Latest Odisha News

ସ୍ୱଳ୍ପ ଗଳ୍ପ : ସେ ଜଣେ ଶିକ୍ଷକ ଥିଲେ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫

ସେ ଜଣେ ଶିକ୍ଷକ ଥିଲେ । ମାତ୍ର ତାଙ୍କର ସମକାଳର କି ଏବେକାର କୌଣସି ଶିକ୍ଷକ କେବେହେଲେ ଶ୍ରଦ୍ଧାର ସହିତ ସେ ଜଣେ ଶିକ୍ଷକ ଥିଲେ ବୋଲି କେବେ କହିବ ନାହିଁ ଏବଂ ଯେଉଁମାନେ ଏ ପ୍ରସଙ୍ଗଟି ଜାଣନ୍ତି ସେମାନେ ବି ସେ ଜଣେ ଶିକ୍ଷକ ଥିଲେ ବୋଲି ତଥ୍ୟକୁ ଯଥା ସମ୍ଭବ ଗୋପନ କରିବାକୁ ଚାହିଁବେ ।

ବିଂଶ ଶତାବ୍ଦୀର ଆଦ୍ୟ ଭାଗର କଥା । ସେ ଜଣେ ଶିକ୍ଷକ ଥିଲେ । କାହାଣୀର ଆବଶ୍ୟକତା ଦୃଷ୍ଟିରୁ ତାଙ୍କର ପରିଚୟ ଏବେ ସାମୟିକ ଭାବରେ ଗୋପନ ରହୁ ।

ଶିକ୍ଷକମାନେ ଯଦି ସୌମ୍ୟଦର୍ଶନ ଏବଂ ବାକପଟୁ ହୋଇଥାନ୍ତି ତାହାହେଲେ ଛାତ୍ର ମହଲରେ ସେମାନଙ୍କର ଶିକ୍ଷକ ହିସାବରେ ବିଶେଷତଃ ଏକ ନାୟକ ସୁଲଭ ପ୍ରସିଦ୍ଧି ରହିଥାଏ । ଶ୍ରେଣୀ ଗୃହର ସବାପଛ ବେଞ୍ଚରେ ବସିଥିବା ଛାତ୍ରର ଜୀବନର ପ୍ରଥମ ନାୟକ ସାଜିଥାନ୍ତି ଏହି ଭଳି ସୌମ୍ୟରୂପ ଶିକ୍ଷକ । ତାଙ୍କର ସୁନ୍ଦରପଣ ଆଉ ବାକପଟୁତାରେ ବିଭୋର ହୋଇ ଛାତ୍ର ଜଣକ ମନକୁ ମନ ଭାବେ, ମୁଁ ଜୀବନରେ ଏଇଭଳି ହୁଅନ୍ତି କି ! ପୃଥିବୀଯାକର କଥା ଏଇଭଳି ମୋର ଏଇ ଛୋଟ ମଥାରେ ଗଚ୍ଛିତ ହୋଇ ରହନ୍ତା ହେଲେ !

