ଜୀବନ ଦର୍ଶନକୁ ବାଦ୍ ଦେଇ ସର୍ଜନା ସମ୍ଭବ ନୁହେଁ : ସତ୍ୟବତୀ ସ୍ୱାଇଁ

0
20

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ସତ୍ୟବତୀ ସ୍ୱାଇଁ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର ।

ହୃଦୟ ହଜିଛି , ନିଶା, ସ୍ପର୍ଶ, ଦୃଶ୍ୟ ପ୍ରଭୃତି ଗଳ୍ପ ସଙ୍କଳନ ସହ ଆହୁରି ଅନେକ ଗଳ୍ପ ଓ କବିତାର ସେ ଜଣେ କାଳଜୟୀ ସ୍ରଷ୍ଟା । ସୃଷ୍ଟି ଓ ସର୍ଜନାର କ୍ଷେତ୍ରରେ ନିଜର ଅନବଦ୍ୟ କୃତି ପାଇଁ ସେ ଅନେକ ସାହିତ୍ୟାନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖିକା ସତ୍ୟବତୀ ସ୍ୱାଇଁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ଦେହ ଓ ନିଃଶ୍ବାସ ପରି ସାହିତ୍ୟ ଓ ଜୀବନ ପରସ୍ପର ସହ ଜଡ଼ିତ । ଯେଉଁଠି ଜୀବନ ସେଇଠି ସାହିତ୍ୟ। ସାହିତ୍ୟରେ ଜୀବନ ଗୋଟେ କାହାଣୀ। ସାହିତ୍ୟ ପଢି ତ ଜୀବନରେ ସୁଧାର ଆସେ। ଜୀବନରେ ସାହିତ୍ୟ ହିଁ ଭୁଲ୍ ଠିକ୍କୁ ଓ ସତ୍ୟର ପ୍ରତିଛବି ଦେଖାଏ। ସମୟ, ସଭ୍ୟତା, ସହ ସମାଜର ପ୍ରତିଟି ଦିଗକୁ ଉତ୍ତର ସାହିତ୍ୟ ହିଁ ପହଞ୍ଚାଇଥାଏ। ସମାଜର ଏଇ ସାହିତ୍ୟ ଦର୍ପଣରେ ଉତ୍ତରଦାୟାଦ ଦେଖେ ପୂର୍ବଶୁରୀଙ୍କର ସାମାଜିକ, ଆର୍ଥିକ, ଧାର୍ମିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ବୈଜ୍ଞାନିକ, ନୈତିକ ଏବଂ ଅନ୍ୟ ସମସ୍ତ ଦିଗର ପ୍ରତିବିମ୍ବ। ତା’ ସହ ଲେଖେ ବର୍ତ୍ତମାନକୁ , ନିଜକୁ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଏବଂ ନିଜ ଲେଖାର ମୁଦ୍ରିତ ରୂପ ଦେଖି ଆପଣଙ୍କ କ’ଣ ଅନୁଭବ କରିଥିଲେ ?

