କବିତା : ତା’ ସତ

ଶୈଲେନ ରାଉତରାୟ 

ବାଟରେ ଭେଟିଥିବା ମୁସାଫିର ମୋତେ ପଚାରନା
କବି ବୋଲାଇବାକୁ ମୁଁ ବିକଳ କାହିଁକି ।
ତା’ ସତ ।
ହେଲେ ମୁଁ ତା’ ଠାରୁ ଆହୁରି ବିକଳ
ପଚି ସଢ଼ି, କବିତା ବହିଟିଏ ହେବାକୁ ଥିବା
ଜିଅନ୍ତା, ବଢ଼ନ୍ତା ଗଛଟିଏର ଖତ ପାଲଟିବା ପାଇଁ ।୧।

ହାଟରେ ବସିଥିବା ସଉଦାଗର ମୋତେ ପଚାରନା
ପ୍ରେମିକ ବୋଲାଇବାକୁ ମୁଁ ବିକଳ କାହିଁକି ।
ତା’ ସତ ।
ହେଲେ ମୁଁ ତା’ ଠାରୁ ଆହୁରି ବିକଳ
ତୁମ ଦୂର ଦେଶର ପ୍ରେମିକ
ତୁମ ପାଖକୁ ଲେଖିବାକୁ ଥିବା ଚିଠିର
କରଣ ବନିବା ପାଇଁ ।୨।

ଘାଟରେ ଜଗିଥିବା ନାଉରିଆ ମୋତେ ପଚାରନା
ସାଧକ ବୋଲାଇବାକୁ ମୁଁ ବିକଳ କାହିଁକି ।
ତା’ ସତ ।
ହେଲେ ମୁଁ ତା’ ଠାରୁ ଆହୁରି ବିକଳ
ତୁମ ମଧୁଶାଳାର ସାକି
ଆଉ ତା’ ପ୍ରିୟ ଗରାଖ ଭିତରେ
ମଧ୍ୟସ୍ଥି ସାଧିବା ପାଇଁ ।୩।

ଭୋଜିରେ ମଜିଥିବା ବଇଦ ମୋତେ ପଚାରନା
ପାଚକ ବୋଲାଇବାକୁ ମୁଁ ବିକଳ କାହିଁକି ।
ତା’ ସତ ।
ହେଲେ ମୁଁ ତା’ ଠାରୁ ଆହୁରି ବିକଳ
ତୁମ ଖୁଦାର ଜ୍ୱିହାରେ
ନିରନ୍ତର ନାଚୁଥିବା
ସୁଆଦ ବନିବା ପାଇଁ ।୪।

ପ୍ରତିଦ୍ୱନ୍ଦୀର ବାଡ଼ିରେ ଫୁଟିଥିବା ଫୁଲ ମୋତେ ପଚାରନା
ଈଶ୍ୱର ବୋଲାଇବାକୁ ମୁଁ ବିକଳ କାହିଁକି ।
ତା’ ସତ ।
ହେଲେ ଶଇଲେନ ତା’ ଠାରୁ ଆହୁରି ବିକଳ
ହେମନ୍ତର ଆଗମନ ପରେ
ତୁମ ବଗିଚାର ଝଡ଼ିଥିବା
ପତ୍ର ଖରକିବା ପାଇଁ ।୫।