ସମ୍ବେଦନଶୂନ୍ୟ ବୁମଧାରୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ମା କୋଳରୁ ବଢ଼ିଲା ପୁଅ ଚାଲିଯିବା ପରି ହୃଦୟ ବିଦାରକ ଘଟଣା ଆଉ କିଛି ନାହିଁ। ଦୁନିଆର ସବୁ ଦୁଃଖ ଠାରୁ ପୁତ୍ରହରା ଦୁଃଖ ଅଧିକ। ଏଇବେଳେ ଯଦି କେହି ଜଣେ ମା’ ଟିକୁ ପଚାରି ଉତ୍ତର ଆଶା କରେ ଯେ ପୁଅକୁ ହରେଇ ଆପଣଙ୍କୁ କେମିତି ଲାଗୁଛି, ତେବେ ସେ ଲୋକକୁ କଣ କୁହାଯିବ ! ସେ ସମ୍ବେଦନଶୁନ୍ୟ ପ୍ରଶ୍ନକର୍ତ୍ତାକୁ ନିଶ୍ଚିତ ଭାବେ ନିର୍ଲ୍ଲଜ ଓ ଅମଣିଷ ଠାରୁ ଆହୁରି ନୀଚ୍ଚ କୁହାଯିବା ଉଚିତ। ନିଜର ବଢ଼ିଲା ପୁଅକୁ ହରେଇଥିବା ମା’ର ତ ଛାତି ଖଣ୍ଡ ଖଣ୍ଡ ହୋଇଯାଉଥିବ ଦୁଃଖରେ। ତା ଆଖିରୁ ଲୁହ ବନ୍ଦ ହେଉନଥିବ। ସେ ପୁଣି ପ୍ରଶ୍ନର ଉତ୍ତର ଦେବ କିପରି !

ଠିକ ଏହିଭଳି ସମ୍ବେଦନଶୁନ୍ୟ ବ୍ୟବହାର କିଛି ବୁମଧାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ଦେଖାଯାଉଛି। ଗତ ରବିବାର ଦିନ ବରମୁଣ୍ଡାର ଶତାବ୍ଦୀ ନଗର ଡ୍ରେନରେ ଭାସିଯାଇଥିଲା ପନ୍ଦର ବର୍ଷର ଛାତ୍ର ରାଜା। ଅତ୍ୟନ୍ତ ଦୁଃଖଦ ଘଟଣା ଭାବେ ଦୀର୍ଘ ୧୯ ଘଣ୍ଟା ପରେ ରାଜାର ମୃତଦେହ ମିଳିଲା। ବାସ ତା’ପରେ ଯେମିତି କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଦେହରେ ପର ଲାଗିଗଲା। ସେମାନେ ଉଡ଼ି ଚାଲିଲେ ରାଜାର ଶବ ପାଖକୁ। ରାଜାର ମା’ ପାଖକୁ।

