ବ୍ୟଙ୍ଗ : ସୀତାଫଳର ଆଖ୍ୟାନ

ଭାରତର ପ୍ରାଚୀନ ଗ୍ରନ୍ଥମାନ ଉଣ୍ଡାଳିଲେ ଜଣାପଡେ ଆତକୁ ଆଗେ ସୀତାଫଳ କହୁଥିଲେ । ଏବେ ମଧ୍ୟ ସେହି ନାମକୁ ଅନେକତ୍ର ବ୍ୟବହାର କରାଯାଉଛି । ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୫୨୬ ପରେ ମୋଗଲମାନଙ୍କ ଦ୍ୱାରା ଏହାର ନାମ ସୀତାଫଳରୁ ଆତ ରଖାଯାଇଥିଲା ।ବିଶିଷ୍ଟ ଐତିହାସିକ କାଶୀନାଥ ପୂଜାପଣ୍ଡାଙ୍କ ରଚିତ ବିଦଗ୍ଧ ଫଳ ପୁସ୍ତକରେ ଏହି କଥା ଉଲ୍ଲେଖ ହୋଇଛି ।

ମାଦଳା ପାଞ୍ଜିର ପ୍ରଥମ ସଂସ୍କରଣରେ ମଧ୍ୟ ଆତ ଶବ୍ଦର ବ୍ୟବହାର ହୋଇଛି ବୋଲି ଯୁକ୍ତି ବାଢନ୍ତି ପ୍ରସିଦ୍ଧ ରଥଯାତ୍ରା ଉଦଘୋଷକ ପଣ୍ଡିତ ବିଶ୍ଵନାଥ ପୃଷ୍ଟି । ତାଙ୍କ ଯୁକ୍ତି ଅନୁସାରେ ଅ ରେ ଆ’କାର- ଆ ଓ ତ ରେ ଅ’କାର ହେଲା ତଅ । ଏ ଆ’କାରକୁ ଅ’କାରରେ ମିଶେଇଲେ ହେଲା ଆତଅ । ଏ ଆତଅ ର ସୃଷ୍ଟି ଆତ୍ମାରୁ । ଆତ୍ମା କିଏ ? ଆତ୍ମା ହେଲା ବ୍ରହ୍ମ। ଏ ବ୍ରହ୍ମ କିଏ? ବ୍ରହ୍ମ ହେଲା ଭଗବାନ । ଭଗବାନ ବି ଚାରି ଅକ୍ଷର ଜଗନ୍ନାଥ ବି ଚାରି ଅକ୍ଷର । ଅର୍ଥାତ ଆତ ହେଲେ ସ୍ୱୟଂ ଜଗନ୍ନାଥ । ଜଗନ୍ନାଥ ଯେତିକି ପୁରୁଣା ଆତ ସେତିକି ପୁରୁଣା । ରଥ ଉପରେ ସ୍ଥାପିତ କୁମ୍ଭ ହେଲା ଆତ । ସେ ଆତ ଉପରେ ଦୁଇଟି ଶୁଆ ବସିଛନ୍ତି । କିନ୍ତୁ ତାଙ୍କ ପ୍ରିୟ ଫଳକୁ ଖାଉନାହାନ୍ତି । କାଳେ ଥଣ୍ଟ ବାଜି ପ୍ରଭୁଙ୍କ ଫଳ ମାରା ହେବ ତେଣୁ ଶୁଆ ପଛକୁ ମୁହଁ କରି ଜଗିଛନ୍ତି । ଏହାହିଁ ମହାନ ଜଗନ୍ନାଥ ସଂସ୍କୃତିର ଲୀଳା । ମୋଗଲ ମାନଙ୍କ ବହୁ ପୂର୍ବରୁ ଏ ପାବନ ଭୂମିରେ ଆତ ବିରାଜମାନ କରୁଥିଲେ । ତେଣୁ ସୀତାଫଳକୁ ମୋଗଲ ମାନେ ଆତ ନାମକରଣ କରିଦେବା କଥା ଠିକ ନୁହେଁ ।

ପୌରାଣିକ ଜଗନ୍ନାଥ ମହାସୁଆରଙ୍କ ମତରେ ଅଯୋଧ୍ୟା ରାଜା ଭଗବାନ ଶ୍ରୀ ରାମଚନ୍ଦ୍ର ଏକଦା ନିଜର ପ୍ରାଣପ୍ରିୟା ପତ୍ନୀ ମାତା ସୀତାଙ୍କୁ ସାଙ୍ଗରେ ନେଇ ସାନ୍ଧ୍ୟ ଭ୍ରମଣରେ ଯାଉଥିଲେ । ହଠାତ୍ ମାତା ସୀତା ଜଣଙ୍କ ବଗିଚାରେ ଫଳିଥିବା ଏକ ଅଦ୍ଭୁତ ଫଳ ଦେଖିଲେ । ପଚାରନ୍ତେ କେହି ବି ସେ ଅଦ୍ଭୁତ ଫଳର ନାମ କହିପାରିଲେ ନାହିଁ । ମାତା ସୀତା ସେ ଫଳ ଭକ୍ଷଣ କରି ଏହାର ମଧୁର ସ୍ଵାଦରେ ପ୍ରୀତ ହେଲା ପଶ୍ଚାତ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରେମାଭିମାନ ଛଳରେ କହିଲେ ,”ସ୍ୱାମୀ ଆପଣଙ୍କ ନାମ ଅନୁସାରେ ଅନେକ ମନ୍ଦିର, ସେତୁ, ଗ୍ରାମ, ପିଲା ଛୁଆଙ୍କ ନାମ କରଣ ହେଇସାରିଲାଣି । ସର୍ବତ୍ର ଆପଣଙ୍କ ଚର୍ଚ୍ଚା କିନ୍ତୁ ରାମାୟଣ ବାଦ ମୋ ଚର୍ଚ୍ଚା ପ୍ରାୟ ଆଉ କେଉଁଠି ନାହିଁ । ତେଣୁ ଏ ସୁସ୍ୱାଦୁ ଫଳଟିର ନାମ ମୋ ନାମ ଆନୁସାରେ କରନ୍ତୁ ସ୍ୱାମୀ ।” ପତ୍ନୀବତ୍ସଳ ପ୍ରଭୁ ରାମଚନ୍ଦ୍ର ମୃଦୁ ହସ ହସି କହିଲେ ,”ଆଜିଠୁ ଏ ଫଳର ନାମ ସୀତା ଫଳ ହେଉ । ଯୁଗେ ଯୁଗେ ପ୍ରଜାମାନଙ୍କ ଭିତରେ ଏ ଫଳ ସୀତା ଫଳ ଭାବେ ପରିଚିତ ହେବ । ପ୍ରଜାମାନେ ଯେତେବେଳେ ଏ ଫଳ ଦେଖିବେ ଆଦ୍ୟରେ ତୁମ ନାମ ସ୍ମରଣ କରିବେ ।” ପଣ୍ଡିତ ମହାସୁଆର କୁହନ୍ତି ଯେ ଏଥିରୁ ଆମକୁ ଏ ଶିକ୍ଷା ମିଳୁଛି – ସେ ମାନବ ହୁଅନ୍ତୁ କି ସ୍ୱୟଂ ଭଗବାନ ଯୁଗେ ଯୁଗେ ସ୍ୱାମୀମାନେ କେବେ ବି ପତ୍ନୀଙ୍କ ଅନୁରୋଧକୁ ଆମାନ୍ୟ କରିନାହାନ୍ତି । ପୁରାଣବିତ ପଣ୍ଡିତ ଜଗନ୍ନାଥ ମହାସୁଆରଙ୍କ ଏ ଯୁକ୍ତିଟି ବେଶି ଯୁକ୍ତିଯୁକ୍ତ ମନେହୁଏ ।

ପ୍ରିୟ ପାଠକେ ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ପୋଖରୀ କୂଳରେ ସାନ୍ଧ୍ୟ ଭ୍ରମଣ ସମୟରେ ପାଚେରୀରେ ଏଠାରେ ପରିସ୍ରା କରିବା ମନା ଲେଖାହେଇଥିବା ଦେଖି ମୋତେ ଜୋରରେ ପରିସ୍ରା ଲାଗିଲା । ଅଗତ୍ୟା ପାଚେରୀ ପାଖରେ ସେହି ବିଶିଷ୍ଟ କାର୍ଯ୍ୟଟି କରୁଥିଲାବେଳେ ପାଚେରୀ ସେପଟେ ଗବେଷକ କାଶିଆ ଇ (କାଶିନାଥ ପୂଜାପଣ୍ଡା), ବିଶୁବାଇନା (ବିଶ୍ଵନାଥ ପୃଷ୍ଟି) ଜଗାନ୍ନା (ଜଗନ୍ନାଥ ମହାସୁଆର), ମଣି (ଶ୍ରୀମାନ ମାଡୁଆ)ଙ୍କଗ୍ରୀନ ଟେଳା ସେବନ ପରବର୍ତ୍ତୀ ଗବେଷଣା ଉପରେ ହେଉଥିବା ଆଲୋଚନା କାନରେ ପଡିଲା । ଏଠାରେ ଉଲ୍ଲେଖଥାଉ କି ବୟସାଧିକ୍ୟ ଯୋଗୁଁ ଆମ୍ଭେ ଆଉ ବେଶିକିଛି ମନେ ରଖିପାରୁନୁ । ସେ ଦୀର୍ଘ ଆଲୋଚନାରୁ ଯେତିକି ମନେରଖିଲି ସେତିକି ଲେଖିଲି । କେବଳ ଏତିକି କହିହେବ , ଫଳ ସ୍ୱାଦିଷ୍ଟ ବୋଲି ଯଦି କେହି ଦାବୀ କରୁଛନ୍ତି ତେବେ ମାହାଳିଆରେ କିଛି ଆଗ ଦିଅନ୍ତୁ ଖାଇଲାପରେ କହିବୁ ସତ କି ମିଛ । ପ୍ରକାଶଥାଉ କି ଗଛର ଜାତି, ଧର୍ମ ଆକାର ଓ ଲିଙ୍ଗ ନିର୍ବିଶେଷରେ ସବୁ ପ୍ରକାର ମିଠାଳିଆ ରସାଳ ଫଳ ଆମ୍ଭର ଚଳେ ।

ବନମାଳୀ ଭବନ
ଖାନ ନଗର , କଟକ