ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୭
ଆଉ କି ଡର ମ। ଝିଅ …ଖିଅ…ମୁଁ ମଲାଙ୍ଗ ନୁହେଁ…। ନିଗିଡିଯାଉଥିଲା ଦରଦସବୁ ଠୋପାଠୋପା ହୋଇ।ଧୋଇଯାଉଥିଲା ସମସ୍ତ ଭଲପାଇବା ..। ତୁଟିଯାଉଥିଲା ଡର… ଖେଳିବ କିଏ …ଏ ଦେହ ତ ଖେଳନା ନୁହେଁ କି ମନ ବି ନୁହେଁ। ଉଭେଇଯାଉଥିଲା ବିହ୍ବଳ ଭାବନା ।ମୋ’ ମନ ,ମୋ’ ଦେହ …ମୋ’ ସର୍ବସ୍ଵ ପୃଥିବୀରେ ମୁଁ ହିଁ ଅଧିଶ୍ବରୀ। ନିଜ କକ୍ଷପଥରେ ଅକ୍ଷପଥ ସହ ତାଳଦେଇ ନିଜେ ଘୂରିବାକୁ ପଡିବ।ପୃଥିବୀ , ତୁ କେତେ ସହିପାରୁରେ … ନୀରବରେ …। ମାଟି ହୋଇଯିବି… ହୋଇଗଲିକି ଆଉ…।
ଏକଲା ଏବେଠାରୁ..। ସମସ୍ତେ ତ ଏକଲା.. । କୋଉ ମୁଁ ସାଙ୍ଗରେ ଥିଲି କାହାର। ନିଜକଥା ନିଜେ ବୁଝୁଥିଲି। ନିଜ ରାସ୍ତା ନିଜେ ତିଆରୁଥିଲି। ଏତିକି ଯେ ଘରେ ରହୁଥିଲି।ଆଉ ଏବେ ରହିବି ମୋ’ ପାର୍ଲୋରରେ।ନା ସବୁଦିନେ ରହିହବନି ତ । ସେଇ ବିଲଡିଂରେ ଆଉ ଫାଙ୍କା ଘର ଅଛିକି, ଖୋଜିବି ….।
ମୁଣ୍ଡ ଭିତରେ ଏତେକଥା ଚାଲୁଥିଲା ଏକାସହିତ ଯେ ନକହିବା ଭଲ। ସତରେ କଣ ଚିତ୍ରା ସୁଖୀହବ…। ଲିପୁନ ଠିଆ ହେବ…ମାଆ ଭଲରେ ହସିବ…ବାପା.. ସତରେ ସେମାନେ ପରସ୍ପର ସହ …ଭାବିପାରୁନଥିଲି ଆଉ।
ପହଞ୍ଚିଗଲି ‘ଧାରା’ରେ … ମୋ’ ଘରେ। ଏଇ ତାରା, ମଲ୍ଲୀ, ବରଖା, ସୁଗନ୍ଧା, ଲିଣ୍ଡା, ସମସ୍ତେ କିଛି ନହୋଇବି କେତେ ନିଜର। ରକ୍ତ ସମ୍ପର୍କ କଣ ସବୁ …ବସୁଧୈବ କୁଟୁମ୍ବକମ୍ …। ହଁ, ଯାହା ସହିତ ଯେତିକି ଦିନ ମିଶି ଚଳିବାକୁ ଥିବ ….ବାକି ତ ସହଯାତ୍ରୀ …।
ନା ଖାଇଲି , ନା ଶୋଇଲି ଏକରକମ ଅଣନିଃଶ୍ବାସି ଅବସ୍ଥା। କହିବାକୁ ବି ଏସବୁ ନିର୍ଭରଯୋଗ୍ୟ କାହାକୁ ପାଉନଥିଲି।ହଠାତ୍ ଡକ୍ଟର ଆଣ୍ଟି ଆବିର୍ଭୂତା …ବିନା ଖବରରେ…।
:କ’ଣରେ, ଫୋନ ଉଠଉନୁ ଯେ
:ସରି,ଦେଖିନି
: ଏବେ ଚାଲ ମୋ’ ସହିତ, କାହାକୁ ଦାୟିତ୍ୱ ଦେଇ।
ବାଧ୍ୟ ପିଲା କି ପୋଷା ବିଲେଇ ହୋଇଗଲି,, ପଛେପଛେ ଗଲି, ପିଲାଙ୍କୁ ବୁଝେଇ।
ପେପରରୁ ପଢି ସବୁ ବୁଝିଥିଲେ ଆଣ୍ଟି। ମନକୁ ପଢି ପାରନ୍ତି ସେ ବହୁତ ଭଲ ଭାବରେ । ଜାଣିଥିଲେ କିଛି ଟିକିଏ ଅମ୍ଳାନଙ୍କ ସହ ମୋ’ର ଗଢି ଉଠୁଥିବା ନୂଆ ସମ୍ପର୍କକୁ । ପଚାରିଲେନି କିଛି। ଆକଟିଲେନି ଜମା , ଖାଲି କହିଲେ, ‘ ଯାଃ ସଫାସଫି ହୋଇ ଖାଇନେ , ଆଉ ଟିକିଏ ଶୋଇପଡ।’ ତାଙ୍କ ଗେଷ୍ଟ ରୁମ ଦେଖେଇଦେଲେ। ସେତିକିରେ ଝରିଗଲି … ମାଆ ପାଖରୁ ଆଉ କଣ ଚାହୁଁଥିଲିକି…ଏତିକି ବୁଝିପାରିଲାନି …।
