କବିତା : ଭୟ ଓ ଭୋକ

ଦୀନବନ୍ଧୁ ବେଜ

ଭୟ ଓ ଭୋକ ପାଇଁ ମୃତ୍ୟୁ
ଜୀବନ ପୋକ ମାଛିଠୁ ତୁଚ୍ଛ
ସ୍ଥୁଳରୁ ସୂକ୍ଷ୍ମ ଏବେ ଜୀବନ କାଳ
ପଦ୍ମପତ୍ରରେ କାକର ଢଳଢ଼ଳ
ଢେମ୍ଫରେ ବାସୀଫୁଲ ପରି
ଉଙ୍କି ମାରୁଥିବା ସ୍ୱପ୍ନ ସତ ବୋଲି
ଶୁଣିବାକୁ ମଣିଷଙ୍କର ଅଭାବ ।

ଭୟର ପାହାଡ଼ ଲଦି ହୋଇବି
ସୌଭାଗ୍ୟରେ ପ୍ରଶ୍ଵାସ ଚାଲିଛି
ଚକ୍ଷୁ ଦେଖୁଛି ଜ୍ଞାତି ଓ କୁଟୁମ୍ବ
ମାତ୍ର କୋରଡ ଜଳୁଛି କ୍ଷୁଧାରେ
ମନ ଓ ଶରୀର ହେଉଛି ଦଗ୍ଧ
ଦେଖ ଖାଁ ଖାଁର ଦୁନିଆକୁ କିପରି
ଗ୍ରାସ କରିଛି ଭୋକର ଭୂଗୋଳ ।

ଅନ୍ନ ଗଣ୍ଡେ ପାଇବା ପାଇଁ ପିଣ୍ଡ
ଶରୀର କରୁଛି ପ୍ରାଣମୁର୍ଚ୍ଛା ସଂଗ୍ରାମ
ବାସନ କୁସନ ଖଟ ତକିଆମାନେ
ନେହୁରା ହେଉଛନ୍ତି ବଦଳରେ
ମାଲିକର ହେବ ଭୋକ ପ୍ରଶମନ
ଆଉ ରହିନାହିଁ ମର୍ଯ୍ୟଦା ସମ୍ମାନ
କାହିଁକିନା ସେ ଦେଶ ଆଫଗାନ
ସେଠି ମାତିଛନ୍ତି କୁର ତାଲିବାନ ।

ମାଲକାନଗିରି, ଓଡ଼ିଶା
୭୬୮୩୯୨୦୨୨୧