Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ରୋଲସ୍ ଫର୍ ରୟାଲସ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪ 

ଘଟଣାଟି ୧୯୨୦ ମସିହାର ।

ରାଜସ୍ଥାନର ଅଲୱାର୍ ବୋଲି ଗୋଟିଏ ଦେଶୀୟ ରାଜ୍ୟର ରାଜା ସେତେବେଳେ ଇଂଲଣ୍ଡ ଗସ୍ତରେ ଥାଆନ୍ତି। ସେ ଲଣ୍ଡନର ଏକ ମୂଖ୍ଯ ରାସ୍ତାରେ ପଦଚାରଣ କରୁଥାନ୍ତି।ତାଙ୍କ ସାଥିରେ ସେତେବେଳେ କୌଣସି ସହାୟକ ବା ଲାଟବହର ନଥାନ୍ତି।ରାଜା ଜୟ ସିଂ ଲଣ୍ଡନର ଆବହାୱାକୁ ବେଶ୍ ଉପଭୋଗ କରୁଥାନ୍ତି। ସେ ସମୟରେ ଭାରତର ଦେଶୀୟ ରାଜାମାନଙ୍କର ଇଂଲଣ୍ଡ ପରିଭ୍ରମଣ କରିବା ଏକ ବିଳାସ ତଥା ଆଭିଜାତ୍ୟର ପ୍ରତୀକ ଥିଲା।

ଜଣେ ରାଜା ତ ସବୁବେଳେ ଆଉ ପଗଡିମୁକୁଟ ଆଉ ନାନାଜାତିର ହାର ପିନ୍ଧି କମରରୁ ଲମ୍ବା ତଲବର ଝୁଲାଇ ଝଲମଲ ରାଜପୋଷାକରେ ରହିବା ସମ୍ଭବ ନୁହଁ। ରାଜାମାନେ ବେଳେବେଳେ ଯାହାକୁ ଆମର ପୋଷାକୀ ଭାଷାରେ କୁହାଯାଏ ଇନଫର୍ମାଲ୍ ସେମିତି ଇନଫର୍ମାଲ ପୋଷାକରେ ରହିଥାନ୍ତି। ସେଇଥିପାଇଁ ଆମର ରଜାମାନେ ବେଳେବେଳେ ବେଶପୋଷାକ ବଦଳାଇ ଅନ୍ଧାରି ବିଜେ କରିଥାନ୍ତି ।

ଅଲୱାରର ନରପତି ଜୟସିଂହ ସେଦିନର ଆଦ୍ୟ ଏପ୍ରିଲର ନିଷ୍ଠୁରତମ କାଳକୁ ଲଣ୍ଡନର ରାଜରାସ୍ତାରେ ଉପଭୋଗ କରୁଥିବା ସମୟରେ ତାଙ୍କର ଦେହରେ କୌଣସି ରାଜପୋଷାକ ନଥିଲା। ସେ ଇନଫର୍ମାଲ୍ ଥିଲେ। ରାସ୍ତାରେ ଗତାଗତ କରୁଥିବା ବ୍ରିଟିଶ୍ ତରୁଣୀଙ୍କ ରୂପରେ ସେ ଏକ ପ୍ରକାର ବିହ୍ବଳ ହୋଇ ରହିଥିଲେ। କେଉଁଠାରେ ଘଡିଏ ବସି ଏହି ଶ୍ୱେତାଙ୍ଗିନୀଙ୍କୁ ବେଶ୍ ଆରାମରେ ଦେଖାଯାଇ ପାରେ। ମାତ୍ର ଜଣେ ଦେଶୀୟ ରାଜା ଯେତେ ଇନଫର୍ମାଲ୍ ହେଉ ପଛକେ ସେ ତ ଆଉ ଫୁଟପାଥ କଡରେ ଉପଲବ୍ଧ ସିମେଣ୍ଟ ବେଞ୍ଚରେ ବେଶ୍ ଆରାମରେ ବସି ସିଗାରେଟ୍ ଟାଣି ପାରିବ ନାହିଁ।

