Latest Odisha News

ପୁରସ୍କାର, ସାମୟିକ ଭାବରେ ଉତ୍ସାହିତ କରେ : ଶର୍ମିଷ୍ଠା ସାହୁ

ସମକାଳୀନ ଓଡ଼ିଆ ସାହିତ୍ୟରେ କବୀ ଶର୍ମିଷ୍ଠା ସାହୁ ଏକ ସଶ୍ରଦ୍ଧ ଉଚ୍ଚାରଣ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ କବିତା କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ତାଙ୍କ ରଚିତ ଝଡ଼ପକ୍ଷୀର ଗୀତ, ପବନର ପାଚେରୀ, ରାତି ଜଗୁଆଳିର ଡାକ ପ୍ରଭୃତି ପୁସ୍ତକ ବିଶେଷ ଭାବରେ ସାଉଁଟି ପାରିଛି ବିପୁଳ ପାଠକୀୟ ଆଦୃତି। ତାଙ୍କର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ଶର୍ମିଷ୍ଠା ସାହୁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ଜୀବନ ଓ ସାହିତ୍ୟ ପରସ୍ପର ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଜୀବନକୁ ନେଇ ତ ସାହିତ୍ୟର ସୃଷ୍ଟି।ଜୀବନ ବାହାରେ ସାହିତ୍ୟର କୋୖଣସି ଅସ୍ତିତ୍ବ ନାହିଁ। ସାହିତ୍ୟର ଦର୍ପଣରେ ଜୀବନର ପ୍ରତିଫଳନ ଦେଖୁଁ ଆମେ।ଅବଶ୍ୟ ଦର୍ପଣର କାଚ କେବେ ଉତ୍ତଳ , କେବେ ଅବତଳ ହୋଇପାରେ। ସେଇ ଅନୁସାରେ ଜୀବନର ଛବି ଭିନ୍ନ ଭିନ୍ନ ହୋଇପାରେ। ଆଉ ଗୋଟେ ଦିଗରୁ ଦେଖିଲେ- ଜୀବନରୁ ସାହିତ୍ୟର ଉତ୍ପତ୍ତି ହେଲେ ବି ମଣିଷ ଜୀବନ ଉପରେ ବି ସାହିତ୍ୟର ପ୍ରଚୁର ପ୍ରଭାବ ରହି ଆସିଛି ଯୁଗ ଯୁଗ ଧରି।ମୁର୍ଖରୁ ମୂର୍ଖ ଲୋକ ବି ତାର ଅଜାଣତରେ ସାହିତ୍ୟ ସହ ଜଡ଼ିତ ହୋଇ ରହିଥାଏ। ଲୋକସାହିତ୍ୟର ସୃଷ୍ଟି ଏହାର ପ୍ରକୃଷ୍ଟ ପ୍ରମାଣ।

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?

