Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୮

ପାଠ କଥା କିଏ ପଚାରେ।କେତେ ପଢିଚି,ଆଉ ଆଗକୁ କ’ଣ ପଢିବ, ଏକଥା ଆମ ସମସ୍ତଙ୍କର ଏକ ମାନସିକତା କେବଳ। କ୍ୟାରିୟର ଆମ ବିଳସିତ ଅୟମାରମ୍ଭ କହିଲେ ଭୁଲ ହବନି ବୋଧହୁଏ। ଚମ୍ପା,ବୁଲି, ରାଧା, ମାଳ, ବାସ, ଗେହ୍ଲୀ, ଶାରୀ ଭାବନ୍ତି ବଞ୍ଚିବା କେମିତି? ଲୁଚିବା କେମିତି ? ନିଜକୁ ଆଢୁଆଳରେ ରଖିବା କେମିତି ? ନାମ ପରିବର୍ତ୍ତନ ସହିତ  ବ୍ୟକ୍ତିତ୍ବ ପରିବର୍ତ୍ତନ ହୋଇଯାଏ। ସେଇ ପରିବର୍ତ୍ତିତ ସତ୍ତାକୁ ଗ୍ରହଣ କରିବାକୁ ଘରେ ବାହାରେ,ସମାଜରେ ନାରାଜ  ସମସ୍ତେ। ଆଉ ଯାହା ସହିତ ସମୟ ଖେଳେ ସେ କି ପ୍ରକାର ମାନସିକ ସ୍ଥିତିରେ ଥାଏ, ସେକଥା ବୁଝେ କିଏ ? ସବୁଠି ଥୁଆଯାଇଥାଏ  ନିନ୍ଦା, ଅପମାନ, ଆକ୍ଷେପ, କଟୂକ୍ତି,ବିଦ୍ରୁପ।  ଟାହିଟାପରା ଦଂଶିଯାଉଥାଏ ସପ୍ତଫେଣୀ ଭଳି । ନିଜ ରକ୍ତ ପରକରିଦିଏ ପ୍ରଥମେ, ମାଆ,ବାପା, ଭାଇ, ଭଉଣୀ ଦୂରେଇଯାଆନ୍ତି, ଅପଶବ୍ଦଟେ ବ୍ୟବହାରକରି।  କେତେ କେତେ ଧକ୍କା ଖାଏ ଦେହ ମନ। ଚୁରମାର ହୋଇଯାଏ ଏକବାରେ ଜୀବନ।କୁଆଡେ ନାଇ କୁଆଡେ ହୋଇ ଯେତେବେଳେ ପହଞ୍ଚେ ଏଇ କଲୋନୀରେ ସେତେବେଳେ ଯାଇ ଲାଗେ ଫସିଲରୁ ଜୀବାସ୍ମ ବାହାରିଆସିଲାକି ଆଉ। ଜୀବନ୍ମୃତ ଅବସ୍ଥା ନବଜନ୍ମ ପାଏ ଏଇ ଗଙ୍ଗା ଯମୁନାର ଆସିଆନାରେ।ଆଃ ପ୍ରୟାଗର ଶାଶ୍ବତ ସମୀରଣ ଛୁଇଁ ଯାଏ ତନୁମନକୁ ପବିତ୍ରକରି। ମୁଣ୍ଡ ନଇଁଯାଏ ଅକୃତ୍ରିମ ସ୍ନେହର ସ୍ପର୍ଶରେ।

ନିଜପାଇଁ  ନିଜକୁ ପ୍ରସ୍ତୁତ କରିବା କଷ୍ଟକର ହେଲେବି ଢେର ମିଠା ଅଛି ସେଥିରେ । ନିଜ ଗୋଡରେ ନିଜେ ଛିଡାହେବା,ନିଜକୁ ନିଜେ ସୁରକ୍ଷା ଦେବା , ପରିପୂର୍ଣ୍ଣ ଆତ୍ମବିଶ୍ବାସକୁ ଶ୍ରେଷ୍ଠ ସମ୍ବଳଭାବରେ ଧରିଥିବା ସଞ୍ଜୁଅପା ‘ଆସିଆନା’ କୁ ଭଲପାଉଥିଲା ଖୁବ୍ ବେଶି, ଠିକ୍ ନିଜ ହାତରେ ଗଢିଥିବା ହରପ୍ପା କି ମହେଞ୍ଜୋଦାରୋ ଭଳି। ତା’ ନିଜ ବିଲଡିଂର ନାମ ଏଇଟା।

