Latest Odisha News

BREAKING NEWS

ଲେଖକ ପାଇଁ ଅନୁଭୂତି ଓ ଅଭିଜ୍ଞତା ହିଁ ଶ୍ରେଷ୍ଠ ପୁଞ୍ଜି : ସତ୍ୟନାରାୟଣ ମହାପାତ୍ର

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସତ୍ୟନାରାୟଣ ମହାପାତ୍ର ଏକ ନିଆରା ବ୍ୟକ୍ତିତ୍ୱ । ଜୀବନୀ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି ,ପରମ୍ପରା, ପର୍ବ ପର୍ବାଣି ତଥା ସାମାଜିକ ଜୀବନର କଥା । ଅତି ସାଧାରଣ ଘଟଣାରୁ ଜୀବନର ମୂଲ୍ୟବୋଧ ଖୋଜୁଥିବା ତାଙ୍କ ସର୍ଜନାର ଧାରା ସବୁବେଳେ ବାନ୍ଧିରଖେ ପାଠକଙ୍କ ହୃଦୟକୁ । ନିଜର ସାହିତ୍ୟ ସାଧନା ସହ ସେ ସବୁବେଳେ ନୂଆ ପୀଢ଼ିର ଲେଖକ , ଲେଖିକାଙ୍କୁ ମଧ୍ୟ ସାହିତ୍ୟ ପ୍ରତି ସମର୍ପିତ ହେବାକୁ ପ୍ରେରିତ କରିଥାନ୍ତି ।

ନେତାଜୀ ସୁଭାଷ ବୋଷ, ସର୍ଦ୍ଦାର ପଟେଲ, ଦେଶପ୍ରାଣ ସାମ୍ବାଦିକ ଶଶିଭୂଷଣ ରଥ , ସଂଗ୍ରାମୀ ସୁରେନ୍ଦ୍ର ସାଏ ପ୍ରଭୃତି ଜୀବନୀ ପୁସ୍ତକ ସହ ଆହୁରି ଅନେକ ଗଳ୍ପ, କବିତାର ସେ କାଳଜୟୀ ସ୍ରଷ୍ଟା।

ଲେଖକ ସତ୍ୟନାରାୟଣ ମହାପାତ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

 

” ସାହିତ୍ୟ” ଶବ୍ଦର ବର୍ଣ୍ଣନା କିପରି କରିବେ?

ଅନେକ ସତୀର୍ଥଙ୍କ ସହ ସହମତ ହୋଇ ମୁଁ କହିବି ସମାଜର ହିତ ସାଧନ ଉଦ୍ଦେଶ୍ୟ ହିଁ ସାହିତ୍ୟର ମୂଳକଥା । ମଣିଷ ଜୀବନର ଲକ୍ଷ୍ୟ ଯାହା ସାହିତ୍ୟ ସର୍ଜନାର ଲକ୍ଷ୍ୟ ମଧ୍ୟ ପ୍ରାୟତଃ ସେଇୟା । ସାହିତ୍ୟ ଜୀବନର ଏକ ଅଂଶ ଏବଂ ଜୀବନ ସାହିତ୍ୟର ଏକ ଅଙ୍ଗ ସଦୃଶ ।

 ସାହିତ୍ୟରେ ଅନେକ ବିଭାଗ ଥାଉ ଥାଉ ଆପଣ ଜୀବନୀ ଲେଖିବାକୁ କାହଁକି ଆଗ୍ରହୀ ହେଲେ ?

