ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିତ୍ରିତ ଅନ୍ୟମନସ୍କତା 

ବିଭକ୍ତ ଦିନର ଆକାରରେ ତୁମେ ଯେତିକି ରୂପାନ୍ତରିତ ହୁଅ ସେତିକି ଶକ୍ତ ଓ ଶୀତଳ ଲାଗ ରାତିର ଆୟୁଷରେ। ବିଷାଦ ଦେଉଥିବା ଅନ୍ଧାର ଚିରି ଆଜିକାଲି ଆକାଶରେ ମୋତେ ଦିଶୁଛି କରୁଣାମୁଦିତା ଏକ ବିଶାଳକାୟ ପକ୍ଷୀ । ସକାଳ ସୂର୍ଯ୍ୟର ସୁବର୍ଣ୍ଣରେ ମୁଁ କିନ୍ତୁ ଦେଖି ଆସୁଥିଲି ଏଯାବତ୍ ଆବେଗ ରଙ୍ଗରେ ରଙ୍ଗାୟିତ ଚିଠି ସବୁ ମୋର ଭସା ମେଘ ଭଳି ଦୁଷ୍ଟାମୀ କରୁଥିବାର । ଅନେକ ଥର ସେସବୁ ସୁକୁମାରତା ଶିହରେଇ ଦେଇଛି ମୋତେ ମାତୃତ୍ୱରେ – ଏକାନ୍ତରେ । ଅଚାନକ ମେଘରଙ୍ଗର ସବୁ ଚିଠି ପକ୍ଷୀରେ ପରିଣତ ହେଇଗଲାପରେ ନୀଳ ରଙ୍ଗର ସମ୍ମୋହନ ଘେନିଥିବା ଅଦ୍ଭୁତ ପକ୍ଷୀଟି ଏତେ ଶାନ୍ତ ଓ ନିଶ୍ଚିନ୍ତ କେମିତି ! ମୋ ପ୍ରଶ୍ନ ଓ ପ୍ରତି ପ୍ରଶ୍ନ ଅବଚେତନ ମନରେ ପ୍ରତିଧ୍ୱନୀର ତରଙ୍ଗଟେ ପହଁରେଇ ଫେରିଯାଏ ସିନା ସହଜରେ କିନ୍ତୁ ଗୀତଟେ ଶୁଣେଇବାକୁ ପ୍ରସ୍ତୁତ ହୁଏନି ସେହି ବିରାଟ ପକ୍ଷୀ କୌଣସି ପରିପ୍ରେକ୍ଷୀରେ । ସେ ପକ୍ଷୀ କଣ ତୁମେ ? କେଉଁ ଦେବଦତ୍ତର କ୍ରୋଧରେ ଶରାହାତ ! ସେ କଣ ମୋ’ ଭାଗ୍ୟ ? କେଉଁ ଅଦୃଷ୍ଟର ଅଭିସମ୍ପାତରେ ପକ୍ଷାଘାତଗ୍ରସ୍ତ ! ସେ କଣ ମୋ ଈଶ୍ୱର ? ମୋ’ ପାଇଁ ଉତ୍ତର ଖୋଜୁ ଖୋଜୁ ନିରୁତ୍ତର !! ମୁଁ କେବଳ ଏତିକି କଲି ହୃଦୟକୁ ଖୋଲି ଦେଇ ପକ୍ଷୀ ପାଖେ ରଖି ମୁଁ ଆକାଶମୁହାଁ ହେଲି । ଜୀବନଟେ ଜୀଇଁବା ଲାଗି ହୃଦୟ ବି ସବୁବେଳେ ଲୋଡ଼ା ପଡ଼େନି ବୋଲି ବୁଝି ଗଲିଣି ଆଜିକାଲି । ସଙ୍ଗୀତକୁ ଢେର ଭଲ ପାଉଥିବା ମୋର ହୃଦୟ ନିରବି ଯାଇଥିବା ପକ୍ଷୀକୁ ଏଇ ବାହାନାରେ ହୁଏତ ସ୍ୱରଟିଏ ଶିଖେଇ ଦେଇପାରେ ! ସଙ୍ଘର୍ଷରୁ ସମ୍ଭାବନା ଆଡକୁ ରାସ୍ତା ତିଆରି କଲାବେଳେ ଯେଉଁ ଶକ୍ତି ଟିକକ ଲୋଡ଼ା ହୁଏତ ସେତକ ସେହି ସ୍ୱରରୁ ମିଳିଯାଇ ପାରେ !! ଏମିତି ହିଁ ଆଙ୍କିଦେଲି ଚିତ୍ର ଆଉ ଖୁସି ହୋଇଗଲି ।

