Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୪

 

କାଉସିଲିଂରୁ ଯାହା ଜାଣିଲେ ଡ଼କ୍ଟର କର , ଗୋଟିଗୋଟି କରି କୁମାରକୁ ଜଣେଇ ଦେଲେ ଅଲଗାରେ । ଯାହା ବୈଭବ ଜାଣିବା କଥା ଓ ବୁଝିବା କଥା, ତା’ ବି ଜାଣିଲା । କିଛି କଥାକୁ ଲୁଚାଇ ଦିଆଗଲ ଆରାଧ୍ୟାକୁ । ପ୍ରଥମେ ଠିକ୍ ହେବା ଜରୁରୀ ।

କ’ଣ ହେଇଛି? କ’ଣ କହୁଥିଲେ ଡ଼କ୍ଟର ?ଫେରିବା ବାଟରେ ପ୍ରଶ୍ନ କଲା ଆରାଧ୍ୟା ।

ବେଶୀ କିଛି ନୁହୋଁ ଆପଣ ୟାଡୁସାଡୁ ଭାବନ୍ତୁ ନାହିଁ । ସ୍ଥିର ଓ ଖୁସି ରୁହନ୍ତୁ । ସବୁ ଠିକ୍ ହେଇଯିବ ।

କିଛି କ୍ଷଣ ନୀରବ । ସେଇ ନୀରବତା ଭିତରେ କୋଳାହଳର ଘୂର୍ଣ୍ଣିଝଡ଼ଟେ ଉଙ୍କି ମାରୁଛି ଦୁହିଁଙ୍କ ଭିତରେ । ଯିଏ ଯା’
ଭାବନାରେ ବୁଡ଼ି ରହିଛନ୍ତି । ବାସ୍ ଆଉ ନୁହେଁ । ଏମିତି ଚୁପ୍‌ ବସିଲେ ଭାରି ଅଡ଼ୁଆ ଲାଗୁଛି । ଆରାଧ୍ୟା ପ୍ରଥମେ ଆରମ୍ଭ କଲା ।
ସୁକାନ୍ତି କିଛି ଦିନ ଭିତରେ ତା’ ଗାଁ କୁ ଯିବ କହୁଥିଲା କୁମାର । ତା’ ବୋଉ ପାଖକୁ ।

ଓକେ.., କିନ୍ତୁ ସୁକାନ୍ତି ଗଲେ ଆପଣ କେମିତି ରହିବେ? ତା’କୁ ଏବେ ଛାଡିବେ? ଏବେ ଛୁଟି ନେବା କ’ଣ ନିହାତି ଦର୍କାର?

ଛାଡ଼ିବିନି? ସେ କ’ଣ ବୁଲିବାକୁ ଯାଉଛି? କହିଥିଲି ପରା, ଡେଲିଭରି ପାଇଁ । ଆଗରୁ ତ’ ଯୋଜନା ହେଇସାରିଥିଲା । ତା’କୁ
ଯିବାକୁ ହେବ । ତା’ ପରେ ସୁର ପରା ଆଉ ଜଣେ କାହାକୁ ଠିକ୍‌ କରିଛି । ସେ ତ’ ଆସିବ ।

କୁମାର ଲଜ୍ଜିତ ହେଲା । ସବୁ ଜାଣି ବି ଏମିତି ପ୍ରଶ୍ନ ! ସୁକାନ୍ତି ୟାଙ୍କ ପାଖରେ ରହିଲେବି, ଅଧିକ କ’ଣ କରିପାରି ଥାଆନ୍ତା? ପୁଣି
ତା’ର ଛୁଆ ହେଲା ପରେ ତା’ କଥା କିଏ ବୁଝିବ? ମଣିଷ ବେଳେବେଳେ ଏତେ ମାତ୍ରାରେ ନିଜ ଭିତରେ ବୁଡିଯାଏ ଯେ, ସାମ୍ନା ଲୋକର ସାଧାରଣ କଥାଟା ବି, ମନରୁ ବାହାରି ଯାଏ ।

କିନ୍ତୁ କାହା ପାଇଁ ? ଆରାଧ୍ୟା ପାଇଁ? କାଇଁ? ଆରାଧ୍ୟା ତା’ର କିଏ? ଏ କି ପ୍ରକାର ଭାବନା ଭିତରୁ ଭିତରୁ ତା’କୁ ଅଣ ନିଃଶ୍ୱାସୀ କରି ପକାଉଛି? ସେ ଛନ୍ଦି ହେଇ ଯାଉନି ତ?

କ୍ରମଶଃ  

Leave A Reply

Your email address will not be published.