Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ?

କୁଆଡ଼େ ଯିବ ସେ ? କ’ଣ କହିବ ବିଶ୍ୱାସକୁ ? ଭାବନାର ଗଭୀର ର୍ଗ ଭିତରେ ବେଳକୁ ବେଳ ବୁଡ଼ି ଯାଉଥିଲା ପଦ୍ମିନୀ । କିଛି ବୁଦ୍ଧି ବାଟ ଦିଶୁ ନଥିଲା ।

ହଠାତ୍ ରୋଷେଇ ଘରୁ ବିଶ୍ୱାସର ଡାକ ଶୁଣି ସରୋଜ ମଧ୍ୟ ପ୍ରକୃତିସ୍ଥ ହୋଇ ଉଠିଲେ । ପଦ୍ମିନୀ ଉଦ୍ଦେଶ୍ୟରେ କହିଲେ- ଆସ ପଦ୍ମିନୀ, ବିଶ୍ୱାସକୁ ଭୋକ ହେଲାଣି । ମତେ ମଧ୍ୟ…. ।

ପଦ୍ମିନୀ ଅପ୍ରସ୍ତୁତ ମନେକଲା-ସତରେ ସରୋଜବାବୁ, ପଛଦିନ ଗୁଡ଼ାକ ଭିତରେ କେତେବେଳୁ କି ମୁଁ ବୁଡି ରହିଥିଲି… ସନ୍ଧ୍ୟା ହେଇ ଆସିଲାଣି… ଜଳଖିଆ ବି କରିନି.. କ୍ଷମା କରିବେ.. ଆସନ୍ତୁ… ।

ସରୋଜ ଓ ପଦ୍ମିନୀ ଆଗପଛ ହୋଇ ରୋଷେଇ ଘରକୁ ଆସୁଥିବା ଦେଖି ବିଶ୍ୱାସ ସୁରେଇରୁ ପାଣି ବାହାର କଲା । ପଦ୍ମିନୀ ସିଲିଣ୍ଡରର ନବ୍ ଉଠାଇବା ଦେଖି ସରୋଜ ବାରଣ କଲେ- ଥାଉ, ତମେ ବସ ପଦ୍ମିନୀ । ଆଜି ମୁଁ ବାଢ଼ିଦେବି ।

ସବୁଦିନ ତ ତମେ ଏଇ କାମ କରୁଛ । ଆଜି ଟିକେ ଆରାମ କର । ବିସ୍ମିତା ହେଲା ପଦ୍ମିନୀ-କିନ୍ତୁ ଜଳଖିଆ ଯେ ତିଆରି ହୋଇନି… । ମା’ର ପଣତକୁ ଦୁଇ ହାତରେ ମୁଠେଇ ଧରି ବିଶ୍ୱାସ ବୁଝାଇ ଦେଲା- ନାଇଁମ ମା’, ତମେ ସେ ଘରେ ବସି କ’ଣ ସବୁ ଭାବୁଥିଲ । ମୁଁ ଆସି ଅଙ୍କଲଙ୍କୁ କହିଲି’, ଆମେ ଦିହେଁ ମିଶି ଜଳଖିଆ ତିଆରି କରି ଦେଇଛୁ । କୁହ ମା’, ତମେ କ’ଣ ଏତେ ଭାବୁଥିଲ ?

ପଦ୍ମିନୀ ବିଶ୍ୱାସକୁ ନିଜ ଉପରକୁ ଉଠାଇ ନେଲା । କହିଲା- କିଛି ନାହିଁରେ ବାବୁ । ତୁ କେବେ ବଡ଼ ହେବୁ, ସେ କଥା ହିଁ ଭାବୁଥିଲି । ମୋ ବାପକୁ କେତେ ଭୋକ ହେବଣି… ବସ ଏଇଠି.. ।

 

କ୍ରମଶଃ

Leave A Reply

Your email address will not be published.