ଗତଥର ତୁମ ପାଇଁ ଉଦ୍ଦିଷ୍ଟ ଚିଠିରେ ଉତ୍ତର ହୋଇ ମହକି ଗଲେ ଲୋପୁ , ସୁଜୁ , ଗୀତୁଙ୍କ ଶବ୍ଦସବୁ ଏକ ନିର୍ଦ୍ଦିଷ୍ଟ ତାଳରେ – ଭଲପାଇବାରେ । ସେମାନଙ୍କୁ ବୁଝେଇ କହିପାରିଲିନି ଯେ ମୁଁ ତୁମର ଅସ୍ପଷ୍ଟତାକୁ ଅଳ୍ପ ପଢିପାରେ କିନ୍ତୁ ମନ ମୁତାବକ ଆଙ୍କିପାରେ ନିରବରେ ! ପୁଣି ସେହି ନିରବତାକୁ ଆୟୁଧ କରି କ୍ଷତାକ୍ତ ବି କରିଦେଇପାରେ ଆମ ଭିତରେ ସ୍ତର ବାନ୍ଧିଯାଉଥିବା ଲୋଭର କଦାକାର ରୂପକୁ । ନିରବତା ପରିଚ୍ଛନ୍ନ ନହେଲେ ପରିଣତି କରୁଣ ହୁଏ ବୋଲି ତୁମ ପ୍ରତ୍ୟୟକୁ ବଳୟ କରି ଖଞ୍ଜିବାକୁ ଚାହିଁଛି । ତୁମେ ଅପହଞ୍ଚ ନହୁଅ ବୋଲି ପ୍ରାର୍ଥନାକୁ ଯଥେଷ୍ଟ ଶାଣିତ କରିଛି । ଏହି ଭିତରେ ବିଶ୍ୱାସ କର , ତୁମ ପାଇଁ ନାଁଟେ ବହୁତ ଖୋଜିଛି ।
ତୁମେ ମୋର ଅହଂକାର । ସ୍ୱାଭିମାନ ବି । ‘ଅଭିମାନ’ ଡାକିବି ? ଆକଳନ କରି ହେଉନଥିବା ମୋର ଉତ୍ତକ୍ଷିପ୍ତ ଜୀବନର ବଡ଼ ଖଣ୍ଡେ ଅଂଶ ତୁମେ । ତାକୁ ବୋହି ନେବାର କୋମଳ ଆନନ୍ଦର ସୂକ୍ଷ୍ମ ଉପାଦାନ ମଧ୍ୟ ତୁମେ । ‘ଆନନ୍ଦ’ ଡାକିବି କି ?

ତୁମେ ମୋର ଅବବୋଧ । ମୋର ଚିତ୍ରିତ ଅନୁରାଗ । ମୋର ସୀମିତତାର ଆରପାଖ , ମୋ’ ଅନ୍ୟମନସ୍କତାର ଅଚଞ୍ଚଳ ରୂପ । ‘ଅନୁରାଗ’ ନାଁଟି ତୁମକୁ ସାଜିବ ?

ତୁମେ ବିଷାଦ ବାହାରର ବାସ୍ନାମୟ ବାସ୍ତବତା ପୁଣି ବି ପ୍ରବଣତାର ରଙ୍ଗରୁ ଜୀବନ୍ୟାସ ପାଇଥିବା ମହାର୍ଘ ସତ୍ତା । ‘ସ୍ୱପ୍ନିଳ’ ସମ୍ବୋଧନ ତୁମକୁ ପସନ୍ଦ ହେବ ?

ମୋର ଚଳପ୍ରଚଳ ଦୁନିଆଁ ପାଇଁ ମାଟି କରି ନିଜକୁ ବିଛେଇ ରଖିଥିବା ବ୍ୟକ୍ତିସତ୍ତା ତୁମେ , ମୋ ଉଡିବାର ଆଗ୍ରହରେ ବ୍ୟାପ୍ତିର ଆକର୍ଷଣ ଦେଉଥିବା କେଇ ଫର୍ଦ୍ଦ ଆକାଶ ତୁମେ । ‘ଆକାଶ ‘ ଚଳିବ ?

ତୁମ ନାଁଟି ପୃଥ୍ୱୀରାଜ , ନେପୋଲିଅନ୍ କି ଆଲୋକଜାଣ୍ଡାର ଭଳି ପରାକ୍ରମୀ ହେବା ଲୋଡ଼ା ଯାହାକୁ ଘୋଡ଼ା ପିଠିରେ ସଜେଇ ରଖିହେବ । ଛାଡ଼ ! ତୁମେ କେବଳ ତୁମ ଭଳି ରୁହ , କୌଣସି ଶବ୍ଦର ଆଟୋପରେ ବାନ୍ଧି ହେଲା ଭଳି ସାଧାରଣ ଜୀବନଟେ ତୁମେ ନୁହଁ ।
ତୁମ ପାଇଁ ଇଚ୍ଛାମାନଙ୍କୁ ଧାଡି ବାନ୍ଧି ଠିଆ କଲାବେଳେ ସିନ୍ଦୂରାଟେ ରାତିର ଅନ୍ଧାରରେ ଫିଟିଯିବାର ଦେଖିଚି ତ ଲାଜ ଲାଜ ହୋଇଛି ।