‘ଆକାଶେ ଆଷାଢ଼’ ଗଳ୍ପଟି ମୋର ପ୍ରଥମ କ୍ଷୁଦ୍ରଗଳ୍ପ। ପ୍ରସବ ବେଦନା ପରେ ନିଜ ସନ୍ତାନକୁ ଦେଖି ମାଆଟିଏ ଯେଉଁ ଅକଳନ ଆନନ୍ଦ ଅନୁଭବ କରେ ଠିକ୍ ସେମିତି ଲାଗିଥିଲା ‘ ଆକାଶେ ଆଷାଢ଼ ‘ର ମୁଦ୍ରିତ ରୂପ ଦେଖି।ଏହା ରେଭେନ୍ସାରେ ଯୁକ୍ତ ଦୁଇ ପଢିବା ସମୟ କଥା। କେତେ ଥର ସେଇ ଲେଖାଟିକୁ ମୁଁ ନିଜେ ପଢି ଅପାର ଖୁସି ସାଉଁଟିଛି ତାହା କହିବାକୁ ମୋ ପାଖେ ଶବ୍ଦର ଅଭାବ। କେବଳ ଅନୁଭବ କରିଛି ମୋ ହୃଦୟ ଏ ନିରୁତା ଖୁସିର ଅପୂର୍ବ ଓ ଚମତ୍କାର ସ୍ୱାଦ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ସର୍ଜନା ମଗ୍ନ ମଣିଷ ଭାବର ଛାଞ୍ଚରେ ଗଳ୍ପ ,କବିତା ଗଢିଲା ବେଳେ ଏମିତି ତନ୍ମୟ ହୋଇଥାଏ ସେ ଇଚ୍ଛା କରି କିଛି ଗଢିପାର ନାହିଁ। କେହି ତା କଲମକୁ ଠେଲି ନେଉଥାଏ ଆଗକୁ ଆଗକୁ । କାଳିସି ଲାଗିଲା ପରି ସେ ଲେଖିବା ସମୟତକ ନିଜର ଅସ୍ତିତ୍ୱ ହଜାଇ ଜୀଉଁଥାଏ ଚରିତ୍ରର ଜୀବନ । ଉତୁରା ପେଜ ପରି ଢ଼ାଙ୍କୁଣୀ ଖୋଲି ବାହାରି ଆସେ ଗଳ୍ପ କି କବିତା।ଲେଖିସାରି ପଢିଲା ପରେ ବେଳେବେଳେ ଅବିଶ୍ୱାସ ହୁଏ,” ଏ ଗଳ୍ପଟି ମୁଁ ଲେଖିଛି !”

ସ୍ରଷ୍ଟା ଆଖିରେ ସବୁ ସୃଷ୍ଟି ସୁନ୍ଦର। ଇପ୍ସିତ ସୃଷ୍ଟିକୁ ଏନ୍ତୁଡ଼ିଶାଳରୁ ଆଣିଲା ପରେ ଲାଗେ ହୁଏତ କିଛି ରହିଗଲା । ଆହୁରି ଭଲ ହୋଇ ପାରିଥାନ୍ତା। ଏ ଏମିତି ଏକ ଶୋଷ ଯାହା କେବେ ବି ମରେନା । ଯେମିତି ସୁନ୍ଦର ଝିଅଟିଏ ଆଉ ଟିକେ ସୁନ୍ଦରୀ ହୋଇଥାନ୍ତି କି ଲୋଭକୁ ସମ୍ବରଣ କରି ପାରେ ନାହିଁ। ମୋତେ ଲାଗେ ମୁଁ ତ ବ୍ରହ୍ମା ,ବିଷ୍ଣୁ ମଡାଉଛି ଏବେ। ମୋତେ ବହୁତ ଶିଖିବାର ଅଛି, ପ୍ରଚୁର ପଢ଼ିବାର ଅଛି। ନିଜକୁ ପଲିସ କରିବାର ଆହ୍ୱାନଟିଏ ବି ଅଛି।

ଯଦି ପାଠକ ନକରାତ୍ମକ ମତ ରଖନ୍ତି,  ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?