କାହା କାହା ନାମ କହିବି? ଅନେକ ପ୍ରଣମ୍ୟ ସ୍ରଷ୍ଟା ଅଛନ୍ତି ଯେଉଁମାନେ ମୋତେ ଆନ୍ତରିକ ଭାବରେ ପ୍ରଭାବିତ କରିଛନ୍ତି। ମୁଁ ହାଇସ୍କୁଲରେ ପଢିବା ସମୟରେପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କର ,ଯିଏ ବିଶ୍ୱପ୍ରସିଦ୍ଧ ରଙ୍ଗବତୀ ଗୀତର ମହାନ ସ୍ରଷ୍ଟା।ତାଙ୍କ ସଂସ୍ପର୍ଶରେ ଆସିବାର ସୌଭାଗ୍ୟ ପାଇଛି , ତାଙ୍କରି ଗାଁ ଜରାବଗା ,ବିଲୁଙ୍ଗରେ । ତାଙ୍କ ଘରେ, ତାଙ୍କ ବହିପତ୍ର ଦେଖିବା, ତାଙ୍କ କବିତା ଲେଖା ଦେଖିବା ନିଶ୍ଚିତ ଭାବରେ ମୋ ଭିତରେ କବିତାର ପ୍ରଥମ ବୀଜ ବୁଣିଥିଲା। ଦ୍ବିତୀୟରେ ମୋ ବାପା ଜଣେ ସଂକୀର୍ତ୍ତନ ଗାୟକ ହୋଇଥିବାରୁ ଅନେକ ଗୀତ ତାଙ୍କ ଗୀତ ଖାତାରେ ଥିଲା। ଅନେକ ସମୟରେ ତାଙ୍କ ପାଇଁ ଗୀତ ଉତାରି ଦେଉଥିଲି ମୁଁ। ବଙ୍ଗଳା ମିଶା ଓଡ଼ିଆ ଗୀତ ଗୁଡ଼ିକ ଭାରି ମଧୁର, ଲାଳିତ୍ୟ ଭରା। ସେ ଗୀତର କବିମାନଙ୍କ ନାଁ ମୋର ମନେ ନାହିଁ। ପରେ ଓଡ଼ିଆ ସାହିତ୍ୟର ମହାନ କବିମାନଙ୍କ କବିତା ସହ ପରିଚୟ ହେଲା। ଗଙ୍ଗାଧର, ରାଧାନାଥ, ମାୟାଧର ମାନସିଂ, ଗୁରୁପ୍ରସାଦ, ଭାନୁଜୀ ରାଓ, ସଚ୍ଚି ରାଉତରାୟ, ରମାକାନ୍ତ, ସୀତାକାନ୍ତ, ସୌଭାଗ୍ୟ ମିଶ୍ର,ଜଗନ୍ନାଥ ପ୍ରସାଦ, ରାଜେନ୍ଦ୍ର କିଶୋର,ଏ ସମସ୍ତ ବରେଣ୍ୟ କବିଙ୍କ ପାଖରେ ମୁଁ ଋଣୀ। ସୌରୀନ୍ଦ୍ର ବାରିକଙ୍କ ‘ଆକାଶ ପରି ନିବିଡ଼ ‘ଓ ‘ଲୁହଠୁ ବି ଅନ୍ତରଙ୍ଗ’ ଓ ଦୀପକ ମିଶ୍ରଙ୍କ ‘ସପ୍ତମ ପୃଥିବୀ ‘ବାରମ୍ବାର ପଢ଼ିଛି ଛାତ୍ରୀ ଥିବା ସମୟରେ। ସୀତାକାନ୍ତଙ୍କ ‘ଘାସଫୁଲ ‘ଓ ରମାକାନ୍ତଙ୍କ ‘ଲଣ୍ଠନ’ ମୋ ଭିତରେ କବିତା ଓ ଜୀବନର ଅଦ୍ଭୁତ ସମ୍ପର୍କ ପ୍ରତି ପ୍ରଚୁର ଆଗ୍ରହ ସୃଷ୍ଟି କଲା। ହାଇସ୍କୁଲରେ ପଢ଼ିବା ସମୟରେ ଆଧୁନିକ କବିତାର ସବୁକିଛି ବୁଝି ପାରୁନଥିଲି । କିନ୍ତୁ ଯେଉଁ ଅଂଶ ବୁଝି ପାରୁଥିଲି ତାହା ଟିପି ରଖୁଥିଲି ଡାଇରୀରେ। ମୋତେ କବିତାର ପ୍ରକାଶଭଙ୍ଗୀ ବହୁତ ଆକୃଷ୍ଟ କରୁଥିଲା। ପରେ ନିଜେ ସେମିତି ଲେଖିବାକୁ ଚେଷ୍ଟା କରୁଥିଲି।

କବିତାର ଭାବ ନା ଗଳ୍ପର କଳେବର, କେଉଁଥିରେ ଆପଣ ଅଧିକ ସନ୍ତୁଷ୍ଟ ?

ମୁଁ ତ ଗପ କେବେ ଲେଖି ନାହିଁ।ତେଣୁ ଲେଖକ ହିସାବରେ କବିତା ହିଁ ଏଯାଏଁ ଏକମାତ୍ର ମାଧ୍ୟମ ହୋଇଛି ଭାବ ପ୍ରକାଶର।କିନ୍ତୁ ପାଠକ ହିସାବରେ ମୁଁ ଉଭୟକୁ ଭଲପାଏ।ବେଳେବେଳେ କବିତାରେ ଗଳ୍ପର କଥନିକା ଓ ଗଳ୍ପରେ କବିତାର ଭାବ ଦେଖାଯାଇପାରେ।ସୁଚାରୁ ରୂପେ ଲେଖା ହୋଇଥିଲେ ଉଭୟରେ ପାଠକୀୟ ସନ୍ତୁଷ୍ଟି ମିଳେ।

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?

