ଅନୁବାଦ ଗଳ୍ପ : ଶରଣାର୍ଥୀ

ସଚ୍ଚିିଦାନନ୍ଦ ହୀରାନନ୍ଦ ବାତ୍ସ୍ୟାୟନ ହିନ୍ଦୀ ସାହିତ୍ୟର ଜଣେ ସର୍ବମାନ୍ୟ ସ୍ରଷ୍ଟା ଭାବେ ସୁପରିଚିତ । ୧୯୧୧ ମସିହାରେ ଉତ୍ତର ପ୍ରଦେଶରେ ଜନ୍ମିତ ଏହି ସାହିତ୍ୟିକ ହିନ୍ଦୀ ସାହିତ୍ୟରେ “ଅଜେ୍ଞୟ”ନାମରେ ସମସ୍ତଙ୍କ ନିକଟରେ ପ୍ରିୟ । ଜଣେ ଉଚ୍ଚକୋଟୀର କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ ତଥା ସମୀକ୍ଷକ ଭାବେ ସେ ନିଜକୁ ସୁପ୍ରତିଷ୍ଠିତ କରିପାରିଥିଲେ । ‘ଶେଖର: ଏକ ଜୀବନୀ’ ତାଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ । କିନ୍ତୁ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ୱ ( ଚଉଦଟି ଗଳ୍ପ ସଂକଳନ)ରେ ସେ କୋଟି କୋଟି ପାଠକଙ୍କ ହୃଦୟକୁ ଜିଣି ପାରିଥିଲେ । ହିନ୍ଦୀ ଏବଂ ଭାରତୀୟ ସାହିତ୍ୟକୁ ମହାନ ଅବଦାନ ନିମନ୍ତେ ୧୯୭୮ ମସିହାରେ ତାଙ୍କୁ ମର୍ଯ୍ୟାଦାଜନକ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । “ଶରଣାର୍ଥ” ବିଭାଜନ କଥାବସ୍ତୁ ଉପରେ ତାଙ୍କ ଦ୍ୱାରା ଲିଖିତ ଅନେକ ଗଳ୍ପ ମଧ୍ୟରୁ ସର୍ବଶ୍ରେଷ୍ଠ । ଏହା ଦେଶ ବିଦେଶର ପ୍ରାୟ ୭୫ରୁ ଉର୍ଦ୍ଧ୍ୱ ଭାଷାରେ ଅନୂଦିତ ଓ ଆଦୃତ ହୋଇସାରିଛି ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୮

ମୂଳ ହିନ୍ଦୀ: ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’ 

ବଗିର ଝର୍କାପଟେ ପୁଡ଼ାଟା କୌଣସି ମତେ ଗଳେଇଦେଇ କୋଳରେ ଧରିଥିବା ସାନପୁଅ ଅବିଦକୁ ବି ସୁରେୟା ସେଇପଟେ ଗୋଟିଏ ସିଟରେ ଥୋଇଦେଲା । ତା’ପରେ ତରତର ହୋଇ ବଡ଼ପୁଅ ଝିଅକୁ ଟେନ୍‍ ଡବାଟାର ପାହାଚ ଉପରକୁ ଠେଲିପେଲି ଭର୍ତ୍ତିକରି ନିଜେ ବହୁ କଷ୍ଟରେ ବଗି ଭିତରକୁ ପଶିଗଲା । ଅନ୍ଧାରୁଆ ବଗି ଭିତରେ ପଶି ସେ ପ୍ରଥମେ ଥକ୍କାମାରି ତଳେ ବସିପଡ଼ିଲା । ସୁରେୟା ବଗି ଭିତରେ ପାଦ ଦେଉଣୁ ନଦେଉଣୁ ଟ୍ରେନଟା ଗଡ଼ିବାକୁ ଆରମ୍ଭ କରି ଦେଇଥିଲା । ମନେ ମନେ ‘ଆଲ୍ଲା’ଙ୍କୁ ଅଶେଷ ଧନ୍ୟବାଦ ଦେଲା ସେ । ଠିକ୍‍ ସମୟରେ ଟ୍ରେନଟା ଧରିପାରିଥିବାରୁ । ଏତିକିବେଳେ ତା’ ଆଖିରେ ପଡ଼ିଲା ଡବାର ଆର କଣକୁ ଦି’ଜଣ ଲୋକ କମ୍ବଳ ଘୋଡ଼େଇ ଜାକିଜୁକି ହୋଇ ବସିଛନ୍ତି । ମୁହଁସଞ୍ଜରେ ଅନ୍ଧାରୁଆ ଡବାଟା ଭିତରେ ସେ ଦି’ଜଣଙ୍କ ମୁହଁ ସୁରେୟା ଭଲଭାବେ ଦେଖି ପାରୁନଥିଲା । ହେଲେ ସେମାନେ ଯେ ମୁସଲମାନ ନୁହନ୍ତି ସେ କଥା ସୁରେୟା ଦେଖୁ ଦେଖୁ କେମିତି କେଜାଣି ଭଲଭାବେ ଅନୁମାନ କରି ନେଇଥିଲା ।

ଏପର୍ଯ୍ୟନ୍ତ ସୁଦ୍ଧା ଟ୍ରେନଟା ଷ୍ଟେସନ୍‍ ପାର ହୋଇନଥିଲା । ଷ୍ଟେସନର ଗୋଟିକ ପରେ ଗୋଟିଏ ବତୀ ଖୁଣ୍ଟ ପାର ହେଲାବେଳେ ଖୋଲା ଝର୍କା ଦେଇ ଭିତରକୁ ଆସୁଥିବା କ୍ଷୀଣ ଆଲୁଅରେ ସୁରେୟା ଦେଖିଲା ସେ ଦି’ଜଣ ଶିଖ୍‍ । ସେମାନଙ୍କ ମୁହଁରେ ଆଲୁଅ ପଡ଼ି ସାଙ୍ଗେ ସାଙ୍ଗେ ଉଭେଇ ଯାଉଥିଲେ ବି ସୁରେୟା ଲକ୍ଷ୍ୟକଲା, ସତେ ଯେମିତି ସେମାନଙ୍କ ଆଖି ଭିତରେ ଦୟା ମାୟା ଶୂନ୍ୟ ଚାହାଣୀ ଭରି ରହିଛି । ଆଉ ସେଇ ଆଖିରେ ପଲକ ସୁଦ୍ଧା ପଡ଼ୁନି । ସୁରେୟାକୁ ଲାଗିଲା ଯେମିତି ଏଇ ଦୁଇଜଣ ଅଚିହ୍ନା ଲୋକଙ୍କ ଦୃଷ୍ଟି ତା’ଆଡ଼କୁ ନଥାଇ ସୁଦ୍ଧା ସେମାନେ ତାକୁ ଦେଖି ପାରୁଚନ୍ତି । ସେମାନଙ୍କ ନୀରବତାରେ ଯେପରି କିଛି ଅହେତୁକ ଭୟ ପୂରି ରହିଛି! ଚାହିଁଦେଲେ ଦେହରୁ ରକ୍ତ ଶୋଷିନେବେ! ସୁରେୟା ମନଟା ଭୟରେ ଥରି ଉଠିଲା । ତାକୁ ଲାଗିଲା ଯେମିତି ଏମାନେ ଏଇ ମୁହୂର୍ତ୍ତରେ ତା’ ଉପରକୁ କୁଦି ପଡ଼ିବେ! ହେଲେ ଏବେ ଆଉ କିଛି ଲାଭ ନାହିଁ ।

