Latest Odisha News

ବ୍ୟଙ୍ଗ : ହାଏ ହାଏରେ ମାନପତ୍ର

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ 

କିଛି ବର୍ଷ ହେଲାଣି ଦିନ ରାତି ଏକ କରି ଲେଖୁଛି । ଘରଣୀଙ୍କ ଠାରୁ ଗାଳି ବି ଶୁଣୁଛି । ସବୁବେଳେ କହୁଛନ୍ତି , ‘କଣ ଖାଲି ସେ ଫୋନରେ ବସି କେଞ୍ଚୁଛ, ବେକ ବଙ୍କିଯିବ । ଆଖି କଣା ହେଇଯିବ।’

ମୋର ଗୋଟେ ବଡ ଦୁଃଖ। ଆଜି ଯାଏଁ କେହି ମୋତେ ଚଦର ତ ଦୂରର କଥା ଖଣ୍ଡେ ଗାମୁଛାଟେ ପିନ୍ଧେଇଲେନି । ପାନ ଖାଏ ବୋଲି ମାନପତ୍ର ବଦଳରେ ପାନପତ୍ରଟିଏ ଧରେଇ ଦେଇ ଯାବତୀୟ କାମରେ ସାହାଯ୍ୟ କରିବାକୁ କହୁଛନ୍ତି । ଆରେ ଭାଇ ମାନପତ୍ରଟିଏ ଦିଅ ଦେଖିବ ଜୀବନଯାକ ତୁମ ପାଇଁ ମାଗଣା ଖଟିବି । କିନ୍ତୁ କିଏ ବୁଝେଇବ ସେମାନଙ୍କୁ । ମୁଁ ପାନପତ୍ର ନୁହେଁ ମାନପତ୍ରଟିଏ ପାଇଁ ଅଣ୍ଡାଳି ହଉଛି । ଯାହା ଜଣାପଡୁଛି ଏ ଜୀବନ ବ୍ୟାପି ସାଧନାଟା ପାନପତ୍ରରେ ସରିଯିବ ହେଲେ ମାନପତ୍ର ଖଣ୍ଡେ ମିଳିବନି ।

ଏ ସାହିତ୍ୟିକ ଦୁନିଆରେରେ ମୋତେ କେତେ ବରଷ ପୂରିଲାଣି । କେତେ କ’ଣ ସବୁ ଭାବି ଭାବି ଲେଖୁଛି । କିନ୍ତୁ ହାୟରେ ! ପ୍ରଶଂସା ମିଳିବା ତ ଦୂରକଥା ଆସ୍ତେ ଆସ୍ତେ ପାଠକ ବି କମି ଗଲେଣି ହାତ ଗଣତି କେତେଜଣ ନୂଆ ପାଠକଙ୍କୁ ଛାଡିଦେଲେ ଆଉ କେହି ପଢୁ ନାହାନ୍ତି । ପୁରୁଣା କହୁଛନ୍ତି- ବହୁତ ହେଇଗଲା ଆଉ ଏ ଲମ୍ବା ଲମ୍ବା ଗାରେଇବା ବନ୍ଦ କର, ବହୁତ ବୋର କଲଣି । ଏ ଟ୍ୟାଲେଣ୍ଟ ବହୁଳ ଦୁନିଆରେ ଆମ୍ଭ ଟ୍ୟାଲେଣ୍ଟକୁ ବୋଧେ କେହି ବୁଝିପାରୁନାହାନ୍ତି । ତେଣୁ କିଛି ଆଶା କରିବା ବୃଥା । ନୂଆ ନୂଆ ଛୁଆ ସବୁ କେତେକଣ ସାର୍ଟିଫିକେଟ ଆଣି ଗଦେଇଲେଣି । କିଛି କପାଳିଆ ଲେଖକମାନେ ହୋଲସେଲ ରେଟରେ ମାନପତ୍ର ସବୁ ପାଉଛନ୍ତି । ମାସକୁ ତିରିଶଟା ପାଇଲେ ବି ମନଦୁଃଖରେ କହୁଛନ୍ତି, ଆଉ ଏ ଦେଶୀ ଜିନିଷ ଭଲ ଲାଗୁନି। ଆଗକୁ ଖାଲି ଜାତୀୟ ନଚେତ ଆନ୍ତର୍ଜାତୀୟ ସ୍ତରର ନହେଲେ ସେ ମାନପତ୍ର ଗ୍ରହଣ କରିବେନି । ପୁରସ୍କାର ପାଇଁ ନା ସେ କେବେ ଲାଳାୟିତ ଥିଲେ ନା ଅଛନ୍ତି । ମିଳିଲେ ଖୁସି ନମିଳିଲେ ଖୁସି । ଏବେ କାଳେ ତାଙ୍କ ଘରେ ରଖିବାକୁ ଜାଗାନାହିଁ ।

