ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୯
ଛାତି ଧକଧକ। ମନରେ ଆଶଙ୍କା । ଲାଗିଲା ଏ ମହିଳା ଯେମିତି ସନିଆ ଭାଇକୁ ଆଗରୁ ଚିହ୍ନିଛନ୍ତି। ନହେଲେ କ’ଣ ଭାଇଟା ଏମିତି ଟେକି ଦିଅନ୍ତା କି… ଆଉ କ୍ଷଣିକ ଆଗରୁ ସ୍ତ୍ରୀ ସହ ଲଢେଇକରୁଥିବା ମଣିଷ ଏମିତି ହଁ କହି ପଠେଇ ଦିଅନ୍ତାନି ତ। ବିଶ୍ବାସ ଓ ଅବିଶ୍ବାସର ଦୋମୁହାଁ ପରିସ୍ଥିତି ସହ ମାନସିକ ଭାବରେ ଯୁଦ୍ଧ ଚାଲିଥିଲା। ମହିଳା ଜଣକ କାର ନିଜେ ଚଲଉଥିଲେ। ମୋତେ ସେ କିଣି ନେଲେକି ଆଉ ! ଭାଇ ହାତରେ ସେ ଗୁଞ୍ଜି ଦେଲେ ମୁଠାଏ ନୋଟ ମୋତେ କାରରେ ବସେଇ ।ଆଶଙ୍କିତ ମନ .. ଭୟଭୀତ ହୃଦୟ। କଣ୍ଢେଇ ପସରା ହାତରେ। ଠକ୍ ଠକ୍ ଥରୁଥିଲା ଦେହ। କେଜାଣି କୋଉଆଡେ ନେଉଛନ୍ତି ମୋତେ। ସହର ରାସ୍ତାରେ ଯାଉଥିଲା କାର। ଜଙ୍ଗଲ କି ନିଛାଟିଆ ରାସ୍ତାରେ ତ ନୁହେଁ। ବେଶ ଗହଳି ଚହଳି ଥିଲା ରାସ୍ତାରେ। ସେ କିନ୍ତୁ ପଦଟିଏ କଥା ହେଉ ନଥିଲେ। ମୁହଁ ଖୋଲି ମୁଁ କିଛି ବୋଲି କିଛି ପଚାରିପାରୁନଥିଲି ।
ଏଥର ବାଙ୍କିଲା କାର। ଧକଧକ ହେଲା ଭିତରେ। ‘ଦେବୀ ଭବନ ‘ ଲେଖାହୋଇଥିବା ଏକ ବହୁତ ବଡ କୋଠା ଘର ,ବଡ ଗେଟ ଭିତରେ ଗାଡି ପଶିଲା। ଓହ୍ଲାଇ ଆସି, ମୋତେ ନେଲେ ହାତଧରି। ଏ ମାଆ ,ଇଏ କି ମେସିନ୍, କାହା ଭିତରେ ପଶେଇଲେ ସେ ମୋତେ ଓ ନିଜକୁ…ଲାଇଟ,ଫ୍ୟାନ ଅଛି, ହେଲେ ନିବୁଜ ଘର। ବୋତାମ ଟିପିଦେଲେ। ଧଡକରି ଯୋଉଠି ରହିଲା, ସେ ପୁଣି ମୋ’ ହାତଧରି ବାହାରକୁ ଆଣିଲେ। ଏଥର ତାଙ୍କର ଏକ ଅଜବ ଉପାୟ, ମାନେ ଛୋଟ ପ୍ଲାଷ୍ଟିକ କାଗଜ ଭଳି ଜିନିଷ ଗୁଞ୍ଜି ପଶିଲୁ ଘରେ । ସେଇଠି କାନ୍ଥରେ ଛୋଟ ଟିଭି ଭଳି କିଛି ଜିନିଷରେ ହାତ ଛୁଆଇଁ କ’ଣ ସବୁ କଲେ।