ଟ୍ରେନର ବେଗ ସେତେବେଳେକୁ ବେଶ୍‍ ବଢ଼ି ସାରିଥିଲା । ଚଳନ୍ତା ଟ୍ରେନରୁ ସିଏ ହୁଏତ ଡେଇଁପଡ଼ିବ ଛୁଆ ଦି’ଜଣଙ୍କୁ ଧରି । ହଁ, ଏଇ ଅଚିହ୍ନା ଯାତ୍ରୀମାନଙ୍କ ଦ୍ୱାରା ଟ୍ରେନରୁ ଫିଙ୍ଗା ହୋଇଗଲେ ତା’ର ଯେଉଁ ଦଶା ହେବ ଏବେ ଡେଇଁଲେ ଆଉ କେଉଁ ଗୁଣେ ଅବା କମ୍‍ କ୍ଷତି ହେବ ଯେ! ଜୀବନ ଯିବାର ବି ଭୟ ଅଛି । ଏଇ ଅନ୍ଧାର ଭିତରେ ସେ ଆଖି ବୁଲେଇ ଆଣିଲା । ମୁଣ୍ଡ ଉପରେ ଚେନ୍‍ର ଶିକୁଳିଟି ଝୁଲୁଥିଲା । କ’ଣ କରିବ, କ’ଣ କରିବ ଏମିତି ଚିନ୍ତା କରି କରି ସେ ଗୋଟିଏ ସିଟ୍‍ ଉପରେ ବସିପଡ଼ିଲା । ତା’ମୁଣ୍ଡକୁ ହଠାତ୍‍ ଗୋଟିଏ ବୁଦ୍ଧି ଢୁକିଲା, ଆଗ ଷ୍ଟେସନରେ ସେ ଏ ଡବା ବଦଳାଇ ଅନ୍ୟ ଗୋଟିଏ ଡବାକୁ ଚାଲିଯିବ ।

‘କେତେ ବାଟ ଯାଉଛୁ ଝିଅ?’ ସୁରେୟା ଚମକି ପଡ଼ିଲା । ତା’ ଛାତି ଧଡ଼ଧଡ଼ ହୋଇଗଲା । ବୁଢ଼ା ପଞ୍ଜାବୀ ଜଣକ ତାକୁ ଲକ୍ଷ୍ୟକରି ପଚାରୁଥିଲା । ଲୋକଟାର କି ଫଟା ଗଳା! ମନେମନେ ସୁରେୟା ଭାବିଲା, ଆଉ କେଇଟା ଷ୍ଟେସନ୍‍ ପରେ ହୁଏତ ସିଏ ତାକୁ ଛୁରୀ ଭୁଷି
ମାରିଦେବ । ହେଲେ କେତେ ଆତ୍ମୀୟତାଭରା ସ୍ୱରରେ ଲୋକଟା ପଚାରୁଛି! ଏଇ ଦ୍ୱନ୍ଦ୍ୱ ଭିତରେ ସେ ଭୁଲି ଯାଇଥିଲା ବୁଢ଼ା ପଞ୍ଜାବୀକୁ ଉତ୍ତର ଦେବାକୁ । ବୁଢ଼ା ଶିଖ ଜଣକ ପୁଣି ଥରେ ସେଇ ପ୍ରଶ୍ନଟି ଦୋହରାଇଲା । ‘କୁଆଡ଼େ ଯାଉଛୁ, ମା’?’

ସୁରେୟା ତା’ ମୁହଁରୁ ବୁର୍ଖାର ପର୍ଦ୍ଦାଟି କାଢ଼ିଲା ଓ ପୁଣି ସାଙ୍ଗେ ସାଙ୍ଗେ ତାକୁ ପକାଇଦେଇ ଡରି ଡରି ଉତ୍ତର ଦେଲା- ‘ମୁଁ ଇଟୱାଯାକେ ଯାଉଛି ।’

ପଞ୍ଜାବୀ ବୁଢ଼ା ଜଣକ କ’ଣ ଦଣ୍ଡେ ଭାବିଲା ବୋଧେ । ‘ଆଚ୍ଛା ଝିଅ, ତୋ ସାଙ୍ଗରେ ଆଉ କ’ଣ କେହି ନାହାନ୍ତି?’

ସୁରେୟା ଛାତି ପୁଣି ଅଜଣା ଭୟରେ ଭରିଗଲା ଓ ସେ ମନେମନେ ଭାବିଲା- ବୋଧେ ଲୋକଟା ଭାବୁଚି ତାକୁ ମାରିବା ଲାଗି ସେ କେତେ ସମୟ ନେବ… ହେ ଆଲ୍ଲା! ଆଗ ଷ୍ଟେସନରେ ଏ ଡବାକୁ କେହି ଜଣେ ହେଲେ ଲୋକ ଆସୁ । ଆଉ ଯିଏ ଆସିବ ମୁଁ ସାଙ୍ଗେ ସାଙ୍ଗେ ବୁଢାକୁ ଜବାବ ଦେବି ଯେ ସିଏ ମୋ ନିଜ ଲୋକ । ଏଇ ଷ୍ଟେସନରୁ ଉଠିଲା ବୋଲି । ହୁଏତ ଏକଥା ଜାଣିଲେ ବୁଢ଼ା ମନରେ ଭୟ ପାଇପାରେ । ଯଦି ସାଙ୍ଗରେ ଜଣେ କିଏ ଏକା ଡ଼ବାରେ ନାହିଁ, ଏକୁଟିଆ ଟ୍ରେନରେ ଯିବା କି ବିପଦ! ଆଉ ଯଦି ଟ୍ରେନ ଚାଲିଲା ବେଳେ କେହି ଝର୍କା ପାଖକୁ ଲାଗିଆସି ପଚାରିବ କିଛି କିଣିବ ବୋଲି? ସୁରେୟା ମନେ ମନେ ଠିକ୍‍ କରିନେଲା, ବୁଢ଼ାକୁ ମିଛଟାରେ କହି ଆଗ ଷ୍ଟେସନ ପର୍ଯ୍ୟନ୍ତ ଭୁଲାଇଦେବ । ବୁଢ଼ା ପଞ୍ଜାବୀ ଆଡ଼େ ଚାହିଁ ସେ କହିଲା, ‘ପାଖ ଡ଼ବାରେ ମୋ ଭାଇ ଅଛି ।’

ଏତିକିବେଳେ ସାନପୁଅ ଅବିଦ୍‍ ମା’ କଥା ବୁଝି ନପାରି ପିାରିଲା, ‘ମା’, ତୁ ଇଏ କ’ଣ କହୁଚୁ? ମାମୁ ପରା ଲାହୋର ଯାଇଛି  !’

