Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୬

ଶାଳବଣର ରାଣୀ ଥିଲା ମୁଗୁନି। ନିଜ ଇଚ୍ଛାରେ ବାହାହେଇଚି ସନିଆକୁ। କୋଉ ଅମଳରୁ ଚଉଦପୁରୁଷ କରିଆସୁଛନ୍ତି ବାଉଁଶକାମ ସେମାନେ । ଦୁହେଁ ଅଳ୍ପ ପାଠ ପଢିଛନ୍ତି। ପେଟ ପୋଷିବାକୁ ପାଠ ଠାରୁ କାମକୁ ଗୁରୁତ୍ବ ଦିଅନ୍ତି ଘରେ। ନାଁ ଦସ୍ତଖତ ଶିଖିଗଲେ ଗଲା। କୋଉ ଚାକିରି ମିଳିବ ଯେ ପାଠ ପଢି, ଏଇ ଧାରଣା ପିଲାବେଳୁ ଘରେ, ବସ୍ତିରେ, ସବୁଠାରେ। ଅଧାପାଠରୁ ଡୋରି ବନ୍ଧାହୁଏ ସେଇଲାଗି।

କଞ୍ଚା ଶାଳପତ୍ରରେ  ଟିପେଇ ଟିପେଇ ଦୋନା,ଖଲି ସିଇଁପାରେ ମୁଁ । ବାଉଁଶ ଖଡିକା ଦରକାର ପଡେ ,ସେଥିରୁ ସମ୍ବନ୍ଧ ବଢେ। ପ୍ରତି ହାଟପାଳିରେ ବିକ୍ରୀ କଲେ, ରନ୍ଧା ତେଲ, ମାଟିତେଲ , ଲୁଣ, ଇତ୍ୟାଦି କିଣାହୋଇ ଆସେ। ବର୍ଷା ଦିନେ କାଙ୍କଡ, ବଣ କୁନ୍ଦୁରି, ରକମ ରକମ ଛତୁ, ଟୋକେଇ କଣ୍ଢେଇ ଫୁଲ ଆଉ ବାରମିଶା ଶାଗର ଚାହିଦା ଭଲ ଥାଏ। ଆଜିକାଲି  ଦୋନା, ଖଲିସବୁ ମେସିନ୍ କରୁଚି, ହଉଚି କି ସୁନ୍ଦର,  କେଜାଣି…। ଏମିତି କିଏ ସିଇଁପାରେ, ପଖାଳ , ପାଣି କିଛି ବହିବନି। ମୁଁ ଶିଖିଚି ଘରୁ। ଆମର ତ ସେଇଟା କାମ। ଦେଖୁନ, ଜଙ୍ଗଲ ଆଉ କାହାର ହେଇଗଲାଣି ଏବେ। ନିର୍ଦ୍ବନ୍ଦ୍ବରେ ଯାଇ ହେଉନି ଆଉ ।କେତେ କଟକଣା, କେତେ ନିୟମ। ପତ୍ର ଝଡା ସମୟରେ ମାଆ, ଖୁଡି, ଜେଜେବାପା, ଆଈ, ମାଉସୀ ସବୁ ଯାଉଥିଲେ ଝାଡୁମାରି ପତ୍ରକୁ ଠୁଳେଇ ବାନ୍ଧିକି ବସ୍ତାରେ ଆଣୁଥିଲେ । ଜଙ୍ଗଲ ସଫା, ଘରେ ଧାନ ଉଷେଇଁବା, ଭାତରାନ୍ଧିବା ସବୁ ହେଉଥିଲା ସେଇଥିରେ। ଭାଡିରେ ରଖୁଥିଲେ ବଳକା,ବର୍ଷା ଦିନପାଇଁ। ସେଇଠି ବେଳେବେଳେ ବୋଡା ସାପ ରହେ। କେତେ ଥର ଆଉ ଅନ୍ୟ ଅନେକ ପ୍ରକାର ସାପକୁ ଦେଖିଚି। ହଃ, ସେଗୁଡିକ କି ଡରେଇବ ମୋତେ….। ବଣୁଆ ଝିଅ ମୁଁ।