ସବୁ କହିଲି , ବହେ କାନ୍ଦିଲି।ତାଙ୍କ କଥା ମାନିଲି। । ସତରେ ତାଙ୍କଘରେ ପରମ ଆତ୍ମୀୟ ଭାବରେ ଯେଉଁ ଆଦର ପାଇଲି ଶବ୍ଦରେ କହିପାରୁନି।ଭାଗ୍ୟକୁ ପିଲାଏ ନଥିଲେ ସେ ସମୟରେ ।ନହଲେ ମୁଁ ଫିଟି ପାରି ନଥାନ୍ତି ସ୍ବଚ୍ଛନ୍ଦରେ।
ଜୀବନ ଆଉ ରକମେ ଆରମ୍ଭ ହେବ। ପାର୍ଲୋର ଛାଡିଦେବିକି …। ନା, ସେ ସମୟ ଆସିନି…।ଏବେ ଆଉ ଟଙ୍କା କଣ ହବ ମୋର..ଯେତିକି ଅଛି ଚଳିଯିବି ତ। ପଳେଇବି କି କୁଆଡେ ଏ ସହର ଛାଡି।ଉହୁଁ ..।ଜୀବନକୁ ନେଇକି ଚାଲିବାକୁ ହବ। ଛାଡିକି ଯାଆନ୍ତି ଡରୁଆଦଳ…। ନିଜକୁ ନିଜେ ଦମ୍ଭ ଧରିବାକୁ ହବ। ଯିଏ ଭୁଲକଲା ସେ ଯଦି ହସିହସି ରହିପାରୁଚି ନିର୍ଦୋଷ କାହିଁକି ମୁହଁ ଲୁଚେଇବ…।ନେଇଯାଆରେ ସମୟ ସବୁ ଯାହା ମୋ’ର ନଥିଲା ….କ୍ଷଣଭଙ୍ଗୁର ସେସବୁ। ଅଖଣ୍ଡତା ଆଡକୁ ପାଦମୋର ବଢୁଥିଲା .. ପାଦେପାଦେ ମାନବିକତା ଆଡକୁ… ସାମାଜିକଦାୟବଦ୍ଧତା ଆଉକିଛି …ଚାଲିବାକୁ ଅଛି ଅନେକ ଆଗକୁ …। ମନରୁ କାଢି ଏତେ ଶୀଘ୍ର ଫିଙ୍ଗି ପାରୁନଥିଲି ଅଳିଆକୁ , ଚେଷ୍ଟା ନିରନ୍ତର ଥିଲା।ମନର ଉପଚାର ସହ ତଲ୍ଲୀନ ହେଉଥିଲି ଯୋଗମାୟା ଅପାର କଥାରେ। ଏକ ମହାଜାଗତିକ ଶକ୍ତି ସହ ମିଳିତ ହେଉଥିଲି କିଛି କ୍ଷଣ ପାଇଁ। ନାଁ ନ ଥିବା ନିରୁତା ବନ୍ଧୁତା ଗଢିଉଠୁଥିଲା ଜୀବନ ସହିତ…।
ପୁରୁଣା କଥା ଦୋହରେଇବା ମନା। ଥରେ କହିଲା ପରେ ଫିଙ୍ଗି ଦେବାକୁପଡେ … କଷ୍ଟସାଧ୍ୟ ବ୍ୟାପାର ଏଇଟା। ଅଭ୍ୟାସ ଦରକାର ତା’ ପାଇଁ ।ପୁରୁଣା ଚିରାଫଟା ଲୁଗାକୁ ଆମେ କୋଉ ଲୋଭରେ ରଖୁଯେ!ଏଇ ନବଜନ୍ମ ପାଇଁ କେତେ ବାଟ ବୁଲିଲା ମଣିଷ ,ରୂପନାରାୟଣ…ବୁଢାବଳଙ୍ଗ ଦେଇ ..ଶୋଣ..ଗଙ୍ଗାହାର…ସୁବର୍ଣ୍ଣରେଖା….ଅଙ୍କାବଙ୍କା …ସର୍ପିଳ …କେତେରାସ୍ତା। ସିଧାସଳଖ ଥିଲେ କିଏ କାହିଁକି ଚାହିଁବ, ଘୂରିଫେରି ଆସିଲେ …ମନେ ରହିବ।
ଆସୁଥିବା ସମୟ ନୂଆ ପ୍ରକାରେ ଆସୁ । ଅନେକ ଯୋଜନା, ଅନେକ ପରିକଳ୍ପନା ରହିଛି ,ନବଦିଗନ୍ତର ଆଲୋକରେ ଉଦ୍ଭାସିତ ହେଉ ସେସବୁ। ସମ୍ଭାବନାମୟ ହେଉ …. ଫଳବତୀ ହେଉ .. ନିଜକୁ ନିଜେ ଆଶ୍ବାସୁଥିଲି । (କ୍ରମଶଃ)