଉଛି ପ୍ରତିପାଦିତ ପ୍ରତୀକର ପ୍ରତିରୂପ  । ପ୍ରଥମଟି ମଗ୍ନ , ଦ୍ୱିତୀୟଟି ନଗ୍ନ ତୃତୀୟଟି ସଂଲଗ୍ନ  । ଯିଏ ମଗ୍ନ, ସେ ହର୍ତ୍ତା ମୋ : ୯୮୬୧୦୩୪୧୬୩ ହର୍ତା ମୃତ୍ତିକା ଭାଗରେ ମୃତପ୍ରାୟ  । ଯିଏ ନଗ୍ନ, ସେ ପାତାଳଗଙ୍ଗାରୁ ପାରିଜାତ ଉଦ୍ୟାନ ପର୍ଯ୍ୟନ୍ତ ଉନ୍ମୁଖ  । ଯିଏ ସଂଲଗ୍ନ, ମୃତ୍ତିକା ସହିତ ମହାଶୂନ୍ୟତାର ସଂଯୋଗସ୍ଥଳରେ ସତତ ସଂଚରଣଶୀଳ  । ପ୍ରତୀକତ୍ରୟ ଯଥାକ୍ରମେ ସନ୍ତରଣ , ସନ୍ଧାନ ସଂଚରଣର ସୂଚକ  । ମାତ୍ର ମଧ୍ୟପ୍ରତୀକଟିର ସନ୍ଧାନ ମଧ୍ୟରୁ ସୃଜ୍ୟମାଣ ସଭ୍ୟତାର ସଜାଗ ସଞ୍ଚାର । ନଗ୍ନତା ଉପରେ ଏ ସଭ୍ୟତା ଅତଏବ ଏକ ଆଚ୍ଛାଦନ, ଯାହା ତଳେ ଲୁଚିରହିଗଲା ଆଦିମତା, ବର୍ବରତା, ବନ୍ୟତା  ।

ସେ ପ୍ରଖର ସ୍ରୋତସ୍ୱତୀ କୂଳେକୂଳେ ମୀନାବତାର କଥା ଶୁଭୁଥିଲା ମୁନିମୁଖରୁ  । ନଦୀ-ବନ-ଗିରି-ଆକାଶ ସର୍ବତ୍ର ଲୀଳା ପ୍ରକାଶକାରୀ ଏକ ଅଦୃଶ୍ୟ ସଞ୍ଚାର ବିଚିତ୍ର ବିଶ୍ୱାସ ବନ୍ୟମନୁଷ୍ୟକୁ କଲା ଧର୍ମଭୀରୁ  । ଶିକାରୀ ମନୁଷ୍ୟ ପାଲଟିଲା କର୍ମପ୍ରବଣ କୃଷିକାର  । କ୍ରମେ କୃଷ୍ଟିକୁ ସୃଷ୍ଟି କଲା ଏଇ କୃଷିକର୍ମ  । ସଂସ୍କୃତିକୁ ଜନ୍ମ ଦେଲା ସଭ୍ୟତା  । କଳ୍ପନାରୁ କଳା, କଳନାରୁ କାରିଗରି, ସନ୍ଧିତ୍ସାରୁ ସର୍ବସାର ଜ୍ଞାନ, ସଂଶୟରୁ ଷଡ଼ଦର୍ଶନ, ବିସ୍ମୟରୁ ବେଦମନ୍ତ୍ର, ବିଷାଦରୁ ଯୋଗ, ବିଶ୍ଳେଷଣରୁ ବିଜ୍ଞାନ – ସଭ୍ୟତାର ସ୍ଥୂଳ ସ୍ତର ପରେ ସୂକ୍ଷ୍ମ ସ୍ତରସବୁ ଏସବୁ  । ସେ ସୁନ୍ଦରୀ ସ୍ରୋତସ୍ୱତୀ ମନନଶୀଳ ମନୁଜ ମନୀଷୀମାନଙ୍କୁ ମନେହେଲା ଶୁଭ୍ରବସନା ସରସ୍ୱତୀ  । ମାନବବିଦ୍ୟାର ମହାଦେବତୀ  । ମନ୍ତ୍ର ଓ ତତ୍ତ୍ୱର ଶୁଭ୍ର ସରସ୍ୱତୀ କ୍ରମେ କିନ୍ତୁ କାୟାନ୍ତରିତ ହୋଇ ତନ୍ତ୍ର ଓ ମହାସାଧନାରେ ଜନ୍ମାନ୍ତର ନେଲା ମୂର୍ତ୍ତିମତୀ ନୀଳସରସ୍ୱତୀ ! ବିବର୍ତ୍ତନର ବୈଚିତ୍ର୍ୟ ବେଳେ ବେଳେ ବିଭ୍ରାଟରେ ବିଡ଼ମ୍ବିତ – ବନଗମନରୁ ବିବର-ବରଣ ! ପ୍ରକୃତିରୁ ବିକୃତି ! ଶ୍ଳୋକରୁ ଶୋକ ! ବିପ୍ଳବରୁ ବିଭୀଷିକା ! ମନୁଷ୍ୟ ନିଜେ ଊର୍ଦ୍ଧ୍ୱାରୋହୀ ହେବାର ଅଦମ୍ୟ ଇଚ୍ଛାରେ ସ୍ୱକଳ୍ପିତ ଭଗବାନକୁ ସୁଦ୍ଧା କଲା ଅବରୋହୀ , ତେଣୁ ନିଜ ଅବତରଣ ପର୍ଯ୍ୟାୟରେ ଭଗବତ୍‌ ସଞ୍ଚାର ନାନା ଅବତାର , ମୀନରୁ ମହାବୁଦ୍ଧବ୍ୟାପୀ  । ଏପରିକି ନିଜ ନିରନ୍ତର ମୃତ୍ୟୁଭୀତିବୋଧକୁ ସେଦିନ ମନୁଷ୍ୟ ତା’ର ସାମୁହିକ ଅବଚେତନଗତ ପ୍ରତିଶୋଧ- ପ୍ରବୃତ୍ତି ବା ପିପାସା ଦ୍ୱାରା ପରିଚାଳିତ ହୋଇ ଶିଆଳୀଲଟାର ଜଙ୍ଗଲରେ ସେଇ ଅବତାରୀ ଈଶ୍ୱରର କୃଷ୍ଣାବତାରକୁ ଦେଲା ମର୍ମନ୍ତୁଦ ମୃତ୍ୟୁଦଣ୍ଡ – ଜରାଶବର ଚରିତ୍ରଟି ଚିତ୍ରଣ କରି !