ଉ: ଆବଡ଼ା ଖାବଡା ପଥର ପାଲିସ ହେବାର ସମ୍ଭାବନା ସୃଷ୍ଟି କରୁଥିବା ସେହି ପାଠକ ଈଶ୍ବରମାନଙ୍କୁ ହୃଦୟରୁ ସଶ୍ରଦ୍ଧ ସମ୍ମାନ ଓ ଶ୍ରଦ୍ଧା ନିଶ୍ଚିତ ଜଣାଏ। ସେମାନଙ୍କୁ ମୋର ଗୁରୁଙ୍କର ଆସନ ଦେଇ ପ୍ରଥମେ ପ୍ରଣାମ ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରେ। ସତ କହିବାକୁ ଗଲେ ମୁହଁ ବହିରେ କେବଳ ଏଇ ଲକ୍ଷ୍ୟ ରଖି ଲେଖା ଦିଏ କି କେହି ଲେଖକ କିମ୍ବା ପାଠକ ମୋ ଭୁଲ୍ କେଉଁଠି ଅଛି ଦର୍ଶାନ୍ତୁ ଯାହାଦ୍ୱାରା ମୁଁ ଅଧିକ ସଂଶୋଧିନ କରିବି ନିଜକୁ । ସେମାନେ ଅଛନ୍ତି ବୋଲି ତ ମୁଁ ଠିକ୍ ହୋଇ ପାରୁଛି। ସତର୍କ ରୁହେ, ନିଜ ଭିତରକୁ ବିଶ୍ଳେଷଣ କରେ ଏବଂ ବାରମ୍ବାର ନିଜ ଲେଖାକୁ ପଢି ତ୍ରୁଟି ସଂଶୋଧନ କରିବାର ଅବସର ସୃଷ୍ଟି କରେ। ପ୍ରକୃତ ପାଠକୀୟ ଗଠନାତ୍ମକ ମତକୁ ସବୁବେଳେ ସୁ ସ୍ୱାଗତ କରେ ହୃଦୟରୁ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ଏହା ଏକ ଅତି ସମ୍ବେଦନଶୀଳ ଏବଂ ମୋ ପାଇଁ ବହୁତ କଠିନ ପ୍ରଶ୍ନଟିଏ। ବର୍ତ୍ତମାନ ଏ ଦୁଇଟିର ସଂଜ୍ଞା ଓ ସ୍ୱରୂପ ସହ ସମସ୍ତେ ଅବଗତ। ଏହା କୁହା ଯାଇ ପାରେ ଖୁସି ଏବଂ ପ୍ରେରଣାର ଅନେକ ଗୁଡିଏ ଉତ୍ସ ମଧ୍ୟରୁ ଦକ୍ଷତା ଭିତ୍ତିକ ସ୍ୱଚ୍ଛ ଓ ଯଥାର୍ଥ ପୁରସ୍କାର ଗୋଟିଏ। ଏହା ଆଗକୁ ଗଢିବା, ବଢିବା ଏବଂ ନୂତନ କଳା କୌଶଳ ପ୍ରୟୋଗ କରିବାର ଶୋଷ ବଢାଇଥାଏ।ଆତ୍ମବିଶ୍ୱାସ ଓ ଆତ୍ମ ପ୍ରତ୍ୟେୟ ଦେଇ ଅଧିକରୁ ଅଧିକ ସୃଜନ ମନସ୍କ ହେବାକୁ ପ୍ରେରିତ କରେ।ଏହା ମଧ୍ୟ ସାହିତ୍ୟିକଙ୍କୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିଥାଏ।

ବାକି ରହିଲା ପରିଚିତି କଥା। ବିନା ପରିଚୟରେ ଅସ୍ତିତ୍ୱ କାହିଁ ? ପରିଚୟ ନଥିଲେ ଲୋକ ଲୋଚନ ଆଢୁଆଳରେ ସକାଳେ ଫୁଟି ସନ୍ଧ୍ୟାରେ ଝଡ଼ିବା ଫୁଲର ଭାଗ୍ୟକୁ ପ୍ରାପ୍ତ ହୁଅନ୍ତି ଅନେକ ସାହିତ୍ୟିକ। ପରିଚିତି ସାହିତ୍ୟିକଙ୍କୁ ଦାୟିତ୍ୱବାନ କରାଏ । ସୃଷ୍ଟିରେ ଆତ୍ମ ବିଭୋର ହେବାକୁ ଶିଖାଏ। ନିଜକୁ ମାର୍ଜିତ କରିବାକୁ ଅବସର ଦିଏ। ଯେହେତୁ ଜଣଙ୍କ ପରିଚିତି ବଢ଼ିଗଲେ ଅନ୍ୟମାନଙ୍କର ଅପେକ୍ଷା ବଢିଯାଏ ତାଙ୍କ ପ୍ରତି। ଅନ୍ୟମାନଙ୍କୁ ନିରାଶ ନ କରିବା ପାଇଁ ନିଜର ବ୍ୟକ୍ତିଗତ ତ୍ରୁଟିକୁ ସଜାଡ଼ିବା ସହ ସର୍ବୋତ୍ତମ ସୃଷ୍ଟି କରିବା ଉଦ୍ୟମରେ ଲାଗି ପଡେ ଜଣେ ସାହିତ୍ୟିକ। ଅତଏବ ପରିଚିତି ଜଣେ ସାହିତ୍ୟିଙ୍କୁ ରୋଲ ମଡେଲ ହେବାକୁ ପ୍ରେରିତ କରେ।

ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରୁହନ୍ତି କି ?

