Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ବିଚିତ୍ର ଜନ୍ତୁ

ମଣିଷଠି ଜନ୍ତୁପଣ ଯେତେଯେତେ     
ବୃଦ୍ଧି ପାଇ ପାଇ ଚାଲିଛି
ଜନପଦରେ ଜନ୍ତୁଙ୍କ ସଂଖ୍ୟାରେ
ସେତେ ଅବନତି ହେଉଛି !

ନିଜକୁ ଜନ୍ତୁଙ୍କ ଅଧିପତି ବୋଲି
ପ୍ରମାଣ କରିବା ପାଇଁ
ଜନ୍ତୁମାନଙ୍କୁ ସେ ମାରିଦେବା ସହ
ଘରଦ୍ବାର ରଖିନାଇଁ !

ସେଥିପାଇଁ ଯଦି ବର୍ତ୍ତିଯାଇଥିବା
କେଉଁ ଜନ୍ତୁଟେ ପଶି ଆସୁଛି;
ସନ୍ଦେହୀ ମଣିଷର ଆଖିକୁ ସିଏ
ଅଜବ ଅଜବ ଦିଶୁଛି !

ଏବେ ଅନ୍ୟର ରକ୍ତ ପିଇବା ହେଲା
ମଣିଷର ପ୍ରଧାନ କାମ
ଅନ୍ୟ ଯଦି କେହି ସେହିକାମ କରେ
ପଚାରେ କଣ ତା ନାମ ?

ସତକଥା ହେଲା ଏଇ ଅଜବ ଜନ୍ତୁଟି
ହେଉଛି ମଣିଷ ନିଜେ
ମେଣ୍ଢ‍ାପରି ମୁଣ୍ଡଟି ତା ଭାରି ଟାଣ,
ଘାସରେ କଲିଜା ଖୋଜେ !

ଦେଖିଲା ଲୋକେ କୁହନ୍ତି ସିଏ
ଏକଦମ୍ କଙ୍ଗାରୁ ପରି
ବାପାମାଆ ଛାଡି ଯେଣୁ ଡିଏଁ ସିଏ
ପିଲାଛୁଆଙ୍କୁ ଧରି !

କେବେ ସିଏ କୁକୁର ପରି ଧାଉଁଛି
କେବେ ବିଲେଇ ପରି ମ୍ୟାଉଁ
ଏତେ ସୁନ୍ଦର ଅଭିନୟ ମଣିଷ ଛଡା
କିଏ କରି ପାରିବ ଆଉ !

ନୂଆ ଫୁଆଁ ସବୁ ମିଛକଥା ଯେତେ
ମଣିଷ ଅଜବ ଜନ୍ତୁ
ମିଳିବନି କେବେ ବନ ବିଭାଗ ତାହାକୁ
ମିଡିଆବାଲା ଖୋଜନ୍ତୁ !

Leave A Reply

Your email address will not be published.