ବଣ ଭିତରେ କି ମଜା। ଡର ଯେତିକି  ଆନନ୍ଦ ତା’ଠାରୁ ଢେର ଅଧିକ। ଛୋଟ ଛୋଟ ଅନେକ  ଝର….ବହିଯାଉଥିବ କି ମିଠା ,କି ଥଣ୍ଡା ସେ ପାଣି। ତା’ ପାଖରେ ଜାମୁକୋଳି ଗଛ। ଚାରକୋଳି ଗଛ। ଗୋଟେଇ ଆଣି ଧୋଇକରି ହାଟକୁ ନେଲେ ଝାମ୍ପି ପଡନ୍ତି ଲୋକେ ।  ମାଙ୍କଡ କୁମ୍ଭୀର ଗପ ମନେ ପଡେ। କଲିଜା କୋଉଠି  ଲୁଚେଇଚି କିଏ? କୁରେଇ ଫୁଲ, ବଣ ମଲ୍ଲୀ ଆଉ ବଣ ମାଳତୀ ବେଶ ଫୁଟେ।ପତ୍ର ଠୋଲାରେ ଆଣ ମୁଣ୍ଡରେ ଲଗାଇବାକୁ ବହୁତ ଭଲ ଲାଗେ।  ସେପଟେ ସୀତାଫଳ..ଷୁଢି ଆମ୍ବ, ଖଜୁରା ପଣସ,ତାଳ ଖଜୁରୀ, କେତେ ପ୍ରକାର କୋଳି  …କୋଉ ଅଭାବ ମ। ଯାହା ଖୋଜିଲେ ମିଳେ। ଲୁଣ ମିଳେନି ଯାହା। ନିମ ଫୁଲ, ପତ୍ର, ଫଳ ସବୁ ଆମର କାମରେ ଲାଗେ। କିଛି ବିକ୍ରୀହୁଏ କିଛି ଆମେ ଖାଉ। ନିମତେଲ କେତେ ଉପକାରୀ। ମହୁଲ ଗୋଟେଇବାକୁ ମଜା ଯେତିକି, ଭାଲୁକୁ ଡର ସେତିକି। ଜୋକ ଧରେ ବେଳେବେଳେ। ରକ୍ତ ନିଗାଡି ଖାଏ। ସାହସ ଦିଏ ଏଇ ସନିଆ।  ବିଶଲ୍ୟକରଣୀ ପତ୍ର ମନ୍ଥି ଲଗେଇ ଦିଏ କ୍ଷତରେ। ଶୁଖିଯାଏ ଧିରେ।

ମଥାନରେ  ମାଙ୍କଡିଆ ବସ୍ତିକୁ  ଯିବାକୁ  ବାରଣ କରନ୍ତି ଘରେ। ନା ମ ସେମାନେ ଆଗଭଳି ନୁହଁନ୍ତି। ଏବକୁ ଭଲ ମିଶନ୍ତି ଆମ ସହିତ । ଭେଲୁଆ ବାଇଗଣ ମାଙ୍କଡକୁ ଦେଲେ ଖେଳ ଦେଖାଏ ପରା।  କାନ କଣା କରି ଫୁଲ ପିନ୍ଧେ ରଙ୍ଗୀ ,କୁଟେଇ ମାଙ୍କଡିଆ ପାଳିଚି ତାକୁ, କେଡେ ସୁନ୍ଦର ଲୁଗାପଟା ତା’ର।ହାଟପାଳିରେ ଖେଳ ଦେଖାଏ। ପଇସା ଯାହା ସେଥିରୁ ଆସେ, ଘର ଚଳେ। ପାଳିଥାଆନ୍ତି ସେମାନେ ବଣୁଆ ଜୀବକୁ। ବେଶ୍ ପୋଷା ମନେଇଥାଆନ୍ତି ଆମ ପୂର୍ବ ପୁରୁଷଙ୍କୁ। ଠେକୁଆ ,ମୂଷା ଏସବୁ ରଖନ୍ତି, ଖାଆନ୍ତି।ବଣ ସମସ୍ତଙ୍କର।ଜୀବ ସମସ୍ତଙ୍କର। ଏବେ ଏବେ ସ୍କୁଲ  ହେଲାଣି ତାଙ୍କ ପାଇଁ।  ପାଠ ପଢିଲେଣି ସେମାନେ।

ଆଉ ଠେକୁଆ, କୁଟ୍ରା,ବାରହା … କେତେ କେତେ ଜୀବ। ଠେକୁଆ ନିରୀହ, କୁଟ୍ରା ତରକା, ବାରହାକୁ ଡରମାଡେ ।ହାତୀଦଳ ହଇରାଣ କରନ୍ତି ଧାନ ପାଚିଲେ। ଭାଲୁବି ଗଡେ ମଝି ମଝିରେ।ଅନ୍ଧାର ହେଲେ ଘରୁ ବାହାରିବା ମନା। ବାଘର ହେଣ୍ଟାଳଶୁଭେ ରାତି ଅଧରେ ,ସଞ୍ଜ ପହରେ ।ଶିଆଳ ଭୁକେ। ମାଙ୍କଡ ପଲ ଖପ୍ ଖାପ୍ ଡେଇଁ ପଳାନ୍ତି। ହରିଣ ,କୁଟ୍ରା ଦୌଡନ୍ତି ପ୍ରାଣମୂର୍ଚ୍ଛା। ବର୍ଷା ଦିନେ ମୟୂର ଡେଣା ମେଲେଇ ବେକ ବଙ୍କେଇ କି ସୁନ୍ଦର ଦିଶେ। ଦଳେ ହରଡଖାଇ ଫୁରକିନା ଉଡନ୍ତି। ସବୁଠାରୁ ଭଲଲାଗେ ଘାସ ପଡିଆ ଆଉ ଡେଙ୍ଗା ଡେଙ୍ଗା ଶାଳଗଛ।

