Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୦

କୁନୁ ମାଉସୀ  ନିଜ ସହ ନିଜେ ସାଲିସକରି ମକବୁଲ୍ ଭାଇକୁ ଡାକିଲା ଦିନେ। ସେ ତ ଦିଦିର କିଣା ଚାକର । ସହଜେ କି ଫୋନ ଉଠେଇବ ନା କଥାହବ। ବହୁତଥର ଚେଷ୍ଟାକଲା ପରେ ଫୋନ ଉଠେଇଲା ସତ, ସଫା ମନାକଲା ପାଖକୁ ଆସିବାକୁ।  ଏମିତି ବିତିଲା ଦିନେ ଦୁଇଦିନ।  ଏପଟେ ଦିଦି ଜାଣିଲା ସେକଥା ଭାଇଠାରୁ। ତାପରେ ଖୁସି ହେଲା ସେ । ସୁନାଅଣ୍ଡା ଦିଆ କୁକୁଡାକୁ ଛାଡିଦବକି ଆଉ ? କହିଲା, ‘ ଯା  ନେଇଆସିବୁ ତା’କୁ।’ ଏଇଠୁ ଆରମ୍ଭ ହେଲା ଛକାପଞ୍ଝା ଖେଳ। ଜଣେ ଚାହିଁଲା ମାଆ ହବାକୁ , ଆଉ ଜଣେ ଶତଶତ ବାରଣ ରଖିଲା ସେପାଇଁ। ଜଣେ ତମ୍ପ ଆଉଜଣେ ବାଘ। କେହି କାହାକୁ ଛାଡିବାକୁ ନାରାଜ। ମାଉସୀ ଉଦାସିଆ ରହିଲେ ବି ସତର୍କ ରହୁଥିଲା। ଆଉ ଦିଦି  ଯେ ପୋଖତ ଖେଳାଳି। ଜବା, ଆଖି ଢେମାଢେମା କରି ଭାବୁଥିଲା , ଏଇଠି ରହିକି ବି ଏତେକଥା ଜାଣିପାରିଲାନି କେମିତି। ରୁବି ତା’ ମୁହଁର ଭଙ୍ଗୀ ଦେଖି କହିଲା, ‘ତୁ , ତୋ’ ପୃଥିବୀରେ ଘୂରୁଥା, କାହାର କ’ଣ ହେଲେ ଜାଣିବୁ କେମିତି ? ଓହ୍ଲାଇ ଆସ ଥରେ ଆମ ପାଖକୁ, ଦେଖି ବୁଝି ପାରିବୁ ସବୁ।’ ସତକଥା, କାହିଁ ବେଳ ଯେ, ନୂଆ ଏକ କାମ ସହ ଆଣ୍ଟିଙ୍କର ସେବା, ନିଜସ୍ବ କହିଲେ ଆଉ  ଅଛି କ’ଣ ଯେ…ଚାରିପାଖକୁ ନିଘା ନାହିଁ ..।

