ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ ସ୍ରଷ୍ଟା ଭାବରେ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ମେଜର ରମା ରମଣ ପାଢ଼ୀ। ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ଖୁବ ପରିଚିତ। ଏହା ସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଫିସର ଭାବରେ କାର୍ଯ୍ୟକରି, ସମାଜକୁ ବିଶେଷ ଭାବରେ ସେବା ପ୍ରଦାନ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ମେଜର ଉପାଧିରେ ଭୂଷିତ। ଏକାଧାରରେ ସେ ଜଣେ ନାଟ୍ୟକାର, ସଂଳାପ ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତା । ତାଙ୍କ ରଚିତ ନାଟକ ରାଜ୍ୟ ତଥା ଦେଶ ଏବଂ ବିଦେଶରେ ମଞ୍ଚସ୍ଥ ହୋଇ ବିପୁଳ ଭାବରେ ସାଉଁଟିଛି ଲୋକପ୍ରିୟତା । ଓଡ଼ିଆ ନାଟକର ଜଣେ ସଶ୍ରଦ୍ଧ ଅମଳିନ ପ୍ରତିଭା ଭାବରେ ଶ୍ରୀ ପାଢ଼ୀ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।
ଓଡ଼ିଆ ସାହିତ୍ୟ ଜଗତର ବରେଣ୍ୟ ସ୍ରଷ୍ଟା ନାଟ୍ୟକାର ମେଜର ରମା ରମଣ ପାଢ଼ୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ଆପଣ ନାଟକ ପ୍ରତି ଆକର୍ଷିତ ହେବାର ମୁଖ୍ୟ କାରଣ କ’ଣ ଥିଲା ?
ବିଦ୍ୟାଳୟରେ ପଢ଼ିବା ବେଳେ ମଞ୍ଚରେ ମୋ ଅଭିନୟ ଜୀବନର ପ୍ରଥମ ଖଡ଼ି ଛୁଆଁ ହୋଇଥିଲା। ବିଦ୍ୟାଳୟ ପଢାସାରି ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ସ୍ନାତ୍ତକୋତ୍ତର ଯାଏଁ ପାଠ ପଢିଲି। ମହାବିଦ୍ୟାଳୟ ନାଟ୍ୟ ସଂସଦ ଆନୁକୁଲ୍ୟରେ ପ୍ରତିବର୍ଷ ଅନ୍ତଃଶ୍ରେଣୀ ନାଟକ ପ୍ରତିଯୋଗିତା ହେବା ସହ ବାର୍ଷିକ ନାଟକ ମଧ୍ୟ ମଞ୍ଚସ୍ଥ ହେଉଥାଏ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରତିବର୍ଷ ମୁଁ ନାଟକ ଲେଖିଲି, ଅଭିନୟ କଲି ଓ ନିର୍ଦ୍ଦେଶନା ମଧ୍ୟ ଦେଲି । ପ୍ରତିବର୍ଷ ମୁଁ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନାଟ୍ୟକାର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେଲି। ଏହି ସଫଳତାକୁ ପାଥେୟ କରି ମୁଁ ନାଟକ ରଚନା ପ୍ରତି ଆକୃଷ୍ଟ ହେଇପଡ଼ିଲି। ପରେ ପରେ ନାଟକ ରଚନା , ଅଭିନୟ ଓ ନିର୍ଦ୍ଦେଶନା ମୋ ଜୀବନ ସହ ଯୋଡ଼ି ହେଇଗଲା।
ସାହିତ୍ୟରେ ଅନେକ ବିଭାଗ ଥାଉ ଥାଉ ନାଟକ ଲେଖିବା ପାଇଁ ଆପଣ କାହିଁକି ଆଗ୍ରହୀ ହେଲେ ?
ମନ ଚିରସ୍ରୋତା ନଦୀ । ସେ ସବୁବେଳେ ବଳେ । ବଳେ ବୋଲି ସ୍ଥାବରରୁ ଜଙ୍ଗମ, କୀଟରୁ ପତଙ୍ଗ, ସରୀସୃପରୁ ଚତୁଷ୍ପଦ ପ୍ରାଣୀ ଓ ଦ୍ଵାପଦ ବିଶିଷ୍ଟ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ବଳାଇ ନିଏ । ବଳାଇ ନେଇ କାହାକୁ ମନ୍ଦିରରେ ତ କାହାକୁ ମଧୁଶାଳାରେ ପହଞ୍ଚାଇଦିଏ, କାହାକୁ ଗଭୀର ଜଳରେ ବୁଡାଇ ଦିଏ ତ କାହାକୁ ଅନନ୍ତ ଆକାଶରେ ଉଡାଇନିଏ, କାହା ହାତରେ ବଲମ ତ କାହା ହାତରେ କଲମ ଧରାଇଦିଏ । ଏହି କ୍ରମରେ ମୋ ମନ ମୋତେ ବଳାଇ ନେଇ ଅର୍ଦ୍ଧଶତାବ୍ଦୀ ତଳୁ ମୋ ହାତରେ ଗୋଟିଏ କଲମ ଧରାଇ ଦେଇଛି ଆଉ ସେ କଲମରେ ସେହି ଦିନଠାରୁ ନାଟକ ଲେଖିବା ମୋ ଚଲାପଥ ସହ ଯୋଡ଼ି ହୋଇଗଲା । ସମୟାନ୍ତରରେ କବିତା, ଗଳ୍ପ ମୋ ପଛରେ ରହିଗଲା । ନାଟକ ମୋ ହାତଧରି ମୋ ସହିତ ଚାଲିଲା ଯେ ଚାଲିଲା,ଏବେ ବି ମୋ ହାତ ଛାଡିନାହିଁ ।
ଆପଣ ଜଣେ ଅଧ୍ୟାପକ, ମଞ୍ଚଶିଳ୍ପୀ , ମଞ୍ଚ ନିର୍ଦ୍ଦେଶକ ଏବଂ ନାଟ୍ୟକାର । ତେବେ କେଉଁ ଭୂମିକାଟି ଆପଣଙ୍କର ପ୍ରିୟ ଓ କାହିଁକି ?
ଆପଣ ଯଦି ଜଣେ ମା’କୁ ପଚାରିବେ ଆପଣଙ୍କର ଚାରି ଝିଅ ଭିତରୁ କେଉଁ ଝିଅଟି ଆପଣଙ୍କର ପ୍ରିୟ ଓ କାହିଁକି? ମାଆ ଉତ୍ତର ଦେବ ମୋର ପ୍ରତ୍ୟେକ ସନ୍ତାନ ମୋ ପାଇଁ ପ୍ରିୟ । ସେହିଭଳି ମୋର ପ୍ରତିଟି କର୍ମ ମୋ ପାଇଁ ପ୍ରିୟ ; କାରଣ ମୁଁ ଯେତେବେଳେ ଯେଉଁ କର୍ମ କରେ ନିଷ୍ଠା ଓ ଆନ୍ତରିକତାର ସହ କରେ ଏବଂ ମୋ ଅନ୍ତଃକରଣରେ ମୁଁ ନିଜକୁ ସେହି କର୍ମରେ ହଜେଇ ଦିଏ।
ନାଟକ ସାହିତ୍ୟର ଏକ ଅଂଶ ।ତେବେ ସମୟର ପରିବର୍ତ୍ତନ ସହ ସାହିତ୍ୟର ଅଂଶ ଭାବରେ ନାଟକ ଅବହେଳିତ ହୋଇ ଯାଉଛିକି ?
“କାବ୍ୟେଷୁ ନାଟକଂ ରମ୍ୟମ୍”
ନାଟକ ସାହିତ୍ୟର ଏକ ରମଣୀୟ ଅଂଶ। ସାହିତ୍ୟର ବାଙ୍ମୟ ଓ ଚଳମାନ ରୂପ ହେଉଛି ନାଟକ । ସୁତରାଂ ମନୁଷ୍ୟର ଶରୀର ଏବଂ ଆତ୍ମା ମଧ୍ୟରେ ଯେଉଁଭଳି ଅନନ୍ୟ ସମ୍ପର୍କ ରହିଛି ସାହିତ୍ୟ ଓ ନାଟକ ଭିତରେ ସେହିଭଳି ସାରସ୍ଵତ ସଂପର୍କ ରହିଛି। ସେଥିପାଇଁ ସାହିତ୍ୟର ଏକ ଅଂଶ ଭାବରେ ନାଟକ କେବେହେଲେ ଅବହେଳିତ ହୋଇପାରିବ ନାହିଁ।
ଆପଣଙ୍କ ପ୍ରଥମ ନାଟକ କ’ଣ ଥିଲା ଏବଂ ଏହି ନାଟକର ରଚନାକାଳୀନ ପୃଷ୍ଠଭୂମି କ’ଣ ଥିଲା ?
ଉତ୍ତର ‘ତରଙ୍ଗ ପରେ’ । ୧୯୬୬ ମସିହାରେ ଲେଖିଥିଲି। ୧୯୭୫ ରେ ପ୍ରକାଶ ପାଇଥିଲା । ଗ୍ରନ୍ଥ ମନ୍ଦିର, କଟକ ମୋର ଏହି ନାଟକକୁ ପ୍ରକାଶ କରିଥିଲେ । ୧୯୬୨ ଓ ୧୯୬୫ ରେ ଯଥାକ୍ରମେ ଭାରତ ଚୀନ ଓ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସଂଘଟିତ ହୋଇଥିଲା। ଯୁଦ୍ଧ ପରବର୍ତ୍ତୀ ସମୟରେ ଭାରତରେ କ’ଣ ଘଟିପାରେ, ଏହିଭଳି ବିଭିନ୍ନ କଥା ମୋ ମନକୁ ଆଲୋଡିତ କରିଥିଲା । ୧୯୬୪ ରେ ଓଡିଶାରେ ନବନାଟ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ‘ତରଙ୍ଗ ପରେ’ ପରୀକ୍ଷାମୂଳକ ସାମାଜିକ ନାଟକ ଭାବରେ ଏହି ପୃଷ୍ଠଭୂମି ଉପରେ ଛିଡାହେଲା ।
ଆପଣଙ୍କ ନାଟକଗୁଡିକର ଧାରା ପୂର୍ବବର୍ତ୍ତୀ ସମୟର ନାଟ୍ୟଧାରାଠାରୁ ଅଲଗା କି ? ଯଦି ଅଲଗା, ତାହା କେଉଁଭଳି ?
ମୋ ନାଟକ ରଚନାର ପୂର୍ବବର୍ତ୍ତୀ ସମୟ ଅର୍ଥାତ୍ ବିଂଶ ଶତାବ୍ଦୀର ଷଷ୍ଠ ଦଶକ ହେଉଛି ଓଡ଼ିଆ ନାଟକର ଉନ୍ମେଷୋତ୍ତର ବିକାଶ ଓ ଅଭିବୃଦ୍ଧିର ସମୟ । ସେହି ନାଟକ ଗୁଡିକ ଥିଲା ପ୍ରାୟତଃ ଦୃଶ୍ୟ ବହୁଳ, ଦୀର୍ଘ କଳେବର ବିଶିଷ୍ଟ ଓ ବହୁବିଧ ବର୍ଣ୍ଣନା ବ୍ୟଞ୍ଜକ । ଅଭିନୟ ଏବଂ ଆଲୋକ ସଂପାତ ଥିଲା ସରଳ, ସାଧାରଣ ଓ ମନ୍ଥର । ଏହି ନାଟ୍ୟଧାରା ଠାରୁ ମୋର ନାଟକ ଅଲଗା। ମୋର ଅଧିକାଂଶ ନାଟକ ଏକକ ଦୃଶ୍ୟ ସମ୍ବଳିତ । ନାଟକର ଅବଧି ଏକ ଘଣ୍ଟାରୁ ଦୁଇ ଘଣ୍ଟା ମଧ୍ୟରେ ସୀମିତ । ସଂଳାପ ବ୍ୟଞ୍ଜନାଧର୍ମୀ, ବୌଦ୍ଧିକ, ଭାବଦ୍ୟୋତକ ଓ ପ୍ରତୀକାତ୍ମକ । ନାଟକର ଗତି କ୍ଷିପ୍ର ଓ ଆଲୋକ ସଂପାତରେ ନୁତନତ୍ଵ ଦେଖିବାକୁ ମିଳେ । ନିଚ୍ଛକ ସତ୍ୟାନୁଭୂତି ଉପରେ ଆଧାରିତ ମୋର ଅଧିକାଂଶ ନାଟକ ।
ଓଡ଼ିଆ ଚଳଚ୍ଚିତ୍ର ‘ଅଲିଭା ଦାଗ’ରେ ଆପଣ ନିର୍ଦ୍ଦେଶକ, ସଂଳାପ ଲେଖକ ଏବଂ ଅଭିନେତା ମଧ୍ୟ ଥିଲେ । ଚଳଚ୍ଚିତ୍ରଟି ବହୁ ଆଦୃତ ହୋଇଥିଲା । ତେବେ ଆପଣ ଚଳଚ୍ଚିତ୍ର ଜଗତରେ ସକ୍ରିୟ ନ ହୋଇ ନାଟକ ମୁହାଁ କାହିଁକି ହେଲେ ?
ମୁଁ ମୋର ପ୍ରତିଟି କର୍ମ ନିଷ୍ଠା, ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କରେ। ଚଳଚ୍ଚିତ୍ରର ବ୍ୟସ୍ତ ବହୁଳତା ଜୀବନ ଭିତରେ ମୁଁ ଅନୁଭବ କଲି ଅଧ୍ୟାପନା ପ୍ରତି ନ୍ୟାୟ ଦେଇ ପାରୁନାହିଁ। ସେଥିପାଇଁ ମୁଁ ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟ, ସଂଳାପ ଲେଖିବା, ଚଳଚ୍ଚିତ୍ରରେ ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବା ଛାଡ଼ି ଅଧ୍ୟାପନା ସହ ନାଟକ ଲେଖିବା , ନିର୍ଦ୍ଦେଶନା ଦେବା ଓ ରଙ୍ଗମଞ୍ଚରେ ଅଭିନୟ କରିବା ସହ ଯୋଡ଼ି ହୋଇ ରହିଲି।
ଉତ୍ତର ଅଶୀ ନାଟ୍ୟ ସାହିତ୍ୟକୁ ଆପଣଙ୍କ ଅବଦାନ କ’ଣ ?
୧୯୮୦ ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟରେ ତିନୋଟି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପ୍ରଥମଟି ହେଲା ଅର୍ଥାତ୍ ଦର୍ଶକମାନଙ୍କୁ ମଞ୍ଚପ୍ରତି ଆକୃଷ୍ଟ କରିବା ପାଇଁ ନାଟକରେ ମୌଳିକତା ପ୍ରୟୋଗ । ମୋ ରଚିତ ନାଟକ ‘ସିଂହାସନ’( ୧୯୮୨), ନିଃଶବ୍ଦ ଘାତକ’ (୧୯୮୬), ଓଡ଼ିଶା : ଦ ଆର୍କେଟାଇପାଲ ପାରାଡିଜିମ ଅଫ କଲଚର ହେରିଟେଜ (୧୯୯୩), ‘ଚାଷୀ ଭାଇର ସଂସାର'(୨୦୧୫), ‘ପାଲଟା ବାଘ’ (୨୦୦୪)ରେ ମୌଳିକତା ଦେଖିବାକୁ ପାଇବେ। ଦ୍ଵିତୀୟଟି ହେଲା- ଓଡ଼ିଆ ନାଟକର ବିଶ୍ଵାୟନ, ଯାହାକି ୧୯୯୧ ପରବର୍ତ୍ତୀ ସମୟ । ଏହା ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ପାଇଁ ହୋଇଥିଲେ ମଧ୍ୟ ତା’ର ପ୍ରଭାବ ଓଡ଼ିଆ ନାଟ୍ୟ ସାହିତ୍ୟରେ ପରିଦୃଷ୍ଟ । ସେହି ଦୃଷ୍ଟିରୁ ମୋର ନାଟକ ‘ଚାଷୀ ଭାଇର ‘ସଂସାର’ ବିଚାରଯୋଗ୍ୟ । ତୃତୀୟଟି ହେଲା- ଏକବିଂଶ ଶତାବ୍ଦୀରେ ମଣିଷ ନିକଟରେ ମଣିଷ ପଣିଆ କମି ଆସୁଥିଲାବେଳେ ମାନବବାଦର ସୂକ୍ଷ୍ମ ବିଚାର । ଏହି ପରିପ୍ରେକ୍ଷୀରେ ମୋର ନାଟକ ‘ଜୀବନ ସଂଗ୍ରାମ (୨୦୦୩), ଅହିଂସା ( ୨୦୦୬), ‘ଅନ୍ତଃସ୍ଵର'(୨୦୧୩, ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ), ‘ଚକ୍ରବର୍ତ୍ତୀ’ ବିଜେ କରିବେ (୨୦୧୪), ‘ପଢ଼ିଲେ ଜାଣିବା ଜାଣିଲେ ଜିଣିବା’ (୨୦୧୬), ‘ଭୋକ’ (୨୦୧୭) ପ୍ରଣିଧାନଯୋଗ୍ୟ ।
ମଞ୍ଚ ନାଟକ ପ୍ରତି ଲୋକଙ୍କର ଆଉ ବିଶେଷ ଆଗ୍ରହ ଦେଖାଯାଉ ନାହିଁ। ଆପଣ ଏକମତ କି ?