ହାତ ଦେଖାଇ ଡାହାଣକୁ କହିଲେ ଏଇଟା ତୋ’ ପାଇଁ ଘର। ଖଟସହ ଆଲମୀରା ଥିଲା, ଟେବୁଲଟିଏ ଓ ଚେୟାରଥିଲା। ଦର୍ପଣଟିଏ ଥିଲା। ଅଧା କାଚ ଓ ଅଧା କାନ୍ଥର ବଡ ସୁନ୍ଦରିଆ କୋଠରୀ ମୁଁ ଆଗରୁ କୋଉଠି ଦେଖିନଥିଲି ଏମିତି। ପତଳା ପର୍ଦ୍ଦା ଥିଲା। ଆଡେଇଦେଇ କହିଲେ, ‘ଦେଖ’, ରାସ୍ତା, ଘାସ ପଡିଆ, ଆକାଶ ,ପକ୍ଷୀ ସବୁ ଦିଶିଗଲା ମୋତେ। କି ସୁନ୍ଦର। ଜାଣିଲି ବେଶ କିଛି ଉଚ୍ଚରେ ଅଛି ଏ ଘର। ଏ ମାଆ,ଗାଧୁଆ ଘର ଓ ପାଇଖାନା ଅଛି ଲାଗିକି। ଇଏ କଣ ମ । ଯୋଉଠି ଶୋଇବ ତା’ ପାଖରେ ଏ ସବୁ! ଗାଁ ରେ ପାଇଖାନା ଅଧାମାଇଲ ଦୂରରେ ଥାଏ। ଆଉ ଗାଧୁଆ ଘର…ନଈ,ଗଡିଆ, ପୋଖରୀ ତୁଠରେ କି ଦରକାର ଯେ ଘର। ନୂଆ ସାବୁନ, ଡେଟଲ, ସାମ୍ପୁ, ବ୍ରଶ, ପେଷ୍ଟ,ପାନିଆ, ଟିକିଲି, ଯାହାସବୁ ଦରକାର ସବୁ ଆଣିଦେଲେ ଗୋଟି ଗୋଟି। ତାଙ୍କର ସଫା ଲୁଗାପଟା ଦେଲେ। ଦେଖାଇଦେଲେ ଗରମ ଓ ଥଣ୍ଡା ପାଣି କେମିତି ଆସିବ ନଳରେ। ଧୁଆ ଧୋଇ ହୋଇଯାଆ ଜଲଦି କହି କବାଟ ଆଉଜାଇ ସେ ପଳେଇଲେ।
ମୋ’ ମୁଣ୍ଡ ଘୂରେଇ ଦେଉଥାଏ ଏସବୁ ଦେଖି। ଇଏ କି କଥା। କୋଉଠି ଯାଇ କୋଉଠି ପହଞ୍ଚିଲା ମଣିଷ। ଇଏ କି ଭଲପାଇବା .. କିଏ କି ଇଏ ? ଘରଲୋକେ ତଡିଦେବା ବେଳକୁ, ଅଚିହ୍ନା ମଣିଷ କାହିଁକି ଏତେ ଦରଦ ଦେଖଉଚି ମ।କେଉଁ ପ୍ରକାର ଷଡଯନ୍ତ୍ର ଅଛି…କି ଅଭିସନ୍ଧି ଅଛି… କିଛିବି ବୁଝିପାରୁନଥିଲି। କୂଳ କିନାରା ପାଉନଥିଲି। ଅମୁହାଁ ଦେଉଳରେ ପଶିଗଲିକି ଆଉ? ଫେରିବା ରାସ୍ତା ଅଛି ନା ଏଇଠି ସବୁ ଶେଷ। କେଜାଣି ..।କେମିତି ଗୋଟାଏ ଅସହ୍ୟ ଲାଗୁଥିଲା ଏସବୁ ଦେଖି। କୁଣିଆ ଭଳି କି ସୁନ୍ଦର ବ୍ୟବହାର, ଅତିଷ୍ଠ କରୁଥିଲା ମୋତେ। ଭାବନା ସହ ଯନ୍ତ୍ର ଭଳି ସମ୍ମୋହିତ ହୋଇ କାମସବୁ କରିଯାଉଥିଲି ତାଙ୍କ ଯାଦୁକରୀ ଭାଷାରେ …।ଡର କିନ୍ତୁ ଲାଗୁଥିଲା ଭୀଷଣ ଭାବରେ। ହାତଯୋଡୁଥିଲି କାଳିଆ ପାଖରେ।ରଖିଲେ ରଖ ନହଲେ ମାରିଦେଲେ ଦେଏ ପଛେ,କଷ୍ଟ ଦେଏନା ଆଉ।ଅରକ୍ଷିତକୁ ଦଇବ ସାହା ବୋଲି କହନ୍ତି ସମସ୍ତେ। ଭରସା ରଖିଲି ତୋ’ ଉପରେ … ରଖିବୁ ମୋତେ।