Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୨

ସବୁ ଦୋଷ ଜଣକର ନୁହେଁ ତ କେବେ, ହୋଇ ନପାରେ ବି।କାହାର କମ କାହାର ବେଶି ଥାଇପାରେ। କୁଆଁରୀ ଝିଅଟି ମାଆ ହୋଇଯାଏ ..ମାଂସର ଡାକ ଘାରିଯାଏ।ନେପଥ୍ୟରେ ରହିଯାଆନ୍ତି ଯେଉଁମାନେ ତାଙ୍କୁ କେଉଁ ଶବ୍ଦରେ ବା କହିହେବ। ଦୋଷ କାହାକୁ ଦବା, ଯିଏ ଫୁଟି ଦିଶିଲା ନା ପଛପଟେ ଯିଏ ରହିଲା..। ଭାବରେ ଆଲୋଚନା ହେଲା…ଏଥରର ସଚେତନତା କାର୍ଯ୍ୟକ୍ରମରେ ପୁଅପିଲାଙ୍କୁ ନେଇ ପରୀକ୍ଷା ନିରୀକ୍ଷା …। ଆମ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ଉଭୟ ପୁଅ ଓ ଝିଅଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଅଳ୍ପ ବୟସର ପିଲାଏ ବୁଝନ୍ତି କି କିଛି …ଆଗପଛ ବିଚାର କରି ପାରନ୍ତି ନାହିଁ ..ଟୋପାଏ ପୁଲକ ବା କ୍ଷଣିକ ଆନନ୍ଦ ଜୀବନକୁ ଚୁରମାର କରେ.. କିଏ ଲାଜରେ ମରେ..କିଏ ଡରରେ ହଜେ..ଟିନ୍ଏଜର …କୈଶୋର ଚପଳାମି ଯାଇଥିବ କି ନାହିଁ ଯୁବସୁଲଭତା ଫୁଟି ପଡୁଥିବ…ଧରାକୁ ସରାମଣିବାର ବେଳ.. ନିରୀହ ଦୁଷ୍ଟାମିର ଅହଙ୍କାର ….।ମାଆବାପା ସଚେତନ ହେଲେବି ଅସାବଧାନତା ହେତୁ ଠୁକ୍ କରି ଭାଙ୍ଗିଯାଏ…ସମୟ ପାଖରେ ମଣିଷ ହାରିଯାଏ।ଚେତନଶୀଳ ମଣିଷକୁ ହରାଇବା ସହଜ ନୁହେଁ।ଆମ ପରମ୍ପରା ଆମ ସଂସ୍କୃତି ଆମକୁ ଆଗକୁ ବଢିବାର ବାଟଦେଖାଏ।ପାସୋରି ସବୁ ଆମେ ଆଜି ପତଙ୍ଗ ଭଳି ଜାଳିଦେଉଚୁ ନିଜକୁ … । ଏମିତି ସୁଅମୁହଁରେ କଣ ଭାସିଯିବା ଅସହାୟ ହୋଇ…ନା ମ …।

କି ସୁନ୍ଦର ଶୁଣାନ୍ତି କଥା ସବୁ। ଭଲ ଲାଗେ ।ମଣିଷ ଭୁଲିଯାଏ ସେବେଳରେ ଅସ୍ତିତ୍ବ।ଜାବୁଡି ଥିବା ମଣିଷ ହାତ ଖସେଇନିଏ … ଦାଦାଭାଇ କହିଲେ ମାଆର ମୁଁ ପାଳିତା ଝିଅ… ମନ ପ୍ରଥମେ ଭାଙ୍ଗିଲା ସେଇଠି…କୋଉ ବାଟ ଦେଇ କେମିତି ଆସି ଏ ଅଜଣା ଜାଗାରେ ଆରେଇ ଗଲି…ଗତକାଲି ଦୋହଲାଇଦିଏ ବେଳେ ବେଳେ।କେଜାଣି କିଏ କେମିତି ଥିବେ… କାହାକୁ ନିଜର କହିବି..କିଏ ଖୋଜୁଥିବ ମୋତେ…।