ଏ ପ୍ରଶ୍ନଟି ଅସ୍ମିତାର ପ୍ରଶ୍ନ। ବିଶ୍ୱ ହୃଦୟ ଛୁଇଁ ନୂଆ ସତେଜ ସୁସ୍ଥ ସକାଳ ଓ ନୂତନ ଇତିହାସ ସୃଷ୍ଟି କରିବାର ସାମର୍ଥ୍ୟ ରଖଛନ୍ତି ଆମ ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାମାନେ ଯୁଗେ ଯୁଗେ ପୂଜ୍ୟା ଓ ନମସ୍ୟା । ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟଙ୍କୁ ଦେଖିଲେ ଜାଣି ହୋଇଯାଏ ଏହାର ସତ୍ୟତା।

ପରିତାପର ବିଷୟ ଅନେକ ବିଚକ୍ଷଣ ପ୍ରତିଭାଧାରୀ ନାରୀ ଲେଖିକା ବଣ ମଲ୍ଲୀ । ଏବେ ବି କିଛି ପରିବାରରେ ଲେଖା ଲେଖିକୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। ଅଯଥା ସମୟ ଅପଚୟ ବୋଲି ଯୁକ୍ତି ବାଢ଼ନ୍ତି। ସାହିତ୍ୟର ଯେତେ ଦିଗ ଅଛି ସେ ସମସ୍ତ ନାରୀ ଲେଖିକାଟିଏ ସମାଜର ଇଙ୍ଗିତକୁ ଆଖି ଆଗରେ ରଖି ଉନ୍ମୁକ୍ତ କି ସ୍ୱାଧୀନ ଭାବେ ଲେଖି ପାରେ ନାହିଁ ।

ଅନେକ ସୃଜନ ମନସ୍କ ଗୃହିଣୀ ତଥା କର୍ମଜୀବୀ ଗୃହିଣୀ ପାରିବାରିକ ଓ କର୍ମକ୍ଷେତ୍ରର କର୍ତ୍ତବ୍ୟ ଓ ଦାୟିତ୍ଵ ମଧ୍ୟରେ ଚକି ପରି ପେଷି ହେଉ ହେଉ ସମୟ ଟିକେ ଖୋଜୁଥାଏ ସବୁବେଳେ ଯାହା ତାକୁ ବହୁ କଷ୍ଟରେ ମିଳେ। ସେତେ ବେଳକୁ ସବାର ହୋଇଥିବା ଭାବ ଓ ଶବ୍ଦର ଭୂତ ଓହ୍ଲାଇ ଯାଇଥାଏ ମନରୁ। ଯେତେ କଠିନ ବାଧା ବିଘ୍ନ ଆସିଲେ ବି ସୃଜନ ପାଗଳ ମଣିଷ ସବୁ ଅତିକ୍ରମ କରି ତାର ଉଡାଣ ଭରେ। ସେ ତ ସୃଷ୍ଟି କରିବାକୁ ହିଁ ସୃଷ୍ଟି। ତାକୁ ଅଟକାଇବ କିଏ ? ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗର ଅଭ୍ୟୁଦୟ ପରେ ଅନେକ ନାରୀ ଲେଖିକା ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହେଲେଣି।ପରିବର୍ତ୍ତନ ର ପଞ୍ଚଜନ୍ୟ ବାଜିସାରିଲାଣି।

ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?