ସୁରେୟା ପୁଅ ଆଡ଼କୁ ବଡ଼ ବଡ଼ ଆଖିରେ ଚାହିଁ ଆସ୍ତେକରି କହିଲା, ‘ଚୁପ୍‍!’ ଅଳ୍ପ ସମୟ ରହି ବୁଢ଼ାଟି ପୁଣି ପଚାରିଲା, ‘ଇଟାୱାରେ କ’ଣ ତୋର ଘର? ଘରେ ଆଉ କିଏ କିଏ ଅଛନ୍ତି ?’

‘ହଁ ।’

ବୁଢ଼ାଟି ଦଣ୍ଡେ ଚୁପ୍‍ ପଡ଼ିଗଲା । କିଛି ସମୟ ପରେ ପୁଣି ପଚାରିଲା, ‘ଆଲୋ ମା’, ଭାଇ ଏକା ଡବାରେ ତୋ ସାଙ୍ଗରେ ବସିବାର ଥିଲା । ଆଜିକାଲି ବେଳକାଳ ଯାହା ହେଲାଣି, ଜଣେ ସ୍ତ୍ରୀଲୋକ ଏକୁଟିଆ ଟ୍ରେନରେ ଯିବା ନିରାପଦ ନୁହଁ । ସିଏ ତୋ ସାଥିରେ ଥିଲେ ଭଲ ହୋଇଥାନ୍ତା ।’ ସୁରେୟା ମନେମନେ ପ୍ରମାଦ ଗଣି ଭାବିଲା, ଇଏ ବାଡ଼ିପଡ଼ା ବୁଢ଼ା ବୋଧେ ଠଉରାଇ ପାରିଛି ଯେ ସତକୁ ସତ ତା’ ସାଥିରେ କେହିନାହିଁ । ସିଏ ତାକୁ ମିଛ କହିଛି ବୋଲି । ବୁଢ଼ା ପଞ୍ଜାବୀ ଜଣକ ଏବେ ମନକୁ ମନ ଗୁଣୁ୍‍ୁଗୁଣୁ ହେଉଥିବାର ସୁରେୟା ଶୁଣିପାରିଲା- ‘ହଁ, ଇଏ ଯେଉଁ ବେଳକାଳ, ଏଥିରେ ଅବା କିଏ କାହା ସାଙ୍ଗରେ ଯିବାକୁ ତର ଅଛି? ଏତେବେଳେ ଯାହା ନିଜେ ନିଜର ଭରସା …’

ଟ୍ରେନର ବେଗ କମି କମି ଆସୁଥିଲା । ଆଗରେ ଷ୍ଟେସନଟିଏ ବୋଧହୁଏ । ଛୋଟ ଷ୍ଟେସନଟିଏ । ସୁରେୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରି ନଥିଲା, ସେ ଏଇ ବଗିରେ ବସି ରହିବ ନା ଆଉ ଗୋଟିଏ ବଗିକୁ ଚାଲିଯିବ । ଏତିକିବେଳେ ଆଉ ଦି’ଜଣ ଲୋକ ସେଇ ଡବାରେ ଚଢ଼ିଲେ । ସୁରେୟା ତାଙ୍କୁ ଦେଖି ଅନୁମାନ କରିନେଲା ସେମାନେ ‘ହିନ୍ଦୁ’ହେବେ । ତା’ର ଡର ଆଉ କେଇ ଗୁଣ ବଢ଼ିଗଲା । ଆଉ ଅଧିକ ବିଳମ୍ବ ନକରି ସେ ତା’ର ପୁଡ଼ା ପୁଟୁଳା ଓ ଛୁଆ ଦି’ଟାଙ୍କୁ ଧରି ଠିଆହେଲା ଓହ୍ଲେଇ ଯିବାକୁ ।

ସୁରେୟାକୁ ଠିଆ ହୋଇପଡ଼ିବାର ଦେଖି ବୁଢ଼ା ପଚାରିଲା, ‘କ’ଣ ମା’, ଏଇଠି ଓହ୍ଲେଇଯିବୁ?’ ସୁରେୟା ଚଟକିନା କହି ପକାଇଲା, ‘ନାଇଁ, ମୁଁ ଭାବୁଛି ଏ ଡବାରୁ ଯାଇ ମୋ ଭାଇ ବସିଥିବା ଡବାରେ ବସିବି ବୋଲି । ଏକୁଟିଆ କାଇଁକି ଏଠି ବସିବି ।’

ମଣିଷ କେତେ ଛଳନାକାରୀ ଜୀବଟିଏ ସତେ! ବିପଦର ଆଶଙ୍କା କରି ସୁଦ୍ଧା ନିଜକୁ ସେଇ ଛଳାନାର ଖୋଳପା ଭିତରେ ଘୋଡ଼େଇ ରଖେ । ପୁଣି ଏମିତିକିଆ ଛୋଟକାଟର ମିଛ…! ସତକୁ ସତ ତା’ର ଭାଇ ତ ତାକୁ ଛାଡ଼ିବାକୁ ଆସି ପାରିଥାନ୍ତା । କେମିତି ଅବା ଆସିଥାନ୍ତା! ସିଏ ତ ମୋଟେ ଘରେ ନଥିଲା । ବୁଢ଼ା ଶିଖ୍‍ ଜଣକ ଆଶ୍ୱାସନା ଦେଲାଭଳି କହିଲା, ‘ଏଇଠି ବସିଥା ମା’,ତୋର କିଛି ଅସୁବିଧା ହବନି । ଭୟ କରିବାର କିଛି ନାଇଁ । ତୁ ମୋର ସାନ ଭଉଣୀ ଭଳି । ଆଉ ତୋ ପୁଅ ଝିଅମାନେ ବି ମୋ ପିଲାଙ୍କ ପରି । ଆଲିଗଡ଼ ପର୍ଯ୍ୟନ୍ତ ତୋର କିଛି ଅସୁବିଧା ହବନି । ମୁଁ ଅଛି । ହଁ, ତା’ ଆଗକୁ ସାମାନ୍ୟ ଖତରା ଅଛି । ୟା’ଭିତରେ ତୋର ନିଜ
ଲୋକ ବି ଏ ଡବାକୁ ଆସି ଯାଇସାରିଥିବେ ।’

ସଦ୍ୟ ଡବା ଭିତରକୁ ଆସିଥିବା ଜଣେ ହିନ୍ଦୁ ଯାତ୍ରୀ କହି ଉଠିଲା, ‘ସର୍ଦ୍ଦାରଜୀ, କାଇଁକି ବାଧ୍ୟ କରୁଛି? ସେ ଯଦି ଯିବାକୁ ଚାହୁଁଛନ୍ତି ଯାଆନ୍ତୁ । ତୁମର କ’ଣ ଯାଉଛି  ?’ ସୁରେୟା ଏବେସୁଦ୍ଧା ଅନିଶ୍ଚିତ ଥିଲା । ଏଇ ଶିଖ୍‍ ଓ ହିନ୍ଦୁ ଯାତ୍ରୀ ଦୁଇଜଣଙ୍କ କଥା ତାକୁ ଆହୁରି ଦ୍ୱନ୍ଦ୍ୱରେ ପକାଇଦେଲା । କିନ୍ତୁ ସେ କିଛି ଗୋଟିଏ ନିଷ୍ପତ୍ତିରେ ପହଁଞ୍ଚିବା ପୂର୍ବରୁ ଟ୍ରେନଟି ତା’ ନିଷ୍ପତ୍ତି ଶୁଣାଇ ସାରିଥିଲା । ଟ୍ରେନଟି ଆଗକୁ ଗଡ଼ିବାକୁ ଆରମ୍ଭ କରିଦେଲା । ଅଗତ୍ୟା ସୁରେୟା ସେଇ ଡବାରେ ପୁଣି ବସି ରହିଲା । ହିନ୍ଦୁ ଯାତ୍ରୀ ଜଣକ ପଚାରିଲେ, ‘ସର୍ଦ୍ଦାରଜୀ, ତୁମେ କ’ଣ
ପଞ୍ଜାବରୁ ଆସୁଛ?’