କେବଳ ନାରୀ ନୁହଁନ୍ତି, ପୁରୁଷ ମାନେ ବି ଲେଖକ ହିସାବରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଏଠି ଯେଉଁ ପରିପ୍ରେକ୍ଷୀରେ ଏ ପ୍ରଶ୍ନ ଆସିଛି, ତାହା ବୋଧେ ଲେଖିକା ହିସାବରେ ନାରୀର ସ୍ୱାଧୀନତାକୁ ନେଇ। ମାନସିକ ଭାବରେ ଯଦି ଦେଖିବା, ତେବେ ସମାଜ ଯେତିକି ଅସୁବିଧା କରେ କି ବନ୍ଧନ ଦିଏ, ତା’ଠୁ ବେଶୀ ନିଜ ଭିତରେ ବାନ୍ଧି ହୋଇଥାଏ ନାରୀ। ଅଥବା ବନ୍ଧା ହୋଇଛି ବୋଲି ଭ୍ରମରେ ଥାଏ। ପୋଷା ହାତୀ ଯେମିତି ଜାଣି ପାରେନି ତାର ବଳ କେତେ ଠିକ ସେମିତି ନାରୀ ବି ଭୁଲିଯାଏ ଯୁଗ ଯୁଗର ବନ୍ଧନ ଯୋଗୁଁ । ବନ୍ଧନ ଖୋଲା ହେଲା ପରେ ବି ବୋଧହୁଏ ନାରୀଟିଏ ସହଜ ହୋଇ ପାରେନି । କିନ୍ତୁ ଯିଏ ନିଜର ଆତ୍ମଶକ୍ତିକୁ ଚିହ୍ନେ, ତା ପାଖକୁ ଅସୁବିଧା ସହଜରେ ଆସେ ନାହିଁ।ଆସିଲେ ବି ତାକୁ ପରାହତ କରି ସେ ଆଗକୁ ବଢିଯାଏ। ବାହ୍ୟ ଅସୁବିଧା କଥା ଯଦି କହିବା, ତାହା ତ ପରିବାର, ପରିସ୍ଥିତି ଅନୁସାରେ ସମସ୍ତଙ୍କ ଅଲଗା ଅଲଗା। ପରିବାରରେ ଅବଶ୍ୟ ନାରୀକୁ ଅଧିକ ଦାୟିତ୍ୱ ବହନ କରିବାକୁ ପଡ଼େ ।ତେଣୁ ବେଳେବେଳେ ସମୟ ସହ ବୁଝାମଣା କରିବାକୁ ହୁଏ ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ଆମ ସହର ବରଗଡ଼ର ଏକ ପତ୍ରିକା ‘ନୀତି ନନ୍ଦିଘୋଷ’ରେ ପ୍ରକଶିତ ହୋଇଥିଲା ମୋର ପ୍ରଥମ କବିତା ଯା’ର ଶୀର୍ଷକ ଥିଲା ‘ବସନ୍ତ ଆସିଲେ’। ପ୍ରଥମ କରି ଛପା ଅକ୍ଷରରେ ନିଜର ନାଆଁ ଓ କବିତା ଦେଖିବାର ଆନନ୍ଦ ଅବର୍ଣ୍ଣନୀୟ। ଶହେ ଥର, ହଜାରେ ଥର ବୋଧେ ପଢିଥିବି ସେ କବିତା, ହାତରେ ଆଉଁଷି ଥିବି ଅକ୍ଷରମାନଙ୍କୁ। ପତ୍ରିକାର ସମ୍ପାଦିକା କବିତା ମେହେର ଓ ଅନ୍ୟ ମାନେ ଏବେ ବି ବରଗଡ଼ର ସାହିତ୍ୟିକ ବାତାବରଣକୁ ପୁଷ୍ଟ କରି ରଖିଛନ୍ତି। ମୁଁ ଆଜୀବନ ଶ୍ରଦ୍ଧାରେ ସ୍ମରଣ କରିବି ସମସ୍ତଙ୍କୁ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ଇପ୍ସିତ ସୃଷ୍ଟିମାନେ ସବୁଠୁ ବେଶି