Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୧

ମାଆ କ’ଣ ଗଛଟିଏ କି ! କେଜାଣି,  ଯେତେ ଯେତେ ଗମ୍ଭୀର ବିପଦ ଆସେ, ସେ ଭାଙ୍ଗି ପଡେ ସେଇ କିଛି  ସମୟ , ପୁଣି  ଉଠେ, କିଛି ନହୋଇଥିବାର ମନନେଇ ଆଗାଏ। ପଲ୍ଲବୀଯାଏ ଥରକୁଥର।  କଞ୍ଚେଇଯାଏ ବାରମ୍ବାର। ତା’ଠାରୁ ଶିଖିପାରିଲେ ଏତିକି ବହୁତ ଭଲ ହୁଅନ୍ତା। ମୁଁ  ମୋ’ ଭଳି। କୋଉ ଶିଖିପାରେ !  ମନ ଭାଙ୍ଗେ ଥରକୁଥର। ଚୁରମାର ହୋଇଯାଏ ଏକବାରେ । ପୁଣି  ଯୋଡିଯାଡି ଯାଏ। ରାତି ଯାଇ ଦିନ ଆସେ, ନୂଆ ମନ ନୂଆଭାବରେ ପ୍ରକାଶେ।

ଏକପ୍ରକାର ଚାଲୁଥିବା ଜୀବନ , ଏଥର ବାରମ୍ବାର  ଧକ୍କା ଖାଇ ଟଳମଳ ହେଉଥିଲା। ସଜାଡି ଚାଲିବା କଷ୍ଟକର ଥିଲା। ଅର୍ଥନୀତି ଦୋହଲୁଥିଲା। ମାଆ ଲୁଚେଇଥିବା ଅଳ୍ପ ବହୁତ ସମ୍ପତ୍ତି ବିକ୍ରି ହେଉଥିଲା ନହଲେ ବନ୍ଧା ପଡୁଥିଲା। ଆରମ୍ଭ ହେଉଥିଲା କଜିଆ। ମିସ୍ତ୍ରି କାମରେ ଭଲ ପଇସା ଆସିଲେବି ବାପାର ବେପରୁଆ ନିଶାପାଣିରେ ସବୁସରୁଥିଲା। ଖାଇବା, ପିନ୍ଧିବା କଥା ନବୁଝିଲେ ପିଲାଏ କଷ୍ଟ ପାଉଥିଲେ। ପାଠ ତା’ ବାଟରେ ଯାଉଥିଲା। ହଠାତ୍ ଦିନେ ନୂଆ  ଅଟୋଟିଏ  ଆସି  ଠିଆହେଲା ଘର ଆଗରେ। ମାଆ ଜାଣିଲା, ସେଇଟା ହିଁ ବାପାର  କାମ। ସେଦିନରୁ ପ୍ରମୋସନ ହୋଇଗଲା। ଡ୍ରାଇଭର, ପୁଣି ନିଜ ଅଟୋର। ମନ ଇଚ୍ଛା  ଯାତ୍ରୀ ନବାଆଣିବା ପରେ ମନ ଇଚ୍ଛା ନିଦ। ଖାଇବା ବେଳେ ପୁଣି ଭୁରିଭୋଜନ,  ମାଆ କାକୁସ୍ଥ। ଭାଇଟା କେମିତି ଏକ ବିକଳିଆ ହୋଇ ଅନାଏ ସେ ଖାଦ୍ୟକୁ। ଆମେ ଦୁଇ ଭଉଣୀ ନୀରବ ସେବେଳେ। ହୃଦୟହୀନ ବାପା କିନ୍ତୁ,   ଚାରିଗ୍ରାସରେ ପେଟେ ଠୁଙ୍କି  ପହଡ ପକାଏ ଚାରିକାତ ମେଲେଇ। ଊଣା ହେଲେ ଅଶ୍ରାବ୍ୟ ଭାଷାରେ ଗାଳି। ପଖାଳ ହାଣ୍ଡି  ପିଲାଙ୍କ ସାଥି, ଆଉ ତୋରାଣି ତକ ମାଆର। ସତରେ ଯେମିତି ସେ ଗାଈ ! ନୀରବ ଅଶ୍ରୁ ଛଡା ତା’ ପାଖରେ ଆଉ ଥାଏ କ’ଣ ଯେ।ଧିରେ ଧିରେ  କତରା ଲଗା ହେଲା । ତିନିଟା ପିଲାଙ୍କ ଜନ୍ମରେ ସେ ହରାଇଥିବା ଦେହର ପୁଷ୍ଟି ଫେରେଇବ କିଏ  ? ସେଥିରେ ପୁଣି ଅଭାବ ଥିଲା, ନାନା ପ୍ରକାରେ। ମାଆ, ରକ୍ତ ନିଗାଡି ଯେଉଁ ରକ୍ତକୁ ରୂପ ଦେଇଥାଏ ସେମାନେ କ’ଣ ବୁଝନ୍ତି ତା’କଥା। ବୁଝିପାରନ୍ତି କି ତା’ ମନ ତଳର ବେଦନାବତୁରା କାହାଣୀକୁ।