କହିବାକୁ ଗଲେ ଏଇ ଶହେ ବର୍ଷ ଭିତରେ ଆମର ସିଗାରେଟ୍ ବିଚାରରେ ଅନେକ ପରିବର୍ତ୍ତନ ଘଟିଛି। ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ବିଂଶ ଶତାବ୍ଦୀର ଆଦ୍ୟ ଯାଏଁ ସିଗାରେଟ୍ ଟାଣିବାକୁ ସ୍ୱାସ୍ଥ୍ୟ ସମ୍ମତ ଓ ଆମର ସ୍ୱାସ୍ଥ୍ୟ ପାଇଁ ପରମହିତକାରୀ ବୋଲି ବିଚାର କରାଯାଉଥିଲା। ଏପରିକି ସିଗାରେଟ୍ ସେବନ କଲେ ଆଜମା ଭଳି ଶ୍ୱାସରୋଗ ସହଜରେ ଦୂର ହୋଇଯିବ ବୋଲି ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ମାନେ ବିଜ୍ଞାପନ ଦେଉଥିଲେ। ମାତ୍ର ସବୁକିଛି ପରିବର୍ତ୍ତନ ହୋଇଗଲା ୧୧ ଜାନୁଆରୀ ୧୯୬୪ ତାରିଖରେ। ତମାଖୁମୁକ୍ତିର ଇତିହାସରେ ଏଇଟି ଏକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିଥିବା ତାରିଖ। ଏହି ଦିନ ଜଣେ ଆମେରିକୀୟ ଡାକ୍ତର ଡଃ ଲୁଥର୍ ଟେରି ଆମେରିକାର ସ୍ୱାସ୍ଥ୍ୟ ଦପ୍ତରକୁ ସିଗାରେଟ୍ ସେବନର କୁଫଳ ତଥା ମଣିଷର ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ।

ତାହାପରଠାରୁ ସିଗାରେଟ୍ ସମ୍ପର୍କରେ ଚିକିତ୍ସାବିତ୍ ତଥା ସେବନକାରୀମାନଙ୍କର ଧାରଣା କ୍ରମଶଃ ବଦଳିବାକୁ ଲାଗିଲା।

ସେ ଯାହାହେଉ ଲଣ୍ଡନର ରାସ୍ତାରେ ସେଦିନ ସେଇ ରାଜପୋଷାକ ବିହୀନ ରାଜସ୍ଥାନର ଅଲୱାର୍ ର ରାଜା ଜୟ ସିଂହଙ୍କ ମନ ପ୍ରଫୁଲ୍ଲ ଥିଲା। କାରଣ ସେ ବିଶ୍ବସ୍ତ ସୂତ୍ରରୁ ସକାଳୁ ଖବର ପାଇଥାନ୍ତି ଯେ ତାଙ୍କୁ ଭାରତର ସମ୍ରାଟ୍ ପଞ୍ଚମ ଜର୍ଜ ସମ୍ମାନୀତ କରିବାକୁ ଯାଉଛନ୍ତି ଏକ ବିଶିଷ୍ଟ ଆଭୂଷଣରେ । ସେହି ବିଶିଷ୍ଟ ଆଭୂଷଣ ବଛା ବଛା ଅନୁଗତ ଦେଶୀୟ ରାଜାଙ୍କୁ ପ୍ରଦାନ ପରାଯାଇଥାଏ। ତାହାର ନାଆଁ ହେଉଛି ‘ନାଇଟ୍ କମାଣ୍ଡର୍ ଅଫ୍ ଇଣ୍ଡିଆନ୍ ଏମ୍ପାୟାର’ , ସଂକ୍ଷେପରେ କେସିଆଇଇ। ଏହି ଆନନ୍ଦକୁ କେମିତି ନିଆରା ଢଙ୍ଗରେ ପାଳନ କରାଯାଇପାରିବ ସେଥିପାଇଁ ତାଙ୍କର ମୁଣ୍ଡରେ ଢେର୍ ପରିକଳ୍ପନା ଖେଳି ବୁଲୁଥିଲା ସେତେବେଳେ।

ସେତେବେଳେ ରାଜା ଜୟ ସିଂହଙ୍କ ଦୃଷ୍ଟିରେ ପଡେ ଗୋଟିଏ ସୋ ରୁମ୍। ସୋ ରୁମଟି ବିଖ୍ୟାତ ରୋଲସ୍ ରୟେସ୍ ଗାଡିର ସୋ ରୁମ୍।