ଆଜି ଗପକହିବିରେ ପିଲେ କହି ଆରମ୍ଭ କଲେ ବେଶ ମିଠା ସ୍ବରରେ ଶ୍ବେତାବ୍ଜର ମାଲିକାଣି : ମନ ଭାରି ଦୁଷ୍ଟ …ଠିକ ହାତୀଭଳି। ବିବେକ ଅଙ୍କୁଶ ,ବ୍ରେକ.. ଅଟକେଇ ଦିଏ ।ମାନିଲେ ଭଲ ନହଲେ ଉବୁଟୁବୁ ନଈ ଭିତରେ।କୁମ୍ଭୀର ଖାଇବ ନହଲେ …ପିଲାଏ ତୁମେ ସ୍ବପ୍ନ ଦେଖ …ଆଗକୁ ବଢ…ପିଲାମାନେ ଫୁସୁରଫାସର ..କି ଗପ ଇଏ…।ବୁଝିଗଲେକି ଆଉ…ମୁଁ ଚଉଦ ପନ୍ଦର ବର୍ଷର ଝିଅଥିଲି ଯେତେବେଳେ ଦେଖାହେଲା ନାରଣଗଡର ଜମିଦାରଙ୍କ ସହ ଥରେ।ମୁଁ ବି ଥିଲି ଜମିଦାର ଝିଅ।ଜମିଦାରୀ ଆଦବକାଇଦା ବେଶ ଜଣାଥିଲା ମୋତେ।ସବୁ ଦିଗରୁ ଠିକ୍ ଥିଲା …ଯେବେ ଦେଖାହେଲା ଶିଳାଦିତ୍ୟଙ୍କ ସହିତ …ଡେଣା ଲାଗିଗଲା ମନରେ ..ତଳେ ନୁହେଁ ଆକାଶରେ ଉଡୁଥିଲି … ଆକଟ ମାନୁନଥିଲି କାହାରି।ମୁଁ ଠିକ୍ କରୁଚି , ମୋତେ ସବୁଜଣା ଭାବୁଥିଲି।ପବନ ଯୁଆଡେ ପୋତ ସିଆଡେ… କଥା ତ ପବନ..ମାନିଲିନି ପ୍ରତିକୂଳରେ ଧାଇଁଲି … ଖସରିଗଲି…କଚଡା ଖାଇଲି..ବଞ୍ଚି ଗଲି।

