Latest Odisha News

BREAKING NEWS

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଭାଷାର ମୌଳିକ ଉପାଦାନ ଧ୍ୱନି । ଧ୍ୱନିର ମିଶ୍ରଣରୁ ଅର୍ଥପୂର୍ଣ୍ଣ ଶବ୍ଦର ସୃଷ୍ଟି । ବର୍ଣ୍ଣ ସମଷ୍ଟି ଯାହା ଅର୍ଥବୋଧକ, ତାହା ଶବ୍ଦ । ଶବ୍ଦ ମୂଳତଃ ଏକ ବ୍ୟାକରଣିକ ଉପାଦାନ । ପାଣିନୀଙ୍କ ବ୍ୟାକରଣ ‘ଅଷ୍ଟାଧ୍ୟାୟୀ’ କୁ ଶବ୍ଦାନୁଶାସନ କୁହାଯାଏ । ଅର୍ଥାତ୍‌ ଶବ୍ଦର ଗଠନ ପଦ୍ଧତିର ବର୍ଣ୍ଣନା । ଶବ୍ଦ କହିଲେ ଆମେ ଅର୍ଥବୋଧକ ଧ୍ୱନି ବା ଅକ୍ଷରକୁ ବୁଝୁ । ବ୍ୟାକରଣକୁ ତେଣୁ କୁହାଯାଏ ଶବ୍ଦବିଦ୍ୟା, ଶବ୍ଦବିଜ୍ଞାନ, ଶବ୍ଦଶାସ୍ତ୍ର ଆଉ ଅଭିଧାନକୁ
ଶବ୍ଦକୋଷ, ଶବ୍ଦାର୍ଥକୋଷ କୁହାଯାଏ । ଶବ୍ଦକୁ ଆମେ ସାଧାରଣତଃ ମୌଳିକ ଓ ଆଗନ୍ତୁକ, ଏହି ଦୁଇଭାଗରେ ବିଭକ୍ତ କରିଥାଉ । ମୌଳିକକୁ ପୁଣି ତତ୍ସମ, ତଦ୍ଭବ ଓ ଦେଶଜରେ ବିଭକ୍ତ କରିପାରିବା ।

ତତ୍‌ସମ ଶବ୍ଦ – ଆମେ ଆମ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ ଦେଖିଲେ ଲକ୍ଷ୍ୟ କରିବା ଯେ, କେତେକ ସଂସ୍କୃତ ଶବ୍ଦ ଆମେ ପରିବର୍ତ୍ତନ ନକରି ଅବିକଳ ସେହିଭଳି ବ୍ୟବହାର କରିଥାଉ । ଏସବୁ ଶବ୍ଦକୁ ତତ୍‌ସମ ଶବ୍ଦ କୁହାଯାଏ । ଏହାକୁ ମଧ୍ୟ କେତେକ ଭାଷାବିଜ୍ଞାନୀ ସାଧୁ ବା ମାର୍ଜିତ ଶବ୍ଦ ଭାବେ ଅଭିହିତ କରିଥା’ନ୍ତି । ତତ୍‌ସମ ଶବ୍ଦାବଳୀରୁ କେତୋଟି ଦୃଷ୍ଟାନ୍ତ –

ଅନଳ        ଆମିଷ   ସୁଖ
ଅଭିନୟ    ନଦୀ      ଦୁଃଖ
ଅନୁଭବ    ଦଧି       ହସ
ଆକ୍ରୋଶ   ବାଷ୍ପ     ଗମନ
କବି        ସୂର୍ଯ୍ୟ     ମେଘ
କନ୍ୟା    ପ୍ରଭାତ    ଜଳ
କବିତା    ପକ୍ଷୀ    ସତ୍ୟ
ଅଗ୍ନି      ପର୍ବତ    ମଧୁର
କଚ୍ଛପ    ନିଦ୍ରା   ପୁଷ୍ପ
କୈବର୍ତ୍ତ   ସାଗର  ପିତା
କର୍କଟ  ଦେବାଳୟ  ମାତା
କୋମଳ  ଗୃହ  ସାଧୁ
କୁମାରୀ  ବୃକ୍ଷ
କର୍ଣ୍ଣ   ବର୍ଷ
ଗଭୀର  ଋତୁ
ଘୃତ  ସନ୍ନ୍ୟାସୀ
ଜ୍ୱର ପୃଥିବୀ
ମୃତ୍ତିକା ଗ୍ରହ

 

କ୍ରମଶଃ

Comments are closed.