ଭୁବନେଶ୍ୱର: ପ୍ରଖ୍ୟାତ କବି ଓ ସାହିତ୍ୟ-ସମାଲୋଚକ କୁମୁଦ ଚନ୍ଦ୍ର ଦାଶଙ୍କର ଦେହାନ୍ତ। ମଇ ୧୭ ତାରିଖ ରାତିରେ ଅନୁଗୁଳଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କର ଟ୍ୟୁମର୍ ଜନିତ ବ୍ୟାଧିରେ ପୀଡ଼ିତ ଥାଇ ସେ ଗତ କିଛି ମାସ ଧରି ଚିକିତ୍ସାଧୀନ ଥିଲେ।
ଓଡ଼ିଆ କବିତାର ବିଶ୍ଳେଷଣ ଓ ପରିଚର୍ଚ୍ଚା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ବିଦ୍ୱାନ ତଥା ଗବେଷକ ଥିଲେ। ୭ ଜୁନ୍, ୧୯୫୩ରେ ଅନୁଗୁଳ ନିକଟବର୍ତ୍ତୀ ସୋମନାଥପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ଭୁବନେଶ୍ବରର ବାଣୀବିହାରରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ୧୯୭୮ମସିହାରୁ ସେ ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ। ଅବସର ନେବା ପରେ ସେ ଅନୁଗୁଳରେ ରହୁଥିଲେ। ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦର ସେ ସଭାପତି ଥିଲେ। ରାଧାମୋହନ ଗଡ଼ନାୟକଙ୍କ କାବ୍ୟକୃତି ଉପରେ ତାଙ୍କର ବିଶେଷ ଗବେଷଣା ଥିଲା।
ଗଡ଼ନାୟକଙ୍କ କୃତ ‘ଗୀତଗୋବିନ୍ଦ’ର ଅନୁବାଦରେ ସେ ସମ୍ପାଦନାର ଭୂମିକା ତୁଲାଇଥିଲେ। ‘ଇସ୍ତାହାର’ ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସେ ବହୁଦିନ ଧରି ସଂପୃକ୍ତ ଥିଲେ। ଆଧୁନିକ ଓଡ଼ିଆ କବିତାର ଛନ୍ଦ, ରସବୋଧ ଓ ଶୈଳୀ ସମ୍ପର୍କରେ ସେ ଅନେକ ପ୍ରଣିଧାନଯୋଗ୍ୟ ପ୍ରବନ୍ଧ ରଚନା କରିଛନ୍ତି। ‘ଓଡ଼ିଆ କବିତାର ଦିଗଦିଗନ୍ତ’ ସଂକଳନରେ ଏ ସମ୍ପର୍କରେ ତାଙ୍କର ଏକ ତାତ୍ତ୍ବିକ ପ୍ରବନ୍ଧ ପ୍ରକାଶପାଇ ବହୁଚର୍ଚ୍ଚିତ ହୋଇଥିଲା। ‘ଓଡ଼ିଆ ଗବେଷଣା ପରିଷଦ’ର ସେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ। ୧୯୭୬ ମସିହାରେ ‘ମୁହୂର୍ତ୍ତ ଓ ଅନ୍ୟ ପୃଥିବୀ’ ନାମକ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ପାଇଥିଲା। ଏହାପରେ ୨୦୦୪ରେ ‘ଶବ୍ଦାନ୍ତର’ ନାମରେ ତାଙ୍କର ଆଉଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା।
୨୦୦୯ ମସିହାରେ ଓଡ଼ିଆ କବିତାର ସୁଗଭୀର ବିଚାରବିମର୍ଶ ଉପରେ ଆଧାରିତ ତା’ଙ୍କର ‘କାବ୍ଯାଲୋକ’ ନାମକ ଏକ ଆଲୋଚନା ଗ୍ରନ୍ଥ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ସେ ଅନ୍ୟ ବହୁ ପୁସ୍ତକର ମଧ୍ୟ ପ୍ରଣେତା ଥିଲେ। ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ଥିଲା। ଦୁଇମାସ ତଳେ ନିଜର ଚିକିତ୍ସା ପାଇଁ ଆମ୍ବୁଲାନ୍ସ୍ ଯୋଗେ ଭୁବନେଶ୍ବର ଆସିଥିବା ବେଳେ ସେ ସେଠାରୁ ଅନେକ ଗୁଡ଼ିଏ ସାହିତ୍ୟ ପୁସ୍ତକ କିଣି ସଙ୍ଗରେ ନେବାକୁ ଭୁଲି ନଥିଲେ ଏବଂ ଜୀବନର ଅନ୍ତିମ ଦିନଗୁଡ଼ିକରେ ରୋଗଶଯ୍ୟାରେ ଥାଇ ମଧ୍ୟ ନିଜର ଅଧ୍ୟୟନ ଜାରି ରଖିଥିଲେ। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ।