Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଲୁଟ୍ ଅଥବା ଏକ ବିଶେଷ ସ୍ମାରକୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬ 

୧୮୫୭ ଖ୍ରୀଷ୍ଟାବ୍ଦ।ଭାରତରେ ସେତେବେଳେ ସିପାହୀ ବିଦ୍ରୋହର ସମୟ। ଏହି ବିଦ୍ରୋହକୁ ପରେ ଆମେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଲୁ। ଏଥିରେ ଭାରତୀୟ ସିପାହୀମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ କରିଥିଲେ।ଶକ୍ତିଶାଳୀ ବ୍ରିଟିଶ ବିରୁଦ୍ଧରେ ଭାରତୀୟମାନଙ୍କର ଏହି ବିଦ୍ରୋହକୁ ଅତି ସହଜରେ ଦମନ କରାଯାଇପାରିଥିଲା।
ଭାରତୀୟମାନଙ୍କ ର ଏହି ସଶସ୍ତ୍ର ସଂଗ୍ରାମରେ ବିଫଳତା ର ପଛରେ ଥିବା ପ୍ରମୁଖ କାରଣ ହେଉଛି ଭାରତୀୟ ମାନେ ଏହି ଲଢେଇରେ ଯେତେ ପରିମାଣରେ ଆବେଗପରବଶ ହୋଇ ଆଗଭର ହୋଇଥିଲେ ତାହାର ତୁଳନାରେ ସଂଗ୍ରାମରେ ଜିତିବା ପାଇଁ ତାଙ୍କ ନିକଟରେ ସେମିତି କିଛି ଉପଯୁକ୍ତ ରଣନୀତି ନଥିଲା।

ଭାରତୀୟ ସିପାହୀମାନେ ଏହି ବିଦ୍ରୋହରେ ବ୍ରିଟିଶ ଶାସନର ବିକଳ୍ପ ହିସାବରେ ବାହାଦୁର ଶାହ ଜାଫରଙ୍କ ମୁଗଲ ଶାସନର ନେତୃତ୍ୱକୁ ବାଛିବା ଯେମିତି ସ୍ରୋତର ପ୍ରତିକୂଳରେ ଯିବା ଭଳି ଘଟଣା ଥିଲା । କାରଣ ୧୭୬୪ ଖ୍ରୀଅର ବକସାର୍ ଯୁଦ୍ଧଠାରୁ ଆରମ୍ଭ କରି ୧୮୫୭ ଖ୍ରୀଅର ସିପାହୀ ବିଦ୍ରୋହ ଯାଏଁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରୁ ଭୂରାଜସ୍ୱ ଆଦାୟ କରିବାର ଅଧିକାର ହାସଲ କରିଥିବା କାରଣରୁ ଭାରତକୁ (ଭାରତ ର ଅଧିକାଂଶ ଅଞ୍ଚଳକୁ) ଏକପ୍ରକାରେ ଗୋଟିଏ ଶାସନର ଅଧୀନକୁ ଏବଂ ଭାରତର ଅର୍ଥବ୍ୟବସ୍ଥାକୁ ଗୋଟିଏ ବଜାରର ଅଧୀନକୁ ଆଣିବାକୁ ସକ୍ଷମ ହୋଇଥିଲା । ଆର୍ଥିକ ଆଉ ସାମାଜିକ ଦୃଷ୍ଟିରୁ ଏହାପରେ ପଛକୁ ଆଉ ପ୍ରାକ୍-ବକସାର୍ ଯୁଦ୍ଧର ଯୁଗକୁ ଯିବା ସମ୍ଭବପର ନଥିଲା ।

ସିପାହୀ ବିଦ୍ରୋହକୁ ବ୍ରିଟିଶମାନେ ସହଜରେ ଦମନ କରିଥିଲେ ସତ କିନ୍ତୁ ଏହି ଘଟଣାକୁ ସେମାନେ ସେତେ ସହଜର ସହ ନେଇ ନଥିଲେ । ଏହା ପରଠାରୁ ସେମାନେ ଭାରତୀୟଙ୍କ ଭିତରେ ଯେମିତି ରକ୍ଷଣଶୀଳତା ଅଧିକ ବୃଦ୍ଧିପାଏ ସେଥିପ୍ରତି ଦୃଷ୍ଟି ଦେଇଥିଲେ । ତାହାଫଳରେ ଆଉ ଭବିଷ୍ୟତରେ ଲର୍ଡ ଇଇଲିଅମ ବେଣ୍ଟିକଙ୍କ ଭଳି କୌଣସି ସମାଜ ସଂସ୍କାର କାର୍ଯ୍ୟକ୍ରମମାନ ଦେଖାଗଲା ନାହିଁ । ଏହା ସହିତ ବ୍ରିଟିଶ୍ ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଭାରତର ଶାସନ ନିଜ ହାତକୁ ନେଇ ଭାରତରେ ସାମ୍ପ୍ରଦାୟିକତାର ଆଧାର ନିର୍ମାଣ କରିବାକୁ ଲାଗିଲେ ।

