ଗଳ୍ପ : ରଙ୍ଗ ନମ୍ବର

ଓଁ ଅଭିଜ୍ଞାନ ସାହୁ

ଆଜି ଭାଲେଣ୍ଟାଇନ ଡେ । ସକାଳୁ ଚଇନି ଚିକଣ ହେଇ ଘରୁ ରାଜନ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । “ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲା ବେଳେ ନେଇକି ଆସିବ ।” ଗୋଟେ ଶୁଭ କାମରେ ମଣିଷ ବାହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା । ଯାହାକୁହ ଘରଣୀମାନଙ୍କ ଦୌଡ଼ ଘର ଦୁଆରମୁହଁକୁ । ଆଜି ଭଳି ଦିନରେ କେତେ ସରାଗରେ ମଣିଷ ଘରୁ ବାହାରୁଛି କହିଲେ କଣ ନା ବ୍ରେଡ଼ ନେଇକି ଆସିବ ।କାହାକୁ ନଶୁଭିଲା ପରି ଚିଡିମିଡ଼ି ହୋଇ ରାଜନ ବଡ଼ ବଡ଼ ପାହୁଣ୍ଡ ପକେଇ ଛକ ଆଡ଼କୁ ମୁହାଁଇଲା ।
ଆଗ ଛକ ପାଖରେ ଛିଡା ହେଇଛି ଏତିକି ବେଳେ ଏକ ଅଜଣା ନମ୍ବରରୁ କଲ ଆସିଲା । “ହ୍ୟାଲୋ ଆପଣ ଯାହାକୁ ଅପେକ୍ଷା କରିଛନ୍ତି ସେ ଆଜି ଆସିବନି । ସେ ବହୁତ ଖରାପ ଝିଅ। ତୁମେ ଫସିଯିବ । ତା’ ସହ ସମ୍ପର୍କ ରଖନି , ହୀନସ୍ଥା ହେବ ।”
— ହ୍ୟାଲୋ ତୁମେ କିଏ କହୁଛ ?
— ମୁଁ ତା’ ସାଂଗ । ଆପଣ ଭଲ ଲୋକ । କିଛି ଜାଣିନାହାନ୍ତି । ତେଣୁ ମୁଁ ଭାବିଲି ଆପଣଙ୍କୁ ସବୁ କଥା ଜଣେଇ ଦେବି ।
— ନା.. ନା..ସେ ବହୁତ ଭଲ । କେମିତି ମାନିବି ସେ ଖରାପ । ମୁଁ ତାଙ୍କୁ ବହୁତ ଭଲ ପାଏ ।ତାଙ୍କ ବିଷୟରେ ମୁଁ କାହିଁ ଯେ ଶୁଣିବି ଆଉ କାହା ଠାରୁ ?” ଶେଷ ଆଡ଼କୁ ରାଜନ ତା ଗଳାକୁ ଚଢା କଲା ନିଜର ବିଶ୍ୱସ୍ତତା ଦେଖେଇବା ପାଇଁ ।
— ଆଚ୍ଛା ଏମିତି କଥା ତାହା ହେଲେ ! ମୁଁ ବେବିନା ,ତୁମ ଘରଣୀ । ଅନେକ ଦିନ ହେଲାଣି ତୁମ ଚାଲି ଚଳଣି ଉପରେ ମୋର ଘୋର ସନ୍ଦେହ ଥିଲା । ସେଇଥିପାଇଁ ନୂଆ ସିମ ଆଣି ଭଏସ ଚେଞ୍ଜର ଆପ ଡାଉନଲୋଡ଼ କରିଥିଲି । କେତେ ଦିନ ହେଲାଣି ଏ ଯାତ୍ରା ଚାଲିଛି ? ହଉ ଘରକୁ ଆସ ଦେଖିବ ମୁଁ ବି ତୁମକୁ କେତେ ଭଲ ପାଉଛି ।
— ହ୍ୟାଲୋ ହ୍ୟାଲୋ ଟିକେ ଶୁଣ । ଆରେ ମୁଁ ମଜାରେ…. ହ୍ୟାଲୋ ହ୍ୟାଲୋ..
ସେପଟୁ ଫୋନ କଟିଗଲା ।
ଭାରି ଚିନ୍ତାରେ ଏବେ ରାଜନ ପଡିଲା । କରିବ କଣ ? ଭୁଲ ତ ହେଇଯାଇଛି । ଆଜି ଘରକୁ ଗଲେ କଣ ହେବ କେଜାଣି ! ଘରକୁ ନଯାଇ ମାର୍କେଟ ଉପରେ ବାୟା କୁକୁର ଭଳି ଏଣେତେଣେ ହେଲା ।
କିଛି ସମୟ ପରେ ପୁଣି ଥରେ ଆଉ ଏକ ନମ୍ବରରୁ କଲ ଆସିଲା ।
