Latest Odisha News

BREAKING NEWS

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

+++ +++

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ ଶାସ୍ତ୍ରର ଲୋକପ୍ରିୟତା ସମୟ ସହ ହ୍ରାସ ପାଉଥିବା ବେଳେ ଶ୍ରୀ ମିଶ୍ର ସେଥିରେ ହିଁ ସୃଷ୍ଟି କରିଚାଲିଛନ୍ତି ସାହିତ୍ୟ । ଏହା ସହ ଗଳ୍ପ , କବିତା ଓ ପ୍ରବନ୍ଧ କ୍ଷେତ୍ରରେ ମଧ୍ୟ ସେ ଏକ ପରିଚିତ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସାମ୍ମନିତ ଏବଂ ସମ୍ବର୍ଦ୍ଧିତ ।

ଲେଖକ ଜ୍ୟୋତି ରଞ୍ଜନ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

 

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?

ଅତିବଡ଼ି ଜଗନ୍ନାଥ ଦାସ, ବଳରାମ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ରାଧାନାଥ ରାୟ, ଗଙ୍ଗାଧର ମେହେର, ରମାକାନ୍ତ ରଥ,ସୀତାକାନ୍ତ ମହାପାତ୍ର,ହରପ୍ରସାଦ ଦାସ, ବ୍ରଜନାଥ ରଥ ପ୍ରମୁଖ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟାଙ୍କର ମନୋଜ୍ଞ ସାରସ୍ବତ ସୃଷ୍ଟି ମୋତେ ସହିତ୍ୟମନସ୍କ କରାଇବାରେ ଉଦବୁଦ୍ଧ କରିଛନ୍ତି ବିପୁଳ ଭାବରେ । ତେଣୁ ମୁଁ ସେମାନଙ୍କ ପାଖରେ ଚିର କୃତଜ୍ଞ ।

ଧାର୍ମିକ ବିଷୟକୁ ନେଇ ଲେଖିବାକୁ ଆପଣ କାହଁକି ମନସ୍ଥ କଲେ ?

ପିଲାବେଳେ ମାମା(ଆଈ ମାଆ)ଙ୍କ ପାଖରେ ବସି ତାଙ୍କୁ ଶ୍ରୀମଦଭାଗବତ ମହାପୁରାଣ,ରାମାୟଣ, ଭାଗବତ, ଗୀତା, ଚିତ୍ତବିନୋଦ ପ୍ରଭୃତି ପୁରାଣ ପାଠକରି ଶୁଣାଇବାର ସୌଭାଗ୍ୟ ଲାଭ କରିଥିଲି ।ବହୁ ଆଗ୍ରହ ଓ ସ୍ନେହର ସହିତ ଡାକି ପାଖରେ ବସାଇ ତାଙ୍କ ପୁରୁଣା କାଠ ଆଲମlରୀରେ ଗଚ୍ଛିତ ହୋଇ ରହିଥିବା ଏ ସବୁ ବହିଗୁଡ଼ିକ ମଧ୍ୟରୁ ଗୋଟିଏ ବହି ବାହାରକରି ପଢ଼ି ଶୁଣାଇବା ପାଇଁ କହୁଥିଲେ । ତାଙ୍କର ସ୍ନେହବୋଳl କଥା ମନରେ ଉତ୍ସାହ ଭରିଦେଉଥିଲା ସେହି ପୁସ୍ତକ ପଢ଼ି ଶୁଣାଇବା ପାଇଁ । ବଡ ହେଲାପରେ ସେ ସବୁ ବହିର ମୂଲ୍ୟ ବୁଝିପାରିଲି । ବହୁତ ଆନନ୍ଦ ଅନୁଭବ କଲି । ଏ ସମସ୍ତ ଧାର୍ମିକ ପୁସ୍ତକ ଧୀରେଧୀରେ ମୋତେ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ କରିଥିଲା । ଫଳରେ ପରବର୍ତ୍ତୀ ସମୟରେ ଅନେକ ଗଳ୍ପ ,କବିତା, ପ୍ରବନ୍ଧ ଆଦି ସହିତ ଧାର୍ମିକ ବିଷୟବସ୍ତୁକୁ ନେଇ କିଛି ଲେଖିବା ପାଇଁ ମନସ୍ଥ କଲି । ଯାହାକି ସମାଜକୁ କିଛି ଦିଗଦର୍ଶନ ଦେବ ବୋଲି ଆଶା କରୁଛି ।