‘ଆଜ୍ଞା ହଁ ।’ ସର୍ଦ୍ଦାରଜୀ ସଂକ୍ଷେପରେ ଉତ୍ତର ଦେଲେ । ‘ତୁମ ଘର ପଞ୍ଜାବରେ କେଉଁଠି?’ ‘ଘର ତ ମୋର ଶେଖପୁରାରେ ଥିଲା । ଏବେ କିନ୍ତୁ …ଧରାଯାଉ ଏଇଠି । ଏଇ ବଗିଟି ହିଁ ମୋର ଘର ।’ ‘ଏଇ ବଗି? ତା’ମାନେ ବୁଝି ପାରିଲିନି ।’ ‘ମାନେ ଏବେ ମୁଁ ନିଜେ ଯେଉଁଠି, ମୁଁ ଭାବୁଚି ମୋ ଘର ସେଇଠି । ଧରିନିଅ ଯେ ଏଇ ବଗିର ଏଇ କୋଣଟି ମୋର ଘର ।’

ହିନ୍ଦୁ ଯାତ୍ରୀ ଜଣକ କଣ୍ଠସ୍ୱର ଆପେ ଆପେ ନରମିଗଲା । ସେ ଯେପରି ଗୋଟିଏ ପାତ୍ରରେ କିଛି ଦୟା ଢାଳିଲା ଭଳି କହିଲେ, ‘ତା’ହେଲେ ତୁମେ ଜଣେ ଶରଣାର୍ଥୀ । ଆଉ ଅପରିଚିତ ସହଯାତ୍ରୀଟିର ଏହି ଅଯାଚିତ ଦୟାର ପାତ୍ରଟିକୁ ଦୂରକୁ ଠେଲି ଦେଲାଭଳି ବୁଢ଼ା ପଞ୍ଜାବୀ ଜଣକ ଶୁଖିଲା ହସ ହସି କହିଲେ, ‘ହଁ ଆଜ୍ଞା, ଏବେ ମୁଁ ଘରଦ୍ୱାରହୀନ ଶରଣାର୍ଥୀଟିଏ ।’

ସମ୍ଭବତଃ ଏଇ ସ୍ୱାଦହୀନ ହସକୁ ଯାତ୍ରୀ ଜଣକ ଠିକ୍‍ ଠଉରାଇ ପାରିନଥିଲେ । ସେ ଏକ ଛଳନାଭରା ଦରଦୀ ସ୍ୱରରେ ପୁଣି କହିଲେ,
‘ମୁଁ ଭାବୁଚି, ତୁମେ ନିଶ୍ଚୟ ଗୋଟିଏ ବିରାଟ ଦୁର୍ଦ୍ଦିନର ସାମ୍ନା କରିଛ । ହୁଏତ ତୁମ ପରିବାରକୁ ବି… । ଶିଖ୍‍ ଲୋକଟିର ଆଖିରେ ଯେମିତି କ୍ଷଣକ ଲାଗି କ୍ରୋଧର ଗୋଟିଏ ବିଜୁଳି ଚମକି ଉଠି ପୁଣି ପର ମୁହୂର୍ତ୍ତରେ ମିଳେଇଗଲା । କିନ୍ତୁ ସେ ତାହା ପରିପ୍ରକାଶ ହେବାକୁ ନଦେଇ ଚୁପ୍‍ ରହିଲେ ।

ହିନ୍ଦୁଯାତ୍ରୀ ଜଣକ ଏଥର ମୁହଁ ବୁଲେଇଲେ ସୁରେୟା ଆଡ଼େ ଓ କହିବାରେ ଲାଗିଲେ, ‘ହିନ୍ଦୁ ଓ ଶିଖମାନଙ୍କ ଉପରେ କି କି ପ୍ରକାର
ଅକଥନୀୟ ଅତ୍ୟାଚାର ହୋଇଚି ସେକଥା ଏବେ ଦିଲ୍ଲୀରେ ଲୋକେ କଥାବାର୍ତ୍ତା ହେଉଚନ୍ତି । ଓଃ! ସେମାନଙ୍କ ତୁଣ୍ଡରୁ ଏମିତିକା ଭୟଙ୍କର
କଥାସବୁ ଶୁଣିବାକୁ ମିଳୁଚି, ସେକଥା ବଖାଣି ହେବନି । ଲାଜ ଲାଗୁଛି । ଯୁବତୀଗୁଡ଼ାଙ୍କୁ ବିଚ୍‍ ରାସ୍ତାରେ ଲଙ୍ଗଳା କରି…’

ବୁଢ଼ା ଶିଖ୍‍ ଜଣକ ହଠାତ୍‍ ମୁହଁ ବୁଲେଇ ତାଙ୍କ ପାଖରେ ବସିଥିବା ଆର ଶିଖ୍‍ ଯୁବକ ଜଣକୁ ଆଦେଶ ଦେଲାଭଳି କହିଲେ, ‘କାକା, ତୁ ଉପର ବର୍ଥକୁ ଯାଇ ଶୋଇପଡ଼୍‍ ।’ ସମ୍ଭବତଃ କାକା ବୋଲି ସମ୍ବୋଧନ କରୁଥିବା ଯୁବକଟି ବୁଢ଼ା ଶିଖ୍‍ର ପୁଅ । ଏକଥା ସ୍ପଷ୍ଟ ବୁଝା ପଡ଼ୁଥିଲା । ଯୁବକଟି ଚୁପ୍‍ଚାପ୍‍ ଉପର ବର୍ଥକୁ ଉଠିଯାଇ ଶୋଇଗଲା । ଏଥର ବୁଢ଼ା ଆଉ ଗୋଟିଏ ବର୍ଥକୁ ଚଢ଼ିଯାଇ ବସିଲା ଓ ଝର୍କାଆଡ଼େ ବାହାର ଅନ୍ଧାରକୁ ଚାହିଁ ରହିଲା ।