ନା । ମଞ୍ଚ ନାଟକର ମଣିଷ, ଚଳଚ୍ଚିତ୍ରର ରୂପେଲି ପରଦାର ମଣିଷ ଓ ଅପେରା ମଞ୍ଚର ମଣିଷ – ତ୍ରିଭୁଜର ଏହି ତ୍ରୌର୍ଯ୍ୟତ୍ରିକ ବିଳାସରେ ନାଟକର ନାଭିକେନ୍ଦ୍ର ପୂର୍ବେ ଯେମିତି ଥିଲା, ଏବେ ବି ସେମିତି ଅପରିବର୍ତ୍ତିତ ଅଛି।
ନାଟକ ଏକ ବିଶେଷ କଳା । ଆମ ରାଜ୍ୟରେ ଅନ୍ୟ କଳା ଅପେକ୍ଷା ନାଟ୍ୟକଳା ଅବହେଳିତ ହୋଇଯାଉଛି କି ?
ନାଟକ ଏକ ପ୍ରଦର୍ଶନଶୀଳ କଳା । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟ ସଙ୍ଗଠନର ମିଳିତ ସହଯୋଗରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ‘ନାଟ୍ୟଧାରା’ ମାଧ୍ୟମରେ ପ୍ରତିମାସରେ ତିନୋଟି ନାଟକ ମଞ୍ଚସ୍ଥ ହୁଏ । ଉଲ୍ଳେଖନୀୟ କଥା ଏହି ଯେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମନୋନୟନ ହେଇ ଏହି ତିନୋଟି ନାଟ୍ୟଦଳ ଆସିଥାନ୍ତି । ସେମାନେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଏବଂ ଭଞ୍ଜ କଳା ମଣ୍ଡପରେ ନାଟକ ପରିବେଷଣ କରନ୍ତି । ବର୍ତ୍ତମାନ ଓଡ଼ିଶା ସରକାର ପ୍ରତି ଜିଲ୍ଲାରେ ‘ସଂସ୍କୃତି ଭବନ’ ନିର୍ମାଣ କରିସାରିଲେଣି । ନାଟ୍ୟଧାରା କାର୍ଯ୍ୟକ୍ରମ ଜରିଆରେ ନାଟକକୁ ପ୍ରତି ଜିଲ୍ଲା ମହକୁମାରେ ପହଞ୍ଚାଇବାପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷିରେ ଆମେ କହିବା ବରଂ ଆମ ରାଜ୍ୟରେ ନାଟ୍ୟକଳାର ଯଥେଷ୍ଟ ସମ୍ଭାବନା ଅଛି ।
ଆମ ରାଜ୍ୟରେ ନାଟକ, ନାଟ୍ୟକାର, ମଞ୍ଚ ଅଭିନେତା ଯେତିକି ସମ୍ମାନ ଓ ସ୍ଵୀକୃତି ପାଇବା କଥା ପାଉନାହାନ୍ତି। ଆପଣ ଏକମତ କି?