ସେ ଛଅଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଜଣେ ସୌମ୍ୟଦର୍ଶନ ଶିକ୍ଷକ ଥିଲେ ମାତ୍ର ସେ ନିଜର ଛାତ୍ର ଛାତ୍ରୀ ମହଲରେ ଆଦୌ ଜନପ୍ରିୟ ନଥିଲେ । ତାଙ୍କର ପଛରେ ପିଲାଏ ତାଙ୍କୁ ସ୍ଥାନୀୟ ଭାଷାରେ ଅର୍ଥାତ୍ ଇତାଲୀୟ ଭାଷାରେ “ଇଲ୍ ଟିରାନୋ” ବୋଲି ଉପନାମରେ ଡାକୁଥିଲେ । “ଇଲ୍ ଟିରାନୋ” ର ଅର୍ଥ ହେଉଛି ଦୁର୍ଦ୍ଦାନ୍ତ ଏକଛତ୍ରାଧିପତି । ଆମେ ସାଧାରଣତଃ ଆମର ଗମ୍ଭୀର ପ୍ରକୃତି ବିଶିଷ୍ଟ ଶିକ୍ଷକମାନଙ୍କୁ ଆଢୁଆଳରେ ଏଇମିତି ଶ୍ରଦ୍ଧା ନାମ ପ୍ରଦାନ କରି ଆମର ଅସହାୟତାରୁ ସାମୟିକ ଉଦ୍ଧାର ପାଇଥାଉ । ସେ କିନ୍ତୁ ସେହି ଭଳି ଗମ୍ଭୀର ପ୍ରକୃତିର ନଥିଲେ । ଶ୍ରେଣୀ ଗୃହରେ ଶୃଙ୍ଖଳା ପ୍ରତିଷ୍ଠା କରିବା ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ଥିଲେ । ପରେ ଯେତେବେଳେ ସେ ଭିନ୍ନ କାରଣ ପାଇଁ ପ୍ରସିଦ୍ଧ ହେଲେ ସେତେବେଳେ ତାଙ୍କର ପ୍ରଖ୍ୟାତ ଜୀବନୀକାର ପିଟର ନେଭିଲ୍ ଏବଂ ସେ ସ୍ୱୟଂ ସ୍ୱୀକାର କରିଛନ୍ତି ଯେ ଶିକ୍ଷକ ହିସାବରେ ସେ ଆଦୌ ସଫଳ ନଥିଲେ । ଶ୍ରେଣୀ ଗୃହରେ ଶାନ୍ତି ଆଣିବା ପାଇଁ ଅନେକ ସମୟରେ ସେ ପିଲାଙ୍କୁ ଚକୋଲେଟ୍ ଲାଞ୍ଚ ଆକାରରେ ପ୍ରଦାନ କରୁଥିଲେ । ପରବର୍ତ୍ତୀ ଜୀବନରେ ସେ ଯାହା ହୋଇଥିଲେ ସେଇଠି ଥାଇ ପଛକୁ ଦେଖିଲେ ତାଙ୍କର ପିଲାମାନଙ୍କ ସହ ଏପରି ଲାଞ୍ଚ ଦେବା ଭଳି ଆଚରଣ ପ୍ରକୃତରେ ଆମକୁ ଭାରି ଆଶ୍ଚର୍ଯ୍ୟ ଲାଗିବ ।

ପ୍ରଥମରୁ ତାଙ୍କର ଶିକ୍ଷକତା ତଥା ଶ୍ରେଣୀ ଗୃହ ପ୍ରତି ବିଶେଷ ଆକର୍ଷଣ ଥିଲା । ଯଦିଓ ଶିକ୍ଷକତା ପାଇଁ ଶିକ୍ଷାନିବେଶ ଛାତ୍ର ଥିଲା ବେଳେ ନିଜର ଜଣେ ସହପାଠୀକୁ ଗୋଟିଏ ଫଳକଟା ଛୁରୀରେ ଆକ୍ରମଣ କରିବା କାରଣରୁ ତାଙ୍କୁ ଶ୍ରେଣୀରୁ ବହିଷ୍କାର କରାଯାଇଥିଲା । ପରେ କିନ୍ତୁ ତାଙ୍କୁ ସେହି ପାଠ୍ୟକ୍ରମକୁ ସମାପ୍ତ କରିବା ପାଇଁ ସୁଯୋଗ ମିଳିଥିଲା । ଏହା ଫଳରେ ୧୯୦୧ ଖ୍ରୀଷ୍ଟାବ୍ଦରେ ସେ ଶିକ୍ଷକ ହେବାପାଇଁ ଆବଶ୍ୟକୀୟ ଯୋଗ୍ୟତା “ଡିପ୍ଲୋମା ଦି ମାସ୍ତ୍ରୋ” ଲାଭ କରିଥିଲେ । ସେ ସମୟର ବାଧ୍ୟତାମୂଳକ ସାମରିକ ସେବାକୁ ଏଡାଇ ଯିବାପାଇଁ ସେ ଗୋଟିଏ ମାଧ୍ୟମିକ ସ୍କୁଲରେ ଶିକ୍ଷକ ହିସାବରେ ଯୋଗଦେଇଥିଲେ । ୧୯୦୧ ରୁ ୧୯୦୬ ଯାଏଁ ସେ କହିବାକୁ ଗଲେ ଦୁଇଟି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସହରତଳି ଅଞ୍ଚଳରେ ଜଣେ ଗଣିକା ସହିତ ସମ୍ପର୍କ ସ୍ଥାପନ ଯୋଗୁ ତାଙ୍କର ସିଫିଲିସ୍ ଭଳି ଯୌନରୋଗ ହୋଇଥିଲା ଆଉ ସେଇଥିପାଇଁ ତାଙ୍କୁ ପ୍ରଥମ ସ୍କୁଲରୁ ବାହାର କରିଦିଆଯାଇଥିଲା । ଦ୍ୱିତୀୟ ସ୍କୁଲରୁ ତାଙ୍କୁ ସେହିଭଳି କିଛି ଉତ୍ସୃଙ୍ଖଳ ଜୀବନ ଚର୍ଯ୍ୟା ଯୋଗୁ ବାହାର କରି ଦିଆଯାଇଥିଲା ମାତ୍ର କାରଣ ଆକାରରେ କୁହା ଯାଇଥିଲା ଯେ ସେ ଜଣେ ଧର୍ମଦ୍ରୋହୀ ।