ରାଜା ଜୟ ସିଂହ ସେହି ରୋଲସ୍ ରୟେସ୍ ଗାଡିର ସୋ ରୁମ୍ ଭିତରକୁ ପଶିଗଲେ ପାଟିରେ ସୁସୁରି ବଜାଇ ବଜାଇ। ଅବଶ୍ୟ ପାଟିରେ ସୁସୁରି ବଜାଇବାରେ ସେ ଏତେ ଦକ୍ଷ ନୁହଁନ୍ତି। କିନ୍ତୁ କୌଣସି ରାଜାକୁ ସେ ଅମୁକ ବିଷୟରେ ଦକ୍ଷ ନୁହଁ ବୋଲି କିଏ କେବେ କହିଛି ନା କହିପାରିବ ?

ଆପଣମାନେ ଜାଣନ୍ତି ଆମର ଦେଶୀୟ ରାଜାମାନଙ୍କର ରୋଲସ୍ ରୟେସ୍ ଗାଡି ପ୍ରତି ଅତ୍ୟଧିକ ଦୁର୍ବଳତା ରହିଥିଲା।ସେମାନେ ଏହି ବିଶେଷ ଯାନଟିକୁ କିଣିବା ପାଇଁ ନିଜନିଜ ଭିତରେ ପ୍ରତିଦ୍ୱନ୍ଦିତା କରୁଥିଲେ।

ସେମିତି ସେତେ ବେଶି ସମୟ ରାଜା ଜୟ ସିଂହ ଲଣ୍ଡନର ସେହି ସୋ ରୁମ୍ ରେ ରହିନଥିଲେ।ଫେରି ଆସିଲା ବେଳକୁ ରାଜାଙ୍କ ମୁହଁ ବେଶ୍ ଥମଥମ।ରକ୍ଷା ଏଇଟା ଲଣ୍ଡନ,ତାଙ୍କର ରାଜ୍ଯ ଅଲୱାର୍ ନୁହଁ।ସେଇଥିପାଇଁ ଏଠିକାର ଜଣେ ସାମାନ୍ୟ ସେଲସମ୍ୟାନ୍ ମଣିମାଙ୍କୁ ମୁହଁ ଉପରେ ସିଧାସଳଖ କରିଦେଇ ପାରିଛି, ରୋଲସ୍ ରୟେସ୍ ଭଳି ଗାଡି କିଣିବା କୌଣସି ଭାରତୀୟଙ୍କ ରାସ୍ତାକଡର ପେଡିଭିତରର ସାପ ନୁହଁ ଯେ ତମେ ଯେତେବେଳେ ଚାହିଁବ ସହଜରେ ସେତେବେଳେ ହିଁ ତାହାକୁ ବାହାରକରି ଆଣିପାରିବ। ଆସିବା ପରେ ବି ଆପଣଙ୍କୁ ଏଠିକାର ପ୍ରସ୍ଥାନ ରାସ୍ତାଟି ସମ୍ଭବତଃ ଭଲଭାବରେ ମନେଥିବ।

ରାଜା ଜୟ ସିଂହ ସେତିକିବେଳେ ଅନୁଭବ କରିଥିଲେ ଜଣେ ରାଜା ଯଦି ଇନଫର୍ମାଲ୍ ହୋଇ ରହିବ ତେବେ ତାହାର କଷ୍ଟ କେତେ !

ସେ ନିଜର ହୋଟେଲରେ ପହଞ୍ଚିଲେ । ବେଶ୍ କିଛି ସମୟ ଧରି ସେ ନିଜର ରାଜପୋଷାକକୁ ପରିଧାନ କଲେ। ତାହାପରେ ନିଜର ଅଧସ୍ଥନଙ୍କୁ ତୁରନ୍ତ ଛଅଟି ରୋଲସ୍ ରୟେସ୍ ଗାଡିର ମୂଲ୍ଯ ସହିତ ତାହାର ପରିବହନ ଖର୍ଚ୍ଚକୁ ଯୋଡିଲେ ଯାହାହେବ ସେତିକି ପରିମାଣର ଅର୍ଥ ସେହି ସୋ ରୁମରେ ନଗଦ ଆକାରରେ ପ୍ରଦାନକରିବାକୁ ନିର୍ଦ୍ଦେଶ ଦେଲେ।