ଦେଖିବାକୁ ମିଳିଲା ଯେ, ପନ୍ଦର ବର୍ଷର ପୁଅକୁ ଅକାଳରେ ହରେଇଥିବା ମା’ର ବୁକୁଥରା କାନ୍ଦ ବେଳେ କିଛି ବୁମଧାରୀ ଗଣମାଧ୍ୟମ ପ୍ରତିନିଧି ସେହି ହାତଭାଗିନୀ ମା’କୁ ପଚାରୁଥିଲେ, ପୁଅକୁ ହରେଇ ଆପଣଙ୍କୁ କେମିତି ଲାଗୁଛି! ସତରେ କଣ ଉତ୍ତର ଦେବ ସେହି ପୁତ୍ରହରା ମା’ଟି ! କି ଉତ୍ତର ଆଶା କରୁଥିଲେ ସେହି ଗଣମାଧ୍ୟମ ପ୍ରତିନିଧିମାନେ ? ସତରେ ଏହାଠାରୁ ନିର୍ଲ୍ଲଜ ଓ ନିଷ୍ଠୁର ଦୃଶ୍ୟ ଆଉ କଣ ଥାଇପାରେ ! ମା’ଟି ଯେତେବେଳେ କାନ୍ଦି କାନ୍ଦି ନୟାନ୍ତ ହୋଇଯାଉଛି, ଚେତାଶୂନ୍ୟ ହୋଇଯାଉଛି, ସେତେବେଳେ ତା ମୁହଁ ପାଖରେ ବୁମ୍ ଦେଖେଇବାକୁ ଇଛା ହେଉଛି କିପରି ! ସମ୍ବେଦନଶୀଳତା କଣ ସାମ୍ବାଦିକତାର ପଥର ତଳେ ଚାପି ହୋଇଯାଇଛି ! ଭାବିଲେ ଦେଖି, ସେହି ଦୃଶ୍ୟଟି ବା ସେହି ସାକ୍ଷାତକାରଟି ଟିଭିରେ ଦେଖାଇବା କ’ଣ ନିହାତି ଦରକାର ! କେଉଁ ଦର୍ଶକ ଚାହିଁରହିଛନ୍ତି, ପୁଅକୁ ହରେଇ ମା’କୁ କିପରି ଲାଗୁଛି ସେ ଇଣ୍ଟରଭିଉ ଦେଖିବାକୁ! ସେ ମା’ଟି ସହିତ ଯାହା ଘଟିଯାଇଛି, ସେ ଯେତେ କାନ୍ଦିଲେ ବି ତାର ମନ ବୁଝିବନି। ସେ ବେଳେ ପୁଣି ସେ ସାକ୍ଷାତକାର ଦେବ କିପରି? ତାହା ପୁଣି ତାର ମୃତ ପୁଅ ବିଷୟରେ ଓ ପୁଅ ମରିବାର ମାତ୍ର କେଇ ଘଣ୍ଟା ପରେ !

ଏତେ ସମ୍ବେଦନଶୂନ୍ୟ କିପରି ହୋଇଯାଉଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ ! ଏହା କଣ ସାମ୍ବାଦିକତାର ନୈତିକତା ? ଆଉ ଜଣେ ସାମ୍ବାଦିକ ମା’ଟିକୁ ପଚାରୁଥିଲେ, ସରକାର ମୃତ ପୁଅର କ୍ଷତିପୂରଣ ବାବଦକୁ ଚାରି ଲକ୍ଷ ଟଙ୍କା ଘୋଷଣା କରିଛନ୍ତି, ଏ ବିଷୟରେ ଆପଣ କ’ଣ କହିବେ। ବଡ଼ ଦୁର୍ଭାଗ୍ୟର ବିଷୟ ଯେ, କେମିତି ସେ ସାମ୍ବାଦିକମାନେ ବୁଝିପାରୁନାହାନ୍ତି, ଏ ବେଳେ ମା’ଟି କିଛି ବି କହିପାରିବ ନାହିଁ। ଚାରି ଲକ୍ଷ କଣ ଚାଳିଶ କୋଟି ଟଙ୍କା ଦେଲେ ବି ମା’ର ସେ କ୍ଷତିର କେବେ ବି ଭରଣା ହୋଇ ପାରିବ ନାହିଁ। ପୁଅ ହରେଇଥିବା ଗୋଟିଏ ମା’କୁ ଶାନ୍ତିରେ ବି କାନ୍ଦିବାକୁ ଦେଉନାହାନ୍ତି କିଛି ସମ୍ବେଦନଶୁନ୍ୟ ସାମ୍ବାଦିକ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଅତୀତରେ ଏକାଧିକ ଘଟଣା ସମୟରେ ବି କିଛି ସାମ୍ବାଦିକମାନେ ଏପରି କରୁଥିବାର ଦେଖିବାକୁ ମିଳିଛି। ଏ.ସି.ଏଫ. ସୌମ୍ୟରଂଜନଙ୍କ ମୃତ୍ୟୁର ତୁରନ୍ତ ପରେ ତାଙ୍କ ସ୍ତ୍ରୀ’ ର ସାକ୍ଷାତକାର ହେଉ ବା ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ପରର ଘଟଣା ହେଉ, ସବୁ ସମୟରେ ସାମ୍ବାଦିକମାନେ ସ୍ତ୍ରୀ, ମା’ ଆଦିଙ୍କ ଇଣ୍ଟରଭିଉ କରିବାକୁ ଯାଇ ସାଧାରଣ ସମ୍ବେଦନଶୀଳତା ବି ଭୁଲିଯାଉଛନ୍ତି। କେହି ଆତ୍ମୀୟଙ୍କ ନିଧନକୁ ସହ୍ୟ କରିବା କେତେ କଷ୍ଟ କେବଳ ସେହି ଭୁକ୍ତଭୋଗି ହିଁ ବୁଝିପାରେ। ସେ ବେଳେ ତାଙ୍କ ପାଖରେ ଠିଆ ହେବା, ସାନ୍ତ୍ୱନା ଦେବା ଓ ପରିସ୍ଥିତି ସହିତ ସହଜ ହେବାପାଇଁ ଛାଡ଼ିଦେବା ସମାଜର ଦାୟିତ୍ୱ। ନା କି ତାଙ୍କୁ ପ୍ରଶ୍ନ ପଚାରି ତାଙ୍କ କ୍ଷତକୁ ଉଖାରିବା। ଯାହାକି କିଛି ବୁମଧାରୀ ଗଣମାଧ୍ୟମ ପ୍ରତିନିଧିମାନେ କ୍ରମାଗତ ଭାବେ କରିଆସୁଛନ୍ତି। ଏହା ଦ୍ୱାରା ସେମାନଙ୍କ ସଂସ୍ଥାର ଦର୍ଶକ ବଢ଼ୁଛନ୍ତି କି ନାହିଁ ତାହା ଭିନ୍ନ କଥା, କିନ୍ତୁ ସେମାନଙ୍କ ସମ୍ବେଦନଶୁନ୍ୟତା ଓ ଅମାନବିକତାର ପରିଚୟ ମିଳୁଛି।