ପୁରାଣ , କାବ୍ୟଖଣ୍ଡ ଆଦି ଓଡ଼ିଆ ସାହିତ୍ୟର ଏକ ପ୍ରମୁଖ ଅଂଶ ହେଲେ ସୁଦ୍ଧା ଆଗଭଳି ତାର ଆଦର କାହଁକି ରହୁନାହିଁ ବୋଲି ଆପଣ ଭାବୁଛନ୍ତି ?

ଏହାର ମୁଖ୍ୟ କାରଣ ହେଲା ଆମ ଇଲେକ୍ଟ୍ରୋନିକ ଗଣ ମାଧ୍ୟମ । ଟେଲିଭିଜନ, କମ୍ପ୍ୟୁଟର, ଲ୍ୟାପଟପ୍ ଓ ମୋବାଇଲ ପ୍ରଭୃତି ସାମ୍ପ୍ରତିକ ମଣିଷ ସମାଜ ବିଶେଷତଃ ଯୁବ ସମାଜର ମାନସପଟରୁ ପୁସ୍ତକ ପଠନର ସ୍ପୃହାକୁ ଧୀରେଧୀରେ ହ୍ରାସ କରି ଦେଉଛି । ଆଜିର ଯୁବ ପୀଢ଼ି ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଉପାଦେୟ ପୁରାଣ କିମ୍ବା କାବ୍ୟକବିତା ପ୍ରଭୃତି ପୁସ୍ତକ ପଢ଼ିବାର ଆଗ୍ରହ ରଖୁ ନାହାନ୍ତି । ତେବେ ଏ କଥା କହି ହେବନାହିଁ ଯେ ଆଦର ରହୁନାହିଁ ବୋଲି ।

ସାହିତ୍ୟ ଓ ଜୀବନ ପରସ୍ପର ସହିତ ଅନୁପୂରକ ନା ପରିପୂରକ ?

ମୋ ମତରେ ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ । ଗୋଟିକର ବ୍ୟତୀତ ଅନ୍ୟଟି ଯେମିତି ଅର୍ଥଶୂନ୍ୟ ମନେହୁଏ ।

ଓଡ଼ିଆ ପାଠକ ଯାହା ପଢ଼ିବା ପାଇଁ ଚାହୁଁଛନ୍ତି, ସେମିତି ଲେଖା ହେଉ ନ ଥିବାରୁ ଆମର ଲୋକପ୍ରିୟ ସାହିତ୍ୟ ନାହିଁ ବୋଲି କହିବା ଠିକ ହେବକି ?

ଏଥିରେ ମୁଁ ଏକମତ ନୁହେଁ । କାରଣ, କହନ୍ତି ବୋଲି କିଛି ତଥାକଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ଏମିତି କହିଥାନ୍ତି । ମାତ୍ରତାହା ପ୍ରକୃତରେ ଠିକ୍ ନୁହେଁ । କାରଣ ଅମର ବହୁ ଲୋକପ୍ରିୟ ସାହିତ୍ୟ ପୂର୍ବରୁ ସୃଷ୍ଟି ହୋଇସାରିଛି ଏବଂ ଏବେ ମଧ୍ୟ ବହୁ ସୁନାମଧନ୍ୟ ସାରସ୍ୱତ ସ୍ରଷ୍ଟା ନିଜନିଜର ସୃଜନ କର୍ମରେ ଲିପ୍ତ ରହି ଲୋକପ୍ରିୟ ସାହିତ୍ୟ ସୃଷ୍ଟି କରିଚାଲିଛନ୍ତି । ତେବେ ସେ ସବୁ ଖୋଜି ବାହାରକରି ପଢ଼ିବା ପାଠକ ଉପରେ ନିର୍ଭର କରେ ।

ତଥାକଥିତ ଆନୁଷ୍ଠାନିକ ସ୍ଵୀକୃତି ଓ ସମ୍ବର୍ଦ୍ଧନା ଆପଣ କେମିତି ଦେଖନ୍ତି ?