ଉ : ପ୍ରଥମେ କହି ରଖେ ମୁଁ ଲେଖକ କମ୍ ପାଠକ ବେଶୀ। ଜଣେ ନିଶାଡି ପଢ଼ାଳି। ବହୁତ ବହୁତ ପଢେ । ଦ୍ରୁତ ଗତିରେ ପାଗଳଙ୍କ ପରି ପଢେ। ବୁଝିଲେ ଖୁସି ଲାଗେ। ନ ବୁଝିଲେ କିଏ ବୁଝାଇ ଦେବ ଖୋଜେ। ବିଶେଷ କରି କିଛି କବିତା ବୁଝିବାକୁ ଅସମର୍ଥ ହୁଏ। ଅସହାୟ କରି ଭାରି କନ୍ଦାନ୍ତି ଏ ମାନେ ମୋତେ। ବାରମ୍ବାର ପଢେ, ବୁଝିବା ଯାଏ ପଢେ। ଏ ନିଶାରେ ମୁଁ ପିଲାଦିନୁ ଅଭ୍ୟସ୍ତ । ଏପରିକି ଆସନ୍ତା କାଲି ୟୁନିଭରସିଟି ପରୀକ୍ଷା ଥିଲେ ବି ବହିଟି ସକାଳେ ଜଣେ ଅପା ନେଇଯିବେ ଜାଣି ରାତି ଅନିଦ୍ରା ହୋଇ ସେଇଟିକୁ ଶେଷ କରିଥିଲି ।

ବାକି ରହିଲା ଜୀବନ ଦର୍ଶନ କଥା । ପ୍ରତି କ୍ଷଣ ଭୋଗର ସେ ନିଜର ହେଉ ବା ନିଜ ପାଖରେ ଘଟୁଥିବା ଅନ୍ୟର ଜୀବନର ଘଟଣା ଦୁର୍ଘଟଣା ହୃଦୟରେ ଆଲୋଡନ ସୃଷ୍ଟି କରି ଶବ୍ଦରେ କାଗଜ ଉପରେ କେଉଁ ଏକ ଆବେଶରେ ଲେଖି ହୋଇ ଗଲେ ଗପ କି କବିତାଟିଏ ତ ଜନ୍ମ ନିଏ , ନୁହେଁ କି ? ଯେଉଁଥିରେ ଜୀବନ ହସେ,କାନ୍ଦେ, ପ୍ରେମ କରେ,ଗଢେ ,ଭାଙ୍ଗେ, ଏବଂ ମରେ ବି । ସବୁ ତ ଗୋଟିଏ ଗୋଟିଏ ଜୀବନ ଦର୍ଶନ।ଜୀବନ ଦର୍ଶନକୁ ବାଦ୍ ଦେଇ ସୃଷ୍ଟି ସମ୍ଭବ କି ?

ହଁ ବେଶୀ ମୋତେ ପ୍ରଭାବିତ କରେ ତ୍ୟାଗର ମନ ଓ ଜୀବନ।ଅନ୍ୟମାନଙ୍କ ପାଇଁ,ଅନ୍ୟମାନଙ୍କର ଓ ଅନ୍ୟମାନଙ୍କ ସହିତ ବଞ୍ଚିବାକୁ ଭଲ ପାଆନ୍ତି ମୋ ସୃଷ୍ଟିର ଚରିତ୍ରମାନେ। ତେଲ ଲୁଣ ସଂସାରରେ ଜହ୍ନ ଯେତେବେଳେ ଫଟା ପଲିଥିନ ତଳେ ଥିବା ମଣିଷ ମାନଙ୍କ ଭଙ୍ଗା ବାଲ୍ଟି ପାଣି ଉପରେ ପଡେ ,ସେଠି ଜୀବନ ମୋର ମଲ୍ଲୀ ଫୁଲିଆ ହସ ହସନ୍ତି ଯାହା ସମସ୍ତ ଅୟସ ଆରାମ ଭିତରେ କେହି ଜଣେ ଆତୁରେ ଖୋଜୁଥାଏ ସେଇ ଫାଳେ ଜହ୍ନ ଆଲୁଅର ଅସ୍ତିତ୍ୱକୁ।

ସାଧାସିଧା ସରଳ ଜୀବନ ପରି ମୋ ସୃଷ୍ଟି ସମ୍ଭାର। ଚାରିପାଖରେ ଘଟୁଥିବା ଘଟଣା,ଦୁର୍ଘଟଣା ଓ ଅସହାୟ ମଣିଷମାନଙ୍କ କଥାରେ ଓଦା। ହଜି ଯାଉଥିବା କିଛି ଓଡ଼ିଆ ଶବ୍ଦ ମୋ ଲେଖାରେ ସୁସ୍ପଷ୍ଟ ହୁଏ।

ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ଏଇ ତ ଆରମ୍ଭ କରିଛି ମାତ୍ର ଲେଖନୀର ଯାତ୍ରା। ଲେଖେ ଓ ପଢେ। ନିଜ ଲେଖାକୁ ତନ୍ନ ତନ୍ନ କରି ସମୀକ୍ଷା କରିବା ଜଣେ ଭଲ ଲେଖକଙ୍କର ସବୁଠାରୁ ଭଲ ଗୁଣ। ଶବ୍ଦ ଭଣ୍ଡାର ଘରେ ମୋର ଅଳ୍ପ ଧନ ଗଛିତ ଅଛି। ଏଥିପାଇଁ ମୋତେ ଅଧିକରୁ ଅଧିକ ପଢି ଶବ୍ଦ ଭଣ୍ଡାର ଧନ ବଢ଼େଇବାକୁ ପଡିବ। ଗଳ୍ପ ସମାପ୍ତିରେ ଚମତ୍କାରିତା ଆଣିବାକୁ ଚାହିଁବି। ସବୁ ଲେଖା ମୋର ବାସ୍ତବବାଦୀ।କଳ୍ପନା ବିଳାସୀ ସୁଦୂର ପ୍ରସାରୀ ଦୃଷ୍ଟି ଭଗ୍ନୀ ନେଇ ଲେଖା ଲେଖିବାକୁ ଇଛା। ପ୍ରବନ୍ଧ ବିଭାଗ ମୋ ପାଇଁ ଅପହଞ୍ଚ ଇଲାକା। ଇଂରାଜୀ ସାହିତ୍ୟକୁ ଖୁବ୍ ଭଲପାଏ। ବଞ୍ଚିବା ସମୟ ଭିତରେ ହେଉ ପଛେ ଖଣ୍ଡେ ଇଂରାଜୀ ଗପ କି କବିତା ବହିଟିଏ କରିବାକୁ ପ୍ରବଳ ଇଛା ।

ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?

ଏ ପ୍ରଶ୍ନଟି ମୋ ପାଇଁ ଟିକେ ଭାରି ହୋଇଗଲା। ଜାଣିନି ମୁଁ କେତେ ସଫଳ । ତେବେ ଏତିକି କହି ପାରେ ଲେଖିବା ଏକ ତପସ୍ୟା । ପ୍ରଚୁର ପଢା, ଏକାଗ୍ରତା , ଆତ୍ମ ବିଶ୍ୱାସ,ସାଧନା, ସମର୍ପିତ ପ୍ରାଣ, ସକରାତ୍ମକ ଚିନ୍ତା ଚେତନା , ଜିଜ୍ଞାସା, ସମୟ ସହ ବଦଳିବା ମନୋବୃତ୍ତି, ନିରନ୍ତର ଅଭ୍ୟାସ , ଜିଦ୍ ,ଏକାନ୍ତ ପରିବେଶ, ଧ୍ୟାନ କେନ୍ଦ୍ରୀଭୂତ, ପ୍ରଚଣ୍ଡ ଇଛାଶକ୍ତି ଏବଂ ନିଜର ସୃଷ୍ଟିକୁ ପ୍ରଦର୍ଶିତ କରିବାପାଇଁ ଉପଯୁକ୍ତ ପରିବେଶ ହୁଏତ ଜଣକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରେ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ଓଡ଼ିଆ ସାହିତ୍ୟ ଶ୍ରେଷ୍ଠ ସାହିତ୍ୟ ଭାବେ ଯୁଗେ ଯୁଗେ ଅଗ୍ରେ ପୂଜାପାଉ । କବିତା ହେଉ କି ଗଳ୍ପ ପଢିଲା ବେଳେ ମନ ବାସ୍ତବତାରେ ଓଦା ହେଉ। ସାହିତ୍ୟକୁ ନିଶା ଓ ପେଶା କରି ଜଣେ ଖୁସିରେ ଜୀବନ ବଞ୍ଚିବା ପାଇଁ ପରିବେଶ ସୃଷ୍ଟି ହେଉ। ଏବଂ ଶେଷରେ ଏତିକି କହିବି, ମୁଁ ପଢୁ ପଢୁ ବହିମାନଙ୍କ ଗହଣରେ ମୋ ଶେଷ ନିଃଶ୍ବାସ ତ୍ୟାଗ କରେ ।