ଯଦି ସାମ୍ବାଦିକ ବୃତ୍ତି ପ୍ରତି ସେହି ତଥାକଥିତ ବୁମଧାରୀ ସାମ୍ବାଦିକମାନେ ଏତେ ନିଷ୍ଠାପର, ତେବେ ପ୍ରଶ୍ନ ସେହି ହାତଭାଗିନୀ ମା’କୁ ନପଚାରି ସତସାହସ ଅଛି ତ ପ୍ରଶ୍ନ ବ୍ୟବସ୍ଥାକୁ ପଚାରନ୍ତୁ। କ୍ଷମତା କେନ୍ଦ୍ରକୁ ପଚାରନ୍ତୁ। କାହିଁକି ପ୍ରତିବର୍ଷ ଲଗାଣ ବର୍ଷା ବେଳେ ଜଣେ ଦୁଇଜଣ ଭାସି ଯାଇ ପ୍ରାଣ ହରାଉଛନ୍ତି ? କାହିଁକି ଡ୍ରେନ ଉପରେ ସ୍ଲାବ ପଡିନି ? କାହିଁକି ସବୁ ରାସ୍ତା ପାର୍ଶ୍ୱରେ ଡ୍ରେନ ନାହିଁ ? କାହିଁକି ପ୍ରତିବର୍ଷ ଭୁବନେଶ୍ୱର ଜଳାର୍ଣ୍ଣବ ହୋଇଯାଉଛି ? ଦାୟିତ୍ୱରେ ଥିବା ଅଧିକାରୀମାନେ ତ ଦରମା ନେବାରେ କମ କରୁନାହାନ୍ତି, ତେବେ ପୁଣି ଠିକଣା ସମୟରେ କାମ ହେଉନି କାହିଁକି ? ବ୍ୟବସ୍ଥାକୁ ବା କ୍ଷମତା କେନ୍ଦ୍ରକୁ ଏପରି ପ୍ରଶ୍ନ ପଚାରି ସେହି ଷ୍ଟୋରିକୁ ଫଲୋ ଅପ କରି କରି ଅନ୍ତିମ ପରିଣାମ ଯାଏ ନେଉନାହାନ୍ତି କାହିଁକି ସେହି ସାମ୍ବାଦିକମାନେ ? କାରଣ ଏପରି କରିବାକୁ ହେଲେ ନିଷ୍ଠା ଓ ପରିଶ୍ରମ ଦରକାର। ଗଣମାଧ୍ୟମ ଅଫିସରୁ ବି ଅନୁମତି ନମିଳିପାରେ। ଶାସକଙ୍କଠାରୁ ମିଳିବାକୁ ଥିବା ଲାଭ କମି ଯାଇପାରେ। ଯଦି ଅସଲ ସାମ୍ବାଦିକତା କରିପାରିବନି, ତାହେଲେ ଅଯଥାରେ ସେହି ମା’ର ଦୁଃଖ ବେଳେ ତାକୁ ପ୍ରଶ୍ନ ପଚାରି ଆଉ ଅଧିକ ଦୁଃଖ ଦିଅ ନାହିଁ। ଏହା କେବଳ ସାମ୍ବାଦିକତାର ନୀତି ବିରୋଧୀ କାମ ନୁହେଁ ମାନବ ବିରୋଧୀ କାମ।