ଅନେକ ଆଧ୍ୟାତ୍ମିକ ଚିନ୍ତାଚେତନା ସହିତ  ମାନବିକତାର କଥା କହେ  ‘ଗଙ୍ଗା ଯମୁନା’ କଲୋନୀ।  କେହି ସର୍ବେସର୍ବା ନୁହେଁ ବରଂ ଅକୁଣ୍ଠ ଭଲପାଇବାର ମୂର୍ତ୍ତିମନ୍ତ ପ୍ରତୀକ ଏ ସ୍ଥାନ, ଏ ଅନୁଷ୍ଠାନ । ଅପା ଆମର  ନିଜେ ଭୋଗିଥିବା ଅକଥନୀୟ ଅତ୍ୟାଚାରକୁ ପାଖ ମଡେଇବାକୁ ଦିଏନା ଚମ୍ପା, ଗେହ୍ଲୀ, ରତ୍ନା, ଶାରୀ , ବୁଲି, ଝରା ଇତ୍ୟାଦି ତା’ର ସମସାମୟିକଙ୍କୁ। ବୁଝିପାରେ ସମସ୍ତଙ୍କୁ ବେଶ ଭଲଭାବରେ।ତଦନୁଯାୟୀ କରିଯାଏ କାମ ନିଃସଙ୍କୋଚରେ, ବୁଦ୍ଧି ଓ ବିବେକର କଥାମାନି।

ପ୍ରତିଦିନ ଅବସର ବିନୋଦନ ପାଇଁ ନାଚଗୀତର ଆସର ଜମେ ସନ୍ଧ୍ୟା ପରେ। ପ୍ରଥମେ ସମସ୍ୟାର ଆଲୋଚନା, ପରେ କିଛି ଭୁଲଭଟକାର ସମାଧାନ, ଆଉ ତା’ ସହିତ ପ୍ରତିଦିନ ବିଶ୍ବନିୟନ୍ତାଙ୍କ ପାଖରେ ନତି ସ୍ବୀକାର। ମଣିଷପଣିଆ ସହିତ  ବିବେକ ମିଶେଇ  ସୁପରାମର୍ଶ ସହ ବ୍ୟକ୍ତିତ୍ବ ଗଠନ ପାଇଁ  କି ସୁନ୍ଦର  ବ୍ୟବସ୍ଥା କରାଯାଇଛି ବୋଲି ତିଥି ଭାବେ।ସବୁ ସମୟରେ ଅପା ସମସ୍ତଙ୍କର ମଙ୍ଗଳ ମନାସେ। ସୁଚିନ୍ତିତ ପଦକ୍ଷେପ ସହିତ ଆଧ୍ୟାତ୍ମିକ ଚିନ୍ତାଚେତନାକୁ ପ୍ରାଧାନ୍ୟ ଦିଏ।

ନିର୍ଦ୍ଦିଷ୍ଟ ଭାବରେ ସବୁଦିନ କିଛି ଯେ ପଢା ହେବ ତା’ ନୁହେଁ, ସମସ୍ତଙ୍କୁ ପ୍ରାଧାନ୍ୟ ଦେଇ ଉଦାତ୍ତ କଣ୍ଠରେ  ମାନବିକତାର ଜୟଧ୍ବନି ପ୍ରଚରେ ଅପା । ସକାଳେ ଥରେ ଓ  ସନ୍ଧ୍ୟାରେ ଥରେ ବୈଠକ ବସେ ସମସ୍ତଙ୍କ ସହ।ଅସୁସ୍ଥ ମଣିଷ ପାଖକୁ ନିଜେ ଯାଇ ତଦାରଖ କରେ, ହାତରେ ଖୁଆଏ ଔଷଧ ସହ ପଥି। ଆମ ସମସ୍ତଙ୍କର ମାଆ ସିଏ। ମହାମଣ୍ଡଳେଶ୍ବର ସେଇଥିପାଇଁ ସନ୍ତୁଷ୍ଟ ତା’ ଉପରେ।