ଏଥର ବାରମ୍ବାର ଦୋହରେଇଲି, କାରଣ ବଞ୍ଚିଯାଉଥିଲି ବୋଲି ଡରୁନଥିଲି। ଆଉ ଯୋଉଦିନ ହରେଇଦେଲି ନିଜର ସବୁ…ନିଜକୁ ବି ଡରିଲି।ଶିଳାଦିତ୍ୟ ଲୁଚିଗଲେ ମେଘତଳେ, ଦୀପ୍ତାଂଶୁ ଆସିଲେ ଜୀବନରେ। କେମିତି କହିବି …କଣ ବି କହିବି… ବିବାହର ଦିନ ଧାର୍ଯ୍ୟ ହୋଇଗଲା। ବିବାହବି ହେଲା।କହିଲି,କହିବାକୁ ବାଧ୍ୟ ହେଲି।ଆଉ ସୁବିଧା ହେଲା ତିତିକ୍ଷା ପାଇଁ …ମୋ’ ଅଂଶ ମୋ’ ଦେହର ଟୁକୁଡାଏ ସମ୍ପିଦେଲି ଲୋକଲଜ୍ଜା ଭୟରେ…ସେଦିନରୁ ଅପେକ୍ଷା …ଅନନ୍ତ ଅପେକ୍ଷା ….। ସର୍ବସ୍ଵ ହଜେଇ ଦେବାର ଯେଉଁ ବିରଳ ଅନୁଭବ…ମୁଁ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳି ପାରିଲିନି…ହଜିଗଲେ ଜଣଜଣକରି… ବାରମ୍ବାର ମିଥିଳା ରାଜ୍ୟକୁ ଯାଇଚି…ଫଳ ଥରେଲଖସିଗଲେ କୋଉ ଡାଳରେ ଲାଗେ ଯେ…ପିଲାଏ ତୁମେ ଦୃଢ ସଂକଳ୍ପ ନିଅ ରେ… କିଛି କାମ ପୂର୍ବରୁ ଦଶଥର ଭାବିବ… ହଜେଇଦେବନି ନିଜକୁ କ୍ଷଣିକରେ … ମୁଁ କେତେ ହଜେଇଚି ,ଖୋଜିଚି କେତେ ପାଇଲି କଣ ଜୀବନରେ…ସମ୍ପର୍କ ତ ସୂତାଖିଏ …ମାନସିକ ଭାରସାମ୍ୟ ହରାଇ ଯୋଉଦିନ ଘରଛାଡି ଡେଇଁ ପଡୁଥିଲି ନଈକୁ ଏଇ ସିଷ୍ଟର ଜର୍ଜିଆ ଟାଣିଆଣିଥିଲେ …. ଅଚେତନ ଅବସ୍ଥା …ଅବସୋସ୍ ଭିତରେ ସିଝୁଥିବା ଅବସ୍ଥା …ଟିକିଏ ଭୁଲ, ପ୍ରାୟଶ୍ଚିତ କରିବାକୁ ସୁଯୋଗ ବି ପାଇଲାନି ମଣିଷ …।ଧନଥାଇ ବି ମନ ଖଣ୍ଡ ବିଖଣ୍ଡିତ…।ସବୁ ଏଇ ସିଷ୍ଟରଙ୍କ ହାତରେ ଟେକିଦେଇଥିଲି…ଆଜି ଏଇ ଶ୍ବେତାବ୍ଜ ନର୍ସିଂହୋମ ଓ ଡିଭାଇନ ସେଣ୍ଟର ତା’ର ଫଳଶ୍ରୁତି।

ଜବାକୁ ଆଉ କିଛି ଶୁଭୁ ନଥିଲା….ଖସଡା ବାଟ ଅରମା କଣ୍ଟା ଝଣ୍ଟାକୁ ଡେଇଁ ଡେଇଁ ପହଞ୍ଚିଲି …ଏଇଆ ଶୁଣିବାକୁ …ମାଆ, ମାଆ .. ଏଇଠି ଏମିତି … କାହିଁକି ଶୁଣେଇଲ .. ଉଃ …ତରଳିଯାଉଥିଲା …ବହିଯାଉଥିଲା … ଅଠା ଅଠା ପାଟି…ଏଇ ମାଆ… ମାଆ…
ଚେତାଫେରିଲା ବେଳକୁ ସିଷ୍ଟର ବାରମ୍ବାର କହୁଥିଲେ , ମାଆ ମନେ ପଡୁଛନ୍ତି ,ସୁନାଝିଅ… ବିଚଳିତ ହୁଅନା …ଡକ୍ଟର ବସା ଆସିବେ। ଆମେସବୁ ତୁମ ସହ ଅଛୁ…ତୁମେ ପରା ମାଆ ହୋଇଗଲଣି ଏଇ କୁନାକୁନି ଅପେକ୍ଷା କରିଛନ୍ତି ତୁମକୁ …ଆଉ କାହିଁକି ମନ ଦୁଃଖ କରୁଚ … ମଦରମେରୀ ଆମ ସହିତ ଅଛନ୍ତି। ପ୍ରଭୁ ଆମର ଭଲକରିବେ।ତାଙ୍କ କଥାରେ କୋହ ବଢୁଥିଲା ମୋ’ର , ଜଗତଜନନୀ ଆମସହିତ ଅଛନ୍ତି …ରକ୍ତ ମାଂସର ମାଆ ଏଇଠି ଥାଇ ବି ଦୂରରେ..ଗ୍ରହଣ କରିବେ କି ମୋତେ…କହିବି କି ତାଙ୍କୁ …ଟୋପାଏ ମମତା ଚାହିଁଚି କେବଳ… । ( କ୍ରମଶଃ )

 

Leave A Reply

Your email address will not be published.