କେତେ ମାଗିବ କାହାକୁ। ଅଭାବ ପାଟିମେଲେଇ ବସିଥିଲା, କିଛି ପାଇଲେ ଗିଳିଦେଉଥିଲା ଟପକିନା। ଝିଅର ଭରସା ମାଆ,  ବାପା, ଭାଇ, ଭଉଣୀ। ମୋ’ ମାଆର ଭଉଣୀ ନଥିଲା। ଭାଇଟିଏ କେବଳ। ଅସମୟରେ ବାପଘରକୁ ମାଗିବା ବେଳେ ପାଟି ଅଠାଅଠା। ବାହା ହେଲା ଝିଅ ପର ପରା! କେତେ ମିଛ, କେତେ ବାହାନା କରି ମାଗିବ ବାରମ୍ବାର ଜଣେ। ଚଢେଇ ପାଟିରେ ଆଧାର ଦେବାବେଳେ ମାଆ ପକ୍ଷୀ ସହ ବାପାର ବି ସହଯୋଗ ଥାଏ। ପିଲାଏ ବୁଝନ୍ତି କ’ଣ ଯେ , ଭୋକ ଲାଗିଲେ କାଲୁବାଲୁ କରନ୍ତି, ମାଆକୁ । ସେ କରିବ କ’ଣ, ଆଧାର ମୁଠାକ ଆଣିବ କୋଉଠୁ …। ନିତିପ୍ରତି ଏଇ ଘଟଣା, କିଏ ଦବ ଯେ !ଉଧାର କରିବ ନା , ବନ୍ଧା ପକେଇବ ନିଜକୁ ବାରମ୍ବାର।ଲୋକେ ତା’କୁ ଦେଖିଲେ ଡରିଲେ, ‘ହେଇ ଦେଖ ଆସିଲା , ମାଗୁଣିତୁଣ୍ଡୀ’ , କହୁଥିଲେ। ମାଆ ପାଟି ଖୋଲିଲେ କେବଳ ଅନଟନ କଥା ଥାଏ, ମୁଠାଏ ଖାଦ୍ୟ କି କେତୋଟି ଟଙ୍କାର କଥାଥାଏ। ଏ ସଂସାରରେ ଏମିତି କିଏ ଅଛି ଯେ ଯାଚିକି ଦବ, ବିନା ଆଶାରେ କିଛି ଦାନ ଦେବ !

ମିଛ ବାହାନାରେ କେତେ କେତେଥର  ମାମୁଘରକୁ ଯାଇଚି ଚନ୍ଦ୍ରା, ମାଆ ସହିତ। ଘରୁ ଖାଲିପେଟରେ, ଗଲେ ଆଈ ହାତରନ୍ଧାର ସ୍ବାଦିଷ୍ଟ ଭୋଜନର ଆଶାରହେ ମନରେ । ସେମାନେ ହାତଟେକି ଯାହା ଦେଲେ ମନା କରିବାର ପ୍ରଶ୍ନ ଉଠୁନି। ନଦେଲେ,ମାଗିବାକୁ କି ଯେ କଷ୍ଟ କରିବାକୁ ପଡେ, ମିଛ ସତ କହି, ହଜାରେ ଝିଙ୍ଗାସ ଶୁଣି, ତାର ଇୟତ୍ତା ନଥାଏ। ମାଈଁ କେବେବି ଖୁସି ହୁଅନ୍ତିନି ଆମକୁ ଦେଖିଲେ।ଯେମିତି ସଗରବଂଶ ଆସିଛନ୍ତି ତାଙ୍କ ଧାନ ଅମାର ଖାଲି କରିବାକୁ, ସେଇଭଳି ଶବ୍ଦମାନ ଝରେ ପାଟିରୁ। ଅଜା ,ଆଈ ଚୁପ  ସେବେଳରେ, ବାର୍ଦ୍ଧକ୍ୟ ବୈରୀ ସାଜେ ସେମାନଙ୍କର। ଚାରିପଟେ ବିପଦ, ଆଉ ମଝିରେ ହରିଣୀ ସହ ଛୁଆ। ମଝି ଅଗଣାରେ ହସକାନ୍ଦର ମଝିରେ ଧୂଳିଧୂୂସରିଆ ପ୍ରାଣ।