ସେ ଅନେକ ଦିନ ତଳର କଥା । ସବୁଦିନ ସଞ୍ଜରେ କଟକ ବାଲୁବଜାରରେ ଆମ କେତେଜଣଙ୍କର ଖଟି ବସେ। ପ୍ରକାଶକ ଗୋବିନ୍ଦ ପାତ୍ର କହିଲେ ଓଡ଼ିଆ ସାହିତ୍ୟରେ ଯେଉଁ ବିଭାଗ ଗୁଡ଼ିକ ଅବହେଳିତ , ସେଇ ବିଭାଗରେ ଲେଖନୀ ଚାଳନା ଅଧିକ ହେବା ଆବଶ୍ୟକ। ସେତେବେଳେ ସେ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ ଜୀବନୀ ବିଭାଗକୁ। ମୋ ସହିତ ଅନ୍ୟତମ ବରିଷ୍ଠ ଜୀବନୀ ଲେଖକ ସୂର୍ଯ୍ୟ ନାରାୟଣ ଦାସ ଏବଂ ବୀର କିଶୋର ଦାସଙ୍କୁ। ସେତେବେଳେ ଔପନ୍ୟାସିକ ତଥା ଅନୁବାଦକ ଜମେଶ୍ୱର ତ୍ରିପାଠୀ ମଧ୍ୟ ହଁ ମାରିଥିଲେ। ସେଇ ପରଠାରୁ ମୁଁ ପ୍ରାୟତଃ ଜୀବନୀ ଲେଖୁଛି । ଏହା ପ୍ରାୟ ପଚାଶ ବର୍ଷ ତଳର କଥା।ବେଳେ ବେଳେ କବିତା ଓ ଗପ ମଧ୍ୟ ଲେଖିଛି। ସେତିକିବେଳେ ଜୀବନୀ ପ୍ରକାଶନ ପାଇଁ ଓଡ଼ିଶା ବୁକ ଷ୍ଟୋର ଉତ୍କର୍ଷ ଲାଭ କରିଥିଲା।

ଜଣଙ୍କର ଜୀବନୀ ଲେଖିଲା ବେଳେ ଆପଣ କିପରି ଭାବରେ ନିଜକୁ ପ୍ରସ୍ତୁତ କରିଥାନ୍ତି ?

ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଲେଖିବା ପାଇଁ ମନସ୍ଥ କରିବା ପରେ ପ୍ରଥମ ଆବଶ୍ୟକତା ହେଉଛି ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା। ଯାହାଙ୍କ ବିଷୟରେ ଜୀବନୀ ଲେଖାହେବ, ତାଙ୍କ ସମୟର ସାମାଜିକ ଅବସ୍ଥା ଓ ବ୍ୟବସ୍ଥା ସମ୍ପର୍କରେ ଜଡ଼ିତ ଘଟଣାବଳୀ ଉପରେ ବିଶେଷ ଭାବରେ ଧ୍ୟାନ ଦେଇଥାଏ। ତତ୍ ସହିତ ସମକାଳୀନ ସାହିତ୍ୟ, ସଂସ୍କୃତି, ପରମ୍ପରା, ସାମାଜିକ ପରିବେଶର ଉଲ୍ଲେଖ ଆଦି ବିଷୟ ସବୁ ଗଭୀର ଭାବରେ ଅନୁଧ୍ୟାନ କରିଥାଏ। ଏସବୁ ହେଲେ ଯାଇ ପାଠକଙ୍କୁ ସେଇ ସମୟକୁ ନେଇଯାଇହେବ ବୋଲି ଧାରଣା। ଏହାପରେ କେଉଁ ସବୁ ବିଷୟ କେଉଁ ଅଧ୍ୟାୟରେ ରହିବ ତା”ର ଏକ ତାଲିକା କରିଥାଏ। ଆବଶ୍ୟକ ସ୍ଥଳେ ତାର ପରିବର୍ତ୍ତନ କରେ।

ଅନୁଭୁତି ଓ ଅଭିଜ୍ଞତା ଜଣେ ଲେଖକକୁ ଅଧିକ ସାନ୍ଦ୍ର କରେକି ?