କିଛି ବର୍ଷ ପୂର୍ବେ ନୂଆ କରି ଗୋଟେ ବରାଦ ଦିଆ କାଚ ଆଲମାରୀ ବନେଇଥିଲି । ଭାବିଲି ଯେଉଁ ରେଟରେ ମୋର ଲେଖା ଲେଖି ଚାଲିଛି ଖାଲି ମାନପତ୍ର, ଚାଦର, କପ ଓ ପଦକରେ ଏ ଶୋଭାବର୍ଦ୍ଧକ ଆଲମାରୀଟା ଫୁଲ୍ ହୋଇଯିବ । ଆଉ ଟିକେ ବଡ଼ ଆଲମାରୀ ତିଆରି କରିଥିଲେ ବୋଧେ ଭଲ ହୋଇଥା’ନ୍ତା । କିନ୍ତୁ ଏତେ ବରଷ ବିତିଗଲାଣି ଦୁଇ ତିନିଟା ଅସରପାକୁ ଛାଡି ଆଉ କେହି ସେଠି ଶୋଭା ପାଉନାହାନ୍ତି । ଘରେ କହିଲେଣି ଆଉ କେତେ ଦିନ ଅପେକ୍ଷା କରିବ, ସେ ଜାଗାରେ ଘର ସଉଦା ରଖୁଛୁ ଯଦି କେବେ କିଛି ପାଇବ କହିଦେବ ଗୋଟେ ଥାକ ଖାଲି କରିଦେବୁ । ଜଣେ ମହାପୁରୁଷ କହିଥିଲେ- ମାଇପ ଗଞ୍ଜଣା ଭାରି ଯନ୍ତ୍ରଣା । ଆମେ ଏବେ ଲେଖିବା ଦେଖିଲେ ଘରଣୀ ମୁହଁରେ ଲୁଗା ଦେଇ ମୁରୁକି ହସୁଛନ୍ତି । ଭାବୁଛି ଏ ଲେଖାଲେଖି ଛାଡ଼ିଦେବି । ଯେତିକି ସମୟ ଏ ଲେଖା ଲେଖିରେ ସାରିଛି ସେତିକି ସମୟ ପ୍ରେସଛକରେ ଶୁଖୁଆ ବିକିଥିଲେ ଏତେବେଳକୁ ଯନ୍ତ୍ରଚାଳିତ ଶୁନଗାଡିଟିଏ ଚଢନ୍ତିଣି । ଆଉ କିଛି ଲେଖିବିନି । ପାଠକ ତ ନାହାନ୍ତି ମାନପତ୍ର କଥା ପଚାରେ କିଏ ! ବଣ ମଲ୍ଲି ବଣରେ ଫୁଟି ଝାଉଁଳି ପଡିବା ଭଳି ଏତେ ବଡ଼ ଟ୍ୟାଲେଣ୍ଟଟା ଏମିତି ଅକାରଣେ ନଷ୍ଟ ହେବା ଲୋକମାନେ କେମିତି ସହୁଛନ୍ତି କେଜାଣି ।