ରାଜଧାନୀରେ ଅସରାଏ ବର୍ଷାରେ ଜଳାର୍ଣବ ହୋଇଯାଉଛି ରାସ୍ତାଘାଟ। ଗତ ୬ ବର୍ଷ ମଧ୍ୟରେ ୭ ଜଣଙ୍କର ଜୀବନ ଗଲାଣି ମୁକୁଳା ଡ୍ରେନରେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅଛି, କୌଣସି ଡ୍ରେନ ବି ମୁକୁଳା ଛଡ଼ା ହେବ ନାହିଁ। ସବୁ ଡ୍ରେନ ଉପରେ ସ୍ଲାବ ପଡିବ। କିନ୍ତୁ ସେ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ଅଛି। ଏବେ ବି ରାଜଧାନୀର ଅନେକ ଡ୍ରେନ ଉପରେ ସ୍ଲାବ ନାହିଁ। ରାଜଧାନୀରେ ୭୫୦ କିମି ଡ୍ରେନ ଅଛି। ଆହୁରି ୧୦୦୦ କିମି ଡ୍ରେନ ହେବାକୁ ବାକି ଅଛି। ଦୈନିକ ଖବର କାଗଜ ସମ୍ବାଦର ତଥ୍ୟ ଅନୁସାରେ ରାଜଧାନୀରେ ବି.ଏମ.ସି.ର ୧୨୭୨ କିମି ରାସ୍ତା ଥିବା ବେଳେ ମାତ୍ର ୪୦୦ କିମି ଡ୍ରେନ ଅଛି। ପୂର୍ତ୍ତ ବିଭାଗର ୫୧୮ କିମି ରାସ୍ତା ଥିବା ବେଳେ ପ୍ରାୟ ୩୦୦ କିମି ଡ୍ରେନ ଅଛି। ଏହି ସବୁ ଡ୍ରେନ ଉପରେ ଅନେକ ଜାଗାରେ ସ୍ଲାବ ନାହିଁ। ଯାହା ଲଗାଣ ବର୍ଷା ହେଲେ ଦୁର୍ଘଟଣାର କାରଣ ହେଉଛି।

ଶେଷରେ ଏତିକି କୁହାଯାଇପାରେ, ବୁମଧାରୀ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବେଦନଶୁନ୍ୟ ନହୁଅନ୍ତୁ। ସାମ୍ବାଦିକତା ପରି ମହାନ ବୃତ୍ତିର ମର୍ଯ୍ୟାଦାହାନୀ କରନ୍ତୁ ନାହିଁ। ଯଦି ପ୍ରଶ୍ନ କରିବାର ଅଛି, ସାକ୍ଷାତକାର କରିବାର ଅଛି, ତେବେ ଆତ୍ମୀୟସ୍ଵଜନ ହରେଇଥିବା ବିଚାରୀ ମା’ ଓ ସ୍ତ୍ରୀ’ଟିକୁ ପ୍ରଶ୍ନ ନକରି ବ୍ୟବସ୍ଥାକୁ ପ୍ରଶ୍ନ କରନ୍ତୁ। କ୍ଷମତାକେନ୍ଦ୍ରକୁ ଜବାବ ମାଗନ୍ତୁ। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉତ୍ତର ଦାୟିତ୍ୱ ପଚାରି ସାକ୍ଷାତକାର ନିଅନ୍ତୁ।

ଭିରଙ୍ଗ, ତିରଣ, ଜଗତସିଂହପୁର