ନିଶ୍ଚିତ ଭାବରେ। ଜଣେ କ୍ରିୟାଶୀଳ ଲେଖକ ପାଇଁ ଅନୁଭୂତି ଓ ଅଭିଜ୍ଞତା ହିଁ ତ ଶ୍ରେଷ୍ଠ ପୁଞ୍ଜି। ବାସ୍ତବ ପରିସ୍ଥିତିର ସାମନା କରି ସେଇ ଅଭିଜ୍ଞତାକୁ ମାନସ ପଟରେ ଧରି ରଖାଯାଇପାରେ। ତାହା ହିଁ ସାହିତ୍ୟର ରୂପ ନିଏ।

 ଆପଣ ଯେଉଁ ମାନଙ୍କ ପାଇଁ ଲେଖନ୍ତି, ସେମାନେ ଆପଣଙ୍କୁ ପଢୁଛନ୍ତି ବୋଲି ଆପଣ ଭାବନ୍ତି କି?

ଅଧା ହଁ ଅଧା ନା । ମୋର ଚଉରାଳିଶ ଖଣ୍ଡ ପ୍ରକାଶିତ ପୁସ୍ତକରେ ଅତ୍ୟାବଧି ଦୁଇ, ତିନି ଓ ଚାରିଟି ସଂସ୍କରଣ ପ୍ରକାଶ ପାଇଛି। ପୂର୍ବରୁ ଏଗାରଶହ କପି ଛପା ଯାଉଥିବା ବେଳେ ଏବେ ପାଞ୍ଚ ଶହ କପି ଛପା ଯାଉଛି। ସବୁ ସଂସ୍କରଣରେ ସବୁଯାକ ବହି ଯେ ପାଠକମାନଙ୍କ ହାତରେ ହିଁ ପହଞ୍ଚିଛି ତାହା କହିଲେ ଭୁଲ ହେବ। ଏଥିରେ ଅନେକ ଦିଗ ଅଛି। ପ୍ରକାଶିତ ପୁସ୍ତକ ସବୁ ସରକାରୀ ଓ ବେସରକାରୀ ପାଠାଗାର ପାଇଁ ଯାଇଛି। ଲେଖକର କାର୍ଯ୍ୟ ହେଉଛି ନିଷ୍ଠାପର ଭାବରେ ଲେଖିବା ।

କୁହାଯାଉଛି ଯେ ଲେଖକମାନଙ୍କ ମଧ୍ୟରେ ସମ୍ବେଦନଶୀଳତା କମି ଯାଉଛି । ଏପରି କାହିଁକି ହେଉଛି ବୋଲି ଆପଣ ଭାବୁଛନ୍ତି ?

କେବଳ ଆତ୍ମ ବଡ଼ିମା। ଦୁଇ ଚାରିଟି ଗପ କବିତା ଲେଖି ସାମାଜିକ ଗଣମାଧ୍ୟମରେ ବାହାବା ନେଇ ନିଜକୁ ବଡ଼ ଲେଖକ ହୋଇଯିବାର ମନେ କରିବା ଏବଂ ଅନେକ କ୍ଷେତ୍ରରେ ବହିଟିଏ ପ୍ରକାଶିତ ହେଲା ପରେ ସେହି ଆତ୍ମବଡ଼ିମା ଆହୁରି ଅଧିକ ହୋଇଯାଏ।ଅବଶ୍ୟ ଏହାର ଅନ୍ୟ ଦିଗ ମଧ୍ୟ ରହିଛି। ସମସ୍ତେ ଚାହୁଁଛନ୍ତି ତାଙ୍କୁ ପ୍ରାଧାନ୍ୟ ଦିଆଯାଉ । ଏହି ଚାହିଁବା ଭିତରେ ଲେଖକୀୟ ସତ୍ତାର ସମ୍ବେଦନଶୀଳତା କେଉଁଠି ହଜି ଯାଉଛି ।

ସାମାଜିକ ଗଣମାଧ୍ୟମର ପ୍ରଭାବରେ ସାହିତ୍ୟ କେମିତି ଅଗ୍ରଗତି କରିଛି ବୋଲି ଆପଣ କହିବେ ?