ଚୁପ୍‍ ପଡ଼ିଯାଇଥିବା ହିନ୍ଦୁଯାତ୍ରୀ ଜଣକ ପୁଣି ତାଙ୍କ କଥା ଆରମ୍ଭ କଲେ- ‘କି ଭୟଙ୍କର ସେ ଦୃଶ୍ୟ! ନିଜ ବାପଭାଇଙ୍କ ଆଗରେ ବଢ଼ିଲା ଝିଅ ବୋହୂଙ୍କୁ ବେଜିତ୍‍ କରିବା…’ ବୁଢ଼ା ଶିଖ୍‍ଟି ଆଉ ନିଜକୁ ସମ୍ଭାଳି ନପାରି ବଡ଼ପାଟିରେ କହିଉଠିଲା, ‘ବାବୁ ସା’ବ୍‍, ତୁମେ କିଭଳିଆ
ଲୋକ ମୁଁ ବୁଝିପାରୁନି । ଆହେ, ଆମେ ସମସ୍ତେ ଖୋଦ୍‍ ନିଜ ଆଖିରେ ଏଭଳି ଘଟଣା ଦେଖିଆସିଚୁ । ସେସବୁ ଘଟଣା ତୁମେ କାଇଁକି ଏଠି ଦୋହରାଉଛ? କ’ଣ ଦରକାର ଅଛି ଏସବୁ କଥା ଏଠି କହିବାର?’

ବୁଢ଼ା ଶିଖ୍‍ର କଣ୍ଠସ୍ୱର ଛୁରୀଧାର ଭଳି ତୀକ୍ଷ୍ଣ ଲାଗୁଥିଲା । କିନ୍ତୁ ବିଚରା ହିନ୍ଦୁ ସହଯାତ୍ରୀଟି ଏଥର ବି ତାଙ୍କ ସହଯାତ୍ରୀଙ୍କ ମନର ଭାବକୁ ଠିକ୍‍ ଠଉରାଇ ପାରିଲେନି । ପୁଣି ଥରେ ଉତ୍ସାହିତ ହେଲାଭଳି କଣ୍ଠରେ ସେ କହିଚାଲିଲେ, ‘ତୁମେ ଠିକ୍‍ କହିଛ… ଆମେ ଅବା ତୁମର ସେ ଦୁଃଖ କେମିତି ବୁଝିପାରିବୁ? ଆମେ କେବଳ ଯାହା ସମବେଦନା ଜଣେଇ ପାରିବୁ । କିନ୍ତୁ ଇଏ ସମବେଦନାରେ ଭଲା କ’ଣ ଅଛି? ଭାବିଲ ଦେଖି, ଏତେସବୁ ଶିଖ୍‍ ଲୋକଙ୍କ ଉପରେ ଯେଉଁଭଳି ଅତ୍ୟାଚାର ହେଲା ଆମେ ତାକୁ ଜାଣିବାର କି ଉପାୟ ଅଛି? ସେମାନଙ୍କ ଆଖି ଆଗରେ ତ ସେମାନଙ୍କ ନିଜ ଝିଅବୋହୂଙ୍କ …’

ବୁଢ଼ା ଶିଖ୍‍ ଲୋକଟି ମୁଣ୍ଡକୁ ସତେ ଯେମିତି ପିତ୍ତ ଚହଟିଗଲା! ସେ ତାଙ୍କର ସବୁ ଧୈର୍ଯ୍ୟଶକ୍ତି ହରାଇ ବସିଲେ । ଏଥର ବେଶ୍‍ ଚଢ଼ା ଗଳାରେ ସେ ପ୍ରତିବାଦ କଲାଭଳି କହିଲେ, ‘ବାବୁ ସା’ବ୍‍, ବହୁତ ହୋଇଗଲା । ସବୁ ଲୋକଙ୍କର ସ୍ତ୍ରୀ, ଝିଅ, ବୋହୂ, ଭଉଣୀ ଅଛନ୍ତି । ଥାଉ, ଆଉ ସେସବୁ ବଖାଣିବାର ଦରକାର ନାହିଁ ।’

ହିନ୍ଦୁଯାତ୍ରୀଟି ଏଥର ବୁଢ଼ାଟିର ସ୍ୱରରୁ ତା’ର ମନର ଭାବକୁ ଅନୁମାନ କରିନେଲେ । ହେଲେ ସେ ଶିଖ୍‍ ସହଯାତ୍ରୀଙ୍କ ନିକଟରୁ ଏଭଳି କ୍ରୋଧ ଆଶା କରିନଥିଲେ । ତା’ପରେ କଥାର ମୋଡ଼ ବଦଳାଇବାକୁ ଯାଇ ସେ କହିଲେ, ‘ହଉ ହେଲା, ଏବେ ତ ଶିଖ୍‍ ଆଉ
ହିନ୍ଦୁ ଲୋକ ତେଜିଲେଣି । ହଁ, ପ୍ରତିଶୋଧ ନେବାଟା ଗୋଟିଏ ଖରାପ କଥା ନିଶ୍ଚୟ । ହେଲେ ଆଉ କେତେ ଦିନ ସହିବା? ଦିଲ୍ଲୀରେ
ତ ସେମାନେ ପଟୁଆର ସବୁ ବାହାର କଲେଣି । ଅନ୍ୟଆଡ଼େ ବି ସେମାନେ ମାଡ଼ ବଦଳରେ ମାଡ଼ ଦେଲେଣି । ସତ କହିଲେ …ଆଉ
ଅବା ୟା’ର ବିକଳ୍ପ କ’ଣ ଅଛି ? ମୁଁ ଶୁଣିଥିଲି କରୋଲବାଗ ଅଞ୍ଚଳରେ କୁଆଡ଼େ ଜଣେ ମୁସଲମାନ ଡାକ୍ତରଙ୍କ ଝିଅକୁ…’ ବୁଢ଼ାଶିଖ୍‍ଟି ଏଥର ଚିତ୍କାର ଛାଡ଼ି କହିଲେ, ‘ଜଣେ ସ୍ତ୍ରୀଲୋକ ପ୍ରତି ଖରାପ ବ୍ୟବହାର ଦେଖେଇବା ଆମ ସମସ୍ତଙ୍କ ପାଇଁ ଲଜ୍ଜାର କଥା, ବାବୁଜୀ ।’

ଏତିକି କହି ସେ ମୁହଁ ବୁଲେଇନେଲେ ଓ ସୁରେୟା ଆଡ଼େ ଚାହିଁ କହିଲେ, ‘ତୁ ମୋର ସାନ ଭଉଣୀଟିଏ ଭଳି । ଏଭଳି କଥା ତୋ ସାମ୍ନାରେ ଆମେ କଥାବାର୍ତ୍ତା ହୋଇଥିବାରୁ ମୁଁ କ୍ଷମା ମାଗିନେଉଛି ।’ ହିନ୍ଦୁ ଯୁବକ ଜଣକ ଆବାକାବା ହୋଇ କେବଳ ଚାହିଁ ରହିଥାଏ
ବୁଢ଼ା ଶିଖ୍‍ର ମୁହଁକୁ । ଯେମିତି ଏସବୁ ଘଟଣାର ସେ କିଛି ଆଦିଅନ୍ତ ପାଉନଥିଲେ । ଏଥର ସେ ବୁଢ଼ାଟିର କ୍ଷମାମାଗିବା ଦେଖି କହିଉଠିଲେ, ‘କ’ଣ ହେଲା, କାହିିଁକି କ୍ଷମା ମାଗୁଛ ? ମୁଁ ତ ସେ ସ୍ତ୍ରୀଲୋକଟିକୁ ଉଦ୍ଦେଶ୍ୟ କରି କିଛି କହିନି ।’ ତା’ପରେ ଟିକିଏ ଥମିଯାଇ ସାମାନ୍ୟ ଚଢ଼ାଗଳାରେ କହିଲେ, ‘ଇଏ ସ୍ତ୍ରୀଲୋକଟି କ’ଣ ତୁମ ସାଙ୍ଗରେ ଯାଉଛନ୍ତି ?’