ହସ ଲାଖିଥାଏ ମାଆ ଓଠରେ, ପେଟ କାନ୍ଦୁଥାଏ ତା’ ଭିତରେ, ଲୁହ ଝରେନି, ଛାତିତଳୁ ରକ୍ତ ଝରୁଥାଏ। କାନରେ କିଛି ପଶେନି ସେସବୁ ଟାହିଟାପରା କଥା,ଭେଦିଯାଉଥାଏ ପରସ୍ତ ପରସ୍ତ ହୃଦୟତନ୍ତ୍ରୀକୁ। ହାତ ଉପରକୁ ଉଠେନି ସତ, ଆଖିରେ ନିବେଦନ କରେ ପ୍ରଭୁଙ୍କୁ , ଏଇ ଅବସ୍ଥାରୁ ମୁକ୍ତି ଦିଅ କହି।  ଯୋଉଦିନ କିଛି ନଖାଇ ନପିଇ ପେଟପୂରା ବିଦ୍ରୁପଖାଇ ଖାଲି  ହାତରେ ମାଆ ଝିଅ ଝାଳ ସରସର ହୋଇ ଫେରିଲୁ, ସେଇଦିନ ସେଇଠି ପ୍ରତିଜ୍ଞା କଲି, ପାଠପଢି ଚାକିରୀ କରିବି। କିଛି ବୈଷୟିକ ଶିକ୍ଷା ନେବି। ନିଜେ ରୋଜଗାର କରିବି। କୌଣସି  ଖରାପ ରାସ୍ତାରେ ନୁହେଁ,  ନିଜ ବୁଦ୍ଧି ଓ ଶାରୀରିକ ପରିଶ୍ରମ ବଳରେ ଟଙ୍କା  କମେଇବି।  ବେରୋଜଗାରିଆ ବୋଲି ମାଆର ଏ ଅବସ୍ଥା। ନିଜକୁ  ଆର୍ଥିକ ଦିଗରୁ ସୁଦୃଢ କରିବା ସହିତ  ପରିବାରର ଭାର ବୋହି ଆଗେଇବି ସମ୍ମାନର ସହ। ସେଇଠୁ ଆରମ୍ଭ ହେଲା ତପସ୍ୟା, ନିଷ୍ଠା, ଗୋଟିଏ ଅନ୍ୟ ପ୍ରକାରର ଝୁଙ୍କ ଚଢିଲା ମୁଣ୍ଡରେ। ସେଦିନରୁ ପଛକୁ ଫେରିନିତ ଆଉ, ଆଗେଇଚି ଧିରେ ଅଥଚ ଦୃଢତାର ସହ। ପ୍ରତିକୂଳ ସମୟ ସହ ଯୁଦ୍ଧ କରିଚି ବହୁବାର,ସାଲିସ୍ କରିନି କି ପଛଘୁଞ୍ଚା ଦେଇନି।

ଆଣ୍ଟିଙ୍କର ଶୁଭମନାସି କାମ ଆରମ୍ଭ କରେ ସବୁଦିନ । ମଙ୍ଗଳମୟ ହେଉଦିନଟି ଆମର ବୋଲି କହିହୁଏ ମନେମନେ। ଏତେ ଖର୍ଚ୍ଚ,  ଏତେ ସେବା ବ୍ୟର୍ଥ ନ ହେଉ ଗୋ ତୁମର। ଅପେକ୍ଷାରେ ମନଟି ରହେ। ଶୁଭଙ୍କର  ପ୍ରତିଶ୍ରୁତି ସହ ପ୍ରିୟ ଡକ୍ଟର ଆଣ୍ଟି ତ ଅଛନ୍ତି ଆମର। ମଙ୍ଗଳଗୀତିସହ ଆସୁ ଜୀବନର ନୂତନ ପ୍ରସ୍ଥ। ଅଦମ୍ୟ ,ଅପରିସୀମ ଅପେକ୍ଷା କେବଳ । ଆଶା,ଭରସା ତୁମେ ଏକା ପ୍ରଭୁ। ଏ ମଣିଷ ଠିକ୍ ହେବା ସହ ପାଦ ସଶକ୍ତ ହେଉ ମୋର। ମୋ’ ଆପ୍ରାଣ ଚେଷ୍ଟା ସଫଳ ହେଉ । ସ୍ବପ୍ନ ସବୁ ମୁକୁଳିତ ହେଉ ଧିରେ ଧିରେ। ମନକଥା ମନେମନେ କହିହୁଏ ମୁଁ ଏମିତି।
କ୍ରମଶଃ ….

Leave A Reply

Your email address will not be published.