Latest Odisha News

BREAKING NEWS

ଚକା ଆଖିର ବ୍ୟାପ୍ତ ଗଭୀରତା ମତେ ସାହିତ୍ୟ ମନସ୍କ କରିଛି : ଜାନକୀ ବଲ୍ଲଭ ମହାପାତ୍ର

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ଜାନକୀ ବଲ୍ଲଭ ମହାପାତ୍ର ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ ଲେଖାଯାଇଥିଲେ ହେଁ ଯୋଡିବାର ଯେଉଁ ପ୍ରଗଳ୍ଭ ପ୍ରୟାସ ତାଙ୍କର ଗଳ୍ପଗୁଡିକରେ ଦେଖାଯାଇଥାଏ ତାହାହିଁ ତାଙ୍କର ଗଳ୍ପକୁ ଐଶ୍ୱର୍ଯ୍ୟ ମଣ୍ଡିତ କରିଥାଏ। ଅନ୍ୟ ପକ୍ଷରେ ଅନ୍ତରଙ୍ଗ ଆବେଗପୂର୍ଣ୍ଣଭାବ ଆଉ ଭାଷା କାରିଗରୀକୁ ନେଇ ଠିଆ ହେଇଥିବା ତାଙ୍କର ଗପଗୁଡ଼ିକ ପାଠକମାନଙ୍କ ପାଇଁ ସୁଖପାଠ୍ୟ ସ୍ମରଣୀୟ ହୋଇଥାଏ। ‘ରୂପାନ୍ତର’, ‘ଯୁଗଳବନ୍ଦୀ’ ପରି ଅନେକ କାଳଜୟୀ ସୃଷ୍ଟିର ସ୍ରଷ୍ଟା ସେ। ତାଙ୍କ ରଚନା ଗୁଡ଼ିକ ବାସ୍ତବ ଜୀବନର ଘଟଣା ଓ ଚରିତ୍ର ପରି ଜୀବନ୍ତ।

ଗାଳ୍ପିକ ଜାନକୀ ବଲ୍ଳଭ ମହାପାତ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପିଲାଦିନୁ କବିତା ,ଗଳ୍ପ ଓ ଉପନ୍ୟାସ ପଢିବା ମୋର ନିଶା ଥିଲା, ଯାହା ଆଜିଯାଏ ବି ଅଛି। ସେଇ ନିଶା ବୋଧହୁଏ ମତେ ସାହିତ୍ୟ ସର୍ଜନା ପାଇଁ ପ୍ରେରଣା ଦେଇଛି । କିନ୍ତୁ ପାଠକରୁ ରୂପାନ୍ତରିତ ହୋଇ ଲେଖକ ହେବା ନିଶ୍ଚିତ ଭାବେ ବିଧି ନିର୍ଦ୍ଧାରିତ।

ସାହିତ୍ୟର ଅନେକ ବିଭାଗ ଭିତରେ ଆପଣ ଗଳ୍ପ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ?

ପ୍ରଥମେ ତ କବିତା ଲେଖୁଥିଲି। ପରେ ଗଳ୍ପ, ଉପନ୍ୟାସ ମାଧ୍ୟମରେ ମୋ ଭାବନାକୁ ଭଲଭାବରେ ପ୍ରକାଶିତ କରି ପାରିବି ଭାବି ସେଥିରେ ହାତ ଦେଲି। “ରୂପାନ୍ତର”, “ଯୁଗଳବନ୍ଦୀ “ ନାମରେ ଦୁଇଟି ଗଳ୍ପ ସଙ୍କଳନ ଓ ନିୟମଗିରିର ସଂଘର୍ଷକୁ ନେଇ “ସବୁଜ ବନାଗ୍ନି “ ନାମରେ ଗୋଟିଏ ଉପନ୍ୟାସ ପ୍ରକାଶିତ ହୋଇଛି ।

ସାହିତ୍ୟ ରଚନା ବେଳେ କଳ୍ପନାରେ ରୂପ ଦେବା ସହଜ ନା ଅନୁଭୁତିରେ ରଙ୍ଗ ଭରିବା ସହଜ ?

ସେ କଳ୍ପନା ହେଉ କି ଅନୁଭୂତିରେ ରଙ୍ଗ ଭରିବା ହେଉ ସହଜ ବାଟ କିଛି ଅଛିକି ? କେବଳ କଳ୍ପନା ଉପରେ ପର୍ଯ୍ୟବେଶିତ ଅନେକ ଭଲ ଗଳ୍ପ ଅଛି ବିଶ୍ବ ସାହିତ୍ୟରେ। କିନ୍ତୁ ସେଥିରେ ବି ବାସ୍ତବତାର ଛାପ ରହିଛି। ସାହିତ୍ୟ ରଚନାରେ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ କେମିତି?