ରାଜାଙ୍କର ନିର୍ଦ୍ଦେଶ ଯଥାବିଧି ପାଳିତ ହେଲା। ରାଜା ଜୟ ସିଂହ ଫେରିଆସିବାର ଅଳ୍ପ କେତେଦିନ ପରେ ସେହି ଛଅଟି ରୋଲସ୍ ରୟେସ୍ ଆସି ପହଞ୍ଚିଗଲା ଅଲୱାରରେ। ଏଇଠି ରାଜାମାନଙ୍କର ଝାଡୁପ୍ରୀତିର ମନସ୍ତାତ୍ତ୍ବିକ କାରଣ ଖୋଜାଯାଇପାରେ ।

ଯଦି ଜଣେ ରାଜା କ୍ଷୁର୍ଣ୍ଣ ହୁଏ, ତେବେ ସେ ନିଜେ ଯାହାକୁ ତାହାର ମନକ୍ଷୁର୍ଣ୍ଣର କାରଣ ବୋଲି ଆଗରୁ ଭାବିଥାଏ ତାହାକୁ ଝାଡୁ ରୂପକ ଦଣ୍ଡ ବିଧାନ କରିଥାଏ। ଆମେ ଏକ ପରମା ସୁନ୍ଦରୀ ବନ୍ଦୀ ରାଜକନ୍ୟାକୁ ଏକ ଝାଡୁଦାର୍ ସହ ବିବାହ ସ୍ବରୂପ ଦଣ୍ଡ ବିଧାନର କଥା ସହିତ ଏଠାରେ ବେଶ୍ ପରିଚିତ। ସେହିଭଳି ରାଜା ଜୟ ସିଂହ ସେହି ଛଅଟି ରୋଲସ୍ ରୟେସ୍ ଗାଡି ଉପରେ ଦଣ୍ଡ ବିଧାନ କରିଥିଲେ ପୂର୍ଣ୍ଣ ରାଜପୋଷାକ ପରିଧାନ କରିଥିବା ସମୟରେ। ସେ ସେଠିକାର ମ୍ୟୁନିସିପାଲିଟିକୁ ସେଇ ଛଅଟି ଗାଡ଼ିକୁ ରାସ୍ତା ସଫା କାମରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହାପରେ ସେହି ରୋଲସ୍ ରୟେସ୍ ଗାଡିର ସାମ୍ନାରେ ଦୁଇଟି ଲେଖାଏଁ ଝାଡୁ ବାନ୍ଧି ତାହାକୁ ରାସ୍ତାର ସଫା କାମରେ ଲଗାଗଲା।

ରାସ୍ତା ସଫା କାମରେ ଏହିପରି ରୋଲସ୍ ରୟେସ୍ ନିୟୋଜିତ ହେବାର ଘଟଣାର ପ୍ରଭାବ ବେଶ୍ ସୁଦୂରପ୍ରସାରୀ ଥିଲା। ବର୍ବର, ଅଶିକ୍ଷିତ ଲୋକ ଯେଉଁଠି ମାଳମାଳ ସେହି ଅନାର୍ଯ୍ୟ ଭାରତରେ ଏକ ଛୋଟିଆ ରାଜ୍ୟରେ ରୋଡସ୍ ରୟେସ୍ ଭଳି ଗାଡି ରାସ୍ତାକୁ ସଫାକରିବା ଭଳି କାମରେ ଲାଗୁଛି ଏହି ଖବରଟି ଇଂଲଣ୍ଡ ତଥା ଇଂଲଣ୍ଡ ବାହାରର ଅଭିଜାତ ବର୍ଗକୁ ସେତେ ରୁଚିକର ନଥିଲା।ତେଣୁ ରୋଲସ୍ ରୟେସର ବିକ୍ରୀ କମିବାକୁ ଲାଗିଲା।

କିଏ କାହିଁକି ପ୍ରତିବେଶୀର ଈର୍ଷା ସହିତ ଶୁଣିବାକୁ ଚାହିଁବ, ଓହୋ ଏଇ ଗାଡି ଯାହା ଭାରତ ଭଳି ଦେଶରେ ରାସ୍ତା ସଫା କରେ ?