ତଥା କଥିତ ଆନୁଷ୍ଠାନିକ ସ୍ବୀକୃତି ଓ ସମ୍ମର୍ଦ୍ଧନା ଜଣେ ଲେଖକକୁ ଉତ୍ସାହିତ କରିଥାଏ ଆଗକୁ ଆହୁରି ଲେଖାଲେଖି କରିବାପାଇଁ । ତେବେ ସେଥିରେ ସ୍ୱଚ୍ଛତା ଥିବା ନିତାନ୍ତ ଆବଶ୍ୟକ । ସ୍ୱତଃ ପ୍ରବୃତ୍ତ ଭାବରେ ଯେଉଁ ସମ୍ୱର୍ଦ୍ଧନା ମିଳେ, ତାହା ବିଶେଷତଃ ଲେଖାକୁ ବହୁଳ ଭାବରେ ଉତ୍ସାହିତ କରିଥାଏ । ସମ୍ପ୍ରତି ଏଇ ସମ୍ୱର୍ଦ୍ଧନା ବା ସ୍ବୀକୃତିରେ ସ୍ୱଚ୍ଛତା ଥିବାର ପ୍ରାୟତଃ ଦେଖାଯାଉନାହିଁ । ଏହା ପାଇବା ପାଇଁ ଅନେକ ପ୍ରୀୟାପ୍ରୀତି ତଥା ଲବି ଚାଲିଥିବାର ଦେଖାଯାଏ। ଏପରିକି କିଛି ଅନୁଷ୍ଠାନ ଅଛନ୍ତି ସମ୍ମାନ ବା ସ୍ଵୀକୃତି ଦେବାପାଇଁ ଲେଖକଙ୍କଠାରୁ ଅର୍ଥ ମଧ୍ୟ ଦାବି କରିଥାନ୍ତି । ଯାହାକି ଜଣେ ପ୍ରକୃତ ସାରସ୍ବତ ସ୍ରଷ୍ଟା ପାଇଁ ଆଦୌ ଶୁଭଙ୍କର ନୁହେଁ ।

ପାଠକୀୟ ମତ ଆପଣଙ୍କ ସର୍ଜନଶୀଳ ବ୍ୟକ୍ତିତ୍ୱକୁ କିପରି ଭାବରେ ପ୍ରଭାବିତ କରେ ?

ପାଠକର ସୁଚିନ୍ତିତ ମନ୍ତବ୍ୟ ଜଣେ ସାରସ୍ବତ ସାଧକ ପାଇଁ ଗୋଟିଏ ଆନୁଷ୍ଠାନିକ ସ୍ଵୀକୃତି ବା ସମ୍ମାନ ଠାରୁ ବହୁତ ମୂଲ୍ୟବାନ ବୋଲି ମୁଁ ଭାବେ ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?

ସାହିତ୍ୟ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ସଦୃଶ । ତାର ଏକ ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ମୁଁ ସବୁବେଳେ ଦେଖୁଥାଏ ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ନା, ଦେଇ ପାରିଅନାହିଁ ଲେଖିବାର ଇଚ୍ଛା ଯେପର୍ଯ୍ୟନ୍ତ ମନ ଓ ହୃଦୟକୁ ଆନ୍ଦୋଳିତ କରୁଥିବ ସେପର୍ଯ୍ୟନ୍ତ ଇପ୍ସିତ ସୃଷ୍ଟି ବୋଲି କିଛି ହୋଇପାରିବ ନାହଁ ।

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?

ଯୋଜନା ତ ଅନେକ ରହିଛି । ସେ ସବୁ ସାକାର ହେବା ସର୍ବନିୟନ୍ତା ଭଗବାନଙ୍କ ହାତରେ ।

Leave A Reply

Your email address will not be published.