ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜ୍ଞାନ ସହିତ ମୂଢ଼ପଣ
ମିଶିଲେ ମଣିଷର ମନ
ହୋଇପାରିବ ସ୍ବାଭାବିକ
କରିବ ଜୀବନ ସାର୍ଥକ
କରିଲେ ତଥ୍ୟ ବିଶ୍ଳେଷଣ
ପ୍ରାପତ ହୁଏ ଯେଉଁ ଜ୍ଞାନ
ତାହାକୁ ମାନିଲେ ସର୍ବଦା
ମଣିଷ ପାଏ ଅସୁବିଧା
ହେଲେ ହେଁ ମଧୁମେହ ରୋଗୀ
ମିଠା ଖାଇଲେ ଲୁଚି, ମାଗି
ମଣିଷ ହୁଏ ଆହ୍ଲାଦିତ
ହୁଏ ସେ ସ୍ବେଚ୍ଛାରେ ଚାଳିତ
ବୈପରୀତ୍ୟର ସମାହାର
ହେବାରୁ ମଣିଷ ସଂସାର
ହୋଇଥାଏ ଆନଂଦମୟ
ନ ରହେ ଲାଜ କିଂବା ଭୟ
ନୂତନ ଜ୍ଞାନ ଓ କୌଶଳ
ହେବାରୁ ଅଧିକ ସଫଳ
ସୂଚନା, ତଥ୍ୟ ଆଉ ଜ୍ଞାନ
ବିକିଲେ ହୁଏ ଧନାର୍ଜନ
କୃତ୍ରିମ ମେଧାର ବିକାଶ
ହେତୁ ବଦଳିପାରେ ବିଶ୍ବ
ପାରଂପରିକ କାର୍ଯଶୈଳୀ
ଶୀଘ୍ର ପଡ଼ିବ ଆପେ ଟଳି
ତେବେ ବି ଆଉ ବହୁ କାମ
କରିବା ନିମଂତେ ଅକ୍ଷମ
ହେବ ମନୁଷ୍ଯ-ଗଢ଼ା ଯଂତ୍ର
କେବେ ବି ହେବନି ସ୍ବତଂତ୍ର
ମଣିଷ ମେଧାକୁ ନିର୍ଭର
ନ କଲେ ଭବିଷ୍ଯତ ତା’ର
ହେବନି କେବେ ସୁନିଶ୍ଚିତ
ଏହା ବିଶୁଦ୍ଧ ମୂଳ ସତ୍ୟ
ନକଲି ବୁଦ୍ଧିଧାରୀ ହୋଇ
ଯଂତ୍ରଟେ ସ୍ନେହ, ଶ୍ରଦ୍ଧା ଦେଇ
ପାରିବା ହେବନି ସଂଭବ
ଏ ସତ୍ୟ କରୁଁ ଅନୁଭବ