ବୁଢ଼ାଶିଖ୍‍ଟି ପୂର୍ବ ଅପେକ୍ଷା ଆହୁରି ଚଢ଼ାଗଳାରେ ଜବାବ ଦେଲା- ‘ହଁ । ମୁଁ ଆଲିଗଡ଼ ପର୍ଯ୍ୟନ୍ତ ତା’ ସାଙ୍ଗରେ ଯାଉଛି । ତା’ର ସୁରକ୍ଷା ପାଇଁ ।’ ସୁରେୟା ମନ ଭିତରୁ କିଏ ଯେମିତି ଗୁଣୁଗୁଣୁ ହୋଇ କହିଉଠିଲା- ତେବେ ଏଇ ଲୋକଟି ଆଲିଗଡ଼ ଯାଏ ଯାଉଛି । କେତେ ଭଲ ଲୋକଟିଏ ସତେ! ଏଥର ସେ ସାହସ ବାନ୍ଧି ବୁଢ଼ାକୁ ପଚାରିଲା, ‘ତୁମେ ତା’ହେଲେ ଆଲିଗଡ଼ରେ ଓହ୍ଲେଇବ? ତୁମର କ’ଣ ସେଠି କେହି ନିଜ ଲୋକ ଅଛନ୍ତି?’

‘ମୋର କେଉଁଠି ହେଲେ କେହି ନିଜ ସମ୍ପର୍କୀୟ ନାହାନ୍ତି । କେବଳ ମୋର ଗୋଟିଏ ବୋଲି ପୁଅ । ଆଉ ସିଏ ମୋ ସାଙ୍ଗରେ
ଅଛି ।’ ‘ତା’ହେଲେ ତୁମେ ଆଲିଗଡ଼ ଯାଉଛ କାହିିଁକି? ସେଠାରେ କିଛି ଦିନ ରହିବ ନା କ’ଣ?’

‘ନାଇଁ, ଆସନ୍ତାକାଲି ପୁଣି ଲେଉଟି ଆସିବି ।’

‘ଖାଲି ବୁଲିଆସିବା ବାହାନାରେ ତା’ହେଲେ ତୁମେ ଆଲିଗଡ଼ ଯାଉଚ? ମନଖୁସିରେ ନା କ’ଣ?’ ବୁଢ଼ାଟି ଏମିତିକା କଥା ଶୁଣି ଆଶ୍ଚର୍ଯ୍ୟ ହେଲା । ଖୁସି ଶବ୍ଦର ଅର୍ଥ ଯେମିତି ସେ ବୁଝି ପାରୁନଥିଲା । ଏଥର ସେ ସ୍ତ୍ରୀଲୋକଟିକୁ ବୁଝେଇବା ପରି କହିଲା, ‘ନା, ସତ କହିଲେ ନିର୍ଦ୍ଦଷ୍ଟ ଭାବେ ଆମେ ବାପପୁଅ କୌଣସି ଗୋଟିଏ ଲକ୍ଷ୍ୟସ୍ଥାନକୁ ଯାଉନାହୁଁ । ଆମେ ଦୁହେଁ ଏବେସୁଦ୍ଧା ଠିକ୍‍ କରିପାରିନୁ, କେଉଁଆଡ଼େ ଯିବୁ । ଆଉ ଯେତେବେଳେ କୌଣସି ଗୋଟିଏ ହେଲେ ଜିନିଷର ସ୍ଥାୟିତ୍ୱ କି ସ୍ଥିରତା ଏ ଦୁନିଆରେ ନାହିଁ, ସେତେବେଳେ ଏଇ ଚଳନ୍ତା ଟ୍ରେନଠୁ ବଳି ଆଉ ନିରାପଦ ଜାଗା କେଉଁଠି ଅଛି ତୁମେ ନିଜେ କହୁନ?’

ପୁଣିଥରେ ସୁରେୟା ମନ ଭିତରେ ଆଲିଗଡ଼… ଆଲିଗଡ଼…ଶବ୍ଦଟି ପ୍ରତିଧ୍ୱନିତ ହେବାରେ ଲାଗିଲା । ସେ ଭାବିଲା, ଏଇ ଲୋକଟି କେତେ ଭଲ ମଣିଷଟିଏ… ଏଥର ସେ ପଚାରିଲା, ‘ଆଲିଗଡ଼ ତ ସେମିତି ଭଲ ଜାଗା ନୁହେଁ … ପୁଣି ସେଠିକି ଯିବାକୁ କାହିଁକ ଭାବିଲେ?’

ହିନ୍ଦୁ ଲୋକଜଣକ ଆଉ ନିରବରେ ବସି ନପାରି ଅଯାଚିତ ଦୟା ଦେଖାଇଲା ଭଳି ସ୍ୱରରେ କହି ଉଠିଲେ, ‘ କ’ଣ ଏତିକି
ବୁଝିପାରୁନ…?’  ‘ମୋ ପାଇଁ ଭଲ ଆଉ ମନ୍ଦ ଜାଗା କ’ଣ? ସବୁ ସମାନ ।’ବୁଢ଼ା ଉତ୍ତର ଦେଲା ।

‘ତୁମ ମନରେ କ’ଣ ସତରେ ଆଉ ଭୟ ବୋଲି କିଛି ନାହିଁ? ଧର, ସେଠାରେ ରାତିରେ ଯଦି କିଏ ତୁମକୁ ଛୁରୀ ଭୁସିଦେଲା…?’
ବୁଢ଼ା ଏଥର ମୁହଁରେ ଶୁଖିଲା ହସଟିକେ ଖେଳାଇ କହିଲା,  ‘ଏକଥା କାହିଁକ ଭାବୁନ ଯେ ହୁଏତ ସେଇ ଛୁରୀ ଭୁସିବାରୁ ମୋତେ ସେଠାରେ କେହିଜଣେ ରକ୍ଷା କରିପାରେ ବୋଲି?’ ‘ଏଇଟା ଗୋଟିଏ ଅସମ୍ଭବ କଥା ଭଳି କହୁଛ ।’ ‘ଅସମ୍ଭବ କାହିଁକି? ସମ୍ଭବ ବି ହୋଇପାରେ । ତା’ହେଲେ ମୋତେ ସେଠି ହତ୍ୟା କରିବ କିଏ? ହୁଏତ ଜଣେ ହିନ୍ଦୁ କିମ୍ବା ଜଣେ ମୁସଲମାନ ।