ସାମ୍ପ୍ରତିକ ସମୟରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ଭୂମିକା ଅତୀବ ଗୁରୁତ୍ତ୍ୱପୂର୍ଣ୍ଣ। ନୂଆ, ପୁରୁଣା ସବୁ ଲେଖକ ଲେଖିକା ଆପଣାର ସ୍ଥିତି ଜାହିର କରିବା ପାଇଁ ଗଣ ମାଧ୍ୟମକୁ ହିଁ ଆପଣେଇବା ସହଜ ସାଧ୍ୟ ହେଉଛି।

ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଧାରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ପୁରାପୁରି ଠିକ କଥା। ସମୟ ଥିଲା ପୁସ୍ତକଟିଏ ପ୍ରକାଶ କରିବା ପାଇଁ ଆଜିକାର ପ୍ରତିଷ୍ଠିତ ଲେଖକମାନେ ମଧ୍ୟ ପ୍ରକାଶକଙ୍କ ପାଖରେ ଗୋଡ଼ ଭାଙ୍ଗି ଠିଆ ହେଉଥିଲେ। କିନ୍ତୁ ବର୍ତ୍ତମାନ ଶହ ଶହ ସଂଖ୍ୟାରେ ପ୍ରକାଶକ ବହି ଛାପିବା ପାଇଁ ଅନେଇ ବସୁଛନ୍ତି। ପୁସ୍ତକ ପ୍ରକାଶନ ଆଗ ଅପେକ୍ଷା ସୁଗମ ହୋଇଗଲାଣି। ଲେଖକଗଣଙ୍କ ନିଜ ନିଜ ଉଦ୍ୟମରେ ପ୍ରକାଶିତ ପୁସ୍ତକ ସବୁ ସମୟରେ ଉତ୍କୃଷ୍ଟମାନର ହୋଇ ପାରୁନାହିଁ। ଏହା ପାଠକଙ୍କୁ ମଧ୍ୟ ଆକୃଷ୍ଟ କରିପାରୁନାହିଁ।

ଅନୁଶୀଳନ ସହ ଅନୁସୃଜନ ଜଡ଼ିତ କି ?

ଉଭୟେ ଉଭୟଙ୍କର ପରିପୂରକ । ଅନୁଭୂତି ଓ ଅଭିଜ୍ଞତା ଳେଖକର ସୃଷ୍ଟିକୁ ଅଧିକ ମାର୍ଜିତ କରେ ।

ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହୋଇ ପାରିବା ?

ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ସାଧାରଣ ଭାବେ ସଚେତନ ନାଗରିକଗଣଙ୍କୁ ଏବଂ ବିଶେଷକରି ଲେଖକଗୋଷ୍ଠୀଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ପୁରାତନ ଐତିହ୍ୟଯୁକ୍ତ ଲେଖା ଗୁଡ଼ିକ ପୁନଃ ମୁଦ୍ରଣ , ଆଲୋଚନା ଓ ନୂତନ ଢଙ୍ଗରେ ଉପସ୍ଥାପନା ଏକାନ୍ତ ଅପରିହାର୍ଯ୍ୟ। ନୂତନ ପିଢ଼ୀର ସ୍ରଷ୍ଟାଗଣ କେବଳ ଲୋକପ୍ରିୟତା ହାସଲ କରିବା ଉଦ୍ଦେଶ୍ୟ ପରିହାର କରିବା ଆବଶ୍ୟକ। ଅଧିକରୁ ଅଧିକ ପଢ଼ିଲେ ଲେଖକଙ୍କ ଲେଖା ମାର୍ଜିତ ହେବ। ସବୁଠାରୁ ମୁଖ୍ୟ ହେଲା ବରିଷ୍ଠ ଲେଖକମାନେ କନିଷ୍ଠମାନଙ୍କୁ ସମ୍ବେଦନାର ସହିତ ଗ୍ରହଣ କରିବା ଉଚିତ। ମାର୍ଗ ଦର୍ଶନ କରିବା ଉଚିତ। ଏପରି ହେଲେ ଯାଇ ଭାଷା ସାହିତ୍ୟର ଉନ୍ନତି ହେବ। ଓଡ଼ିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ ହେବ।

Leave A Reply

Your email address will not be published.