ରୁବି ହାତଧରି ଟାଣି ଟାଣି ନେଲା  ଜବାକୁ, ‘ଚାଲ କଫି କି ଚା ପିଇବା’ କହି। ଘୋଷାରି ହୋଇଗଲା ବସିବ ଟିକିଏ ବୋଲି। ଏଇ ଯୋଉକଥା,  ଛିଡାହୋଇ ଶୁଣିବାକୁ  ଆଉ ଧୈର୍ଯ୍ୟ ନଥିଲା। ବଢିଆ ଚା ସହିତ  ରୁବି କିଛି ବିସ୍କୁଟ ଆଣିଲା।  ଆରମ୍ଭ କଲା,’ତୁ ଯୋଉ ସକାଳ ନ’ ଦଶରୁ  ପଳଉ  , ଆଉ ସନ୍ଧ୍ୟାବେଳକୁ ଫେରୁ, ତା’ ଭିତରେ ପୃଥିବୀ ବଦଳିଯାଏ ଏଇଠି, ଜାଣିବୁ କେମିତି ମ। ଆଉ ଦିଦିର ଗୁମର ଫିଟେଇବ କିଏ , କହ । ନୀରବତା  ଆମର ଭାଷା, କିଏ ବୁଝିଲେ ଭଲ, ନଲେ ବି ଭଲ।’  ‘ ହୁଁ , କହରେ ମାଉସୀର କଥା’, ଜବା କହିଲା। ରୁବି ଅବୁଝା ହସଖିଏ ସହ ଆରମ୍ଭ କଲା, ‘ଦିନେ ଏମିତି କଥାକଟାକଟି ହେଲେ ଦିଦି ଓ ମାଉସୀ ଯେ ସ୍ତବ୍ଧ ହୋଇଗଲେ ସମସ୍ତେ।  କଥାରୁ ହାତ ଉଠାଉଠି ହୋଇଗଲା।’ ଉଃ, ଦିଦିକୁ ଜବାବ ଦବାତ ଦୂରର କଥା ଆଖି ଉଠେଇ ଚାହିଁବା ମନା ଏକରକମ। ସେ ହସିଲେ ହସ ସମସ୍ତେ , ସେ କାନ୍ଦିଲେ କାନ୍ଦ, ତା’ଇଚ୍ଛା , ତା’ମର୍ଜି …  ତା’ ସାମ୍ରାଜ୍ୟ, ତା’ ପୃଥିବୀ, ସବୁକିଛି ତା’ର। ଏଥିରୁ ନିସ୍ତାର କାହିଁ ଯେ। ତାକୁ  ପୁଣି  ହାତ ଉଠିବ,  ଦୁଃସାହସ  କେବଳ, ଅନ୍ୟମନସ୍କ  ଭାବରେ ଏତିକି ବାହାରିଗଲା ଜବା  ପାଟିରୁ। ଆସ୍ତେ କହିଲା ରୁବି , ‘ଶୁଣ , ମାଉସୀ  ଧଡାସ୍ କରି କବାଟ ବନ୍ଦ କଲା ଦିଦି ମୁହଁ ଉପରେ।’ ଚୁପଚାପିଆ ମାଉସୀର ଏତେ ଜିଦ୍ଦି,  ଏତେ ସାହସ , ବାବାରେ..ଭାବୁଥିଲା ଜବା ଭିତରେ ଭିତରେ। ତା’କୁ ଟିକିଏ  ହଲେଇ ଦେଇ ରୁବି କହିଲା ଏଥର , ‘ଯେତେଯାହା କଲେ ଖୋଲିଲାନି।  ଗାଳି ପରେ ଗାଳି , ତାପରେ ସାକୁଲାସାକୁଲି,  ସବୁସରିଲା। କବାଟ କିନ୍ତୁ, ଅଫିଟା ରହିଲା। କିଛି ଘଣ୍ଟା ବିତିଗଲା। ଏଥର ଚାଚାର କଥା ଅନୁସାରେ, କବାଟ ତଡାଗଲା। ଆଁ କରି ରହିଗଲେ ସମସ୍ତେ। ଅସାଡ ଥିଲା ମାଉସୀ  ଦେହ। ବିଷ ନା ସାପ କେଜାଣି.. ସରିଗଲା ଅଧ୍ୟାୟଟେ।’ ତାପରେ ଆରମ୍ଭ ହେଲା ସୁଁ ସାଁ , ଧାଁ ଧପଡ, ଭାରିପାଦ ଶବ୍ଦ, ମୋଟାଅଙ୍କ,ଗ୍ରିଲ ବନ୍ଦ, ଅସ୍ପଷ୍ଟ ଗାଳି…। ସ୍ବପ୍ନଦେଖା ଆଖିରେ ପୁଣି ବହଳେ ହଳାହଳର ଆସ୍ତରଣ। କାହିଁକି ଖୋଜିବ ମୁକ୍ତି…କାହିଁକି ଉଡିବ ଡେଣାମେଲି ,ଏସବୁ  କାହିଁକିର ଉତ୍ତର କାହାପାଖରେ ଅଛି ଆଜି।

ଦୀର୍ଘନିଃଶ୍ବାସ ମିଶା  କୋହ କେବଳ ରୁବି ଓ ଜବା ପାଖରେ ଥିଲା। ହାତକାମ, କେଶ ସଜ୍ଜା, ଝୋଟିଚିତା, ମେହେନ୍ଦି ଲଗା ସବୁ ଶେଷ  ହୋଇଗଲା ଏମିତି। ଅସହାୟ  ମଣିଷକୁ କ୍ରୂର ସମୟ ନଚଉଥିଲା ଯାହା ।

ଦାଦାଭାଇ କହି ଦେଇଥିଲେ ରୁବିକୁ କିଛି  କିଛି। ଆଉ କିଛି ସେ ଆଖିରେ ଦେଖିଥିଲା। ସବୁଦିନ ଯାଉଥିବା ଝିଅଟି ପଢିପାରିଥିଲା ମାଉସୀର ମନକୁ। ପରାଧୀନତାର ଶାଙ୍କୁଳିରେ ବନ୍ଧା ଯିଏ ସିଏ ଯଦି ପାରା କି କପୋତ ହବାକୁ ଚେଷ୍ଟା କରେ…ଫଳ ଏଭଳି ହୁଏ।ଡରରେ ଜବା ଭାବୁଥିଲା, ଆଉ କେବେ ମୁକ୍ତିକାମୀ ହେବନି ସେ…। କିନ୍ତୁ, ଧସେଇ ପଶି ଆସୁଥିଲା  ସହସ୍ର ଭାବନା। ସତରେ କ’ଣ ସ୍ବପ୍ନ ଦେଖିବନି ଆଉ, ଗଢିବନି ମୋତି ମହଲ, ରହିବନି ମାଣିକ୍ୟ ନଗରରେ…ନା’  ଅସମ୍ଭବ।  ଅପସରୀ ମାଉସୀ ଏମିତି ନୀରବି ଗଲା ! ରୂପର ବନ୍ୟା, ଗୁଣରେ ଅନନ୍ୟା …  ପ୍ରେମିକାରୁ  ବଧୂ,  ପତ୍ନୀ ହେବାକୁ ଆଶା ଥିଲା , ସୁନ୍ଦରିଆ ଟିକି ବସାଟିଏ ଆଉ ମାତୃତ୍ବ ମୁଠାଏ ଚାହିଁଥିଲା। ଯାଃ ସେ କେବଳ ପ୍ରେୟସୀ ହୋଇପାରେ,ଆଉସବୁ  ଅପହଞ୍ଚ  ତା’ ପାଇଁ। ଜବାର ଭାବନାରେ ଭଟ୍ଟା ପଡିଲା, ମାଆର ଡାକରେ।
କ୍ରମଶଃ …..

Leave A Reply

Your email address will not be published.