ନା । ଓଡ଼ିଶାରେ ନାଟକ, ନାଟ୍ୟକାର, ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ଯଥୋଚିତ ସମ୍ମାନ ଓ ସ୍ଵୀକୃତି ପାଉଛନ୍ତି । ସେଥିପାଇଁ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଯଥେଷ୍ଟ ସଚେତନ ଅଛନ୍ତି। ଆଗାମୀ ଦିନରେ ଆପଣ ଦେଖିବେ ଓଡିଆ ନାଟକ ଏକ ପ୍ରଦର୍ଶନଶୀଳ କଳା ହେଇ କେବଳ ରହିବ ନାହିଁ ବରଂ ପ୍ରତିନିଧିସ୍ଥାନୀୟ କଳା ମାଧ୍ୟମରେ ଜୀବନର ବିଜନ ସଙ୍ଗୀତ ଗାନ କରୁଥିବ ।
ଆପଣ ଭାରତୀୟ ସୈନ୍ୟ ବିଭାଗରେ କାମ କରିନଥିଲେ । ତେବେ ମେଜର ଉପାଧି ଆପଣଙ୍କ ନାଁ ସହିତ କିପରି ଯୋଡ଼ି ହେଲା , ସେ ବିଷୟରେ କିଛି କହିବେ?
ମୁଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଜଣେ ଅଫିସର୍। ତେବେ ୨୦୦୦ ମସିହାରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କଠାରୁ ପଚିଶି ବର୍ଷର ଦୀର୍ଘ କର୍ମ ନିଷ୍ଠତା ଓ ସମାଜକୁ ବହୁମୂଲ୍ୟ ସେବା ପ୍ରଦାନ କରିବାର ଫଳଶ୍ରୁତି ସ୍ୱରୂପ ଲାଇଫ ଟାଇମ ରାଙ୍କ ଅଫ ମେଜର ଉପାଧି ପ୍ରାପ୍ତ ହୋଇଛି ଯାହାକି ମୋ ନାଁ ସହିତ ଯୋଡ଼ି ହେଇ ରହିଛି ଏବଂ ମୁଁ ଶେଷ ନିଃଶ୍ୱାସ ତ୍ୟାଗ କଲା ଯାଏଁ ମୋ ନାଁ ସହିତ ଯୋଡ଼ି ହେଇ ରହିବ ।
ଜଣେ ନାଟ୍ୟକାରର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଆବଶ୍ୟକ କି ?
ପ୍ରତ୍ୟେକ ମଣିଷର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ । ନାଟ୍ୟକାର ଏହି ମଣିଷମାନଙ୍କ ମଧ୍ୟରେ ଜଣେ। ସୁତରାଂ ସମାଜପ୍ରତି ତା’ର ଅଙ୍ଗୀକାରବଦ୍ଧତା ରହିବା ସ୍ଵାଭାବିକ ।
ଯଦିଓ ନାଟକ ସାହିତ୍ୟର ଏକ ବଡ଼ ଅଂଶ ଏବେ ଯୁବପୀଢ଼ି ନାଟକ ଲେଖିବା ପାଇଁ ଆଗ୍ରହୀ ହେଉ ନାହାଁନ୍ତି। ସେ ବିଷୟରେ କ’ଣ କହିବେ ?
ଯେ ପକ୍ଷୀ ଉଡେ ଯେତେ ଦୂର, ସେ ଜାଣେ ତାହାର ବେଭାର । ଆକାଶ ସାରା ଖେଦି ଉଡ଼ି ବୁଲିବାକୁ ପକ୍ଷୀର ବୟସ ଜରୁରୀ ନୁହେଁ। ଜରୁରୀ ଗଭୀର ଅନ୍ତର୍ଦୃଷ୍ଟି , ମୁଗ୍ଧ ଉଡାଣ କୌଶଳ, ଚିତ୍ତର ଲକ୍ଷ୍ୟଭେଦୀ ଏକାଗ୍ରତା। ଯୁବ ନାଟ୍ୟକାର ମାନେ ଜୀବନ ଭିତରକୁ ଯେତିକି ପ୍ରବେଶ କରିବେ, ନାଟ୍ୟକାର ହିସାବରେ ସେତିକି ସଫଳ ହେବେ ।