ରୋଲସ୍ ରୟେସର କର୍ତ୍ତୃପକ୍ଷ ଘଟଣାର ତର୍ଜମା କଲେ। କାରଣର ବିଧିବଦ୍ଧ ଅନୁସନ୍ଧାନ କରିଥିଲେ ଏବଂ ଶେଷରେ ନିଜର ଦୋଷ ସ୍ବୀକାର କରି ଅତ୍ଯନ୍ତ ଅନୁନୟ ବିନୟ ହୋଇ କ୍ଷମାପ୍ରାର୍ଥନା କରିଥିଲେ ।

ସମ୍ପୃକ୍ତ ଶ୍ୱେତାଙ୍ଗ ସେଲସମ୍ୟାନ ଜଣକ ଅଲୱାର୍ ଭଳି ଗୋଟିଏ ଦେଶୀୟ ରାଜ୍ୟରେ ପୂର୍ଣ୍ଣ ରାକପୋଷାକ ପରିହିତ ରାଜା ଜୟ ସିଂହଙ୍କ ସମେତ ସମସ୍ତଙ୍କ ସାମ୍ନାରେ କାନଧରି ବସଉଠ୍ ହେବା କଥା ସେଦିନର ସେହି କ୍ଷମାପ୍ରାର୍ଥନା ପର୍ବର ଶେଷକଥା ନଥିଲା। ରୋଲସ୍ ରୟେସ୍ କର୍ତ୍ତୃପକ୍ଷ ବିନାମୂଲ୍ୟରେ ଆଉ ଛଅଟି ଗାଡି ରାଜାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ।

ତାହା ପରଦିନ ରୋଲସ୍ ରୟେସ୍ ଗାଡିରୁ ବନ୍ଧାଯାଇଥିବା ଝାଡୁମାନ ଖୋଲାଗଲା। ଧୋଇଧାଇ ସେଇ ଗାଡିମାନଙ୍କୁ ପୂରା ପରିଷ୍କାର କରିଦିଆଯାଇ ଥିଲା। ଜଣେ ଅତ୍ୟୁତ୍ସାହୀ ରାଜାନ୍ନଭୋଜୀ ବ୍ରାହ୍ମଣ ଏହି ଗାଡି ଗୁଡିକ ଉପରେ, ଗଙ୍ଗେଶ୍ଚ ଯମୁନେଚୈବ ନର୍ମଦା ସିନ୍ଧୁ କାବେରୀ ବୋଲି ଶ୍ଳୋକଚାରଣପୂର୍ବକ ଗଙ୍ଗାଜଳ ଛିଞ୍ଚିଥିଲା।

କୌଣସି ମ୍ୟୁନିସିପାଲିଟିର କର୍ମକର୍ତ୍ତାର ଏହାପରେ ଏହି ଗାଡିକୁ ସ୍ପର୍ଶ କରିବାକୁ ଆଉ ସାହସ ହୋଇନାହିଁ।

ଶୁଭ ମୁହୂର୍ତ୍ତରେ ପୂର୍ଣ୍ଣ ରାଜକୀୟ ମର୍ଯ୍ୟାଦାର ସହିତ ରାଜା ଜୟ ସିଂହ ରୋଡସ୍ ରୟେସ୍ ଗାଡି ଆରୋହଣ କରିଥିଲେ ଓ ଇଂଲଣ୍ଡରେ ରୋଲସ୍ ରୟେସ୍ କର୍ତ୍ତୃପକ୍ଷ ରୋଲସ୍ ରୟେସ୍ ଇଜ୍ ଫର ରୟାଲସ୍ ଅଥବା ରୋଲସ୍ ରୟେସ୍ କେବଳ ରାଜାମାନଙ୍କ ପାଇଁ ବୋଲି ଯେତେ ସମ୍ଭବ ପ୍ରଚାର କରାଯାଇ ପାରିବ ସେଇଭଳି ପ୍ରଚାର କରିବାରେ ଲାଗିଗଲେ।

 

Comments are closed, but trackbacks and pingbacks are open.