Latest Odisha News

BREAKING NEWS

କବିତା : କେହି ଜଣେ ତୁମ ଭଳି

ଶ୍ୟାମା କିଙ୍କର ମହାନ୍ତି

ତୁମେ ନ ହେଲ ନାଇଁ
ତୁମ ଭଳି କେହିଜଣେ
ଜନ୍ମ ନିଅନ୍ତା କି
ଠିକ ଏଇ ଅଷ୍ଟମୀ ତିଥିରେ !

କେହି ଜଣେ ବସୁଦେବଙ୍କ ଟୋକେଇରେ
ସେ ଚାଲି ଆସନ୍ତା ଆମ ନଗରକୁ
ହସନ୍ତା ଖେଳନ୍ତା ବଢନ୍ତା ଶଶିକଳା ପରି
ଆମରି ସାଥିରେ !

ଟିକେ ବଡ ହେଲାପରେ
ସେ ଦଳନ କରନ୍ତା
ଏ ଯୁଗର କାଳୀୟମାନଙ୍କୁ
ତାକୁ ଦେଖି କ୍ଷମତାର ସୁଉଚ୍ଚ ମଞ୍ଚାରୁ
ଖସି ପଡନ୍ତେ ବହୁରୂପୀମାନେ
ଭକ୍ତିମୟ ପ୍ରେମମୟ ହୋଇଯାଆନ୍ତା
ମୋ ସାରା ନଗର
ତାଆରି ଲୀଳାରେ !

ଦୁଃଖ ଶୋକ ଭୋକ ପାଇଁ
ସ୍ଥାନ ହିଁ ନ ଥାନ୍ତା
ଏକମାତ୍ର ଅନ୍ନ କଣିକାଟି ଭୁଞ୍ଜି
କେହି କୁହନ୍ତା ପେଟ ପୁରିଗଲା ତ
ସାରା ନଗର ବାସୀଙ୍କ ପେଟ ବି
ଭରିଯାନ୍ତା ଖୁସିରେ !

ବାସହୀନ ମାନଙ୍କ ପାଇଁ
ସେ ଉଠାଇ ଧରନ୍ତା ଗିରି ଗୋବର୍ଦ୍ଧନ
ନିଜ ଆଙ୍ଗୁଳିରେ
ଦ୍ରୌପଦୀ ମାନେ ସୁରକ୍ଷିତା
କୋଟିବସ୍ତ୍ର ପାଇ
ତା ଠାରୁ ଅଭୟ ମୁଦ୍ରାରେ l

ତୁମେ ନ ହେଲେ ନାଇଁ
ତୁମ ଭଳି କେହିଜଣେ
ଜନ୍ମ ନିଅନ୍ତା କି
ଠିକ୍ ଏଇ ଅଷ୍ଟମୀ ତିଥିରେ
ଅର୍ଜୁନ ମାନଙ୍କ ସାରଥୀ ପାଲଟି
ଅନ୍ୟାୟ ଅତ୍ୟାଚାରର
ବିଲୟ ଘଟାଇ
ବଦଳାଇ ପାରନ୍ତା ଏଇ ଦୁନିଆକୁ
ଦିବ୍ୟ ଏକ ଶାଶ୍ୱତ ଧାମରେ !

ମାର୍କଣ୍ଡେଶ୍ଵର ସାହି , ପୁରୀ
୯୮୬୧୧୯୧୩୮୦

Leave A Reply

Your email address will not be published.