ଯଦି ଜଣେ ମୁସଲମାନ ମୋତେ ମାରିଦିଏ, ତା’ହେଲେ ମୁଁ ଖୁବ୍‍ ଶୀଘ୍ର ମୋ ପରିବାରର ଅନ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚିଯିବି । ଆଉ ଯଦି ଜଣେ ହିନ୍ଦୁ ମୋତେ ମାରିବାକୁ ଆସେ, ମୁଁ ନିଜେ ନିଜକୁ ଆଶ୍ୱାସନା ଦେବି ଯେ ଶେଷକୁ ଏକଥା ମଧ୍ୟ ଘଟିବାକୁ ବାକି ଥିଲା । ସାରା ଦେଶକୁ ଯେଉଁ ବ୍ୟାଧି ଗ୍ରାସ କରିଚି ଏବେ ତାହା ଶେଷ ସୀମା ସ୍ପର୍ଶ କରିଛି । ହୁଏତ ଏଇଆ ଘଟିଲେ ଆମେ ସେଇ ବାଟରୁ ଓହରି ଆସି ଭଲ ମନ୍ଦ କଥା ଭାବିବାକୁ ଅବସର ପାଇବା । ସେତେବେଳେ ଯାଇ ହୁଏତ ଦେଶର ମଙ୍ଗଳ ହେବ ।’

‘ହେଲେ ହିନ୍ଦୁ ଜଣେ ବିନା କାରଣରେ ତୁମକୁ ମାରିବ ଅବା କାହିଁକି? ହିନ୍ଦୁମାନଙ୍କର ଲକ୍ଷେ ଖରାପ ଗୁଣ ଥାଇପାରେ । କିନ୍ତୁ ସେମାନେ ଏମିତିକିଆ କାମ ଜମା କରିବେନି ।’ ହିନ୍ଦୁ ଯାତ୍ରୀ ଜଣକ ବିରୋଧାଭାଷ ପ୍ରକଟ କଲା ଭଳି ସ୍ୱରରେ କହିଲେ । ବୃଦ୍ଧ ଜଣକ ପୁଣି ଥରେ ରାଗିଗଲେ । ସେ ପରିହାସ କଲା ଭଳିି କହିଲେ, ‘ଥାଉ, ଥାଉ ବାବୁ । ଏଇ ଟିକିଏ ଆଗରୁ ତୁମେ ପରା ଦିଲ୍ଲୀରେ ଲୋକମାନେ କେମିତି ତାତିଲେଣି ବୋଲି କହୁଥିଲ? ଯଦି ତୁମ ହାତରେ ଏବେ ଧାରୁଆ ଅସ୍ତ୍ରଟିଏ ଥାଆନ୍ତା … ଆଉ ତୁମ ନିଜ ପ୍ରତି କିଛି ବିପଦ ନଥାନ୍ତା… ତା’ହେଲେ କ’ଣ ତୁମେ ତୁମ ସହଯାତ୍ରୀମାନଙ୍କୁ ଛାଡ଼ନ୍ତ? ଏଇସବୁ ଯେଉଁ ଲୋକମାନେ ତୁମ ସାମ୍ନାରେ ବସିଛନ୍ତି? ଆଉ ତା’ସାଙ୍ଗରେ ମତେ ବି…’

ହିନ୍ଦୁ ଯାତ୍ରୀ ଜଣକ କିଛି କହିବେ ବୋଲି ଥଙ୍ଗମଙ୍ଗ ହୋଇ ରହିଗଲେ । ହେଲେ ବୃଦ୍ଧ ଶିଖ୍‍ ଜଣକ ନିଜର ସେଇ କ୍ରୋଧଭରା ଚାହାଣୀ ଭିତରେ ଯେପରି ତାଙ୍କୁ ହତବାକ୍‍ କରି ପକାଇଥିଲେ । ‘ହଁ, ତୁମେ ଯେତେବେଳେ ଶୁଣିବାକୁ ଚାହୁଁଛ, ମୁଁ କହୁଛି, ମନଧ୍ୟାନ ଦେଇ ଶୁଣ । ମୋତେ ତୁମେ ଦୟା କି କରୁଣା ଦେଖାଇବାର ଛଳନା କରୁଚ । କାଇଁକିନା ମୁଁ ତୁମ ଆଖିରେ ଗୋଟିଏ ଶରଣାର୍ଥୀ । ଦୟା ଗୋଟିଏ ବହୁତ ବଡ଼ କଥା ବାବୁ । ଆଉ ତୁମେ ଯଦି ପ୍ରକୃତରେ ମୋ ପ୍ରତି କରୁଣା ଦେଖାଉଥାନ୍ତ, ତା’ହେଲେ ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ  କରିଥାନ୍ତି । ମୁଁ କେମିତି ଅବା ତୁମ ଦୟାକୁ ବିଶ୍ୱାସ କରିବି, କହିଲ? ତୁମେ ଯେଉଁ ସ୍ୱରରେ ମୋ ପ୍ରତି କରୁଣା ଦେଖାଇଲାଭଳି କଥା କହୁଛ, ସେଇ ସ୍ୱରରେ ତ ହୃଦୟହୀନ ଭାବେ ଦିଲ୍ଲୀର ସେଇ ଅମାନୁଷିକ ଘଟଣା ବଖାଣି ଚାଲିଛ । ସତରେ ଯଦି ତୁମେ ମୋ ପ୍ରତି ସମଦୁଃଖୀ ହୋଇ ଅନୁକମ୍ପା ଦେଖାଉଥାନ୍ତ ଓ ସେଥିରେ ତୁମର ଆନ୍ତରିକତା ଥା’ନ୍ତା, ତା’ହେଲେ ହୁଏତ ତୁମ ତୁଣ୍ଡରୁ ଏଭଳି କଥା ପଦଟିଏ ବାହାରିଲା ପୂର୍ବରୁ ଜିଭ ଅଟକି ଯାଇଥାନ୍ତା । କିନ୍ତୁ ତୁମେ ତ ବେଶ୍‍ ସହଜ ଭାବେ ଏସବୁ କଥା ଗପିଗଲ । ତୁମକୁ ଟିକିଏ ହେଲେ ଲଜ୍ଜା ସୁଦ୍ଧା ଲାଗିଲାନି ଏଭଳି ପାଶବିକ ଘଟଣାକୁ ବଖାଣିବାରେ । ଏମିତି କଥା କହିଲା ଆଗରୁ କାହା ମୁଣ୍ଡ ଲଜ୍ଜାରେ ନଇଁ ନପଡ଼ିବ କହିଲ ଦେଖି?