ମାଦଳ, ଧୁମସା ବଜେଇ ସନ୍ଧ୍ୟା ଆମର ଭଲରେ କଟେ। ଆମର ସବୁ କଷ୍ଟ ଭୁଲିହୋଇଯାଏ ନାଚଗୀତରେ। ଆଉ ଅଛି କ’ଣ ସତରେ, ଜୀବନରେ। ଏଇ ନାଚଗୀତ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ଦିଏନି ଆଉ ଅତୀତକୁ ମନେପକେଇବାକୁ ନାହିଁ କରେ। ଆମେ ବଞ୍ଚୁ ଆଜିକୁ ନେଇ। ଏଇ କ୍ଷଣକୁ ନେଇ। ନା ଆମର ଲୋଭଥାଏ, ନା ଥାଏ ଆସକ୍ତି। ମୁହୂର୍ତ୍ତ ମୁହୂର୍ତ୍ତ ଆମର ବିତେ ଭିନ୍ନ ମାନସିକତାରେ।ଭୋଳ ଆମେ ଆମ ଭିତରେ, ଆଉ ଏ ବଣ, ପାହାଡ, ଜୀବଜନ୍ତୁଙ୍କ ମେଳରେ ଝୁଣା ପାଇଁ  ଯେତେ କଷ୍ଟ  ସେତେ ଦାମ। କାଠଛେଲି ଟିକିଏ ରହିଲେ ଭଲ ବାସ୍ନା ହୁଏନି ବରଂ ଧୂଆଁ ହୁଏ, ଆଖି ପୋଡେ। ଖାଲି ଅଠା ଭଲ ଦାମରେ ଯାଏ।  ଶାଳଗଛ କ’ଣ ନଦିଏ ଯେ। ପତ୍ର, ଦାନ୍ତକାଠି ଆଗଭଳି ଆଉ ଯାଉନି।

ଗଜାଶାଳ ଗଛ ମେରି ଖୁଣ୍ଟ.. ମଞ୍ଜ ଟାଣ ସେଇଲାଗି ମୁଗୁନିର। କେଜାଣି କିଏ ନାମଦେଇଥିଲା ତା’ର। ପଥର ଭଳି ସେ ଶକ୍ତ ସତରେ। ମନ ଦେଇଥିଲା ବୋଲି  ସନିଆ ସହ କଣ୍ଟକରି  ପଳେଇ ଆସିଲା ପୁଷପୂନେଇଁରେ ଏଇ ସହରକୁ। ହାତରେ କିଛି  ଥିଲାକି ? ସନିଆ ଧରିଥିଲା ବାଉଁଶ କାଟିବାକୁ  କାତି ଆଉ ଛେଲିବାକୁ  ଧାରୁଆ ଛୁରୀ। ସେଇ ସମ୍ବଳ। ପଥରକରି ଛାତିକୁ  ଯେ ଆସିଚି ଆଉ ଯାଇନି ତ।ଭାଗ୍ୟ ଦେଖ, ସାତଟା ମକର ଗଲାପରେ ବି କୋଳଶୂନ୍ୟ। ଟାଣୁଆ ମନଟାହିଁ କେବେ କେମିତି  ବାମ୍ଫେଇଯାଏ ନୀରବରେ । ଶାଳବଣର ରାଣୀବୋଲି ଡାକୁଥିବା ସନିଆ  ଆଜି ହସେ କେବଳ ହୃଦୟତଳର ବେଦନାକୁ ଚାପି।

ଶିଉଳି  କୋଉ ମୁଗୁନି ଓ ସନିଆ  ଭଳି ହୋଇଚି ଯେ ! ସେ ଭଲଘର ଝିଅ।ମାଆ ହବ। ତା’କୁ ଓ ତା’ ପିଲାକୁ  ଆଦରକରିବାକୁ ପଡିବ। ଯୁଦି ଉନି ବାୟ ଚଲାକାନା କହି ସେ ….ନା ମ । ଏତେ କଲାପରେ ଧୋକା ଦବନି ସେ, ପଳେଇ ଯିବନି । ଭଲ ଝିଅଟିଏ। ପାଠପଢୁଆ ପରା କହିହେଉଥିଲି ଯାହା ଏକାଏକା ମନକୁ ମନ।

Leave A Reply

Your email address will not be published.