ନିଜ କଲୋନୀର ନକ୍ସା ନିଜେ ବନେଇଥିବା ଅପା କୌଣସି  ଇଞ୍ଜିନିୟରଠାରୁ କମ୍ ନୁହେଁ। ନଗର ନିଗମଠାରୁ ଅନୁମତି ଆଣିଲାପରେ ନିଜେହିଁ ସବୁକିଛି  କରିଥିଲା। ପାଣି ଆଉ ଇଲେକ୍ଟ୍ରିକ କନେକସନ ପାଇଁ କେତେ ଯେ ଦୌଡିଚି ତାର ଇୟତ୍ତା ନାହିଁ। ପ୍ରକୃତରେ, ରାସ୍ତା ଯିଏ ଫିଟାଏ ସେ କଷ୍ଟ ପାଏ ବହୁତ। ତିଥିର ଅକ୍ଳାନ୍ତ  ପରିଶ୍ରମ ଫଳରେ ଆଜି ସୌରଶକ୍ତିରେ ଚାଲୁଛି ଅନେକ କିଛି ଏଠାରେ ।
ଛୋଟିଆ ହେଉପଛେ ସ୍କୁଲ କଲା, ଡାକ୍ତରଖାନା ଯଦିଓ ଠିକ୍ ନୁହେଁ,  ତଥାପି  ଦୁଇଜଣ ଡାକ୍ତରାଣୀ କିଛି କିଛି ସମୟ ଦିଅନ୍ତି ପ୍ରତିଦିନ।କମ୍ୟୁନିଟି ହଲ ସହିତ ପାର୍କ ଭଳି ଫୁଲ ଫଳର ଗଛରେ  ସେ ଅଞ୍ଚଳ ବହୁତ ସୁନ୍ଦର ଦିଶେ। ନିଜର ଦରକାର ସାମଗ୍ରୀ ମିଳେ  ଠିକ୍  ମଲ୍ ଭଳି। ଯଦିଓ  ଏତେ ବେଶି ବଡ ଆକାରରେ ନୁହେଁ, କିନ୍ତୁ ମିଳେ ସବୁ। ଔଷଧପତ୍ର ପାଇଁ ବି ବ୍ୟବସ୍ଥା ରହିଛି। ମନ୍ଦିର ଅଛି। ସବୁଠାରୁ ବଡକଥା ହେଲା ନିଜେ ସେ ତଦାରଖ କରେ ସମସ୍ତଙ୍କ ଅସୁବିଧା ସୁବିଧା ଆଉ ନିଦାନ ସେଇ ଅନୁସାରେ। କିଛି କିଛି ଏବେ ପାଠ ପଢି ଚାକିରୀ କରିବା ଆରମ୍ଭ କଲେଣି। ଦେଖ , ଦେଖ , ଆମକୁ ଆମେ ସଶକ୍ତ କରିବା ଶିଖିଚୁ। ଶିଖିଚୁ ସତ୍ ଉପାୟରେ ରୋଜଗାର କରି ପେଟପୋଷିବାର କଳା। ଯେଉଁ କଟାକ୍ଷ ଆମପ୍ରତି ତୁମର ଅଛି ପ୍ରତିବଦଳରେ ଦୟା କ୍ଷମା ଆଚରି ଆମେହିଁ ଯୋଗେଇ ଦେଉଛୁ ନାନାଦି ସୁବିଧା। ଆଉ, ପାରିଶ୍ରମିକ ନିଅନ୍ତୁନି  କି! ସମସ୍ତେ ମିଶି କୁହନ୍ତି ଏମିତି ବେଳେ ବେଳେ।
କ୍ରମଶଃ ….

Leave A Reply

Your email address will not be published.