କୃଷ୍ଣଙ୍କର ତୀରାଘାତରେ ଓ ଯୀଶୁଙ୍କର କଣ୍ଟକାଘାତରେ ନିଃଶବ୍ଦ ନିଧନ ହେଉଛି, ମନୁଷ୍ୟର ଈଶ୍ୱର ପ୍ରତି ହିଁ ପରୋକ୍ଷ ମୃତ୍ୟୁଦଣ୍ଡବିଧାନ ! ସେ ନଦୀ ସବୁ ଦେଖିଛି, ସବୁ  । ମାଟି ତଳେ ସଭ୍ୟତା ହଜିଚି ଆଉ ଳୁଚିଯାଇଚି ସେ ନଦୀଟି ବି  । ସେ ନଦୀ କ’ଣ ସରସ୍ୱତୀ ? ସେ ନଦୀ କ’ଣ ସେଇ, ‘ଯେ ନଦୀ ମରୁପଥେ ହାରିଚି ଧାରା’… ସେ ନଦୀ କ’ଣ ମୃତସଭ୍ୟତାର ସେଇ ଅନୁଗାମିନୀ ମରୁଚାରିଣୀ ନା ଚୈତନ୍ୟର ଚିତାନଳରେ ସହଗାମିନୀ ସକରୁଣ ସତୀ-ସତା ?

ସେ ସାତଜଣ  । ଖୋଜୁଥିଲେ ଖିଅ  । କୁଆଡ଼େ ଦିଗ ହଜାଇଚି ସେ ଦୁଃଖିନୀ ନଦୀ ? ଗଙ୍ଗାରେ ଭଙ୍ଗା ନାଆ, ଯମୁନାରେ ଯାଦବ ଯାମିନୀର ଯବନିକା କିଛି କ’ଣ ଦେଖିବାର ନ ଥିଲା ତା’ର ? କାନ୍ଦୁରୀ କୁଆଡ଼େ ଗଲା ଶୂନ୍ୟରେ ସୁନାକଳସ ରଖିଦେଇ ? ଗଙ୍ଗା ଅଛି, ଯମୁନା ଅଛି, କୃଷ୍ଣା ଅଛି, କାବେରୀ ଅଛି, ନର୍ମଦା ଅଛି, ନିରଂଜନା ଅଛି, ସିପ୍ରା ଅଛି, ସରଯୂ ଅଛି, ଗୋମତୀ ଅଛି, ଗୋଦାବରୀ ଅଛି, ଅଛି ମଧ୍ୟ ଅଜସ୍ର ଅନାମ୍ନୀ ନଦୀର ଶୋକସଜଳ ଲୋକସ୍ମୃତି !

ସରସ୍ୱତୀ ? ସରସ୍ୱତୀ ? ସରସ୍ୱତୀ ?

ସେ ସାତଜଣ ମରୁଭୂମିରେ ପ୍ରଶ୍ନିଳ ପ୍ରଳାପ ସହ ସାଶ୍ରୁ ସମ୍ବୋଧନ କରୁଥିଲେ ସେଇ ପଳାତକା ପୁଣ୍ୟତୋୟା ଉଦ୍ଦେଶ୍ୟରେ  । ଅତଃପର ବ୍ରହ୍ମପୁତ୍ରରେ ପ୍ରଚୁର ବନ୍ୟା ଆସିଚି, ମହାନଦୀରେ ମୂର୍ତ୍ତ ହୋଇଛି ମାଳମାଳ ମହାବର୍ତ୍ତ ! କ’ଣ ଯାଏ ଆସେ ସମୁଦ୍ରର ? ସରସ୍ୱତୀ ପାଇଁ ସମୁଦ୍ର ତେଣୁ ଶୋକପ୍ରାର୍ଥନା କରେନା କେବେ, କାନ୍ଦେ କେବଳ ତୃଷାର୍ତ ମରୁପ୍ରାନ୍ତର !