ଇଚ୍ଛା କରିଥିବା ସୃଷ୍ଟି ନା ସର୍ବୋତ୍ତମ ସୃଷ୍ଟି ? ଯଦି ଇଚ୍ଛା କରିଥିବା ସୃଷ୍ଟି କଥା କହୁଛ, ତେବେ ହଁ, ଅନେକ କବିତାରେ ନିଜ ଅନ୍ତରର ଗଭୀର ଉଦବେଳନକୁ ରୂପ ଦେଇ ମୁଁ ଆନନ୍ଦ ପାଇଛି, ଆଶ୍ୱସ୍ତି ପାଇଛି। କିନ୍ତୁ ସର୍ବୋତ୍ତମ ସୃଷ୍ଟି କଥା ଯଦି କହୁଛ, ତେବେ ନା, ଏଯାଏଁ ଲେଖି ପାରିନି ନିଜର ଇପ୍ସିତ କବିତା। ବୋଧହୁଏ ସବୁ କବି ଏମିତି ଅପୂର୍ଣ୍ଣ, ଅଧୁରା ଅନୁଭବ ନେଇ ବଞ୍ଚନ୍ତି ।ପ୍ରତ୍ୟେକ କବିତା ଲେଖିଲା ପରେ କିଛିକ୍ଷଣର ଉଲ୍ଲାସ ପରେ ପୁଣି ଖାଲିପଣରେ ଘାରି ହୁଏ କବି। ପୁଣି ନୂଆ ଲେଖିବାକୁ ବ୍ୟଗ୍ର ହୁଏ। ନଲେଖି ପାରିଲେ ହତାଶ ହୁଏ। ମରିବା ଯାଏଁ ବୋଧେ ଏଇ କ୍ରମ ଜାରି ରହେ। ନିଜର ଇପ୍ସିତ କୃତିଟି ବା ସର୍ବୋତ୍ତମ ସୃଷ୍ଟିଟି ଲେଖି ସାରିଲାଣି ବୋଲି ଯଦି ଜଣେ ଭାବୁଥାନ୍ତା, ତା’ପରେ ହୁଏତ ସେ ଆଉ କିଛି ବି ଲେଖିବାକୁ ଇଚ୍ଛା କରନ୍ତା ନାହିଁ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ବହୁତ ସହାୟକ ହୋଇଛି।କେବଳ ପତ୍ର ପତ୍ରିକା ଆଉ ପ୍ରକାଶର ମାଧ୍ୟମ ହୋଇ ରହି ନାହିଁ।ନୂଆ ଲେଖକ ଲେଖିକା ମାନଙ୍କୁ ସୋସିଆଲ୍ ମିଡିଆ ଦ୍ୱାରା ବହୁତ ଲାଭ ମିଳୁଛି। ଖୁବ କମ୍ ସମୟରେ ସାହିତ୍ୟ ସମ୍ପର୍କୀତ ସମସ୍ତ ଖବର ବି ମିଳିଯାଉଛି। ଦୁନିଆଯାକର ସାହିତ୍ୟିକ ବାତାବରଣ ସୋସିଆଲ ମିଡ଼ିଆ ହେତୁ ଚଞ୍ଚଳ ରହୁଛି। ନିଜ ପ୍ରିୟ ପାଠକ, ପାଠିକା ଓ ପ୍ରିୟ ଲେଖକ, ଲେଖିକାଙ୍କ ପାଖରେ ଏତେ ସହଜରେ ଆଗରୁ ପହଞ୍ଚି ହେଉ ନଥିଲା। ବରିଷ୍ଠ, କନିଷ୍ଠ ଭେଦଭାବ ସୋସିଆଲ ମିଡ଼ିଆ ହେତୁ ଅନେକ ପରିମାଣରେ କମି ଯାଇଛି ବୋଲି ମନେ ହୁଏ । କାରଣ ଏଠି ସମସ୍ତେ ସମାନ । ଏଠାରେ ବହୁତ ସହଜରେ ଲେଖା ସମ୍ପର୍କରେ ଭାବର ଆଦାନ ପ୍ରଦାନ ହୋଇ ପାରେ । ସେଥିପାଇଁ ସାହିତ୍ୟର ପ୍ରଚାର ପ୍ରସାର ଏବଂ ଅଗ୍ରଗତି ପାଇଁ ନିହାତି ଭାବରେ ସାମାଜିକ ଗଣ ମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି।

ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?

ସତ ପାଠକଟିଏ ହିଁ ନକାରାତ୍ମକ ମତ ଦେବାର ସାହସ କରିପାରେ ଏବଂ ସତ୍ ସାହିତ୍ୟିକ ହିଁ ନିଜ ବିଷୟରେ ନକାରାତ୍ମକ ମତ ଶୁଣିବାର ସାହସ ରଖେ। ମୁଁ ଆନନ୍ଦିତ ହେବି ସେଭଳି ପାଠକ ପାଇଲେ।ହୁଏ ମଧ୍ୟ। ବ୍ୟଙ୍ଗ କବି ରାଧୁ ମିଶ୍ର ଦାଦା କହନ୍ତି -‘ତୁମର୍ କବିତାରେ କିଛି ନ ଥାଏ, ତଥାପି ଭଲ ଲାଗେ’।ଅମୃତାୟନ ନବପର୍ବରେ ହରପ୍ରସାଦ ଦାସ ସାର୍ ପ୍ରାୟ ଅଭିଯୋଗ କରୁଥିଲେ ଗୋଟିଏ ନିର୍ଦ୍ଦିଷ୍ଟ ଭାବଭୂମିରେ ମୋର କବିତାର ବିଚରଣ ସବୁବେଳେ। ମୋ କବିତାରେ ମୁକ୍ତପଣ ନାହିଁ। ଥରେ ଅଖିଳଦିବସ ଉତ୍ସବରେ ମୁଁ ମୋର କବିତା ପଢ଼ି ସାରିଲା ପରେ ରାଜେନ୍ଦ୍ର ପଣ୍ଡା ସାର୍ କହିଲେ ‘ଠିକ ହେଲାନାହିଁ ‘। ପ୍ରିୟ କବି ବାନ୍ଧବୀ ସ୍ୱପ୍ନା ବି ମୋ କବିତା ପଢିଲେ ଆଗ ଯାହା ଠିକ ଲାଗୁନି କହି ଦିଅନ୍ତି।କବିତାରେ ‘କେମିତି ‘କୁହାଯାଉଛି ଅପେକ୍ଷା ‘କଣ’ କୁହା ଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି। ମୁଁ ସମସ୍ତଙ୍କ ମତକୁ ସମ୍ମାନର ସହ ଗ୍ରହଣ କରିଛି । ଏ ତ ଗଲା ଗୁଣୀଜନଙ୍କ ମତ ଯାହାଙ୍କ ଯେ କୌଣସି ମତ ଆମକୁ କିଛି ଶିଖାଏ। କିଛି ଏମିତି ପାଠକ ବି ଥାନ୍ତି ଯେଉଁମାନେ ଆଧୁନିକ କବିତା ବୁଝି ପାରନ୍ତିନି।ତାଙ୍କୁ ଉତ୍ତର ଦେବା ମୁସ୍କିଲ ହୋଇପଡ଼େ। ନିକଟରେ ଜଣେ ପ୍ରଫେସର ମୋ କବିତା ସମ୍ପର୍କରେ କହିଲେ କି ସେ ମୋ କବିତା ଭିତରକୁ ପଶି ପାରୁନାହାନ୍ତି। ସରଳ ବୋଧଗମ୍ୟ ହେବା କଥା କବିତାର ଭାଷା।ମୁଁ ବୁଝିପାରିଲିନି ଏତେ ସରଳ ହେଲାଣି ଏବେ କବିତାର ଭାଷା। ୟାଠୁ ବି ସରଳ ଜଣେ କେମିତି ଲେଖିବ?ତାଙ୍କୁ ଖାଲି କହିଲି ଆଧୁନିକ କବିତା ସମସ୍ତଙ୍କ ପାଇଁ ନୁହେଁ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ସାମୟିକ ଭାବରେ ଉତ୍ସାହିତ କରେ ପୁରସ୍କାର। ସ୍ୱତନ୍ତ୍ର ପରିଚୟ ତ ଦିଏ ନିଶ୍ଚୟ। କିନ୍ତୁ ସବୁ କିଛି ସାମୟିକ। ଲେଖକ ଯଦି ପାଠକଙ୍କ ହୃଦୟରେ ନାହିଁ ତେବେ ସବୁ ବୃଥା ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ମୋ ନିଜ ପାଇଁ ଯଦି କହିବି, ତେବେ କେବଳ ଏତିକି ମୋର ସ୍ୱପ୍ନ , ସାହିତ୍ୟମନସ୍କ ହୋଇ ରୁହେ ସବୁଦିନ। କବିତା ଲେଖିବାର କଳା, ଲେଖିପାରିବାର ଆନନ୍ଦ ମୋ ପାଖେ ରହୁ ଆଜୀବନ। ସାମୁହିକ ଭାବରେ କହିବି ଯଦି ଆମ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ପ୍ରଚୁର ଅନୁବାଦ ହେଉ। ଆମ ଭାଷାର ସାହିତ୍ୟ ସମ୍ପଦ ଅନ୍ୟ ଭାଷାଭାଷୀଙ୍କୁ ଚମତ୍କୃତ କରୁ। ସମ୍ବଲପୁରୀ ଭାଷାରେ ବି କିଛି ଗୁରୁତ୍ୱପୂର୍ଣ୍ଣ କାମ କରିବାର ଇଚ୍ଛା ଅଛି।

Comments are closed.