Latest Odisha News

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୬ 

ଲେଖାରେ ତ୍ରୁଟି ଓ ବିଚ୍ୟୁତି
କରେ ଭାଷାର ଖୁବ୍‌ କ୍ଷତି
ଲେଖାଳି ପାଇପାରେ ଖ୍ଯାତି
ବୁଝେନି ପାଠକର ମତି

ଲେଖକ ହେଲେ ପ୍ରତିଷ୍ଠିତ
ଯଦି ହୁଏନି ଭାଷା ହିତ
ସାହିତ୍ୟ ହୁଏ ମୂଲ୍ୟହୀନ
ପାଠକେ ଦିଅଂତିନି ଧ୍ୟାନ

ଏପରି ରଚନା ସଂଭାର
ଗ୍ରଂଥାଗାରରେ ଭରପୂର
ପଡ଼ିନି ପାଠକର ଆଖି
ସତରେ ସାହିତ୍ୟ ହେଲା କି?

ପ୍ରଶ୍ନ ଉଠିଲେ ନିରୁତ୍ତର
ରହିବା ଅଭ୍ୟାସ କବିର
ରହିଛି ଯେତେ ଦିନ ଯାଏଁ
ଭାଷା ତ ଆଦୃତ ନ ହୁଏ

କବି ସହିତ ରହି କବି
ପାରେ ବହୁତ କଥା ଭାବି
ପାରସ୍ପରିକ ଟେକାଟେକି
ପ୍ରତିଭା ଉନ୍ନତ କରେ କି?

ବିବାଦରତ ବିଦ୍ୟାଧର
ମତ ଖଂଡନ କାରବାର
କରଇ ଯଦି ପ୍ରତିଦିନ
ଘଟେନି ଭାଷାର ଉତ୍‌ଥାନ

ଅଥଚ ଯେତେ ନିରକ୍ଷର
କରି ସ୍ବଭାଷା ବ୍ୟବହାର
କରଂତି ସମୃଦ୍ଧି ସଂପନ୍ନ
ତାହାଂକୁ ନ ମଣିବା ନ୍ୟୂନ

Comments are closed, but trackbacks and pingbacks are open.