ରକ୍ଷଣଶୀଳତା ଏବଂ ସାମ୍ପ୍ରଦାୟିକତା ଦ୍ୱାରା ହିଁ ଭାରତକୁ ଯଥାଯଥ ଭାବରେ ନିୟନ୍ତ୍ରିତ କରିବା ସହ ଦୀର୍ଘକାଳ ଧରି ଏହାକୁ ନିଜର ଶାସନାଧୀନରେ ରଖିହେବ ସେହି ଭଳି ଗୋଟିଏ ସହଜ ମୂଳସୂତ୍ର ବି ସେମାନେ ସିପାହୀ ବିଦ୍ରୋହରୁ ପାଇ ଯାଇଥିଲେ।

ସେ ଯାହାହେଉ ,ଏହି ୧୮୫୭ ର ଯୁଦ୍ଧରେ ବ୍ରିଟିଶମାନଙ୍କ ତରଫରୁ କ୍ୟାପଟେନ୍ ରବର୍ଟ ସିବିଅର୍ ନାମକ ୬୦ ବେଙ୍ଗଲ ନେଟିଭ୍ ଇନଫାଣ୍ଟ୍ରିର କ୍ୟାପଟେନ ପଦବୀର ଜଣେ ସାମରିକ ଅଫିସର ପ୍ରମୁଖ ଭୂମିକା ନେଇଥିଲେ। ତେଣୁ ବ୍ରିଟିଶମାନେ ତାଙ୍କୁ ବିଦ୍ରୋହ ଦମନ ପରେ ସମ୍ମାନଜନକ ସମ୍ମାନ “ଭିକ୍ଟୋରିଆ କ୍ରସ୍”ରେ ଭୂଷିତ କରିଥିଲେ।ତାହାପରେ ତାଙ୍କୁ ୧୫ ପଞ୍ଜାବ ଇନଫାଣ୍ଟ୍ରି ରେଜିମେଣ୍ଟକୁ ପଦୋନ୍ନତି ସହ ବଦଳି କରାଯାଇଥିଲା।

ସାଧାରଣତଃ ଯେଉଁ ବ୍ରିଟିଶ ଅଫିସରମାନେ ଏଠାରେ କର୍ମରତ ଥିଲେ ସେମାନଙ୍କୁ ତାଙ୍କର ଚାକିରୀ କାଳରେ କେବଳ ଥରେ ମାତ୍ର ସବେତନ ଛୁଟି ସହ ଇଂଲଣ୍ଡକୁ ଯିବାର ସୁଯୋଗ ମିଳୁଥିଲା ।

ସେଇଭଳି କ୍ୟାପଟେନ ରବର୍ଟ ସିବିଅର୍ ନୂତନ ପଦବୀରେ ଯୋଗ ଦେବା ପୂର୍ବରୁ କିଛିଦିନ ଛୁଟି ନେଇ ନିଜର ପରିଜନଙ୍କ ସହ ସାକ୍ଷାତ କରିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ଯିବା ବାଟରେ କିନ୍ତୁ ହଠାତ୍ ତାଙ୍କର ବିୟୋଗ ଘଟିଥିଲା।

କ୍ୟାପଟେନଙ୍କ ଘରଲୋକଙ୍କୁ ପରେ ଜାହାଜର ତାଙ୍କ କ୍ୟାବିନରେ ଥିବା ତାଙ୍କର ସମସ୍ତ ଜିନିଷପତ୍ରକୁ ହସ୍ତାନ୍ତର
କରାଯାଇଥିଲା। ତାଙ୍କର ଜିନିଷପତ୍ର ଭିତରେ ରହିଥିଲା ଗୋଟିଏ ଛୋଟ ମାର୍ବଲର କୁକୁର,ଯାହାକୁ ୧୮୫୭ ସିପାହୀ ବିଦ୍ରୋହର ଯୁଦ୍ଧଜୟର ଏକ ସ୍ମରଣ ଚିହ୍ନ ବା ମେମେଣ୍ଟୋ ହିସାବରେ ଭାରତର ବଡଲାଟ ଲର୍ଡ କ୍ୟାନିଂ କଲିକତାରେ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରିଥିଲେ।

