ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ସଂଖ୍ୟାରେ ଚଳେ ରାଜନୀତି
ଶିକ୍ଷାରେ ଚଳଇ ସଂସ୍କୃତି
ସଭିଏଁ ନୁହଂତି ସମାନ
ଜଣେ ହିଁ କରେ ସମାଧାନ
ତ୍ରୁଟ୍ୟାଦି କରିଲେ ଉପେକ୍ଷା
ଭାଷାକୁ ମିଳେନି ସୁରକ୍ଷା
ପରାନ୍ନଭୋଜୀ ହେଲେ ଲୋକ
ଦିଶେନି ଶୁଦ୍ଧ ଜ୍ଞାନାଲୋକ
ତ୍ରୁଟିମୁକ୍ତ ନ କଲେ ଭାଷା
ବଢ଼ି ଚାଲିଥାଏ ଦୁର୍ଦଶା
କମିଯାଏ ଆଶା, ଭରସା
ସର୍ବେ ହୁଅଂତି ଲୋକହସା
ଗଛକୁ ଦେଲେ ସୁଦ୍ଧା କାଟି
ଚେରରୁ ଡାଳ ପତ୍ର ଉଠି
ଗଛକୁ ଫେରାଂତି ଜୀବନ
ଏ ସତ୍ୟ ନୁହେ ଅନୁମାନ
ଭାଷୀଏ ଦେଲେ ଟିକେ ଲୟ
ସଂଭବ ପୁନରଭ୍ୟୁଦୟ
ହଜିଯିବନି ପରିଚୟ
ସ୍ବଭାଷା ଅଟେ ମହାକାୟ
କାହାକୁ କିଏ କହେ କ’ଣ
ଅଯଥା ଦେବା ଯଦି ଧ୍ୟାନ
ପରଚର୍ଚା ହିଁ ପ୍ରତି ଦିନ
ବିଷାକ୍ତ କରୁଥିବ ମନ
ମନକୁ କଲେ ପରିଚ୍ଛନ୍ନ
ହୁଏ ତା ଆନଠାରୁ ଭିନ୍ନ
ପଡ଼େନି ବାହାର ପ୍ରଭାବ
ଏହାକୁ କରୁଁ ଅନୁଭବ
ସହମତି କାମରେ ଲାଗୁ
ଚେତନା ପୁଣି ଏବେ ଜାଗୁ
ବର୍ଜନ ସହ ଆହରଣ
କରିଲେ, ନବଜାଗରଣ
ଘଟିବ ଏଠି ପୁନର୍ବାର
ସଂତୋଷ କରୁଁ ପରିହାର
ପଡ଼ିରହିଛି ଯେତେ କାମ
ସାରିଲେ ମିଳିବ ବିଶ୍ରାମ
ପରସ୍ପରକୁ ଦେଲେ ବାଧା
ଘଟୁଛି ଯେଉଁ ଅସୁବିଧା
ସେ ସବୁ ପାରିବା ହଟାଇ
ସହିଷ୍ଣୁ ମନୋଭାବ ନେଇ