ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବଡ଼ ନେତାଂକ ଶୁଭଦୃଷ୍ଟି
ପଡ଼ିବ ଭାବି ପାଦ ଚାଟି
ପାରଂତି କୁନି କୁନି ନେତା
ଏହା ଏ ଦେଶର ଅବସ୍ଥା
ବଡ଼ ନେତାଂକ ଠାର ବୁଝି
ଯେ କାମ କରିବାକୁ ରାଜି
ହୁଏ, ସେ ବ୍ୟକ୍ତିତ୍ୱ ବର୍ଜନ
କରି ଚଳାଏ ପ୍ରଶାସନ
କରେ ସେ ନଥିରେ ସ୍ବାକ୍ଷର
ଯେଉଁଠି ଯେତେ ଦରକାର
ପ୍ରଶାସକ ଦିଅଂତି କହି
ଏପରି ଶାସନ ଚଳଇ
ଯାହା ବି ହେଉ ଜନମତ
ସମ୍ମତ ଅବା ଅସମ୍ମତ
କିଛି ବି ଯାଏଆସେନାହିଁ
ସମୟ ରହେ ସ୍ଥିର ହୋଇ
ଏପରି ନିଷ୍ଫଳା ସ୍ଥାୟିତ୍ବ
ଯୋଗୁଁ ହୁଏନି ଦେଶ ହିତ
ତେବେ ବି ନାଗରିକଗଣ
ଅସଂପୃକ୍ତ ଓ ଉଦାସୀନ
ଖାଦ୍ୟ, ଔଷଧ, ବାସଗୃହ
ମାଗଣା ମିଳିଲେ ନିସ୍ପୃହ
ହୋଇଥାଆଂତି ଦେଶବାସୀ
ଅତ୍ୟଳ୍ପ ପାଇ, ବେଶି ଖୁସି
ଘୋଷଣା ଆଉ ପ୍ରତିଶ୍ରୁତି
ଦ୍ବାରା ଆଚ୍ଛନ୍ନ ହେଲେ ମତି
ଯେ କେହି ବିଶ୍ବାସୀ ମଣିଷ
କରେ ନିଜର ସତ୍ତା ନାଶ
ନ ହେବା ଯାଏଁ ଗୋଷ୍ଠିଭୁକ୍ତ
କେହି ନ ହେଲେ ଉପକୃତ
ଦଳ ସହିତ ଲଢ଼ି ଦଳ
ହୁଅଂତି ସଭିଏଁ ଦୁର୍ବଳ
ଭ୍ରଷ୍ଟ ବ୍ୟକ୍ତିର ରାଷ୍ଟ୍ରଚିଂତା
ସଂଭାଳି ପାରେନି କ୍ଷମତା
ବ୍ୟକ୍ତି କ୍ରମଶଃ ହୁଏ ସାନ
ଦେଶର ଜ୍ୟୋତି ହୁଏ ମ୍ଳାନ