— ହ୍ୟାଲୋ କିଏ ରାଜନ ..
— ହାଁ ରାଜନ କହୁଛି ..।
— ତୁମେ କଣ ସତରେ ରୁବିନାକୁ ଭଲ ପାଉଛ ?
ରାଜନ ଭାବିଲା ବେବିନା ବୋଧେ ପୁଣି ଆଉ ଗୋଟିଏ ନମ୍ବରରୁ ସ୍ୱର ବଦଳେଇ ଭକୁଆ ବନଉଛି ।
— ରୁବିନା କିଏ ମୁଁ ଜାଣିନି ..।
— ସତରେ ଜାଣିନ ?
— ନା । ଆଉ ତୁମେ କିଏ ମୋତେ କାହିଁକି ଫୋନ କରୁଛ ? ଏ କି ଫାଜିଲାମୀ ?
— ତୁମେ ଅବିକା ସେଇ ଦାଣ୍ଡ ସାହି ଛକ ପାଖ ମୋଡ଼ରେ ଛିଡା ହେଇଛ ନା ? ଯଦି ରୁବିନାକୁ ଭଲ ପାଉନ ତେବେ ସେଠି କାହିଁକି ଅପେକ୍ଷା କରିଛ ତାକୁ ?
— ନା ବର୍ତ୍ତମାନ ମୁଁ ବ୍ରେଡ଼ କିଣୁଛି । ଆଉ ଶୁଣ । ମୁଁ ମୋ’ ସ୍ତ୍ରୀକୁ ଜୀବନରୁ ଅଧିକା ଭଲ ପାଏ । ମୋତେ ଏମିତି ଆଉ ଫୋନ କରି ବିରକ୍ତ କରନି ।
ସେପଟୁ କାନ୍ଦ କାନ୍ଦ ସ୍ୱରରେ କହିଲା ଏବେ ମୁଁ ଜାଣିଲି ତୁମେ ମୋତେ ଜମାରୁ ଭଲ ପାଉନ । ଖାଲି ଟାଇମ ପାସ କରୁଛ । ତୁମ ଭଳି ଧୋକାବାଜ ଲୋକ ମୁଁ ଆଜିଯାଏଁ ଦେଖିନି । ମୁଁ ରୁବିନା କହୁଥିଲି । ମୋର ତୁମ ପ୍ରେମ ପ୍ରତି ସନ୍ଦେହ ଥିଲା । ସେଥିପାଇଁ ଭଏସ ଚେଞ୍ଜର ଡାଉନଲୋଡ଼ କରି ତୁମକୁ ପରୀକ୍ଷା କରୁଥିଲି ।
ରାଜନର ଅକଲ ଗୁଡୁମ । ଦୁଇ ନାଆରେ ଗୋଡ଼ ଥୋଇଛି ସେ ।
— ହ୍ୟାଲୋ ହ୍ୟାଲୋ ରୁବିନା । ସତରେ ମୋତେ ବିଶ୍ୱାସ କର । ମୁଁ କେବଳ ତୁମକୁ ଭଲ ପାଏ ବେବି । କଥା କଣ କି କିଛି ସମୟ ଆଗରୁ ମୋର ସେଇ ମୋଟୀ ଗେଡି ଅସୁନ୍ଦରୀ ବୁଢ଼ୀ ସ୍ତ୍ରୀ ଫୋନ କରିଥିଲା । ଭାବିଲି ବୋଧେ ସେ ଆଉ ଥରେ ପୁଣି ଫୋନ କଲା । ବିଶ୍ୱାସ କର । ମା” ରାଣ ମୁଁ କେବଳ ତୁମକୁ ଭଲ ପାଏ । ଟ୍ରଷ୍ଟ ମି ।
— ଆଚ୍ଛା ତାହାହେଲେ କଥା ଏତେବାଟ ଯାଇ ପହଂଚିଲାଣି । ଶୁଣ ମୁଁ ରୁବିନା ନୁହେଁ ବେବିନା କହୁଛି ତୁମର ସେଇ ମୋଟୀ , ଗେଡି ଅସୁନ୍ଦରୀ ବୁଢ଼ୀ ସ୍ତ୍ରୀ । ପ୍ରଥମେ ଜମାରୁ ବିଶ୍ୱାସ ହେଲାନି । ଭାବିଲି ଏତେବର୍ଷ ଧରି ଲୋକଟା ସାଙ୍ଗରେ ରହିଲି , ଏମିତି ଟିକେ ଟିକେ କଥାରେ ଅବିଶ୍ୱାସ କରିବା ଭଲ ନୁହେଁ । ତେଣୁ ଆଉ ଥରେ ଫୋନ କଲି ସତ ଜାଣିବାକୁ । ହଉ ଏବେ ଘରକୁ ଆସିବ ନା ମୁଁ ନିଜେ ସେଇ ଛକ ପାଖରେ ଯାଇ ପହଞ୍ଚିବି ??

ନୀତିବାଣୀ: ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ । ତେଣୁ ଟିକେ ସତର୍କ ରହିଲେ ହାପି ଭଲେଣ୍ଟାଇନ ନଚେତ ଖୋଦ ଭଗବାନ ବି ପିଠିରେ ପଡିବେନି ।