ସ୍ମିତଟେ ହୋଇ ତୁମ ମୁହଁରେ ଝଟକୁ ଥିବାର ଇଚ୍ଛା , ଜୀବନ ଖୋଜୁ ଖୋଜୁ ତୁମ ସହ ହଜାର ଥର ମରିବାକୁ ଇଚ୍ଛା , ମୃତ ପ୍ରଜାପତିଙ୍କ ଡେଣାରେ ଜୀବନ ଭରିବାର ଇଚ୍ଛା , ହାତରେ ହାତ ରଖି ସମୁଦ୍ରର ଉତ୍ତାଳ ଢେଉ ଭାଙ୍ଗିବାର ଇଚ୍ଛା , ମୋଟ ଉପରେ ତୁମ ସହ ହଠାତ ନିଖୋଜ ହୋଇଯିବାର ଇଚ୍ଛା ମୋତେ ଅସ୍ଥିର କରିଛି କେବେ ତ କେବେ କେବେ ମୋହଗ୍ରସ୍ତ । ଏହି ଇଚ୍ଛା ସବୁ ଆନ୍ଦୋଳିତ କରେ, ଆକର୍ଷିତ କରେ କାରଣ ଏହି ସବୁ ଆମ ପାଇଁ ଆଦୌ ନୁହେଁ । ଯେବେ ବି ଥକିଛି ଯତ୍ନ ହୋଇ ଦିଶିଛି ଦୁଇ ନିର୍ଲିପ୍ତ ଉଜ୍ଜ୍ଵଳ ଆଖି ମୋ ଚେତନାରେ ତ ମୁଁ ଝାଡ଼ିଝୁଡ଼ି ପାଦ ସଳଖ କରିଛି । କୁହନ୍ତି ବୋଲି ସିନା କହିଯାଏ , ଲେଖନ୍ତି ବୋଲି ସିନା ଲେଖିଦିଏ , ଆଙ୍କନ୍ତି ବୋଲି ସିନା ଗାରେଇ ଦିଏ କିନ୍ତୁ କେତେ ଢାଳି ହୋଇଥାଏ କୁହ ? ମୁଁ ତ ନଥାଏ କେଉଁଠି ତହିଁରେ ।

ନିଜକୁ ଅଯତ୍ନରେ ହଜିବାକୁ ଛାଡିଦେଇ ମୁଁ ତ ନିଜକୁ ଅହରହ ଖୋଜୁଥାଏ । ମୋର ଏହି ନିର୍ଦ୍ଦିଷ୍ଟ ଗୁଣଟି ହୁଏତ ତୁମର ସହ୍ୟ ନହୋଇପାରେ । ଆଜିଯାଏଁ କେହି ବି ଆପଣେଇ ନାହାଁନ୍ତି ମୋ ସହ ମୋର ଏହି ଆହତକ୍ଷମ ମନକୁ । ସହି ବି କେଉଁ ହୁଏ ନିଜ ଲୋକଙ୍କ କରୁଣାଭର୍ତ୍ତି ଆଖିରେ ମୋ ପାଇଁ ଅସହାୟତା ପହଁରୁଥିଲାବେଳେ ! ସେଥିପାଇଁ ତ ତୁମରି ଆବିର୍ଭାବ ମୋତେ ଅଧିକ ବୁଝିବାକୁ, ଅଧିକ ବରଦାସ୍ତ କରିବାକୁ ,ଅଧିକ ଭଲପାଇବାକୁ । ଯେମିତି ଲାଗୁଥିବ ମୁଁ ଉଠି ଆସୁଛି ପ୍ରେମରେ , ଜୀଇଁ ଯାଉଛି ଜୀବନକୁ ନୂଆ ନୂଆ ରୂପରେ – ସବୁ ସମୟରେ ।

ଏବେ କଚୁଛି ବର୍ଷା ବାହାରେ । ଅଦିନିଆଁ ବର୍ଷାର ତନ୍ମୟତା ସଂଚରି ଯାଉଛି ଧୀରେଧୀରେ ମୋ’ ଅଭ୍ୟନ୍ତରରେ । ତୁମକୁ ତୁମେରେ ସାଇତି ମୁଁ ଶୋଇଯିବାକୁ ଚାହେଁ ବର୍ତ୍ତମାନ ଏଇ ବାହାନାରେ । ଉଠିବା ଯାଏଁ ତୁମ ପାଇଁ ଢେର ସ୍ବପ୍ନ , ଢେର ମୂର୍ଚ୍ଛନା -ଜୀବନର ।
ତୁମର ‘ ମୁଁ ‘