ଗୋଟିଏ ସ୍ତ୍ରୀଲୋକର ଅସମ୍ମାନ କେବଳ ତା’ର ନୁହେଁ, ସାରା ନାରୀଜାତି ପ୍ରତି ଅସମ୍ମାନ । ଏଇଟା କେଉଁ ହିନ୍ଦୁର ନୁହେଁ କି କେଉଁ ମୁସଲମାନର ନୁହେଁ । ସେଇ ନାରୀଟି ଭିତରେ ଥିବା ସାରା ମଣିଷ ସମାଜର ମାତୃତ୍ୱ ପ୍ରତି ଏହା ଅସମ୍ମାନ । ମୋ ଉପରେ ଶେଖ୍‍ପୁରାରେ ଯାହା ଘଟିଗଲା… ଘଟିଗଲା । କିନ୍ତୁ ମୁଁ ଜାଣିଛି ସେଇ ଘଟଣାର ପ୍ରତିଶୋଧ ମୁଁ ଆଉ କାହା ଉପରେ ନେଇ ପାରିବିନି । କାରଣ, ମୁଁ ଜାଣିଚି ସେଇ ଘଟଣା ପାଇଁ ଯେତେ ପ୍ରତିଶୋଧ ନେଲେ ବି ମୋ ଦୁଃଖ ମେଣ୍ଟିବନି । ହଁ, ମୋ ମନ କ୍ଷଣକ ପାଇଁ ବୁଝିଯିବ ସେମିତି କିଛି ଗୋଟିଏ କାଣ୍ଡ ଭିଆଇଲେ । କିନ୍ତୁ ମୋ ଉପରେ ଯାହା ବିତିଛି, ସେଇକଥା ଅନ୍ୟ ଉପରେ ବିତୁ, ସେକଥା ମୁଁ କେବେସୁଦ୍ଧା ଚାହିଁବିନି । ଆଉ ଜାଣିଥାଅ, ସେଇଥିଲାଗି ମୁଁ ପ୍ରତିଦିନ ଦିଲ୍ଲୀରୁ ଆଲିଗଡ଼ ଯା’ଆସ କରୁଥିବା ଗାଡ଼ିରେ ଲୋକମାନଙ୍କୁ ସୁରକ୍ଷା ଦିଏ । ଏମିତି ଦିନ ପରେ ଦିନ ଗଡ଼ିଚାଲିଛି, ଆଉ ତା’ସାଙ୍ଗରେ ମୋ ମନର କିଛି ଦୁଃଖ ବି ମେଣ୍ଟି  ଯାଉଛି । ଯଦି ଏଇ କଥା କରୁ କରୁ କାହା ହାତରେ ଦିନେ ମୋ ଜୀବନ ଯାଏ ମୋ ଜୀବନର ହିସାବଫର୍ଦ୍ଦ ସେଇଠି ବୁଜି ହୋଇଯିବ । ମୋ ମନ ସେଥିରେ ଆଦୌ ଦୁଃଖ ହେବନି । ମୋତେ ଜଣେ ହିନ୍ଦୁ ମାରୁ ଅବା ଜଣେ ମୁସଲମାନ ହାତରେ ମୋ ଜୀବନ ଯାଉ । ମୋ ଜୀବନରେ କେବଳ ଆଉ ଗୋଟିଏ ଲକ୍ଷ୍ୟ ଅଛି- ମୋ ଆଖି ଆଗରେ ମୁଁ ଯେଉଁ ନାରକୀୟ ଦୃଶ୍ୟ ଦେଖିଚି, ସେ ଦୃଶ୍ୟ ଅନ୍ୟ କୌଣସି  ଲୋକ ଆଖିରେ ଯେପରି ନପଡ଼େ । ସିଏ ହିନ୍ଦୁ ବା ମୁସଲମାନ ହେଉ କିମ୍ବା ଶିଖଟିଏ ହୋଇଥାଉ । ମୋର ପରିବାରର ଲୋକମାନେ ମରିବା ପୂର୍ବରୁ ଯେଉଁ ଅତ୍ୟାଚାରର ଶିକାର ହେଲେ, କୌଣସି ଲୋକର ସ୍ତ୍ରୀ ଅବା ଝିଅମାନଙ୍କ ଭାଗ୍ୟରେ ସେମିତି ଦୁଃଖର ଦିନ ନ ଆସୁ ଓ କେହି ଲୋକ ନିଜ ଆଖି ସାମ୍ନାରେ ତା’ ପରିବାରର ନିର୍ଯ୍ୟାତନା ଓ ମରଣ ନଦେଖୁ ।’

ଶିଖ୍‍ ଯାତ୍ରୀଟି ଏକା ନିଃଶ୍ୱାସକେ ଏତେ ଗୁଡ଼ିଏ କଥା କହି ହଠାତ୍‍ ଚୁପ୍‍ ହୋଇଗଲେ । ସାରା କମ୍ପାର୍ଟମେଣ୍ଟରେ କିଛି ସମୟ ଲାଗି ନୀରବତା ରାଜତ୍ୱ କଲା । କାହାରି ମୁହଁରେ କିଛି ହେଲେ ଭାଷା ନାହିଁ । ଟ୍ରେନଟିର ଗତି ଆସ୍ତେ କମି ଆସିଲା । ଆଗରେ ଆଲିଗଡ଼ ଷ୍ଟେସନ୍‍ । ସୁରେୟା ନିଜକୁ ଋଣୀ ହୋଇପଡ଼ିବା ଭଳି ଅନୁଭବ କରି କିଛି ଗୋଟିଏ କହିବ ବୋଲି ଚାହୁଁଥିଲା । କିନ୍ତୁ ତା’ ପାଟିରେ ବି ଶବ୍ଦ ନଥିଲା । ସତେ ଯେମିତି ବୁଢ଼ା ଶିଖଟିର ଏଇସବୁ କଥା ତାକୁ ବାକ୍‍ଶକ୍ତିହୀନ କରି ପକେଇଥିଲା!

ବୁଢ଼ା ସର୍ଦ୍ଦାର ଏଥର ନିଜ ବସିବା ଜାଗାରୁ ଉଠି ଠିଆହେଲା । ଉପର ବର୍ଥ ଆଡ଼େ ଚାହିଁ କହିଲା, ‘କାକା, ଉଠ୍‍, ଆଲିଗଡ଼ ଆସିଗଲା ।’ ତା’ପରେ ହିନ୍ଦୁ ଲୋକଟି ଆଡ଼େ ଚାହିଁ ସେ କହିଲେ, ‘ବାବୁ ସା’ବ୍‍, ଯଦି ନିଜ ଅଜାଣତରେ କିଛି କହି ତୁମ ମନରେ ଦୁଃଖ ପହଞ୍ଚେଇଥିବି, କ୍ଷମା ଦେବ । ଯେତେହେଲେ ଏବେ ଆମେମାନେ ତୁମମାନଙ୍କ ଶରଣାର୍ଥୀ । ମତେ ଭୁଲ୍‍ ବୁଝିବନି ।’ ହିନ୍ଦୁ ଯାତ୍ରୀଟିର ମୁହଁରୁ ଏବେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା, ଯଦି ସର୍ଦ୍ଦାରଜୀ ଓ ତା’ ପୁଅ ଏଇଠି ଓହ୍ଲେଇ ନ’ଥାନ୍ତେ, ସେ ହୁଏତ ଆଉ ଗୋଟିଏ ଡବାକୁ ଯାଇ ବସିବାକୁ
ଉଚିତ ମଣିଥାନ୍ତା ।

ରୂପାନ୍ତରଣ: ସୁଭାଷ ଶତପଥୀ