ଅଧିକାଂଶ ପାଠକଙ୍କ ପାଇଁ କବିତା ଅପେକ୍ଷା ଗଳ୍ପଟିଏ ବୁଝିବା ସହଜ । ସେମିତି ଉପନ୍ୟାସ ଠାରୁ ଗଳ୍ପର କଳେବର କ୍ଷୁଦ୍ର ହେତୁ ପଢିବା ସମୟ କମ୍ । ସେଥିପାଇଁ ଓଡ଼ିଆ ସାହିତ୍ୟରେ ଗଳ୍ପର ପାଠକ ସଂଖ୍ୟା ଅନ୍ୟ ବିଭାଗ ଅପେକ୍ଷା ଅଧିକ, ତେଣୁ ଏହାର ପ୍ରଭାବ ମଧ୍ୟ ଅଧିକ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ମୁଁ ଗପଟିଏ ଲେଖିଲେ ତାକୁ ବହୁବାର ପଢ଼ି ଆବଶ୍ୟକ ସ୍ଥଳରେ ସଂଶୋଧନ କରେ। ମନକୁ ନ ପାଇଲେ କେଉଁ ପତ୍ରିକାକୁ ପଠାଏ ନାହିଁ। ତେଣୁ ଗପଟି ପ୍ରକାଶିତ ହେବା ପୂର୍ବରୁ ମୋ ସମୀକ୍ଷା ପ୍ରାୟତଃ ସରିଯାଇଥାଏ । ଆପଣଙ୍କ ପ୍ରଶ୍ନ କିନ୍ତୁ ବୋଧହୁଏ ପ୍ରକାଶିତ ହେବା ପରର ସମୀକ୍ଷା ପାଇଁ ,ଯାହା ମୁଁ ମୋ ପାଠକ ପାଠିକାଙ୍କ ମତାମତ ଉପରେ ନିର୍ଭର କରେ।

ଆପଣଙ୍କ ଜନ୍ମଭୂମି ଆପଣଙ୍କ ସାହିତ୍ୟ ରଚନାକୁ କିପରି ଭାବରେ ପ୍ରଭାବିତ କରିଛି ?

ପୁରୀ ମୋ ଜନ୍ମସ୍ଥାନ। ଶୀତଳ ସମୀର ପ୍ରବାହିତ ଶାନ୍ତ ସମୁଦ୍ରକୂଳରେ ଘଣ୍ଟା ଘଣ୍ଟା ବିତେଇଥିବା ସମୟ, ଅର୍ଦ୍ଧ ରାତ୍ରରେ ଜ୍ୟୋତ୍ସ୍ନା ଧୌତ ବାଲୁକା ଶଯ୍ୟାରେ ବସି ସମୁଦ୍ର ସଙ୍ଗେ କଥୋପକଥନର ଅମୂଲ୍ୟ ଅନୁଭୂତି, ଶ୍ରୀମନ୍ଦିରର ନାଟମନ୍ଦିରରୁ ଚକା ଆଖିର ବ୍ୟାପ୍ତ ଗଭୀରତା ଭିତରେ ଜୀବନର ଅର୍ଥ ଖୋଜି ନିଜକୁ ହଜାଇ ଦେଇଥିବା ମୁହୂର୍ତ୍ତମାନ ବୋଧହୁଏ ମୋ ସାହିତ୍ୟ ରଚନାର ମୂଳଦୁଆ ପକେଇଛି।

ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?

ଆଜିକାଲି ସଂଖ୍ୟା ଦୃଷ୍ଟିରୁ ଅନେକ ପୁସ୍ତକ ଓ ପତ୍ରିକା ପ୍ରକାଶିତ ହେଉଛି। ସାହିତ୍ୟ ସର୍ଜନାରେ ଓଡ଼ିଆ ଭାଷା ସାହିତ୍ୟ ଅନ୍ୟ ଭାଷାର ସାହିତ୍ୟଠାରୁ ପଛରେ ପଡ଼ିନାହିଁ। ସମସାମୟିକ ରଚନାରେ ଉନ୍ନତ ଓ ଉଚ୍ଚକୋଟୀର ସାହିତ୍ୟ ବି ସୃଷ୍ଟି ହେଉଛି। କିନ୍ତୁ ସେଗୁଡିକୁ ଉପଯୁକ୍ତ ମର୍ଯ୍ୟାଦା ଦିଆଯାଇ ପାରୁନାହିଁ, ଓଡ଼ିଶା ବାହାରେ ପ୍ରଚାରିତ,ପ୍ରସାରିତ କରାଯାଇ ପାରୁନାହିଁ। ଓଡ଼ିଶାରେ ସଂସ୍କୃତି ବିଭାଗ,ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ଏକାଡ଼େମୀ ଭଳି ସରକାରୀ ଓ ଅର୍ଦ୍ଧସରକାରୀ ଅନୁଷ୍ଠାନମାନ ପ୍ରାୟତଃ ନିଷ୍କ୍ରିୟ। ଅନ୍ୟ ରାଜ୍ୟପରି ଏଗୁଡିକ ସକ୍ରିୟ ହୋଇ ସମସାମୟିକ ସାହିତ୍ୟକୁ ପ୍ରୋତ୍ସାହିତ କଲେ ଏହାର ଭବିଷ୍ୟତ ଉଜ୍ଜ୍ଵଳ। ବେସରକାରୀ ସାହିତ୍ୟ ଅନୁଷ୍ଠାନ ଓ ପତ୍ରିକାଗୁଡ଼ିକ ସାଧ୍ୟମତେ କିଛି କିଛି କାମ କରୁଛନ୍ତି। ନିଜ ଖୋଳପା ଭିତରେ ରହିଥିବା ପ୍ରତିଷ୍ଠିତ ସାହିତ୍ୟିକ ଓ ପୁସ୍ତକ ପ୍ରକାଶକମାନଙ୍କର ମଧ୍ୟ ସାହିତ୍ୟ ପ୍ରତି ରହିଛି ଉତ୍ତର ଦାୟିତ୍ବ । ନିଜନିଜ ପରିଧି ବାହାରକୁ ଆସି ସେମାନଙ୍କୁ ମଧ୍ୟ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷାପାଇଁ ପଦକ୍ଷେପ ନେବାକୁ ହେବ।

ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଅନୁସାରେ ପାଠକ ଅଛନ୍ତି ବୋଲି ଆପଣ କହିବେ କି ?

ପାଠକ ଅଛନ୍ତି, କିନ୍ତୁ ତାଙ୍କ ପାଖରେ ବହି ପହଞ୍ଚି ପାରୁନି। ପ୍ରଥମତଃ କିଣିବାକୁ ଆଗ୍ରହୀ ଥିବା ଓ କିଣି ପାରୁଥିବା ପାଠକଙ୍କ ପାଇଁ ସାହିତ୍ୟ ବହି ମିଳୁଥିବା ଦୋକାନଟିଏ କେଉଁଠି ନାହିଁ। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଭିନ୍ନ ଭିନ୍ନ ପ୍ରକାଶନ ସଂସ୍ଥାର ସାହିତ୍ୟ ପୁସ୍ତକ ମିଳୁଥିବା ଗୋଟିଏ ମାତ୍ର ଛୋଟ କ୍ୟାବିନ ଦୋକାନ ଅଛି। ଅନ୍ୟ କୌଣସି ସହରରେ ସେତକ ବି ନାହିଁ। ଆମାଜନ ଭଳି ଅନ୍ ଲାଇନ୍ ପସରାରେ ପାଠକ ଖୋଜୁଥିବା ଓଡ଼ିଆ ବହି ଦୃଶ୍ୟ ହୁଏ ନାହିଁ। ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା କେତୋଟି ହାତ ଗଣତି ପୁସ୍ତକ ମେଳାକୁ ଦୂରରୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ହୁଏନି । ଦ୍ଵିତୀୟତଃ ପଢିବାକୁ ଆଗ୍ରହୀ ଥିବା କିନ୍ତୁ ସ୍ୱଳ୍ପ ସମ୍ବଳ ଯୋଗୁ କିଣି ପାରୁନଥିବା ପାଠକ/ପାଠିକା , ଛାତ୍ର,ଛାତ୍ରୀମାନଙ୍କ ପାଇଁ ପାଠାଗାରର ଅଭାବ ରହିଛି । ଯେଉଁ ଅଳ୍ପ କିଛି ପାଠାଗାର ଅଛି ସେଥିରେ ନୂତନ ପ୍ରକାଶିତ ବହିର ସ୍ଥାନ ନାହିଁ। ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ବିମାତାର ହୃଦୟ ନେଇ ସରକାର ଆଖି କାନ ବନ୍ଦକରି ବସିଛନ୍ତି । ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟିକ ଓ ପାଠକ ଆଜି ଏକ ଷଡଯନ୍ତ୍ରର ଶିକାର ହେବା ଭଳି ପ୍ରତୀୟମାନ ହେଉଛି ।

ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ ?

ପାଠକଙ୍କ ଗଠନମୂଳକ ନକରାତ୍ମକ ମତ ପାଇଁ ମୋ ପ୍ରତିକ୍ରିୟା ସର୍ବଦା ସକରାତ୍ମକ। ପତ୍ରିକାରେ ପ୍ରକାଶିତ ହୋଇଥିବା କେତୋଟି ଗଳ୍ପରେ ପାଠକ/ପାଠିକାଙ୍କ ମତକୁ ସମ୍ମାନ ଦେଇ ସେଗୁଡିକ ପୁସ୍ତକରେ ସ୍ଥାନ ଦେବାବେଳେ ମୁଁ ସଂଶୋଧନ କରିଛି ।

 ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ଯୋଜନା ତ ଅଛି ମନରେ କିନ୍ତୁ ସେ ସବୁ ଯେ ଫଳପ୍ରଦ ହେବ ସେ କଥାର ନିଶ୍ଚିତତା କ’ଣ ?

 

Leave A Reply

Your email address will not be published.