କ୍ୟାପଟେନ୍ ସିବିଅର୍ ତାଙ୍କର ଡାଏରୀ ପୃଷ୍ଠାରେ ଏଇ ଉତ୍ସବର ବିସ୍ତୃତ ବିବରଣୀ ଲେଖିଯାଇଛନ୍ତି। ଏହି ଡାଏରୀ ଲେଖରେ ବି ସେ ସେହି ସମୟରେ ଲେଡି କ୍ୟାନିଂଙ୍କ ସମ୍ମାନାର୍ଥେ ନୂତନ ଭାବରେ ପ୍ରସ୍ତୁତ ହୋଇଥିବା ଏକ ଛେନାମିଠାର କଥା ଉଲ୍ଲେଖ କରିଛନ୍ତି। ସେହି ଛେନାମିଠାକୁ ଲୋକେ “ଲେଡିକିନି”ବୋଲି କହୁଥିଲେ, ଯାହା ଆମର ଏଠାରେ “ପାନ୍ତୁଆ” ନାଆଁରେ ବେଶ୍ ପରିଚିତ। ସେହି ସମୟରେ ଅର୍ଥାତ୍ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ କଲିକତାର ବାବୁବିଳାସର ବା “ଭଦ୍ରଲୋକ” ସଂସ୍କୃତିର ଅଂଶ ବିଶେଷ ହିସାବରେ ଅଭିଜାତ ବର୍ଗର ସନ୍ତୁଷ୍ଟି ବିଧାନ ନିମନ୍ତେ କଲିକତାର ମିଷ୍ଟାନ୍ନ ପ୍ରସ୍ତୁତକାରୀମାନେ ନୂଆ ନୂଆ ମିଠା ପ୍ରସ୍ତୁତ କରିବାରେ ଆଗ୍ରହ ପ୍ରକାଶ କରୁଥିଲେ। ରକ୍ଷିତା, ବାଗାନବାଡି, ବାଇଜୀଗାନ ନିଶା, ଥିଏଟର ଭଳି ନୂତନ କିସମର ମିଠା ବି ବାବୁବିଳାସର ଅଂଶବିଶେଷ ଥିଲା।

ସେ ଯାହା ହେଉ ୧୮୫୭ର ଯୁଦ୍ଧଜର ସ୍ମାରକୀ ଏହି ମାର୍ବଲ କୁକୁର ସହିତ କ୍ୟାପଟେନ୍ ସିବିଅରଙ୍କ ସେହି କେବିନରେ ଗୋଟିଏ ଛୋଟ ନୋଟ୍ ବି ଥିଲା । କ୍ୟାପଟେନ୍ଙ୍କ ହାତ ଲେଖା ସେଇଟି। ସେଥିରେ ଲେଖାଥିଲା, ମୋର ପ୍ରାଣଠୁ ଅଧିକ ଲିଣ୍ଡାକୁ। ଲିଣ୍ଡା ହେଉଛି କ୍ୟାପଟେନ ସିବିଅରଙ୍କ ଝିଅ। କ୍ୟାପଟେନଙ୍କ ଦେହାନ୍ତ ବେଳକୁ ତାହାକୁ ହୋଇଥିଲା ମାତ୍ର ଚାରିବର୍ଷ। ଆଉ ସେତେବେଳକୁ ସେ କଥା କହିବାକୁ ଅକ୍ଷମ ଥିଲା। ସୁଖର କଥା ପରେ ଲିଣ୍ଡା କଥା କହିବାକୁ ସକ୍ଷମ ହୋଇଛି। ଯୀଶୁ ସଙ୍ଗୀତ ବା କାରୋଲ ସେ ଖୁବ୍ ସୁନ୍ଦର ଗଳାରେ ଗାଏ।

କ୍ୟାପଟେନ ରବର୍ଟ ସିବିଅରଙ୍କ ଏହି ବିଶେଷ ଯୁଦ୍ଧ ସ୍ମାରକୀଟି ଇଂଲଣ୍ଡର ଏକ ମ୍ୟୁଜିଅମରେ ସଂରକ୍ଷିତ ଅଛି। ଏଇ ସ୍ମାରକୀ ମାର୍ବଲ କୁକୁରକୁ ସେଇଠି ଗୋଟିଏ ନାଆଁରେ ଚିହ୍ନିତ କରାଯାଇଛି। ସେହି ନାଆଁଟି ହେଉଛି ,”ଲୁଟ୍’।

ସିପାହୀ ବିଦ୍ରୋହର ଯୁଦ୍ଧଜୟର ସେହି ସ୍ମାରକୀ ଅର୍ଥାତ୍ ସେହି ମାର୍ବଲ କୁକୁରକୁ ” ଲୁଟ୍ ” ବୋଲି ଏମିତି ଗୋଟିଏ ବିଚିତ୍ର ନାମକରଣ କରିଥିଲେ ଲର୍ଡ କ୍ୟାନିଂ, ସ୍ୱୟଂ ଭାରତର ପ୍ରଥମ ବଡଲାଟ।

ଏଠିକାର ସବୁ ଲୁଣ୍ଠନ ବା ଲୁଟ୍ ଶ୍ୱାନସମ ତାଙ୍କର ବିଜୟ ଆକାରରେ ଏକାନ୍ତ ଅନୁଗତ ହୋଇ ରହୁ, ହୁଏତ ସେହି ସମ୍ଭାବନାରେ ଏମିତି ଏକ ନାଆଁ !

Comments are closed, but trackbacks and pingbacks are open.