୧୯୦୬ ଖ୍ରୀଷ୍ଟାବ୍ଦ ପରଠାରୁ ସେ ଆଉ ଶିକ୍ଷକତା କରି ନାହାଁନ୍ତି । ଏହି ଘଟଣାର ଅଠର ବର୍ଷ ପରେ ନିୟତି ତାଙ୍କପାଇଁ ଭିନ୍ନ ଏକ ଭୂମିକା ନିର୍ଦ୍ଧାରଣ କରି ରଖିଥିଲା ।

ଏହା ଭିତରେ ସେ ପିଲା ମାନେ କହୁଥିବା “ଇଲ୍ ଟାଇରାନୋ” ରୁ ଆସି ପାଲଟି ଯାଇଛନ୍ତି ଜନତା ର ନେତା ବା “ଇଲ୍ ଡିଉସ୍”।

ତାଙ୍କର ପୂରା ନାଆଁ ହେଉଛି ବେନିଟୋ ଆମିଲକେୟାର୍ ଆନ୍ଦ୍ରିଆ ମୁସୋଲିନି। ସଂକ୍ଷେପରେ ବେନିଟୋ ମୁସୋଲିନି । ସେ ଇଟାଲୀର ଏକଛତ୍ରାଧିପତି ତଥା ଫାଶିବାଦର ପ୍ରବର୍ତ୍ତକ ।

ଇଂଲଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଗୋଲ ଟେବୁଲ ବୈଠକ (୧୯୩୧) ରୁ ଫେରିବା ବାଟରେ ଆମର ମହାତ୍ମା ଗାନ୍ଧୀଜୀଙ୍କର ବେନିଟୋ ମୁସୋଲିନିଙ୍କ ସହ ସାକ୍ଷାତ ହୋଇଥିଲା । ସେଇଠି ମୁସୋଲିନି ଗାନ୍ଧିଜୀଙ୍କୁ ପଚାରିଥିଲେ,”ମିଃ ଗାନ୍ଧୀ ଆପଣ ମୋ ବ୍ୟବସ୍ଥା (ଫାସିବାଦ) ଉପରେ କ’ଣ ବିଚାର ରଖିବେ?”

ଏହାପରେ ଆଗରୁ ଯେମିତି ମୁଖସ୍ଥ ଅଛି ସେହିଭଳି ଗାନ୍ଧିଜୀ କହିଥିଲେ,” ଯେଉଁ ବ୍ୟବସ୍ଥା ହିଂସାରୁ ନିର୍ମାଣ ହୋଇଛି ତାହାକୁ ଅବଶେଷରେ ହିଂସା ହିଁ ଧ୍ୱଂସ କରିଦେବ ।”

କହିବା ବାହୁଲ୍ୟ ମହାତ୍ମା ଗାନ୍ଧୀଙ୍କୁ ବାଦ ଦେଇ ଆଉ କେହି ମୁସୋଲିନିଙ୍କୁ ତାଙ୍କର ସାମ୍ନାରେ ତାଙ୍କର ଫାସିବାଦର ବିରୂପ ମନ୍ତବ୍ୟ ପ୍ରଦାନ କରିନାହିଁ ।

Comments are closed, but trackbacks and pingbacks are open.