ଯେଉଁଦିନ ମନୁଷ୍ୟ ତା’ ଚାରିପାଖର ଗଛବୃଚ୍ଛରେ ଡାଳ ଗଣିଲା, ତା’ପରଦିନଠୁ ସେ ହାଣି ଲାଗିଲା ପ୍ରକୃତିର କାଠହାତ, କାଠପାଦ, ଗୋଟେ ପରେ ଗୋଟେ  । ତା’ ଗୁପ୍ତ ଗଣିତର ଶିକାର ହେଲା ଦାରୁ, ଦେବତା, ଦିଗଦିଗନ୍ତ ! ଯେଉଁଦିନ ମନୁଷ୍ୟ ତା’ ଆଙ୍ଗୁଠି ଟେକି ‘ଏକ୍‌’ ଜାଣିଲା, ତା’ ପରଦିନଠୁ ସେ ଗଣିଚାଲିଲା ଅଣାକାର ‘ଈଶ୍ୱର ଏକ୍‌’ର ଦୁଇ ଡୋଳା, ତିନି ପାଦ, ଚାରି ହାତ, ପାଞ୍ଚ ମୁହଁ ଇତ୍ୟାଦି  । ତା’ ଦୁର୍ବୋଧ୍ୟ ଦୁନିଆଟା ଗୋଲ୍ ଆଉ ସେ ଗୋଲ୍ ଶୂନ୍ୟରୁ ଆରମ୍ଭ ହୋଇଥିବା ତା’ ଗୁନ୍ଦୁରା ଗଣିତର ଗୋଲକଧନ୍ଦାରେ ଘୂରିବୁଲିଲେ ଷଷ୍ଠସତୀ, ସପ୍ତମାତୃକା, ଅଷ୍ଟମଙ୍ଗଳା, ନବନାୟିକା, ଦଶ ମହାବିଦ୍ୟା !

ସବୁ କ’ଣ ଲକ୍ଷ୍ୟ କରିଥିଲା ସରସ୍ୱତୀ ସେଦିନ ? ସେ ସାତଜଣ ଏ ପ୍ରଶ୍ନର ଉତ୍ତର ନ ପାଇ ଅବଶେଷରେ ଉତ୍ତପ୍ତ ମରୁବୁକୁରେ ବରିନେଲେ ବିସ୍ରସ୍ତ ବାଲୁକାଶଯ୍ୟା  । ଏ ଚିତ୍ରଭୂମିରୁ ଚିରବିଦାୟ ନେଇ ସେମାନେ ଶେଷରେ ଆକାଶର ତାରା ପାଲଟିଲେ ଆମଠୁ ଅସୁମାର ଆଲୋକବର୍ଷ ଦୂରରେ ! ସେମାନେ ସମାଧିସ୍ଥ ସପ୍ତଋଷି  । ସମ୍ପ୍ରତି ସପ୍ତର୍ଷି  । ସେଇ ସାତତାରାର ଦେଶରୁ କେବେକେବେ କନକବିନ୍ଦୁ ପରି ଝରିଆସେ କରୁଣାର କଅଁଳ କାକର ଆମ ଚାରିପଟେ ଘେରିଯାଏ କରୁଣ କୁହୁଡ଼ି !

ପରିସମାପ୍ତି ଘଟିଛି ପରିଣତ ପ୍ରଖର ପ୍ରଜ୍ଞାର  । ଉଦୟରାଗର ଅଗଣିତ ଇସ୍ତାହାର ସତ୍ତ୍ଵେ ହୃଦୟ ହରଣଚାଳ  । ସେ ପ୍ରାକ୍ତନୀ ନଦୀ ନାହିଁ, ଅଛି ବରଂ ଅସରନ୍ତି ତୃଷ୍ଣାର ଅଭିଶାପ – ଏପରିକି ପୃଥିବୀର ସବୁ ନଦୀଜଳ ଯଦି ସମ୍ମିଳିତ ହୋଇ କେବେ ଦିନେ ପାଲଟିଯାଏ ବନ୍ୟାପ୍ରମତ୍ତ ପୟୋଧି, ତଥାପି ଏ ସଭ୍ୟତାର ପୋଷାକ ତଳେ ପ୍ରଚ୍ଛନ୍ନ ବନ୍ୟମନୁଷ୍ୟର ଜଘନ୍ୟ ତୃଷ୍ଣା ପ୍ରଶମିତ ହେବାର ପ୍ରଶ୍ନ ଉଠୁନାହିଁ ମୋଟେ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