ମୋ ମାଆ କୁହେ, ମୋ ବାହାଘର ପାଇଁ କାଳେ ଅସୁରିୟା ରାୟ ବାପଘରୁ ପ୍ରସ୍ତାବ ଆସିଥିଲା । କିନ୍ତୁ ଝିଅ ଫିଲିମରେ ରୋଲ କରୁଛି ବୋଲି ମୋ ମାଆ ମନା କରିଦେଲା । ମାଆର ସ୍ୱାଭିମାନକୁ ଦେଖି ସେଦିନ ମୋ’ ଆଖିରେ ଲୁହ ଆସିଯାଇଥିଲା । କିନ୍ତୁ ଦୁଃଖର କଥା ମୋ’ ମାଆକୁ ଛାଡି ଆଉ କେହି ଜଣେ ବି ମୋ ଭଳିଆ ଗୋଟେ ଅତି ଟ୍ୟାଲେଣ୍ଟଟେଡ ଛୁଆକୁ ଚିହ୍ନିପାରିଲେନି । ତେଣୁ ମୋର ସବୁ ପ୍ରିୟ ବନ୍ଧୁ ଓ ବାନ୍ଧବୀ ଗଣଙ୍କୁ ନେହୁରା ହଉଛି ଯଦି କେଉଁଠି ମାନପତ୍ର ବଣ୍ଟା ହଉଥିବ ଟିକେ ଆମ ନାମ ସୁପାରିଶ କରିବେ । ଚାଦର ବଦଳରେ ରୁମାଲ ଗୋଟେ ଦେଇ ସଦାବିହାରୀ ଫୁଲ ଦିଟା ଧରେଇଦେଲେ ବି ଧନ୍ୟବାଦ ସହ ସାଦରେ ଗ୍ରହଣ କରିବି । ଖାଲି ମାନପତ୍ର ଗୋଟାଏ ଦରକାର । ଅନୁକମ୍ପାମୂଳକ ହେଲେବି ଚଳିବ । ଯଦି ବାଇଚାନ୍ସ ଗୋଟାଏ ମିଳିଗଲା ତେବେ ବିଦ୍ୟାରାଣ ଖାଇ କହୁଛି ହଜାରେ ଦି’ହଜାରେ ଖର୍ଚ୍ଚ ହଉ ପଛେ ପାର୍ଲରରେ ସଜେଇ ହେଇ ହ୍ଵାଟ୍ସଆପ ଆଉ ଫେସବୁକରେ ଏମିତି ଫୋଟ ସବୁ ନାଛି ଦେବିଯେ ଗୋଟାଏ ଦିନରେ ସମସ୍ତଙ୍କ ଫୋନ ଯେମିତି ଜାମ ହେଇଯିବ । ସେଦିନ ପତ୍ନୀ ଜାଣିବେ ତାଙ୍କ ବୃହସ୍ପତିରେ ଚନ୍ଦ୍ରମହାଦଶା ଉଚ୍ଚ ସ୍ଥାନରେ ଥିଲା ବୋଲି ଆମ୍ଭ ଭଳିଆ ଗୋଟେ ମହାପଣ୍ଡିତକୁ ବାହା ହେଇଛନ୍ତି । ଯାହା କୋଟି ଜନ୍ମ ପୁଣ୍ୟରେ ଥିଲେ ମିଳେ ।

ସତେକି ମୋ ସପନ ସତ ହେବ ! ଏ ଜୀବଦଶା ଭିତରେ ଗୋଟେ ମାନପତ୍ରଟିଏ କୋଉଠୁ ମିଳିଯାଅନ୍ତା କି । ଭାରି ଅସହ୍ୟ ହେଲାଣି ସ୍ୱପତ୍ନ ଙ୍କ ଗଞ୍ଜଣା । ଯେତେବେଳେ ନିଜର ପତ୍ନୀ ଆମ ମହାପାଣ୍ଡିତ୍ୟ ପୂର୍ଣ୍ଣ ଲେଖା ଲେଖି ଉପରେ ହସିଲେଣି ସେତେବେଳେ ଅନ୍ୟ ଲୋକଙ୍କ ପତ୍ନୀମାନଙ୍କୁ କ’ଣ କହିବା । ହଉ ଯାହା ଏ ପୋଡା ଭାଗ୍ୟରେ ଥିବ । ସବୁ ସେଇ କାଳିଆର ଇଚ୍ଛା ।

Comments are closed.